ବାରମ୍ବାର ଛାନିଆ ଲାଗିବା ଏକ ପ୍ରକାରର ମାନସିକ ସମସ୍ୟା। କେମିତି ଏହି ସମସ୍ୟାରୁ ରକ୍ଷା ପାଇବା? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା।
- ମାନସିକ ଛାନିଆ ରୋଗ କ’ଣ?
- ଛାନିଆ ରୋଗର ଲକ୍ଷଣ
- ଛାନିଆ ରୋଗର କାରଣ
- ଛାନିଆ ରୋଗକୁ ଚିହ୍ନଟ କରିବେ କେମିତି?
- ଛାନିଆ ରୋଗର ଚିକିତ୍ସା
- ଛାନିଆରୁ ଦୂରେଇ ରହିବା କେମିତି?
- ଛାନିଆ ରୋଗ ଓ ଫୋବିୟା ମଧ୍ୟରେ ସମ୍ପର୍କ
ଛାନିଆ ରୋଗ କ’ଣ? (What is a panic attack in Odia)
ଦୈନନ୍ଦିନ ଜୀବନରେ ଛାନିଆ ଲାଗିବା ଏକ ସାଧାରଣ କଥା। କିନ୍ତୁ, ବାରମ୍ବାର ଛାନିଆ ଲାଗିବା ସହିତ ଗୁରୁତର ଲକ୍ଷଣ ଦେଖାଦେଲେ, ତାହାକୁ ମାନସିକ ଛାନିଆ ରୋଗ କୁହାଯାଏ। ସାଧାରଣତଃ ଏହା ଏକ ପ୍ରକାର ଚିନ୍ତାର ରୋଗ। ଭାରତରେ ୨ରୁ ୪ ପ୍ରତିଶତ ବ୍ୟକ୍ତିଙ୍କ ପାଖରେ ମାନସିକ ଛାନିଆ ରୋଗ ଦେଖାଦେଇଥାଏ।
ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଏହି ରୋଗ ୨ରୁ ୩ ଗୁଣା ଅଧିକ ଦେଖାଦେଇଥାଏ। ଯୁବାବସ୍ଥା ବା ୨୫ରୁ ୩୫ ବର୍ଷର ବ୍ୟକ୍ତିଙ୍କଠାରେ ଏହି ରୋଗ ଅଧିକ ଦେଖାଦେଇଥାଏ। ବେଳେବେଳେ ଛୋଟ ପିଲାଙ୍କଠାରେ ମଧ୍ୟ ମାନସିକ ଛାନିଆ ରୋଗର ଲକ୍ଷଣ ଦେଖାଦେଇଥାଏ।
ସାଧାରଣତଃ ମାନସିକ ଛାନିଆ ରୋଗକୁ ଲୋକେ ସାଧାରଣ ସମସ୍ୟା ଭାବି ଅଣଦେଖା କରିଥାଆନ୍ତି। ଫଳରେ ଅଧିକାଂଶ ଲୋକ ଠିକ୍ ସମୟରେ ଏହାର ଚିକିତ୍ସା କରିପାରୁ ନାହାନ୍ତି।
ଅଧିକ ପଢ଼ନ୍ତୁ: ମାନସିକ ଚାପରୁ କେମିତି ପାଇବେ ମୁକ୍ତି?
