ବିଶ୍ୱ ସ୍ଵାସ୍ଥ୍ୟ ସଂସ୍ଥା ଓ ଅନ୍ତର୍ଜାତୀୟ ମଧୁମେହ ସଂଘ ଅନୁକୂଲ୍ୟରେ ୧୯୯୧ରୁ ପ୍ରତିବର୍ଷ ନଭେମ୍ବର ୧୪ରେ ପାଳିତ ହେଉଛି ‘ବିଶ୍ୱ ମଧୁମେହ ଦିବସ’। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଡାଏବେଟିସ୍ କ’ଣ?
ମଣିଷ ଶରୀରରେ ଥିବା ପାନ୍କ୍ରିୟାଜ୍ ଗ୍ରନ୍ଥି ଇନ୍ସୁଲିନ୍ ହରମୋନ୍ ପ୍ରସ୍ତୁତ କରିବା ବନ୍ଦ କରିଦେଲେ, ବ୍ୟକ୍ତି ଡାଏବେଟିସ୍ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥା’ନ୍ତି। ଇନ୍ସୁଲିନ୍ ହରମୋନ୍ ରକ୍ତରେ ଗ୍ଲୁକୋଜ ବା ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିଥାଏ। ଇନସୁଲିନ୍ ପ୍ରସ୍ତୁତ ନ ହେଲେ ଶରୀରରେ ଗ୍ଲୁକୋଜର ମାତ୍ରା ବଢ଼ିଯାଇଥାଏ। ଏହି ସ୍ଥିତିକୁ ଡାଏବେଟିସ୍ ବୋଲି କୁହାଯାଏ। ସାଧାରଣ ଭାଷାରେ କହିବାକୁ ଗଲେ, ଶରୀରରେ ରକ୍ତ ଶର୍କରା ବଢ଼ିଯିବାକୁ ଡାଏବେଟିସ୍ ବା ମଧୁମେହ ବୋଲି କୁହାଯାଏ।
ଡାଏବେଟିସ୍ ହେବାର ବୈଜ୍ଞାନିକ କାରଣ?
ଡାଏବେଟିସ୍ର ମୁଖ୍ୟ କାରଣ ହେଲା ବଂଶଗତ ବା ଗୁଣସୂତ୍ରରୁ ହୁଏ। ବାପାଙ୍କର, ମାଙ୍କର, ଜେଜେଙ୍କର ଡାଏବେଟିସ୍ ଥିଲେ ତାଙ୍କ ପିଲାଙ୍କୁ ଡାଏବେଟିସ୍ ହୋଇପାରେ।
ଶରୀରରେ ଶ୍ୱେତସାର ଜାତୀୟ ଖାଦ୍ୟ ଭାଙ୍ଗି ଗ୍ଲୁକୋଜ୍ ବା ଶର୍କରାରେ ପରିଣତ ହୁଏ। ଶର୍କରାରେ ପରିଣତ ହେଲେ ହିଁ ଏହା ରକ୍ତରେ ମିଶିପାରିବ। ମଣିଷ ରକ୍ତରେ ଥିବା ଶର୍କରାକୁ ଜୀବକୋଷ ଭିତରେ ପ୍ରବେଶ କରେଇବା ପାଇଁ ଆମ ପେଟ ଭିତରେ ଅଗ୍ନାଶୟ ଗ୍ରନ୍ଥି ଅଛି। ସେହି ଗ୍ରନ୍ଥିରେ ବିଟାଜୀବକୋଷ ରହିଛି। ଏଥିରୁ ଇନ୍ସୁଲିନ୍ ନାମକ ହରମୋନ୍ ବା ଜୀବରସ ଝରିଥାଏ।
ଇନ୍ସୁଲିନ୍ ହରମୋନ୍ ଅଗ୍ନାଶୟରୁ ବାହାରି ରକ୍ତରେ ମିଶିଯାଏ। ଇନ୍ସୁଲିନ୍ର କାମ ହେଉଛି ଜୀବକୋଷ ଭିତରକୁ ଶର୍କରାକୁ ପ୍ରବେଶ କରାଇବା। ଅର୍ଥାତ୍ ଶର୍କରା ଇନ୍ସୁଲିନ୍ ସାହାଯ୍ୟରେ ଜୀବକୋଷ ଭିତରେ ପ୍ରବେଶ କରେ। ଜୀବକୋଷ ଭିତରେ ଥିବା ଏଞ୍ଜାଇମ୍ ଶର୍କରାକୁ ଭାଙ୍ଗି କାର୍ବନଡାଇଅକ୍ସାଇଡ୍ ଓ ପାଣିରେ ପରିଣତ କରିଥା’ନ୍ତି। କାର୍ବନଡାଇଅକ୍ସାଇଡ୍ ନିଶ୍ୱାସ ବାଟରେ ବାହାରିଯାଏ ଓ ପାଣି ପରିସ୍ରାରେ ବାହାରିଯାଏ। ଏହି ଭାଙ୍ଗିବା ସମୟରେ ସେଥିରୁ ଶକ୍ତି ବାହାରେ, ଯାହା ବିଭିନ୍ନ ଅଙ୍ଗକୁ ଚଳାଇବାରେ ସାହାଯ୍ୟ କରେ। ପାନ୍କ୍ରିୟାଜ୍ରୁ କ୍ଷରଣ ହେଉଥିବା ଇନ୍ସୁଲିନ୍ ଗ୍ଲୁକୋଜକୁ ଶକ୍ତିରେ ରୁପାନ୍ତର କରେ।
ଯେଉଁ ଲୋକଙ୍କର ଅଗ୍ନାଶୟ ସଠିକ୍ ଭାବରେ କାର୍ଯ୍ୟ ନ କରେ ଓ ଇନ୍ସୁଲିନ୍ ସଠିକ୍ ଭାବରେ ଝରୁନି, ତେବେ ରକ୍ତରେ ଶର୍କରାଗୁଡ଼ିକ ଭାସେ ଓ ତାହା ଜୀବକୋଷ ଭିତରକୁ ଯିବ ନାହିଁ। ଫଳରେ ରକ୍ତରେ ଶର୍କରା ଏତେମାତ୍ରାରେ ରହିବା ଯୋଗୁଁ ରକ୍ତ ଭିତରେ ଜମାଟ ବାନ୍ଧିଯାଏ ଓ ରକ୍ତକୁ ଶିରା କରିଦିଏ। ରକ୍ତନଳୀରେ ଜମାଟ ବାନ୍ଧିବା ଫଳରେ ଧୀରେ ଧୀରେ ରକ୍ତନଳୀ ସରୁ ହୋଇଯାଏ, ଫଳରେ ଯେଉଁ ରକ୍ତ ପ୍ରବାହ ହେଉଥିଲା, ତାହା କମିବା ଆରମ୍ଭ ହୁଏ। ହୃଦୟକୁ ଯାଉଥିବା ରକ୍ତ ସଞ୍ଚାଳନ କମିଲେ, ହୃଦଘାତ ହେବ। ଆଖିକୁ ଯାଉଥିବା ରକ୍ତ ସଞ୍ଚାଳନ କମିଗଲେ ଅନ୍ଧତ୍ଵ ହେବ, ମସ୍ତିଷ୍କକୁ ଯାଉଥିବା ରକ୍ତ ସଞ୍ଚାଳନ କମିଲେ, ଷ୍ଟ୍ରୋକ୍ ହେବ, ଯୌନାଙ୍ଗକୁ ଯାଉଥିବା ରକ୍ତ ସଞ୍ଚାଳନ କମିଲେ ଯୌନ ସମସ୍ୟା ହୋଇପାରେ, ପାଦକୁ ଯାଉଥିବା ରକ୍ତ କମିଲେ ପାଦରେ ଘା’ ଓ ଗାଙ୍ଗ୍ରିନ୍ ଭଳି ସମସ୍ୟା ଉପୁଜିଥାଏ।
ଡାଏବେଟିସ୍ ପରୀକ୍ଷା
ଡାଏବେଟିସ୍ ସନ୍ଦେହ ହେଲେ ପରିସ୍ରା ଓ ରକ୍ତ ଶର୍କରା ପରୀକ୍ଷା କରାଯାଏ। ରକ୍ତ ଶର୍କରା ଖାଲି ପେଟରେ କେତେ ଅଛି ଓ ଖାଇବା ପରେ କେତେ ଅଛି ତାହା ପରୀକ୍ଷା କରାଯାଏ। ଏହାଛଡ଼ା ଗ୍ଲାଇକୋସିଲେଟେଡ୍ ହିମୋଗ୍ଲୋବିନ୍ (HbA1c) ପରୀକ୍ଷା କରାଯାଏ।
ରକ୍ତ ଶର୍କରାର ସାଧାରଣ ସ୍ତର ହେଲା – ଖାଲିପେଟରେ ରକ୍ତ ଶର୍କରା ୧୨୬
ଖାଇବା ପରେ ରକ୍ତ ଶର୍କରା ୨୦୦ରୁ କମ୍
ଖାଲିପେଟରେ ରକ୍ତଶର୍କରା ୧୨୬ରୁ ଅଧିକା, ଖାଇବା ପରର ରକ୍ତ ଶର୍କରା ୨୦୦ରୁ ଅଧିକା ବା ଦିନର ଯେକୌଣସି ସମୟରେ ରକ୍ତଶର୍କରା ୨୦୦ରୁ ଅଧିକା ଥିଲେ ଜାଣିବା ବ୍ୟକ୍ତି ଡାଏବେଟିସ୍ରେ ପୀଡ଼ିତ। ଏହାସହ HbA1c ୬.୫ରୁ ଅଧିକା ଥିଲେ ଜାଣିବା ବ୍ୟକ୍ତିଙ୍କୁ ଡାଏବେଟିସ୍ ହୋଇଛି। ୯୮ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଡାଏବେଟିସ୍ ଥରେ ହେଲେ ଏହା ଜୀବନସାରା ରହିଥାଏ।
ଡାଏବେଟିସ୍ର ପ୍ରକାର
ଡାଏବେଟିସ୍ ତିନି ପ୍ରକାରର। ୧- ଟାଇପ୍-୧, ୨- ଟାଇପ୍-୨ ଓ ୩- ଜେଷ୍ଟେସନାଲ ଡାଏବେଟିସ୍।
ଟାଇପ୍ ୧: ଟାଇପ୍-୧ ଡାଏବେଟିସ୍ ବଂଶଗତ ନୁହେଁ। ଏହା ଅଟୋ ଇମ୍ୟୁନ୍ ଡିସ୍ଅର୍ଡର। ଏହା ସାଧାରଣତଃ ପିଲାଦିନେ ଅବା କିଶୋର ଅବସ୍ଥାରେ ଅଚାନକ ଇନସୁଲିନ୍ ଉତ୍ପାଦନ କମିଗଲେ ହୋଇଥାଏ। ଏହାଯୋଗୁଁ ବିଟା ସେଲ୍ସ କାମ କରିବା ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଥାଏ। ଶରୀରରେ ବର୍ଧିଷ୍ଣୁ ଶର୍କରାର ମାତ୍ରାକୁ ସନ୍ତୁଳିତ କରିବା ଲାଗି ଜୀବନସାରା ଇନ୍ସୁଲିନ୍ ଇଞ୍ଜେକସନ୍ର ଆବଶ୍ୟକତା ପଡ଼ିଥାଏ।
ଟାଇପ-୨: ଟାଇପ-୨ ଡାଏବେଟିସ୍ ଆନୁବଂଶିକ ହୋଇଥିବାବେଳେ କିଛି ମାମଲାରେ ଖରାପ ଜୀବନଶୈଳୀ ସହ ମଧ୍ୟ ସମ୍ପର୍କିତ। ଟାଇପ୍-୨ ଡାଏବେଟିସ୍ ୩୦ ବର୍ଷ ପରେ ଧୀରେ ଧୀରେ ବଢ଼ିଥାଏ। ଅଧିକାଂଶ ଭାରତୀୟ ଏହି ରୋଗରେ ପୀଡ଼ିତ। ସେହିପରି ଟାଇପ୍ ୨ଡାଏବେଟିସ୍ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ। ଅଧ୍ୟୟନ ଅନୁସାରେ, ଏହା ୪୦ ବର୍ଷରୁ ଅଧିକ ବୟସ ଲୋକଙ୍କଠାରେ ଅଧିକ ଦେଖାଯାଏ।