ଛାନିଆ ରୋଗର ଲକ୍ଷଣ କ’ଣ? (Symptoms of a panic attack in Odia)
ଏହି ସମସ୍ୟା ହେଲେ ହଠାତ୍ ବ୍ୟକ୍ତିର ମନରେ ଡର ଏବଂ ଛାନିଆର ଭାବନା ଆସିଥାଏ। ଏହି ଲକ୍ଷଣ ଯେକୌଣସି ସମୟରେ ବା ଯେକୌଣସି ସ୍ଥାନରେ ହୋଇପାରେ। ଏହି ରୋଗ ହେଲେ ମନରେ ପରିବର୍ତ୍ତନ ହେବା ସହିତ ଶରୀରରେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ପରିବର୍ତ୍ତନ ହୋଇଥାଏ। ହଠାତ୍ ବ୍ୟକ୍ତିଙ୍କୁ ଛାତିରେ ଦରଜ ହୁଏ, ହାତ ଗୋଡ଼ ଥରିବା ଆରମ୍ଭ ହୁଏ, ପାଟି ଶୁଖିଯାଏ, ହାତ ଗୋଡ଼ ଝିମ୍ ଝିମ୍ ହେବା ଆରମ୍ଭ ହୁଏ, ମୁଣ୍ଡ ବୁଲାଏ, ଦେହ ହାତ ଗରମ ହୋଇଯାଏ, ହଠାତ ପରିସ୍ରା ଲାଗେ, ଅଣନିଶ୍ୱାସି ଲାଗେ ଏବଂ କିଛି ଲୋକଙ୍କୁ ଏତେ ମାତ୍ରାରେ ଛାନିଆ ଲାଗେ ଯେ ସେମାନେ ମୁର୍ଚ୍ଛା ହୋଇଯାଇଥା’ନ୍ତି।
ଏହିସବୁ ଲକ୍ଷଣ ମାତ୍ର ୫ରୁ ୧୦ ମିନିଟ୍ ବା ଅତିବେଶୀରେ ୧୫ ମିନିଟ୍ ପର୍ଯ୍ୟନ୍ତ ଅନୁଭବ ହୋଇଥାଏ। ଏହି କିଛି ମିନିଟ୍ର ସମୟ ଅତିକ୍ରମ କରିବା ପରେ ବ୍ୟକ୍ତି ଧୀରେ ଧୀରେ ସୁସ୍ଥ ହୋଇଯାଆନ୍ତି। ଏହି ଛାନିଆ ବା ଭୟକୁ ପ୍ୟାନିକ ଆଟାକ କୁହାଯାଇଥାଏ। ଯଦି ଏହିଭଳି ପ୍ୟାନିକ ଆଟାକ୍ ବାରମ୍ବାର ଆସେ ତାହାକୁ ମାନସିକ ଛାନିଆ ରୋଗ କୁହାଯାଏ।
କେତେକ ଲୋକଙ୍କଠାରେ ଶୋଇଥିବା ଅବସ୍ଥାରେ ଛାନିଆ ଆସିଥାଏ। ଫଳରେ ବ୍ୟକ୍ତିଙ୍କର ହଠାତ୍ ନିଦ ଭାଙ୍ଗିଯାଏ। ମାନସିକ ଛାନିଆ ରୋଗର ଶୀଘ୍ର ଚିକିତ୍ସା କରାନଗଲେ ରୋଗୀର ଅବସ୍ଥା ଗୁରୁତର ହେବା ସହିତ ଦୈନନ୍ଦିନ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଫଳରେ ନିଦ କମିଯାଇଥାଏ ଏବଂ କାର୍ଯ୍ୟ କରିବାର ଦକ୍ଷତା କମିଯାଏ।
ଏକ ତୃତୀୟାଂଶ ମାନସିକ ଛାନିଆ ରୋଗୀଙ୍କଠାରେ ଅବସାଦ ଦେଖାଯିବାର ଆଶଙ୍କା ରହୁଛି। ଏଥିସହ ଅନ୍ୟ ମାନସିକ ରୋଗ ଯେପରିକି ଜି.ଏ.ଡି, ଫୋବିୟା, ସୋସିଆଲ ଏଙ୍ଗ୍ଜାଇଟି ଡିସଅର୍ଡର ହେବାର ମଧ୍ୟ ଆଶଙ୍କା ରହିଛି।
ଅଧିକ ପଢ଼ନ୍ତୁ: ରାତିରେ ନିଦ ନ ହେବାର କାରଣ କ’ଣ?