ଜେଷ୍ଟେସନାଲ ଡାଏବେଟିସ୍: ଗର୍ଭାବସ୍ଥାରେ ଡାଏବେଟିସ୍ ହେଲେ ତାକୁ ଜେଷ୍ଟେସନାଲ ଡାଏବେଟିସ୍ ବୋଲି କୁହାଯାଏ। ଏହି ଅବସ୍ଥାରେ ଗର୍ଭବତୀ ମହିଳାଙ୍କର ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥାଏ। ତେଣୁ ଶରୀର ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ହରମୋନ୍ ସୃଷ୍ଟି କରିପାରେନାହିଁ। ଯେଉଁ ମହିଳାଙ୍କର ପୂର୍ବରୁ ସୁଗାର ସମସ୍ୟା ନଥାଏ ସେମାନେ ମଧ୍ୟ ଜେଷ୍ଟେସନାଲ ଡାଏବେଟିସ୍ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି।
ଡାଏବେଟିସ୍ କାହାକୁ ହେବାର ଆଶଙ୍କା ଅଧିକ
ଡାଏବେଟିସ୍ର ବିଭିନ୍ନ କାରଣ ରହିଛି। କିଛି କ୍ଷେତ୍ରରେ ବଂଶଗତ କାରଣ ଯୋଗୁଁ ଏହା ହେଉଥିବାବେଳେ ଅନ୍ୟ କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ଜୀବନଶୈଳୀ ଡାଏବେଟିସ୍ର କାରଣ ପାଲଟେ। ତେବେ ଅତ୍ୟଧିକ ମୋଟା ଲୋକ, ଶାରୀରିକ ପରିଶ୍ରମ କରୁନଥିବା ଲୋକେ, କୋଲେଷ୍ଟ୍ରୋଲ ଅଧିକ ରହୁଥିବା ଲୋକ, ଫାଷ୍ଟଫୁଡ୍ ଖାଇଲେ, ମାନସିକ ଅବସାଦ ଯୋଗୁଁ ଡାଏବେଟିସ୍ ହୋଇଥାଏ।
ଡାଏବେଟିସ୍ ହେବାର ଆଉ ଏକ ମୁଖ୍ୟ କାରଣ ହେଉଛି ବଂଶଗତ। ଯଦି ବାପା ମା’ ଦୁଇ ଜଣଙ୍କୁ ଡାଏବେଟିସ୍ ଅଛି, ତେବେ ସେମାନଙ୍କ ଛୁଆମାନଙ୍କୁ ବି ଡାଏବେଟିସ୍ ହେବାର ୭୦ ପ୍ରତିଶତ ଆଶଙ୍କା ରହିଛି। ଯଦି ପରିବାରରେ ଜଣକୁ ଅର୍ଥାତ୍ ବାପା ନଚେତ୍ ମା’ଙ୍କୁ ଡାଏବେଟିସ୍ ହୋଇଛି, ତେବେ ସେମାନଙ୍କ ପିଲାଙ୍କୁ ଡାଏବେଟିସ୍ ହେବାର ୨୦ ପ୍ରତିଶତ ସମ୍ଭାବନା ରହିଛି।
ହେଲେ କେବଳ ବଂଶଗତ କାରଣରୁ ହିଁ ଡାଏବେଟିସ୍ ହେବ, ଏହା କହି ହେବ ନାହିଁ। ଯଦି ବଂଶଗତ କାରଣ ଥିବ ଓ ଅସ୍ଵାସ୍ଥ୍ୟକର ଜୀବନଶୈଳୀ ଥିବ, ତାହାହେଲେ ଡାଏବେଟିସ୍ ହେବାର ଆଶଙ୍କା ଦୁଇଗୁଣା ଅଧିକ।
ଡାଏବେଟିସ୍ର ଲକ୍ଷଣ
-ବାରମ୍ବାର ପରିସ୍ରା ଲାଗିବା (ପଲିୟୁରିଆ)
-ଶୋଷ ଲାଗିବା (ପଲିଡିପ୍ସିଆ)
-ଅଧିକ ଭୋକ ଲାଗିବା
-ଓଜନ ଅଚାନକ କମିବା
ଦୁର୍ବଳ ମନେ କରନ୍ତି
-ଆଖିକୁ ଜାଲଜାଲୁଆ ଦେଖାଯିବା
-ଘା’ ଶୀଘ୍ର ଠିକ୍ ନହେବା
-ଚର୍ମରୋଗ
-ମୁଣ୍ଡବିନ୍ଧା
-ଥକ୍କା ଲାଗିବା
-କ୍ରୋଧ, ଚିଡ୍ଚିଡ୍ ଲାଗିବା
-ଚର୍ମ ସଂକ୍ରମଣ ଓ ଯୋନୀ ସଂକ୍ରମଣ
ବିଭିନ୍ନ ରୋଗର କାରଣ ପାଲଟେ ଡାଏବେଟିସ୍
ଡାଏବେଟିସ୍ ଯୋଗୁଁ ଦୁଇ ପ୍ରକାର ସମସ୍ୟା ହୋଇଥାଏ – ମାଇକ୍ରୋଭାସ୍କୁଲାର, ମାକ୍ରୋଭାସ୍କୁଲାର
ମାଇକ୍ରୋଭାସ୍କୁଲାର: ଡାଏବେଟିସ୍ ଯଦି ଶରୀରର ଛୋଟ ଛୋଟ ଧମନୀକୁ ପ୍ରଭାବ ପକାଏ, ତେବେ ଏହାକୁ ମାଇକ୍ରୋଭାସ୍କୁଲାର କୁହାଯାଏ। ଯଥା: ଆଖିରେ କ୍ଷତି (ରେଟିନୋପାଥି), କିଡ୍ନି ଫେଲ୍ (ନେଫ୍ରୋପାଥି), ସ୍ନାୟୁରେ କ୍ଷତି (ନ୍ୟୁରୋପାଥି)।
ମାକ୍ରୋଭାସ୍କୁଲାର: ଡାଏବେଟିସ୍ ଯଦି ଶରୀରର ବଡ଼ ବଡ଼ ଧମନୀକୁ ପ୍ରଭାବ ପକାଏ, ତାହାକୁ ମାକ୍ରୋଭାସ୍କୁଲାର କୁହାଯାଏ। ହୃଦୟକୁ ପ୍ରଭାବ ପକାଇଲେ ତାହାକୁ କରୋନାରି ଆର୍ଟେରି ରୋଗ, ଗୋଡ଼ର ଧମନୀକୁ ପ୍ରଭାବ ପକାଇଲେ ପେରିଫେରାଲ ଭାସ୍କୁଲାର ରୋଗ କିମ୍ବା ମସ୍ତିଷ୍କର ବଡ଼ ଧମନୀ ଉପରେ ପ୍ରଭାବ ପକାଇଲେ, ତାକୁ ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ ବୋଲି କହିଥାଉ।
ନେଫ୍ରୋପାଥି (କିଡ୍ନି ରୋଗ):
ଡାଏବେଟିସ୍ ହେଉଛି କିଡ୍ନି ସମସ୍ୟାର ପ୍ରମୁଖ କାରଣ। ଏହା ଦ୍ୱାରା କିଡ୍ନିର କ୍ଷୁଦ୍ର ରକ୍ତ ଶିରା ପ୍ରଶିରା ପ୍ରଭାବିତ ହୋଇଥାଏ। ତେଣୁ ରକ୍ତରେ ଥିବା ଅଦରକାରୀ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇପାରି ନ ଥାଏ। ଶରୀରରେ ଲବଣ ତଥା ପାଣି ଅତ୍ୟଧିକ ପରିମାଣରେ ଜମି ଯାଇଥିବା ଯୋଗୁଁ ଓଜନ ବୃଦ୍ଧି ସହ ପାଦଫୁଲା ଦେଖାଦେଇଥାଏ। ଏହାଛଡ଼ା କ୍ଷୁଦ୍ର ପରିସ୍ରା ନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ପରିସ୍ରା ଜରିଆରେ ଅଧିକ ପରିମାଣରେ ଆଲବୁମିନ ନାମକ ଏକ ପ୍ରୋଟିନ ନିଷ୍କାସିତ ହୋଇଥାଏ। ଏହା ଶରୀରକୁ ଅଧିକ ଫୁଲାଇ ଦେଇଥାଏ। ରକ୍ତରେ ଅପଚୟକାରୀ ପଦାର୍ଥ ବହୁତ ମାତ୍ରାରେ ଜମି ଯାଇଥାଏ। ରକ୍ତପ୍ରବାହୀ ନଳୀ କ୍ଷତିଗ୍ରସ୍ତ ହେଲେ ସେଗୁଡ଼ିକ ଭଲ ଭାବେ କାମ କରିପାରନ୍ତି ନାହିଁ। ଫଳରେ କିଡ୍ନିର କାମ ବାଧିତ ହୋଇଥାଏ। ଏହି ଅବସ୍ଥାକୁ ଡାଇବେଟିକ୍ କିଡନି ଡିଜିଜ୍ ବା ଡିକେଡି ବୋଲି କୁହାଯାଏ।
ତେଣୁ ପ୍ରତ୍ୟେକ ଡାଏବେଟିସ ରୋଗୀଙ୍କ ବର୍ଷକୁ ଥରେ ପରିସ୍ରାରେ ଆଲବୁମିନ ପରୀକ୍ଷା କରିବା ଉଚିତ।
ଲକ୍ଷଣ: ଡାଏବେଟିକ୍ କିଡ୍ନି ଡିଜିଜ୍ ଦ୍ୱାରା ପ୍ରଭାବିତ ହେଲେ ପ୍ରାଥମିକ ଭାବେ ବ୍ୟକ୍ତିଙ୍କର ଗୋଡ଼ ଫୁଲିବା, ଓଜନରେ ଅସ୍ୱାଭାବିକ ବୃଦ୍ଧି, ରାତିରେ ବାରମ୍ବାର ପରିସ୍ରା ଲାଗିବା, ରକ୍ତଚାପ ବଢ଼ିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ।
ଏଭଳି ଲକ୍ଷଣ ଦେଖାଦେଲେ ଡାକ୍ତର ରକ୍ତ ଓ ପରିସ୍ରା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥା’ନ୍ତି। ପରିସ୍ରାରେ ପ୍ରୋଟିନ୍ ନିର୍ଗତ ହେଉଥିଲେ କିଡ୍ନି ପ୍ରଭାବିତ ହୋଇଥିବାର ଜଣାପଡ଼େ। ଏହି ରୋଗ ଗୁରୁତର ରୂପ ନେଲେ କିଡ୍ନି ଫେଲ୍ ବି ହୋଇପାରେ। କିଡ୍ନି ଫେଲ୍ ହୋଇଗଲେ ରକ୍ତରେ କ୍ରିଏଟିନାଇନ୍ର ସ୍ତର ବଢ଼ିଯାଏ, ବ୍ୟକ୍ତିଜଣଙ୍କୁ ବାରମ୍ବାର ବାନ୍ତି ହୁଏ, ଭୋକ ଲାଗେନାହିଁ, ଦେହ ଦୁର୍ବଳ ଲାଗେ, ଜ୍ୱର ରହେ, ଦେହ ହାତ କୁଣ୍ଡାଇ ହୁଏ, ପାଦରେ ମାଂସପେଶୀ କ୍ରାମ୍ପ ହୋଇଯାଏ, ରକ୍ତହୀନତା ବି ଦେଖାଯାଏ। କେବଳ ସେତିକି ନୁହେଁ, ଇନସୁଲିନର ଆବଶ୍ୟକତା ବି କମିଯାଏ। ଏପରି ଅବସ୍ଥାରେ ରୋଗୀଙ୍କର କିଡ୍ନି ଡାଏଲିସିସ୍ କରାଯାଏ, ଆବଶ୍ୟକସ୍ଥଳେ କିଡ୍ନି ପ୍ରତିରୋପଣ ବି ହୋଇଥାଏ।
ଏପରିସ୍ଥଳରେ ଯଦି ଆପଣ ଟାଇପ୍-୨ ଡାଏବେଟିସ୍ ଦ୍ୱାରା ପ୍ରଭାବିତ ହୋଇଥା’ନ୍ତି ନ ହେଲେ ୫ ବର୍ଷରୁ ଅଧିକ ସମୟ ଧରି ଟାଇପ୍-୧ ଡାଏବେଟିସ୍ର ଶିକାର ହୋଇଥାନ୍ତି ତା’ ହେଲେ ପ୍ରତିବର୍ଷ କିଡ୍ନି ପରୀକ୍ଷା କରାଇନେବା ଜରୁରୀ। ଟାଇପ୍-୧ ଡାଏବେଟିସ୍ରେ ପୀଡ଼ିତ ୩୦ ପ୍ରତିଶତ ଏବଂ ଟାଇପ୍-୨ ଡାଏବେଟିସ୍ରେ ପୀଡ଼ିତ ୧୦-୪୦ ପ୍ରତିଶତ ରୋଗୀଙ୍କୁ କିଡ୍ନି ରୋଗ ହେବାର ଆଶଙ୍କା ରହେ।
ଚିକିତ୍ସା: ପ୍ରତ୍ୟେକ ଡାଏବେଟିସ ରୋଗୀ ବର୍ଷକୁ ଥରେ ରକ୍ତ ପରିସ୍ରା ଆଦି ପରୀକ୍ଷା କରିବା ଦରକାର। ପ୍ରାରମ୍ଭିକ ଅବସ୍ଥାରେ କିଡନି ସମସ୍ୟା ଜାଣିବାକୁ ହେଲେ ଗ୍ଲୋମେରୁଲାର ଫିଲଟ୍ରେସନରେଟ ଏବଂ ୟୁରିନ ମାଇକ୍ରାଲ କରିବା ଉଚିତ। କିଡ୍ନି ସମସ୍ୟା ଜଣାପଡ଼ିବା ପରେ ହେବା ପରେ ଏହାର ଡାଏବେଟିସ୍ ଛଡ଼ା କିଛି ଅନ୍ୟ କାରଣ ଅଛି କି ଜାଣିବା ପାଇଁ ଅନ୍ୟ କେତୋଟି ପରୀକ୍ଷା କରାଯାଇଥାଏ।
କିଡ୍ନି ବାୟୋପ୍ସି ହେଉଛି ଏଭଳି ଏକ ପରୀକ୍ଷା ଯେଉଁଥିରେ ଏକ ଛୁଞ୍ଚି ଦ୍ୱାରା କିଡ୍ନିର କିଛି ଅଳ୍ପ ମାତ୍ରାରେ କୋଷକୁ କାଢ଼ି ଅଣୁବୀକ୍ଷଣ ଯନ୍ତ୍ର ଜରିଆରେ ଅଧ୍ୟୟନ କରାଯାଇଥାଏ। ପେଟର ଅଲଟ୍ରାସାଉଣ୍ଡ ସହ ଡିଟିପିଏ ଏବଂ ଡିଏମଏସଏ ସ୍କାନ ଦ୍ୱାରା କିଡ୍ନିର ଗଠନ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧୀୟ ଅଧିକ ତଥ୍ୟ ହାସଲ କରାଯାଇଥାଏ। କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବା ପାଇଁ ଦୈନିକ ଷ୍ଟାଟିନ ନାମକ ଏକ ଔଷଧ ଦିଆଯାଇଥାଏ। ଡାଏଲିସିସ ଏବଂ ଏକ ସୁସ୍ଥ ବ୍ୟକ୍ତିଠାରୁ କିଡ୍ନି ଟ୍ରାନ୍ସପ୍ଲାଣ୍ଟ କରାଯାଇ ଏହି ରୋଗର ସମାଧାନ କରାଯାଇଥାଏ।
ଟାଇପ୍-୨ ଡାଏବେଟିସ୍ ଦ୍ୱାରା ପ୍ରଭାବିତ ୭% ଲୋକଙ୍କଠାରେ ଡାଏବେଟିସ୍ ଚିହ୍ନଟ ହେବାର ପୂର୍ବରୁ କିଡ୍ନି ରୋଗ ଚିହ୍ନିତ ହୋଇଥାଏ।
ନ୍ୟୁରୋପାଥି ବା ସ୍ନାୟୁ ରୋଗ:
ଡାଏବେଟିସ୍ ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ଡାଏବେଟିସ୍ କାରଣରୁ ହାଇପରଗ୍ଲାମେସିଆ ଛୋଟ ରକ୍ତବାହୀକୁ ନଷ୍ଟ କରିବା ଫଳରେ ସ୍ନାୟୁରେ ରକ୍ତ ପ୍ରବାହ କମିଯାଏ।
ଲକ୍ଷଣ: ପାଦରେ ଅସ୍ଥିରତା, ଗୋଡ଼ ଝିମ୍ ଝିମ୍ କରିବା। ଏହି ସମସ୍ୟା ଯଦି ପ୍ରାଥମିକ ଅବସ୍ଥାରେ ଚିକିତ୍ସା ନ ହୁଏ, ତେବେ ଏହା ଆମ୍ପୁଟେସନ୍ ସମସ୍ୟାକୁ ଗତି କରିବ।
ତ୍ୱଚା ଜନିତ ସମସ୍ୟା:
ଡାଏବେଟିସ୍ ରୋଗୀଙ୍କୁ ଚର୍ମ ସଂକ୍ରମଣ ହେବା ଅତି ସାଧାରଣ କଥା। ଡାଏବେଟିସ୍ ଦ୍ୱାରା ପ୍ରଭାବିତ ୩୦% ଲୋକଙ୍କୁ ତ୍ୱଚା ସଂକ୍ରମଣ ଯେପରିକି ଶୁଷ୍କ ତ୍ୱଚା, ତ୍ୱଚାରେ ଫୋଟକା ହୋଇଯିବା, ତ୍ୱଚା କୁଣ୍ଡାଇ ହେବା, ତ୍ୱଚାରେ କଳାଦାଗ ସୃଷ୍ଟି ହେବା ଭଳି ସମସ୍ୟା ଦେଖାଯାଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ତ୍ୱଚାରେ ହେଉଥିବା ଯେକୌଣସି ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ। ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଦୀର୍ଘ ଦିନ ଧରି ଡାଏବେଟିସ୍ ଲାଗି ରହିଲେ ହାତ ଓ ପାଦରେ ସମ୍ବେଦନଶୀଳତା କମିଯାଏ। ଏହାକୁ ଅଣଦେଖା କରନ୍ତୁ ନାହିଁ ।
ରକ୍ତର ଶିରା ପ୍ରଭାବିତ ହେବା:
ଡାଏବେଟିସ୍ ରୋଗୀଙ୍କୁ ଉଚ୍ଚ ରକ୍ତଚାପ ଏବଂ ହାଇ କୋଲେଷ୍ଟ୍ରଲ ହେବାର ଆଶଙ୍କା ଅଧିକ ଥାଏ। ଏଭଳି କ୍ଷେତ୍ରରେ ରକ୍ତର ଶିରା ଶକ୍ତ ହୋଇଯାଇଥାଏ। ଏହାଫଳରେ ହୃଦରୋଗ ଏବଂ ହୃଦ୍ଘାତ ହେବାର ଆଶଙ୍କା ବଢ଼େ। ପାଦ ଓ ଶିରାରେ ରକ୍ତପ୍ରବାହ କମିବା ଯୋଗୁଁ ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପଡ଼େ। ଅନେକ ସମୟରେ ଏହାଯୋଗୁଁ ବ୍ରେନଷ୍ଟ୍ରୋକ୍ ହୋଇଥାଏ।
ଅବସାଦ:
ଟାଇପ୍ ୧ ଟାଇପ୍ ୨ ଡାଇବେଟିସ୍ ଥିବା ଲୋକଙ୍କଠାରେ ଅବସାଦ ଲକ୍ଷଣ ଦେଖାଯାଏ।
ଡାଏବେଟିସ୍ ଓ ହାଡ଼ ସଂକ୍ରମଣ:
ଡାଏବେଟିସ୍ ହାଡ଼କୁ ଦୁର୍ବଳ କରିଦିଏ। ଡାଏବେଟିସ୍ ରୋଗୀମାନେ ହାଡ଼ଜନିତ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ଶିରା ଦୁର୍ବଳ ହୋଇଯିବା, ରକ୍ତପ୍ରବାହୀ ନଳୀ କ୍ଷତିଗ୍ରସ୍ତ ହେବା ଏବଂ ଶର୍କରାରେ ପରିବର୍ତ୍ତନ ଯୋଗୁଁ ସେମାନେ ଏହାର ଶିକାର ହୋଇଥାନ୍ତି। ହାଡ଼ରେ ଏହି ସଂକ୍ରମଣକୁ ଅଷ୍ଟିଓମାଇଲିଟିସ୍ ବୋଲି କୁହାଯାଏ। ବିଶେଷ କରି ପାଦର ହାଡ଼ରେ ଏହି ସଂକ୍ରମଣ ଅଧିକ ହୋଇଥାଏ। ଏପରି ହେଲେ ନ୍ୟୁରୋପ୍ୟାଥି, ଭାସ୍କୁଲୋପ୍ୟାଥି, ପରି ବିଭିନ୍ନ ପ୍ରକାର ସମସ୍ୟା ହୋଇଥାଏ। ଡାଏବେଟିସ୍ରେ ପୀଡ଼ିତ ପ୍ରାୟ ୨୦ ପ୍ରତିଶତ ରୋଗୀ ଏହି ସମସ୍ୟାର ସାମ୍ନା କରିଥାନ୍ତି।
ନ୍ୟୁରୋପ୍ୟାଥିରେ ଶିରାଗୁଡ଼ିକ ବିଶେଷ କରି ପାଦର ଶିରା କ୍ଷତିଗ୍ରସ୍ତ ହୋଇଥାଏ। ଏହାଯୋଗୁଁ ପାଦର ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇଯା’ନ୍ତି। ତେଣୁ ପାଦର କିଛି ସ୍ଥାନରେ ବ୍ୟକ୍ତିଜଣକ କିଛି ଅନୁଭବ କରିପାରନ୍ତି ନାହିଁ। ଧୀରେ ଧୀରେ ଏହାଯୋଗୁଁ ସେହି ସ୍ଥାନରୁ ଚମଡ଼ା ଛାଡ଼ିଯାଏ ଏବଂ କ୍ଷତ ସୃଷ୍ଟି ହୁଏ। ଏହି କ୍ଷତ ଅଧିକାଂଶ ସମୟରେ ବ୍ୟାକ୍ଟେରିଆ ଦ୍ୱାରା ପ୍ରଭାବିତ ହୋଇ ପୂଜ ସୃଷ୍ଟି ହୋଇଥାଏ। ଯଦି ଏହାର ଚିକିତ୍ସା କରା ନଯାଏ ତା’ ହେଲେ ଏହି ସଂକ୍ରମଣ ତଳେ ଥିବା ହାଡ଼କୁ ପ୍ରସାରିତ ହୋଇ ଗୁରୁତର ଅଷ୍ଟିଓମାଇଲିଟିସ୍ ସୃଷ୍ଟି କରେ। ସେହିପରି ଅଧିକ ଦିନ ଧରି ଡାଏବେଟିସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭାସ୍କୁଲୋପ୍ୟାଥି (ପାଦକୁ ରକ୍ତ ସଞ୍ଚାଳନ କମିଯିବା)ହେବାର ଆଶଙ୍କା ଥାଏ। ଏହା ହେଲେ କ୍ଷତସ୍ଥାନ ଶୁଖିବା ଖୁବ୍ କଷ୍ଟକର ହୋଇଥାଏ। ଆଉ ଅଧିକ ଦିନ ଧରି କ୍ଷତ ନ ଶୁଖିଲେ ହାଡ଼ ପ୍ରଭାବିତ ହୋଇ ଗୁରୁତର ଅଷ୍ଟିଓମାଇଲିଟିସ୍ ସୃଷ୍ଟି କରେ। ଏହାଛଡ଼ା ଶରୀରର ଅନ୍ୟ ଅଙ୍ଗରେ ହୋଇଥିବା ସଂକ୍ରମଣ ଯୋଗୁଁ ମଧ୍ୟ ହାଡ଼ ସଂକ୍ରମିତ ହୋଇଥାଏ। ଉଦାହରଣ ସ୍ୱରୂପ ଦାନ୍ତରେ ସଂକ୍ରମଣ କିମ୍ବା ଫୁସ୍ଫୁସ୍ରେ ସଂକ୍ରମଣ ହୋଇଥିଲେ ତାହା ରକ୍ତପ୍ରବାହୀ ନଳୀ ମାଧ୍ୟମରେ ଆସି ହାଡ଼ ସଂକ୍ରମିତ ହୋଇଥାଏ।