କାହିଁକି ଲାଗେ ଛାନିଆ? (Cause of panic attack in Odia)
- ମସ୍ତିଷ୍କରେ ନୋରେପିନେଫ୍ରିନ୍, ସେରୋଟୋନିନ୍ ଏବଂ ଗାବା ନ୍ୟୁରୋଟ୍ରାନ୍ସମିଟର ଭଳି ରାସାୟନିକ ପଦାର୍ଥର ଅସନ୍ତୁଳନ ଯୋଗୁଁ ପ୍ୟାନିକ ଡିସଅର୍ଡର ଆରମ୍ଭ ହୋଇଥାଏ।
- କେତେକ ଜିନ୍ଗତ କାରଣରୁ ମଧ୍ୟ ପ୍ୟାନିକ୍ ଡିସ୍ଅର୍ଡର ହେବାର ଆଶଙ୍କା ଥାଏ। ଯଦି ପରିବାରରେ କାହାକୁ ଏହି ରୋଗ ହୋଇଥାଏ ତାହେଲେ ପିଲାମାନଙ୍କଠାରେ ହେବାର ଆଶଙ୍କା ଥାଏ।
- କେତେକ ଚିନ୍ତାଜନକ ପରିସ୍ଥିତି ପାଇଁ ମଧ୍ୟ ମାନସିକ ଛାନିଆ ରୋଗ ହେବାର ଆଶଙ୍କା ଥାଏ।
- ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା ମଧ୍ୟ ଏହି ରୋଗ ହେଇଥାଏ।
- ଏଥିସହ ଶାରୀରିକ ସମସ୍ୟା ଥିଲେ ମଧ୍ୟ ମାନସିକ ଛାନିଆ ରୋଗ ହେବାର ଆଶଙ୍କା ଥାଏ। ଯେପରିକି ଦୀର୍ଘ ଦିନ ଧରି ଥାଇରଏଡ୍ରେ ପୀଡ଼ିତ ଥିଲେ ଏବଂ ହୃଦ୍ରୋଗରେ ପୀଡ଼ିତ ଥିଲେ ଏହି ରୋଗ ହୋଇଥାଏ।
ଛାନିଆ ରୋଗକୁ ଚିହ୍ନଟ କରିବେ କେମିତି? (How to diagnose panic attacks in Odia)
ଛାନିଆ ଲାଗିଲେ ପ୍ରଥମେ ରୋଗୀଙ୍କର ଛାତି ଯନ୍ତ୍ରଣା ହୁଏ, ହାତଗୋଡ଼ ଥରିବା ଆରମ୍ଭ ହୁଏ ଏବଂ ଅସ୍ତବ୍ୟସ୍ତ ଲାଗିଥାଏ। ସାଧାରଣତଃ ଏସବୁ ଲକ୍ଷଣକୁ ଲୋକେ ହାର୍ଟ ଆଟାକର ଲକ୍ଷଣ ଭାବି ହାର୍ଟର ବିଭିନ୍ନ ପରୀକ୍ଷା କରାଇଥାଆନ୍ତି। ସମସ୍ତ ପରୀକ୍ଷା ସତ୍ତ୍ଵେ ମଧ୍ୟ ହୃତ୍ପିଣ୍ଡରେ କୌଣସି ସମସ୍ୟା ଦେଖାଦେଇ ନଥାଏ।
ଯଦି ଆପଣଙ୍କୁ ହୃଦରୋଗର କୌଣସି ଲକ୍ଷଣ ଦେଖାଯାଉଛି ଏବଂ ପରୀକ୍ଷା ପରେ କିଛି ଜଣାପଡ଼ୁନାହିଁ, ତେବେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହା ଏକ ମାନସିକ ସମସ୍ୟା ଏଥିନିମନ୍ତେ ସ୍ୱତନ୍ତ୍ର ଚିକିତ୍ସା ଦରକାର ପଡ଼ିଥାଏ।
ଛାନିଆ ରୋଗର ଚିକିତ୍ସା (Treatment of panic attack in Odia)