ଅଷ୍ଟିଓମାଇଲିଟିସ୍ର ଲକ୍ଷଣ
-ହାଡ଼ରେ ଯନ୍ତ୍ରଣା ହେବା
-ଜ୍ୱର ହେବା
-ପ୍ରଭାବିତ ଗୋଡ଼ରେ କାମ କରିବାରେ ସମସ୍ୟା ହେବା, ଚାଲିବାରେ ଅସୁବିଧା ହେବା
-ସଂକ୍ରମିତ ସ୍ଥାନ ନାଲି ହୋଇଯିବା
-ଅଷ୍ଟିଓମାଇଲିଟିସ୍ ଗୁରୁତର ହୋଇଯାଇଥିଲେ ହାଡ଼ ଚାରିପଟ ଫୁଲିଯାଏ
-ହାଡ଼ ଶକ୍ତ ହୋଇଯାଏ, ବାନ୍ତି ମଧ୍ୟ ହୋଇଥାଏ
ଚିକିତ୍ସା
ସଂକ୍ରମଣର ଅବସ୍ଥା ଏବଂ ସ୍ଥିତିକୁ ଦେଖି ଏହି ରୋଗର ଚିକିତ୍ସା କରାଯାଏ। କିଛି କ୍ଷେତ୍ରରେ ଅସ୍ତ୍ରୋପଚାର କରାଯାଉଥିବାବେଳେ କିଛି କ୍ଷେତ୍ରରେ ଆଣ୍ଟିବାଇଓଟିକ୍ସ ମାଧ୍ୟମରେ ତାହା ଭଲ ହୋଇଥାଏ। ପାଦରେ କ୍ଷତ ହୋଇଥିଲେ ତାକୁ ଆଣ୍ଟିସେପଟିକ୍ ସଲ୍ୟୁସନ୍ରେ ସଫା କରାଯାଏ। ସେହି ସ୍ଥାନକୁ ପ୍ଲାଷ୍ଟର ମାଧ୍ୟମରେ ସୁରକ୍ଷା ଦିଆଯାଏ। କ୍ଷତ ଭଲ ନ ହେବା ଯାଏ ରୋଗୀକୁ ୱାକର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ।
ଡାଏବେଟିସ୍ ଓ ହୃଦ୍ରୋଗ:
ଡାଏବେଟିସ୍ ରୋଗୀଙ୍କଠାରେ ହୃଦରୋଗ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ଥାଏ। ଏପରିକି ସାଧାରଣ ଲୋକଙ୍କ ଅପେକ୍ଷା ଡାଏବେଟିସ୍ ରୋଗୀଙ୍କୁ ହୃଦରୋଗ ହେବାର ୨-୩ ଗୁଣ ଆଶଙ୍କା ଥାଏ। ବିଶେଷକରି ଟାଇପ୍-୨ ଡାଏବେଟିସ୍ ଦ୍ୱାରା ଆକ୍ରାନ୍ତ ଲୋକଙ୍କଠାରେ ହୃଦରୋଗର ଆଶଙ୍କା ଅଧିକ ରହେ।
ଡାଏବେଟିସ୍ ହେଲେ ବ୍ୟକ୍ତିଙ୍କର ରକ୍ତରେ ଶର୍କରାର ପରିମାଣ ଅଧିକ ରହେ। ଦୀର୍ଘଦିନ ଧରି ରକ୍ତରେ ଶର୍କରାର ପରିମାଣ ଅଧିକ ରହିଲେ ଏହା ଆର୍ଟେରୀ ବା ଧମନୀକୁ କ୍ଷତିଗ୍ରସ୍ତ କରିପାରେ। ଏହାଯୋଗୁଁ ଧମନୀ ଶକ୍ତ ହୋଇଯାଏ। ତା’ ମଧ୍ୟରେ ଚର୍ବିଜାତୀୟ ପଦାର୍ଥ (ପ୍ଲେକ୍)ଜମିଯାଏ। ଏହି ଅବସ୍ଥାକୁ ଆର୍ଟେରିଓସ୍କ୍ଲେରୋସିସ୍ ବୋଲି କୁହାଯାଏ। ଏହାଯୋଗୁଁ ହୃଦୟକୁ ରକ୍ତପ୍ରବାହ ଏବଂ ଅମ୍ଳଜାନ ଯୋଗାଣ ଠିକ୍ ଭାବେ ହୋଇପାରେ ନାହିଁ। ତେଣୁ ହୃଦଘାତ ହେବାର ଆଶଙ୍କା ସୃଷ୍ଟି ହୁଏ। ଆର୍ଟେରିଓସେରୋସିସ୍ ହୃଦଘାତର ପ୍ରମୁଖ କାରଣ। ପୁଣି ଯଦି ଆପଣଙ୍କ ପରିବାରରେ ପୂର୍ବରୁ କାହାର ହୃଦରୋଗ ଥାଏ ତା’ ହେଲେ ଏହି ଆଶଙ୍କା ଆହୁରି ବଢ଼ିଯାଏ।
ଡାଏବେଟିସ୍ ରୋଗୀ ପାଦ ସମସ୍ୟା:
ଡାଏବେଟିସ୍ ରୋଗୀଙ୍କର ରକ୍ତରେ ଶର୍କରାର ପରିମାଣ ଅଧିକ ରହୁଥିବାରୁ ଅନେକ ସମୟରେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ। ଡାଇବେଟିକ୍ ନ୍ୟୁରୋପାଥି, ପେରିଫେରାଲ ଭାସ୍କୁଲାର ଡିଜିଜ୍ ସେଥିମଧ୍ୟରୁ ଅନ୍ୟତମ।
ଡାଏବେଟିକ୍ ନ୍ୟୁରୋପାଥି: ରକ୍ତରେ ଶର୍କରାର ମାତ୍ରା ଅଧିକ ରହିଲେ ଏହା ଶିରାକୁ କ୍ଷତିଗ୍ରସ୍ତ କରିପାରେ। ଯଦି ଗୋଡ଼ ଓ ପାଦରେ ଶିରା କ୍ଷତିଗ୍ରସ୍ତ ହୋଇଯାଏ, ତା’ହେଲେ ସେଠାରେ ଉତ୍ତାପ, ଥଣ୍ଡା କିମ୍ବା ଯନ୍ତ୍ରଣା ଅନୁଭୂତ ହୁଏନାହିଁ। ଏହି ଅନୁଭବ ଶୂନ୍ୟତାକୁ ଡାଏବେଟିକ୍ ନ୍ୟୁରୋପାଥି ବୋଲି କୁହାଯାଏ। ନ୍ୟୁରୋପାଥି ଯୋଗୁଁ ଯଦି ଆପଣ ପାଦର କୌଣସି ସ୍ଥାନରେ କଟିବା, ଫୁଲିବା ଆଦିକୁ ଅନୁଭବ କରିପାରିବେ ନାହିଁ ତା’ହେଲେ ସେହିସ୍ଥାନର କ୍ଷତ ଆହୁରି ବୃଦ୍ଧି ହେବ। ସେଥିରେ ସଂକ୍ରମଣ ହେବାର ଆଶଙ୍କା ବି ରହିବ। ଏହାଯୋଗୁଁ ରୋଗୀ ଠିକ୍ ଭାବେ ପାଦ ପକାଇ ପାରିବେ ନାହିଁ।
ପେରିଫେରାଲ ଭାସ୍କୁଲାର ଡିଜିଜ୍: ଡାଏବେଟିସ୍ ମଧ୍ୟ ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ। କୌଣସି ସ୍ଥାନକୁ ରକ୍ତପ୍ରବାହ ଠିକ୍ ଭାବେ ନ ହେଲେ ସେହି ସ୍ଥାନର କ୍ଷତ ସହଜରେ ଶୁଖେନାହିଁ। ବାହୁ ଏବଂ ଗୋଡ଼କୁ ରକ୍ତ ପ୍ରବାହ ଠିକ୍ ଭାବେ ନହେଲେ ତାକୁ ପେରିଫେରାଲ ଭାସ୍କୁଲାର ଡିଜିଜ୍ ବୋଲି କୁହାଯାଏ। ଏପରି ହେଲେ ସଂକ୍ରମଣ ସହଜରେ ଭଲ ହୁଏନାହିଁ। ତେଣୁ କ୍ଷତସ୍ଥାନରେ ଅଲସର(ରକ୍ତ ଅଭାବରୁ ଟିସ୍ୟୁର ମୃତ୍ୟୁ ହେବା) ସୃଷ୍ଟି ହେବାର ଆଶଙ୍କା ରହେ। ଏହି ସମସ୍ୟା ହେଲେ ଅକ୍ସିଜେନ୍ ଥେରାପି ଦିଆଯାଏ ନ ହେଲେ ପ୍ରଭାବିତ ସ୍ଥାନରେ ଅସ୍ତ୍ରୋପଚାର କରାଯାଇଥାଏ।
ଆଥଲେଟ୍ସ ଫୁଟ୍: ଆଥଲେଟ୍ସ ଫୁଟ ହେଉଛି ଏକପ୍ରକାର କବକ ଯାହାଦ୍ୱାରା ପାଦ କୁଣ୍ଡାଇ ହୁଏ, ନାଲି ପଡ଼େ ଏବଂ ଫାଟିଯାଏ। ଚମଡ଼ାରେ ସୃଷ୍ଟି ହୋଇଥିବା ସେହି ଫଟାସ୍ଥାନ ଦ୍ୱାରା ଜୀବାଣୁ ଶରୀର ମଧ୍ୟକୁ ଯାଇଥା’ନ୍ତି ଏବଂ ସଂକ୍ରମଣ ସୃଷ୍ଟିହୁଏ। ଏହି ରୋଗରୁ ଉପଶମ ପାଇଁ ଫଙ୍ଗସ୍କୁ ନଷ୍ଟ କରୁଥିବା ଔଷଧ ଖାଇପାରିବେ କିମ୍ବା କ୍ରିମ୍ ଲଗାଇପାରିବେ। ଡାଏବେଟିସ୍ ରୋଗୀଙ୍କୁ ଏହା ହେବାର ଅଧିକ ଆଶଙ୍କା ଥାଏ।
ଚାରକଟ ଫୁଟ୍: ଡାଏବେଟିସ୍ ସମୟ ସମୟରେ ଆପଣଙ୍କ ପାଦର ହାଡ଼କୁ ଏତେ ଦୁର୍ବଳ କରିଦିଏ ଯେ ତାହା ଭାଙ୍ଗିବା ଭଳି ସ୍ଥିତିରେ ପହଞ୍ଚିଯାଏ। ଶିରା କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ଏହା ସହଜରେ ଜଣାପଡ଼େନାହିଁ। ବ୍ୟକ୍ତି ଭଙ୍ଗାହାଡ଼ ସହ ଚାଲିବା ଜାରି ରଖିଥା’ନ୍ତି ତେଣୁ ପାଦର ଆକୃତିରେ ପରିବର୍ତ୍ତନ ହୋଇଯାଏ।
ଡାଏବେଟିସ୍ ରୋଗୀ କିଭଳି ନେବେ ପାଦର ଯତ୍ନ
–ନିୟମିତ ଭାବେ ଡାକ୍ତରଙ୍କ ସହ ଆଲୋଚନା କରି ରକ୍ତଶର୍କରାକୁ କମାନ୍ତୁ। ଏଥିପାଇଁ ଅତି କମ୍ରେ ଦିନକୁ ୪୦ ମିନିଟ୍ ଧରି ବ୍ୟାୟାମ କରନ୍ତୁ।
–ପ୍ରତିଦିନ ଗରମ ପାଣିରେ ପାଦକୁ ଧୁଅନ୍ତୁ। ପାଦର ଆଙ୍ଗୁଳି ମଝିକୁ ସଫା କପଡ଼ା ଦ୍ୱାରା ପୋଛନ୍ତୁ ଯେପରିକି ପାଣି ରହିବ ନାହିଁ। ନ ହେଲେ ସେହି ସ୍ଥାନରେ ସଂକ୍ରମଣର ଆଶଙ୍କା ରହିବ।
–ପାଦରେ କୌଣସି ସ୍ଥାନରେ ଖଣ୍ଡିଆ ହେବା, ନାଲି ପଡ଼ିବା, ଫୁଲିବା ଇତ୍ୟାଦି ହୋଇଛି କି ନାହିଁ ତାହା ଯାଞ୍ଚ କରନ୍ତୁ। ଯଦି ପାଦକୁ ରକ୍ତପ୍ରବାହ ଠିକ୍ ଭାବେ ହେଉନଥିବ ତା ହେଲେ ପ୍ରତିଦିନ ଏଥିପ୍ରତି ଧ୍ୟାନ ଦେବା ଜରୁରୀ।
–ଯଦି ପାଦ ଅତି ଶୁଖିଲା ହେଉଥାଏ ତାହେଲେ ମଏଶ୍ଚରାଇଜରକୁ ନିୟମିତ ଭାବେ ଲଗାନ୍ତୁ। ଡାକ୍ତରଙ୍କ ସହ କଥା ହୋଇ ଲୋସନ୍ କିଣିପାରିବେ। ତେବେ ଆଙ୍ଗୁଳି ସନ୍ଧିରେ କୌଣସି ପ୍ରକାର ଲୋସନ୍ ଲଗାନ୍ତୁ ନାହିଁ।
–ସପ୍ତାହରେ ଥରେ ପାଦ ନଖକୁ କାଟନ୍ତୁ। ତେବେ ନଖର କୋଣକୁ କେବେହେଲେ କାଟନ୍ତୁ ନାହିଁ। ଏହାଦ୍ୱାରା ନଖ ମଧ୍ୟରେ ମଇଳା ପଶିବାର ଆଶଙ୍କା ଥାଏ। ନଖ କାଟିବା ପରେ ଫାଇଲ ଦ୍ୱାରା ତାକୁ ସାଇଜ୍ କରି ନିଅନ୍ତୁ।
–ସବୁବେଳେ ପାଦକୁ ଘୋଡ଼ାଇବା ଭଳି ଜୋତା ପିନ୍ଧନ୍ତୁ। ସାଣ୍ଡଲ ପିନ୍ଧିବା କିମ୍ବା ଖାଲି ପାଦରେ ଚାଲିବାକୁ ଏଡ଼ାଇ ଯାଆନ୍ତୁ।
–ଯଥାସମ୍ଭବ ମୋଜା ପିନ୍ଧିବାକୁ ଅଭ୍ୟାସ କରନ୍ତୁ। ଏହାଦ୍ୱାରା ପାଦ ବେଶୀ ମଇଳା ହେବନାହିଁ। ସେହିଭଳି ପାଦକୁ ଫିଟ୍ ହେଉଥିବା ପରି ଜୋତା ପିନ୍ଧନ୍ତୁ।
–ରକ୍ତପ୍ରବାହ ଠିକ୍ ଭାବେ ହେବା ଲାଗି ବସିବା ସମୟରେ ସବୁବେଳେ ଫୁଟରେଷ୍ଟକୁ ବ୍ୟବହାର କରନ୍ତୁ। କେବେହେଲେ ଗୋଡ଼ ଉପରେ ଗୋଡ଼ ପକାଇ ବସନ୍ତୁ ନାହିଁ।
–ବର୍ଷକରେ ଥରେ ଡାକ୍ତରଙ୍କ ନିକଟରୁ ପାଦକୁ ପରୀକ୍ଷା କରାଇ ନିଅନ୍ତୁ।
ପ୍ରି–ଡାଏବେଟିସ କ’ଣ?
ପ୍ରି-ଡାଏବେଟିସ୍ ବା ଡାଏବେଟିସର ପୂର୍ବାବସ୍ଥା ବା ପ୍ରାକ୍ ଡାଏବେଟିସ୍, ଏହାର ଅର୍ଥ ହେଉଛି ଡାଏବେଟିସ୍ ରୋଗ ସମ୍ପୂର୍ଣ୍ଣ ଭାବେ ହୋଇ ନାହିଁ କିନ୍ତୁ ରୋଗ ହେବାର ଆଶଙ୍କା ରହିଛି। ଶରୀରରେ ରକ୍ତ ଶର୍କରାର ପରିମାଣ ବଢ଼ିଗଲେ ଏହି ଅବସ୍ଥା ଆରମ୍ଭ ହୋଇଥାଏ। ଖାଲିପେଟରେ ରକ୍ତ ଶର୍କରା ୧୨୬ରୁ ବେଶି, ଖାଇବା ପରେ ରକ୍ତ ଶର୍କରା ୨୦୦ରୁ ବେଶି ହେଲେ ଏବଂ ଯେକୌଣସି ସମୟରେ ଯଦି ରକ୍ତ ଶର୍କରା ୨୦୦ରୁ ବେଶି ଅଛି, ତେବେ ଏହା ଡାଏବେଟିସ୍ ବୋଲି କହିଥାଉ। କିନ୍ତୁ, ଖାଲି ପେଟରେ ରକ୍ତ ଶର୍କରା ୧୦୦ରୁ ୧୨୬ ଭିତରେ ଓ ଖାଇସାରିବା ପରେ ୧୪୦ରୁ ୨୦୦ ରହିଲେ, ତା’କୁ ଆମେ ପ୍ରିଡାଏବେଟିସ୍ ବୋଲି କହିଥାଉ।
ପ୍ରିଡାଏବେଟିସ୍ ଥିବା ବ୍ୟକ୍ତିଙ୍କର ହୃଦରୋଗ (କରୋନାରୀ ଧମନୀ ରୋଗ ବା ମାକ୍ରୋଭାସ୍କୁଲାର ରୋଗ), ବୃକକ ଜନିତ ରୋଗ, ଆଖି ସମ୍ବନ୍ଧୀୟ ସମସ୍ୟା, ଶିରାଗତ ସମସ୍ୟା ଆଦି ଦେଖାଦେଇପାରେ।
ପ୍ରିଡାଏବେଟିସ୍ ହେବାର ଅଧିକ ଆଶଙ୍କା କାହାକୁ ଥାଏ?
ଯେଉଁମାନଙ୍କ ପରିବାରରେ ବାପା କିମ୍ବା ମା’ଙ୍କୁ ଡାଏବେଟିସ୍ ହୋଇଥାଏ, ତେବେ ପିଲାଙ୍କୁ ହେବାର ଆଶଙ୍କା ଥାଏ। ସେମାନେ ଯଦି ସଠିକ ଖାଦ୍ୟ, ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ନ ରଖନ୍ତି, ତେବେ ସେମାନଙ୍କୁ ପ୍ରିଡାଏବେଟିସ୍ରୁ ଡାଏବେଟିସ୍ ହୋଇପାରେ।
ସାଧାରଣତଃ ଉଚ୍ଚତା ଅନୁଯାୟୀ ଓଜନ ରହିବା ଆବଶ୍ୟକ। ଯଦି ଜଣେ ବ୍ୟକ୍ତିଙ୍କର ଓଜନ ଅତ୍ୟଧିକ ବା ବଢ଼ିଚାଲିଛି, ତା’ହେଲେ ଇନ୍ସୁଲିନ୍ କାମ କରେ ନାହିଁ ଓ ରକ୍ତଶର୍କରା ବଢ଼ିଚାଲେ।
ବ୍ୟକ୍ତିର ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ଥାଇରଏଡ୍, ଉଚ୍ଚ ୟୁରିକ୍ ଏସିଡ୍, ମେଦବହୁଳତା ଭଳି ସମସ୍ୟା ଥାଏ, ତେବେ ପ୍ରି-ଡାଏବେଟିସ୍ ହେବାର ଆଶଙ୍କା ଅଧିକ। ତେଣୁ ପ୍ରତ୍ୟେକ ୩ମାସ ବା ୬ ମାସରେ ରକ୍ତ ଶର୍କରା ପରୀକ୍ଷା କରାଇନେବା ଉଚିତ।
ଖାଲିପେଟରେ ୧୦୦ରୁ ୧୨୬ ଏମଜି/ଡିଏଲ୍ ମଧ୍ୟରେ ଥିଲେ ଓ ଖାଇବା ପରେ ୧୪୦ରୁ ୨୦୦ ଭିତରେ ଥିଲେ ତାହା ପ୍ରିଡାଇବେଟିସ୍ ଅବସ୍ଥା ଭାବେ ଚିହ୍ନିତ ହୁଏ।
ପ୍ରିଡାଏବେଟିସ୍ର ଚିକିତ୍ସା
ପ୍ରିଡାଇବେଟିସ୍ ହୋଇଥିଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ସବୁଠାରୁ ବଡ଼ ଉପାୟ ହେଲା ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ଓଜନ କମାଇବା। ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଦରକାର।
ପ୍ରଚୁର ପରିମାଣରେ ପନିପରିବା, ତନ୍ତୁ ଜାତୀୟ ଖାଦ୍ୟ, ସାଲାଡ ଓ ଫଳକୁ ଖାଦ୍ୟରେ ସାମିଲ କରନ୍ତୁ। କାର୍ବୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଶରୀରରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଧିକ ରହେ ଓ ରକ୍ତ ଶର୍କରା ବଢ଼ି ବଢ଼ି ଚାଲେ। ତେଣୁ ଖାଦ୍ୟରେ କାର୍ବୋହାଇଡ୍ରେଟ୍ସକୁ କମ୍ କରନ୍ତୁ।
ଯେଉଁସବୁ ଔଷଧ ଗ୍ଲୁକୋଜର ମାତ୍ରାକୁ କମାଇଥାଏ ଓ ଇନ୍ସୁଲିନ୍କୁ ଶରୀରରେ ବଢ଼ାଇଥାଏ ସେଇଭଳି ଔଷଧ ଖାଇବାକୁ ଦିଆଯାଏ।
ପ୍ରିଡାଏବେଟିସ୍ର ନିରାକରଣ
ଯଦି ଉଚ୍ଚ ରକ୍ତଚାପ, ମେଦବହୁଳତା, ଉଚ୍ଚ କୋଲେଷ୍ଟ୍ରଲ, ଥାଇରଏଡ୍ ଓ ଉଚ୍ଚ ୟୁରିକ୍ ଏସିଡ୍ ଭଳି ରୋଗ ଥାଏ ଏବଂ ପରିବାରରେ କାହାକୁ ଡାଏବେଟିସ୍ ଥାଏ ତେବେ ଆରମ୍ଭରୁ ହିଁ ସତର୍କ ହେବା ଦରକାର। ନିୟମିତ ବ୍ୟବଧାନରେ ରକ୍ତ ଶର୍କରା ପରୀକ୍ଷା କରାଇନେବା ଆବଶ୍ୟକ। ଏହାଛଡ଼ା ସନ୍ତୁଳିତ ଖାଦ୍ୟ, ବ୍ୟାୟାମ ନିହାତି କରିବା ଆବଶ୍ୟକ। ପ୍ରିଡାଏବେଟିସ୍କୁ କଣ୍ଟ୍ରୋଲ କରିଦେଲେ ଶରୀରର ଅନ୍ୟ ଅଙ୍ଗ ଯେପରିକି ହୃଦୟ, ଆଖି, ବୃକକ ଆଦି ସମସ୍ୟା ଦେଖାଦେବ ନାହିଁ। ମନେ ରଖନ୍ତୁ, ଡାଏବେଟିସ୍ ରୋଗ ଆକ୍ରାନ୍ତ କରିବା ପୂର୍ବରୁ ଆମକୁ ସତର୍କ ରହିବା ଆବଶ୍ୟକ।