ପ୍ୟାନିକ୍ ଡିସଅର୍ଡରର ଦୁଇ ପ୍ରକାର ଚିକିତ୍ସା ରହିଛି। ପ୍ରଥମ ଚିକିତ୍ସା ହେଉଛି ଫାର୍ମାଥେରାପି ବା ମେଡିସିନ୍ ଚିକିତ୍ସା ଏବଂ ଦିତ୍ୱୀୟ ହେଉଛି ନନ୍-ଫାର୍ମାଥେରାପି ବା ଯାହାକୁ କାଉନସେଲିଙ୍ଗ କୁହାଯାଇଥାଏ।
ଏହି ଔଷଧ ବ୍ୟବହାର କରିବା ଦ୍ୱାରା ପ୍ୟାନିକ୍ ଆଟାକ ଏବଂ ଏହାର ଲକ୍ଷଣଗୁଡ଼ିକ ଖୁବ୍ ଶୀଘ୍ର ଭଲ ହୋଇଯାଇଥାଏ।
ଅଧିକ ପଢ଼ନ୍ତୁ: ଦୀର୍ଘ ଦିନ ଧରି ଶାରୀରିକ ଯନ୍ତ୍ରଣା ଲାଗି ରହୁଛି କି? ହୋଇପାରେ ସୋମାଟୋଫର୍ମ ରୋଗ
ଛାନିଆରୁ ଦୂରେଇ ରହିବେ କିପରି? (How to stay away from panic in Odia)
- ମାନସିକ ଚାପଠାରୁ ନିଜକୁ ଦୂରେଇ ରଖନ୍ତୁ।
- ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ।
- ଯଥେଷ୍ଟ ପରିମାଣରେ ନିଦ୍ରା ଗ୍ରହଣ କରନ୍ତୁ।
- ସନ୍ଧ୍ୟାପରେ ମୋବାଇଲ ଫୋନ ଧରନ୍ତୁ ନାହିଁ।
- ଦୈନିକ ବ୍ୟାୟାମ କରନ୍ତୁ।
- ଦୈନିକ ୧୫ ରୁ ୨୦ ମିନିଟ ବ୍ରିଦିଙ୍ଗ ଏକ୍ସରସାଇଜ୍ କରନ୍ତୁ।
- ଅତ୍ୟଧିକ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
- ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ।
ଛାନିଆ ରୋଗ ଏବଂ ଫୋବିୟା ମଧ୍ୟରେ ସମ୍ପର୍କ (Panic attack and phobia in Odia)
ମାନସିକ ଛାନିଆ ରୋଗ ଯେକୌଣସି ପରିସ୍ଥିତି ଓ ସ୍ଥାନରେ ହୋଇପାରେ। ଯେକୌଣସି କାର୍ଯ୍ୟ, ପରିସ୍ଥିତି ଏବଂ ବସ୍ତୁକୁ ଅହେତୁକ ଭୟ କରିବାକୁ ଫୋବିୟା କୁହାଯାଏ। କିଛି ଲୋକେ ସାଧାରଣରେ ସଠିକ ଭାବେ କଥା କହିଥା’ନ୍ତି, ଗୀତ ଗାଇଥା’ନ୍ତି, ଭାଷଣ ଦେଇଥା’ନ୍ତି। ହେଲେ ସେମାନଙ୍କୁ ଷ୍ଟେଜ ଉପରେ ଏହି ସବୁ କାର୍ଯ୍ୟ କରିବାକୁ ବହୁତ ଡର ଲାଗେ। କିଛି ଲୋକ ଅତ୍ୟଧିକ ଭୟ ଯୋଗୁଁ ଅଚେତ ମଧ୍ୟ ହୋଇଯାଆନ୍ତି।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Panic Attack, in Odia language, is based on an extensive interview with Neuropsychiatrist Dr Satyakam Mohapatra.