ଡାଏବେଟିସ୍ ହୋଇଥିଲେ ଖାଆନ୍ତୁ ଏହି ଖାଦ୍ୟ
ଡାଏବେଟିସ୍ ରୋଗୀମାନେ ନିଜ ଖାଦ୍ୟ ଉପରେ ବେଶୀ ଯତ୍ନବାନ ହେବା ଆବଶ୍ୟକ। ଠିକ୍ ଖାଦ୍ୟ ଖାଇବା ଦ୍ୱାରା ଡାଏବେଟିସ୍ ଅନେକ ପରିମାଣରେ ନିୟନ୍ତ୍ରଣରେ ରହିଥାଏ।
ଡାଏବେଟିସ୍ ରୋଗୀ ସବୁ ପ୍ରକାର ଖାଦ୍ୟ ଖାଇପାରିବେ। ହେଲେ ପ୍ରତିଦିନ ୧୦୦ରୁ ୨୦୦ ଗ୍ରାମ୍ କାର୍ବୋହାଇଡ୍ରେଟ୍ସ ଖାଇବା ଉଚିତ। ଯଦି ପ୍ରତ୍ୟେକ ଦିନ ୨୦୦ ଗ୍ରାମ୍ ଭିତରେ କାର୍ବୋହାଇଡ୍ରେଟ୍ସ ଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଆପଣ ସବୁ ଖାଇପାରିବେ।
କାର୍ବୋହାଇଡ୍ରେଟ: କାର୍ବୋହାଇଡ୍ରେଟର ଶରୀର ପାଇଁ ଖୁବ୍ ଆବଶ୍ୟକତା ରହିଛି। କିନ୍ତୁ କାର୍ବୋହାଇଡ୍ରେଟ ଜାତୀୟ ସବୁପ୍ରକାର ଖାଦ୍ୟ ଡାଏବେଟିସ୍ ରୋଗୀ ଖାଇବା କଥା ନୁହେଁ। ସବୁଦିନ ଭାତ ଖାଇବା ବଦଳରେ ସପ୍ତାହରେ ଥରେ ଅକାଣ୍ଡିଆ ଚାଉଳର ଭାତ ଖାଆନ୍ତୁ। ସେହିପରି ଗହମରୁ ପ୍ରସ୍ତୁତ ରୁଟିକୁ ମଧ୍ୟ ଏଡ଼ାଇ ଯାଆନ୍ତୁ। ତା’ ବଦଳରେ ମଲ୍ଟିଗ୍ରେନ୍ ଅଟାରୁ ପ୍ରସ୍ତୁତ ରୁଟି ଆପଣଙ୍କୁ ଉପଯୁକ୍ତ ପୋଷଣ ଦେଇପାରିବ। ପାଉଁରୁଟି, ମଇଦାରୁ ପ୍ରସ୍ତୁତ ଖାଦ୍ୟ, ଚିପ୍ସକୁ ଖାଆନ୍ତୁ ନାହିଁ। ଆଜିକାଲି ବଜାରରେ ବ୍ରାଉନ୍ ବ୍ରେଡ୍ ମିଳୁଛି। ତାହା ଆପଣଙ୍କ ଭଲ ବିକଳ୍ପ ହୋଇପାରିବ।
ପରିବା: ଡାଏବେଟିସ୍ ରୋଗୀ ଭେଣ୍ଡି, ପୋଇ, ଶାଗ, ବନ୍ଧାକୋବି, ଫୁଲକୋବି , ଜହ୍ନି, କଲରା ଭଳି ସବୁଜ ପନିପରିବା ଖାଇବା ଆବଶ୍ୟକ। ଭେଣ୍ଡିକୁ କାଟି ରାତିରେ ପାଣିରେ ଭିଜାଇ ସକାଳୁ ସେହି ପାଣି ପିଇଲେ ଏହି ରୋଗ ଅନେକ ପରିମାଣରେ ନିୟନ୍ତ୍ରିତ ହୋଇଥାଏ। ତେବେ ପରିବାରୁ ତରକାରୀ ପ୍ରସ୍ତୁତ ସମୟରେ ଯଥାସମ୍ଭବ କମ୍ ଲୁଣ ପକାନ୍ତୁ। ସେହିପରି ଆଳୁ, ଗାଜର, ବିଟ୍, କନ୍ଦମୂଳ ଭଳି ମାଟିତଳେ ଫଳୁଥିବା ପରିବାକୁ ଖାଆନ୍ତୁ ନାହିଁ।
ଫଳ: ନିୟମିତ ଭାବେ ଫଳ ଖାଇଲେ ଶରୀରକୁ କାର୍ବୋହାଇଡ୍ରେଟ, ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ମିଳିଥାଏ। ଅଧିକାଂଶ ଫଳରେ ପ୍ରାକୃତିକ ଭାବେ କମ୍ ଚର୍ବି ଓ ସୋଡ଼ିୟମ ରହିଥାଏ। କିନ୍ତୁ ସେଥିରୁ ପରିବା ଅପେକ୍ଷା ଅଧିକ କାର୍ବୋହାଇଡ୍ରେଟ ମିଳେ। ଏପରିସ୍ଥଳେ ଡାଳିମ୍ବ, ନାସପାତି ଭଳି ଫଳକୁ ଡାଇବେଟିକ୍ ରୋଗୀ ନିଜର ଡାଏଟରେ ସାମିଲ କରିବା ଆବଶ୍ୟକ। ସେଓ, ଅଙ୍ଗୁର, କଦଳୀ ପରି ଫଳରେ ଶର୍କରାର ମାତ୍ରା ଅଧିକ ଥିବାରୁ ତାକୁ ନା କୁହନ୍ତୁ। ଫଳରସ, ଜାମ, ଜେଲି ଭଳି ଖାଦ୍ୟ ପାଟିକୁ ଭଲ ଲାଗୁଥିଲେ ମଧ୍ୟ ତାହା ଡାଏବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ପ୍ରୋଟିନ୍: ଅଣ୍ଡା, ଚିକେନ୍, ମାଛ, ଛେନା ପ୍ରଭୃତିରୁ ଆମ ଶରୀରକୁ ପ୍ରୋଟିନ୍ ମିଳିଥାଏ। ତେବେ ଏହାକୁ ଅତ୍ୟଧିକ ପରିମାଣରେ ଖାଇବା କ୍ଷତିକାରକ। ଡାଏବେଟିସ୍ ରୋଗୀ ସପ୍ତାହକୁ ୨ ଥର ମାଛ, ଚିକେନ୍ ଖାଇପାରିବେ। ଖାସି ମାଂସକୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। ସେହିପରି ଲୁଣିମାଛ ଅନେକ ସ୍ଥଳରେ ଡାଏବେଟିସ୍ ରୋଗୀଙ୍କର କ୍ଷତିକରୁଥିବାରୁ ତାକୁ ଏଡ଼ାଇ ଯିବା ଭଲ।
ଦୁଗ୍ଧ ଜାତୀୟ ଉତ୍ପାଦ: ଡାଏବେଟିସ୍ ରୋଗୀ କ୍ଷୀର ପିଇବା ଅନୁଚିତ୍ ବୋଲି ଅନେକ ସ୍ଥଳରେ ଲୋକଙ୍କ ମନରେ ଧାରଣା ରହିଛି। ପ୍ରକୃତରେ କିନ୍ତୁ କ୍ଷୀର ଉପରୁ ସର କାଢ଼ି ଡାଏବେଟିସ୍ ରୋଗୀମାନେ ପିଇପାରିବେ। ତେବେ ତାକୁ ରାତି ବଦଳରେ ସକାଳ ଜଳଖିଆରେ ଖାଆନ୍ତୁ। ଏହାଯୋଗୁଁ କ୍ଷୀରରେ ଥିବା ଚର୍ବି ଶରୀରରେ ଲାଗିବ ନାହିଁ। ସେହିପରି ଆଇସକ୍ରିମରେ ପ୍ରଚୁର ପରିମାଣରେ ଚର୍ବି ରହୁଥିବାରୁ ତାକୁ ଏଡ଼ାଇ ଯିବା ଆବଶ୍ୟକ। ସପ୍ତାହରେ ଅତି କମ୍ରେ ୩ ଥର ଦହି ଖାଆନ୍ତୁ।
ତେଲ: ଅନେକ ଲୋକ ଡାଏବେଟିସ୍ ହୋଇଥିଲେ ମିଠା ଖାଇବାକୁ ତ ଏଡ଼ାଇ ଯାଆନ୍ତି। କିନ୍ତୁ ରୋଷେଇରେ ତେଲର ବ୍ୟବହାରକୁ କମାନ୍ତି ନାହିଁ। ପ୍ରକୃତରେ କିନ୍ତୁ ରୋଷେଇରେ ତେଲର ବ୍ୟବହାର କମ୍ କରିବା ନିହାତି ଆବଶ୍ୟକ। କାରଣ ଅତ୍ୟଧିକ ତେଲମସଲା ବ୍ୟକ୍ତିଙ୍କୁ ମୋଟା କରାଇଥାଏ। ଯାହାକି ପରୋକ୍ଷରେ ଶରୀରରେ ଶର୍କରାର ଅଂଶକୁ ବୃଦ୍ଧି କରେ। ଏପରିସ୍ଥଳେ ଖାଦ୍ୟକୁ ଛାଣିବା ବଦଳରେ ତାକୁ ତାୱାରେ ସେକି ଖାଇପାରିବେ। ସେହିପରି ରିଫାଇନଡ ସନଫ୍ଲାୱାର ତେଲରେ ଟ୍ରାନ୍ସଫ୍ୟାଟ୍ର ମାତ୍ରା ଅଧିକ ରହୁଥିବାରୁ ରୋଷେଇରେ ତାର ବ୍ୟବହାର କମ୍ କରନ୍ତୁ। ତା’ ବଦଳରେ ସୋରିଷ ତେଲ ଏକ ଭଲ ବିକଳ୍ପ। ଆବଶ୍ୟକ ସ୍ଥଳେ ଅଲିଭ ଅଏଲ ବ୍ୟବହାର କରିପାରିବେ। ଅଲିଭ୍ ଅଏଲକୁ ଛଣାଛଣିରେ ବ୍ୟବହାର ନ କରି ପରିବାକୁ ଭାଜିବା କିମ୍ବା ସାଲାଡ୍ ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।
ଗର୍ଭାବସ୍ଥାରେ ଡାଏବେଟିସ୍ ହେଲେ ଖାଦ୍ୟ:
ଦିନକୁ ୨୫୦୦ରୁ ୩୦୦୦ ଭିତରେ କ୍ୟାଲେରି ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଭାତ, ମାଟି ତଳ ପରିବା, ଆଳୁ, ମଇଦା, ମିଠା, ଚିନି ଇତ୍ୟାଦି ଖାଆନ୍ତୁ ନାହିଁ।
ଛଣାଛଣି ଖାଦ୍ୟ, ଫାଷ୍ଟଫୁଡ୍ ଯୁକ୍ତ ଖାଦ୍ୟ କମ୍ ଖାଇବା ଜରୁରୀ।
ପ୍ରୋଟିନ୍ଯୁକ୍ତ ଖାଦ୍ୟ ଯେପରିକି କ୍ଷୀର, ଛେନା, ଡ୍ରାଏଫ୍ରୁଟ୍ସକୁ ଖାଦ୍ୟରେ ଅଧିକ ପରିମାଣରେ ସାମିଲ କରନ୍ତୁ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
ଡାଏବେଟିସ୍ ରୋଗୀଙ୍କ ପାଇଁ ଭ୍ରମଣ ଟିପ୍ସ
ବର୍ତ୍ତମାନ ବର୍ଷାଦିନ ଆସିଗଲାଣି । ପ୍ରକୃତିକୁ ଉପଭୋଗ କରିବା ସହ ଭ୍ରମଣର ମଜା ନେବାର ଏହା ଉପଯୁକ୍ତ ସମୟ। ଗରମ ନଥିବାରୁ ଏହି ସମୟରେ ଆପଣ ଯେକୌଣସି ମନପସନ୍ଦର ପର୍ଯ୍ୟଟନସ୍ଥଳୀରେ କ୍ୟାମ୍ପ୍ କରି ରହିପାରିବେ, ଟ୍ରେକିଂର ମଜା ନେଇପାରିବେ। କିନ୍ତୁ ଡାଏବେଟିସ୍ ରୋଗୀଙ୍କ ପାଇଁ ଏସବୁ ଖୁବ୍ ଚାଲେଞ୍ଜିଂ ହୋଇଥାଏ। ପର୍ଯ୍ୟଟନସ୍ଥଳୀରେ ଜରୁରୀକାଳୀନ ସୁବିଧା ମିଳିବାର ସମ୍ଭାବନା କମ୍ ଥିବାରୁ ନିଜେ ସ୍ମାର୍ଟ ଆଉଟଡୋର ପ୍ଲାନିଂ କରନ୍ତୁ।
ସ୍ନାକ୍ସର ବ୍ୟବସ୍ଥା କରନ୍ତୁ: ଆଉଟଡୋର ମଜା ନେବାର ଅର୍ଥ ହେଉଛି ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା। ଏହାଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ରକ୍ତରେ ଶର୍କରାର ପରିମାଣର କମିବା ସୁନିଶ୍ଚିତ। ତେଣୁ ସାଙ୍ଗରେ ସବୁବେଳେ ଡ୍ରାଏଫ୍ରୁଟ୍, ଚଣା ଭଜା, କିଛି ଫଳ, ସୁଗାର ଫ୍ରି ବିସ୍କିଟ୍, ଗ୍ଲୁକୋଜ ଟାବଲେଟ୍ ପ୍ରଭୃତି ନିଅନ୍ତୁ। ଏସବୁକୁ ହ୍ୟାଣ୍ଡ ବ୍ୟାଗ୍ରେ ରଖନ୍ତୁ। ହାଲିଆ ଲାଗିବା ମାତ୍ରେ ଆପଣ ତାକୁ ଖାଇପାରିବେ।
ବାରମ୍ବାର ଶର୍କରାର ସ୍ତର ପରୀକ୍ଷା କରିବା ଆବଶ୍ୟକ: ଟ୍ରେକିଂ, ବାଇକ୍ ଚଳାଇବା ଏବଂ ସାଇକେଲ ଚାଳନା ଭଳି କାମଦ୍ୱାରା ଶରୀରରେ ଗ୍ଲୁକୋଜର ସ୍ତର କମିଯାଏ। ପୁଣି ଗାଡ଼ିରେ ଅନେକ ସମୟ ଧରି ବସିରହିଲେ କିମ୍ବା କ୍ୟାମ୍ପରେ ବସିରହିଲେ ଶର୍କରାର ପରିମାଣ ବି ବଢିଯାଏ। ଏଭଳି ପରିସ୍ଥିତିରେ ବାରମ୍ବାର ଶର୍କରାକୁ ପରୀକ୍ଷା କରାନ୍ତୁ। ଯାହାଦ୍ୱାରାକି ଆପଣ ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇ ଯାଇପାରିବେ।
ଇନସୁଲିନର ତାପମାତ୍ରା ବଜାୟ ରଖନ୍ତୁ: ଟ୍ରେକିଂ କରିବା କେବଳ ଯେ ଚାଲେଞ୍ଜିଂ ହୋଇଥାଏ ତା’ ନୁହେଁ, ଏହି ସମୟରେ ଇନସୁଲିନ୍ ଭଳି ଡାୟାବେଟିକ୍ ଉପକରଣ ଉତ୍ତପ୍ତ ବି ହୋଇଯାଏ। ଆଉ ଇନ୍ସୁଲିନ୍ ନିର୍ଦ୍ଦିଷ୍ଟ ତାପମାତ୍ରାରେ ନ ରହିଲେ ତାକୁ ବ୍ୟବହାର କରିବା ଭୟଙ୍କର ହୋଇପାରେ। ଏଭଳିକ୍ଷେତ୍ରରେ କୁଲ ବକ୍ସରେ ଇନସୁଲିନ୍କୁ ରଖନ୍ତୁ ଏବଂ ତା’ ଉପରେ ଯେପରି ସିଧାସଳଖ ସୂର୍ଯ୍ୟକିରଣ ନ ପଡ଼ିବ ସେ ବ୍ୟବସ୍ଥା କରନ୍ତୁ।
ଇଲୋକ୍ଟ୍ରୋନିକ୍ ଗ୍ୟାଜେଟକୁ ଚାର୍ଜ କରାଯିବା ଆବଶ୍ୟକ: ଏସବୁ ସତର୍କତା ସତ୍ତ୍ୱେ ଯେକୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ଲାଗି ଆପଣ ନିଜର ଇଲୋକ୍ଟ୍ରୋନିକ୍ ଗ୍ୟାଜେଟ୍ ଯେପରିକି ସେଲଫୋନ୍ ଏବଂ ବ୍ଲଗ୍ସୁଗାର ମିଟରକୁ ଚାର୍ଜ କରି ରଖନ୍ତୁ। ଯଦି ନିଜର ଗାଡ଼ିର ଆଖପାଖରେ କ୍ୟାମ୍ପ କରୁଥାନ୍ତି ତା’ ହେଲେ ସେଥିରେ ଏହାକୁ ଚାର୍ଜ କରିପାରିବେ। ଯଦି ଆପଣ ଜଙ୍ଗଲିଆ ରାସ୍ତାରେ ଯାଉଥାନ୍ତି ତା’ ହେଲେ ଏକ ସୋଲାର ବ୍ୟାଟେରୀ ରଖନ୍ତୁ।
ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ: କୌଣସି ସ୍ଥାନକୁ ଭ୍ରମଣ ପାଇଁ ଯିବାପୂର୍ବରୁ ସେଠାକାର ପୁଲିସ ଷ୍ଟେସନ୍, ନିକଟସ୍ଥ ଡାକ୍ତରଖାନା ସଂପର୍କରେ ସୂଚନା ଏକତ୍ରିତ କରନ୍ତୁ। ଆପଣ କ୍ୟାମ୍ପ କରୁଥିବା ସ୍ଥାନଠାରୁ ତାହା କେତେ ଦୂର, ଆବଶ୍ୟକସ୍ଥଳେ ଆପଣ ସେଠାରେ କିଭଳି ପହଞ୍ଚିବେ ତାର ସୂଚନା ସଂଗ୍ରହ କରନ୍ତୁ। ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କଠାରୁ ବି ଆପଣ ଏ ସଂପର୍କରେ ବୁଝିନେଇପାରିବେ।
ବନ୍ଧୁମାନଙ୍କୁ ଅବଗତ କରନ୍ତୁ: ଭ୍ରମଣ ପାଇଁ ଯିବା ପୂର୍ବରୁ ପରିବାର ଲୋକେ କିମ୍ବା ବନ୍ଧୁମାନଙ୍କୁ ବି ଜଣାଇବା ଜରୁରୀ। ଯେପରି ଆବଶ୍ୟକ ସ୍ଥଳେ ଆପଣଙ୍କୁ ସେମାନେ ସହାୟତା କରିପାରିବେ।
ପିଲାକୁ ଡାଏବେଟିସ୍ ହୋଇଥିଲେ ସ୍କୁଲରେ କିପରି ନେବେ ଯତ୍ନ
ଡାଇବେଟିସ୍ ମେଲିଟସ୍ (ଡିଏମ୍) ହେଉଛି ଏପରି ଏକ ଅବସ୍ଥା ଯେତେବେଳେ କି ଆମ ଶରୀରର ଇନସୁଲିନ୍ ହରମୋନ୍ ପ୍ରସ୍ତୁତ କରିବାର କ୍ଷମତା କମିଯାଏ। ଇନସୁଲିନ୍ ହରମୋନ୍ ଆମେ ଖାଦ୍ୟ ଖାଇବା ପରେ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିଥାଏ। ତେଣୁ ଡାୟାବେଟିସ୍ ମେଲିଟସ୍ ହେଲେ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥାଏ। ତେବେ ଛୋଟ ପିଲାମାନେ ଏହାଦ୍ୱାରା ପ୍ରଭାବିତ ହେଲେ ସେମାନେ ବିଲକୁଲ ଇନସୁଲିନ୍ ପ୍ରସ୍ତୁତ କରିପାରନ୍ତି ନାହିଁ। ତେଣୁ ସଂପୂର୍ଣ୍ଣ ଭାବେ ଇନସୁଲିନ୍ ଇଞ୍ଜେକସନ୍ କିମ୍ବା ପମ୍ପ ଉପରେ ନିର୍ଭର କରିଥାନ୍ତି। କିଛି ପିଲାଙ୍କୁ ତ ବହୁତ ଥର ଇଞ୍ଜେକସନ୍ ଦେବାର ଆବଶ୍ୟକତା ପଡ଼େ।
ପ୍ରତିଥର ସେମାନେ ଖାଇବା ପରେ ଏବଂ ଶୋଇବା ପୂର୍ବରୁ ଇଞ୍ଜେକସନ୍ ନେଇଥାନ୍ତି। ଏଭଳି କ୍ଷେତ୍ରରେ ପିଲାଟିର ଜୀବନ ଦୁର୍ବିସହ ହୋଇପଡ଼େ। ଏଭଳି ପରିସ୍ଥିତିରେ ବାପା ମା’ ସଚେତନ ହେବା ଜରୁରୀ। ପିଲାକୁ ଧୈର୍ଯ୍ୟ ଧରିବା ଲାଗି ବୁଝାଇବା ସହିତ ତାର ଠିକ୍ ଯତ୍ନ ନେବାର ଆବଶ୍ୟକତା ରହିଛି। ତେବେ ଘରେ ତ ଆପଣ ତା’ର ଯତ୍ନ ନେଇଯିବେ, ହେଲେ ସେ ସର୍ବାଧିକ ସମୟ ବିତାଉଥିବା ସ୍କୁଲରେ କିପରି ଚଳିବ ସେ ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ସ୍କୁଲରେ ଶିକ୍ଷକମାନଙ୍କୁ ମଧ୍ୟ ତାର ଏଭଳି ପରିସ୍ଥିତି ସଂପର୍କରେ ଜଣାଇବାର ଆବଶ୍ୟକତା ରହିଛି। ଯେପରି ଆବଶ୍ୟକ ପଡ଼ିଲେ ସେମାନେ ସହାୟତା କରିପାରିବେ।
ଜରୁରୀକାଳୀନ ପରିସ୍ଥିତିରେ କ’ଣ କରିବେ: ଶରୀରରେ ଶର୍କରାର ପରିମାଣ ବଢିଗଲେ ପିଲାକୁ ଅବଶ ଲାଗେ, ଦେହ ଶୁଷ୍କ ହୋଇଯାଏ ଏବଂ ସେ କ୍ଲାନ୍ତ ହୋଇଯାଏ। ସମୟ ସମୟରେ ପିଲାମାନେ ବାନ୍ତି କରିବା ସହିତ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗିଥାନ୍ତି। ଏ ଭଳି ସ୍ଥିତିରେ ତୁରନ୍ତ ପିଲାର ଅଭିଭାବକ ଏବଂ ଡାକ୍ତରଙ୍କ ସହ ସଂପର୍କ କରାଯିବା ଆବଶ୍ୟକ। ତେଣୁ ସ୍କୁଲରେ ଶିକ୍ଷକମାନଙ୍କୁ ପିଲାର ରୋଗ ବିଷୟରେ ଜଣାଇବା ସହିତ ଯେଉଁ ଡାକ୍ତରଙ୍କ ପାଖରେ ସେ ଚିକିତ୍ସିତ ହେଉଥିବ ତାଙ୍କର ଫୋନ୍ ନମ୍ବର ଦିଅନ୍ତୁ। ସେହିପରି ପିଲା ସହ ସ୍କୁଲକୁ ଗ୍ଲୁକୋମିଟର ନେଇ ଯିବାକୁ ସୁନିଶ୍ଚିତ କରାନ୍ତୁ। ପିଲା ସହ ଶିକ୍ଷକମାନଙ୍କୁ କିପରି ରକ୍ତ ସୁଗାର ପରୀକ୍ଷା କରାଯିବ ତାହା ଶିଖାନ୍ତୁ। ଜରୁରୀକାଳୀନ ସ୍ଥିତିରେ ଯଦି ରକ୍ତରେ ଶର୍କରାର ପରିମାଣ ୨୫୦-୩୦୦ଏମଜି/ଡିଏଲ୍ ହୋଇଯାଏ ତା’ ହେଲେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଏ ତ ଗଲା ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହେବା କଥା। ରକ୍ତରେ ଶର୍କରାର ପରିମାଣ କମିଗଲେ ମଧ୍ୟ ପିଲାକୁ ସମସ୍ୟା ହେବ। ବିଶେଷ କରି ଡାଏବେଟିସ୍ରେ ପୀଡ଼ିତ ପିଲା ଅତ୍ୟଧିକ ଖେଳକୁଦ କରିବା ପରେ ଏହି ସମସ୍ୟା ଦେଖାଯାଏ। ଏପରି ହେଲେ ପିଲାର ଶରୀରରୁ ପ୍ରବଳ ଝାଳ ବାହାରିବା ସହ ଭୋକ ଲାଗିବା ଏବଂ ନିଦ ଲାଗିବା ଭଳି ସମସ୍ୟା ହୁଏ। ଏପରି କ୍ଷେତ୍ରରେ ତୁରନ୍ତ ତା’ର ଡାଏବେଟିସ୍ ପରୀକ୍ଷା କରାନ୍ତୁ। ଶର୍କରା ଅଂଶ କମିଯାଇଥିଲେ ୨ ଚାମଚ ଗ୍ଲୁକୋଜକୁ ଗୋଳାଇ ତାକୁ ପିଇବାକୁ ଦିଆଯିବା ଉଚିତ୍। ୧୫ ମିନିଟ୍ ପରେ ପୁଣି ଶର୍କରାର ମାତ୍ରା ପରୀକ୍ଷା କରାଯିବା ଦରକାର। ଯଦି ସୁଗର କମ୍ ଥାଏ ତା’ ହେଲେ ପିଲାଟିକୁ ପେଟପୂରା ଖାଇବା ଆବଶ୍ୟକ। ସେହିପରି କୌଣସି କ୍ଲାସ୍ରେ ଡାଏବେଟିସ୍ ଆକ୍ରାନ୍ତ ପିଲାଥିଲେ ସେଠାରେ ଗ୍ଲୁକୋମିଟର ଏବଂ ଗ୍ଲୁକୋଜ ରଖାଯିବା ନିହାତି ଜରୁରୀ।
ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣକୁ ପ୍ରତି ଧ୍ୟାନ ଦିଆଯିବା ଜରୁରୀ: ଡାଏବେଟିସ୍ରେ ଆକ୍ରାନ୍ତ ପିଲାର ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣକୁ ବି ବୁଝିବା ଆବଶ୍ୟକ। ଟାଇପ-୧ ଡାଏବେଟିସ୍ରେ ପୀଡ଼ିତ ପିଲାମାନଙ୍କୁ ସେମାନଙ୍କର ଖାଦ୍ୟ ଉପରେ ଧ୍ୟାନ ଦେବା ସହ ଶର୍କରାଯୁକ୍ତ ପାନୀୟ ନ ପିଇବା ପାଇଁ କୁହାଯାଇଥାଏ। କେବଳ ସେତିକି ନୁହେଁ, ପିଲାଟିକୁ ସ୍କୁଲ ଅବଧି ମଧ୍ୟରେ ସ୍ପଳ୍ପ ପରିମାଣର ଇନସୁଲିନ୍ ବି ନେବାକୁ ହୋଇଥାଏ। ଏଭଳିକ୍ଷେତ୍ରରେ ପିଲାଟି ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବି ଦୁର୍ବଳ ହୋଇଯାଏ।
କ୍ଲାସ ଚାଲିଥିବା ସମୟରେ ଶର୍କରାର ପରିମାଣ କମିଗଲେ ବି ଖାଦ୍ୟ ମାଗିବାକୁ କିମ୍ବା ଏ ସଂପର୍କରେ କହିବାକୁ ସେ ସଙ୍କୋଚ ବୋଧ କରିଥାଏ। ସେହିପରି ଖେଳକୁଦ ସମୟରେ ପିଲାଟିକୁ ବାରମ୍ବାର ଶର୍କରାର ସ୍ତର ପରୀକ୍ଷା କରାଇବାକୁ ପଡ଼େ, ଯାହାକି ତାକୁ ଅସହଜ କରେ। ଫଳତଃ ପିଲାଟି ଅତ୍ୟଧିକ ଲାଜୁଆ କିମ୍ବା ଭୟାଳୁ ହୋଇଯାଏ। ଏଭଳି ସ୍ଥିତିରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଯେ ଏକ ସାଧାରଣ କଥା ତାହା ଶିକ୍ଷକମାନେ ପିଲାକୁ ବୁଝାଇବା ଦରକାର।
ସମସ୍ୟାର ସମାଧାନ କରିବେ କିପରି: ବାପା ମା’ଙ୍କର ଯତ୍ନ, ନିୟମିତ କାଉନସେଲିଂ, ଶିକ୍ଷକମାନଙ୍କର ସହୃଦୟତା ହିଁ ପିଲାଟିକୁ ଏଭଳିକ୍ଷେତ୍ରରେ ସହାୟକ ହୋଇପାରିବ। ଶିକ୍ଷକମାନେ ତାର ସହପାଠୀମାନଙ୍କୁ ବି ଏ ସଂପର୍କରେ ଅବଗତ କରିବାର ଆବଶ୍ୟକତା ରହିଛି। ଯେପରିକି ସେମାନେ ତାକୁ ଭିନ୍ନ ବ୍ୟବହାର କରିବେ ନାହିଁ ଓ ଜରୁରୀକାଳୀନ ସ୍ଥିତିରେ ସେମାନେ ଶିକ୍ଷକମାନଙ୍କୁ ଏ ନେଇ ଅବଗତ କରିପାରିବେ। ଏଭଳି ଭାବେ ଉପଯୁକ୍ତ ଯତ୍ନ ପାଇଲେ ପିଲାଟି ସ୍ୱାଭାବିକ ଜୀବନଯାପନ କରିପାରିବ।
ଡାଏବେଟିସ୍କୁ ନିୟନ୍ତ୍ରଣ କରିବା ପାଇଁ ୪ଟି ସ୍ତମ୍ଭ
୧- ଡାଏଟ୍ – ପୂର୍ବରୁ ଡାଏବେଟିସ୍ ରୋଗୀଙ୍କୁ ବହୁତଗୁଡ଼ିଏ ଜିନିଷ ନ ଖାଇବାକୁ ପରାମର୍ଶ ଦିଆଯାଉଥିଲା। ହେଲେ ବର୍ତ୍ତମାନ ଡାଏବେଟିସ୍ ରୋଗୀ ସବୁ ଜିନିଷ ଖାଇପାରିବେ, କିନ୍ତୁ ଅଳ୍ପ ପରିମାଣର ଓ ଠିକ୍ ସମୟରେ ଖାଇବା ଦରକାର।
ଡାଏବେଟିସ୍ ଥିବା ବ୍ୟକ୍ତି ବହୁତ ପରିମାଣର ଫାଷ୍ଟିଂ କରିବେନି କି ଫିଷ୍ଟିଂ କରିବେନି। ଏହାର ଅର୍ଥ ହେଲା ଉପବାସ କରିବନି ଓ ଭୋଜି ଭାବି ଅଧିକ ଖାଇବେ ନାହିଁ। ଉଦାୟରଣସ୍ଵରୁପ: ଆପଣ ସବୁଦିନ କମ୍ ଖାଉଥିବେ, ହେଲେ ଗୋଟେ ଭୋଜିକୁ ଯାଇ ଅଧିକ ଖାଇଦେବେ। ଏହା ସମ୍ପୂର୍ଣ୍ଣ ଭୁଲ। ଏବଂ ଅଧିକ ସମୟ ଯାଏଁ ଖାଲିପେଟରେ ରହିବା ମଧ୍ୟ ଭୁଲ।
ଶର୍କରା ସ୍ତର ପ୍ରାଥମିକ ଅବସ୍ଥାରେ ଥିଲେ କେବଳ ଖାଦ୍ୟପେୟ ଓ ବ୍ୟାୟାମ କରିବା ଦ୍ଵାରା ଡାଏବେଟିସ୍ କିଛି ପରିମାଣର ନିୟନ୍ତ୍ରଣରେ ରହିଥାଏ।
ସକାଳ ଭୋଜନ ସକାଳ ୮ରୁ ୯ଟା ଭିତରେ, ମଧ୍ୟାହ୍ନ ଭୋଜନ ୧ରୁ ୨ ଭିତରେ, ରାତି ଭୋଜନ ୯ରୁ ୧୦ ଭିତରେ ଖାଇପାରିବେ। ଖାଲି ସମୟ ଅଳ୍ପ ସ୍ନାକ୍ସ ଖାଇବେ। ପ୍ରତିଦିନର ଖାଇବାରେ ୬୦ ପ୍ରତିଶତ ଶ୍ୱେତସାର, ୨୦ ପ୍ରତିଶତ ପ୍ରୋଟିନ୍ ଓ ୧୦ ପ୍ରତିଶତ ଫ୍ୟାଟ୍ ବା ସ୍ନେହସାର ସେବନ କରିବା ଜରୁରୀ।
୨- ବ୍ୟାୟାମ – ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରିବା ଜରୁରୀ। ପ୍ରତିଦିନ ସକାଳେ ୧୦,୦୦୦ ଷ୍ଟେପ୍ ଚାଲିଲେ ଆପଣଙ୍କ ଶରୀରର ମାଂସପେଶୀ ସଚଳ ହୋଇଯିବ। ମାଂସପେଶୀ ଯେତେ ସଚଳ ହେବ, ତେବେ ଇନ୍ସୁଲିନ୍ ସାହାଯ୍ୟରେ ଶର୍କରା ଆପଣଙ୍କ ଦେହର ଜୀବକୋଷରେ ସେତେ ଭଲ ଭାବରେ ପ୍ରବେଶ କରିବ।
୩- ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ
୪- ନିୟମିତ ଭାବରେ ରକ୍ତ ଶର୍କରାର ପରୀକ୍ଷା