କାହିଁକି ହୋଇଥାଏ କିଡନି ଷ୍ଟୋନ୍? କିଡନି ଷ୍ଟୋନକୁ ଚିହ୍ନିବା କେମିତି ଓ ଏହାର ଚିକିତ୍ସା କିପରି କରିବା? ଏନେଇ ବିଶିଷ୍ଟ ୟୁରୋଲୋଜିଷ୍ଟି ଡାକ୍ତର ବିଶ୍ୱଜିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଆମ ଶରୀରର ଅଦରକାରୀ ପଦାର୍ଥକୁ ପରିସ୍ରା ଆକାରରେ ବାହାରକୁ ନିଷ୍କାସିତ କରିବା କିଡନିର ମୁଖ୍ୟ କାର୍ଯ୍ୟ। ଅନେକ ସମୟରେ କିଡନି କିମ୍ବା ପରିସ୍ରା ପଥରେ ଅଦରକାରୀ ପଦାର୍ଥଗୁଡ଼ିକ ଜମାଟ ବାନ୍ଧି ପଥର ଆକାର ନେଇଥାଏ। ଏହାକୁ ଆମେ ସାଧାରଣରେ କିଡନି ଷ୍ଟୋନ୍ ବୋଲି କହିଥାଉ।
କିଡନି ଷ୍ଟୋନର କ’ଣ? (What is a Kidney Stone in Odia)
କ୍ୟାଲ୍ସିୟମ୍ ବା କ୍ୟାଲସିୟମ୍ ଭଳି କିଛି ପଦାର୍ଥ ପରିସ୍ରାରେ ଧୀରେ ଧୀରେ ଜମାଟ ବାନ୍ଧି ପଥରର ରୂପ ନେଇଥାଏ, ତାକୁ କିଡ୍ନି ଷ୍ଟୋନ୍ ବୋଲି କହିଥାଉ। ଏହି ପଥର କିଡ୍ନିରେ ଥିଲେ ତାକୁ କିଡ୍ନି ଷ୍ଟୋନ କହନ୍ତି। ଯଦି ପଥର ୟୁରେଟରରେ ଜମା ହୁଏ ତାକୁ ୟୁରେଟେରାଲ ଷ୍ଟୋନ୍ କହନ୍ତି ଏବଂ ଏହି ପଥର ମୂତ୍ରାଶୟ ବା ବ୍ଲାଡରରେ ରହେ, ତାକୁ ବ୍ଲାଡର ଷ୍ଟୋନ୍ କହନ୍ତି।
କିଡ୍ନି ଷ୍ଟୋନର ଲକ୍ଷଣ (Symptoms of Kidney Stones in Odia)
କିଡ୍ନି ଷ୍ଟୋନ୍ର ପ୍ରଥମ ଲକ୍ଷଣ ହେଲା ଯନ୍ତ୍ରଣା ହେବା।
ପେଟର ପାର୍ଶ୍ୱ ଭାଗରେ ଅଧିକ ଜୋରରେ ଯନ୍ତ୍ରଣା ହେବା
ଯନ୍ତ୍ରଣା ସହ ବାନ୍ତି ହୋଇପାରେ
ବାରମ୍ବାର ପରିସ୍ରା ହେବା
ବାରମ୍ବାର ପରିସ୍ରା ସଂକ୍ରମଣ ହୋଇପାରେ
ପରିସ୍ରାରେ ରକ୍ତ ପଡ଼ିପାରେ
କେତେକ କ୍ଷେତ୍ରରେ କିଡ୍ନି ଷ୍ଟୋନର କୌଣସି ଲକ୍ଷଣ ଜଣାପଡ଼େ ନାହିଁ। ଧୀରେ ଧୀରେ ପଥର ବଢ଼ି ବଢ଼ି ଚାଲିଥାଏ ଓ ସମୟକ୍ରମେ ପରିସ୍ରାର ସ୍ରୋତକୁ ବନ୍ଦ କରି କିଡ୍ନିକୁ ଖରାପ ମଧ୍ୟ କରିଦେଇପାରେ।
ୟୁରେଟାରିକ୍ ଷ୍ଟୋନ୍ ହେଲେ ତାକୁ ୟୁରେଟାରିକ୍ କଲିଗ୍ କୁହାଯାଏ। ୟୁରେଟରରେ ଷ୍ଟୋନ୍ ହେଲେ ପେଟରେ ଅତ୍ୟଧିକ ଯନ୍ତ୍ରଣା ହେବା ସହ ବାନ୍ତି ହୁଏ, ତା ସହ ଜ୍ୱର, ପରିସ୍ରା ବାରମ୍ବାର ହୋଇଥାଏ। ଏହା ଏକ ଜରୁରୀକାଳୀନ ପରିସ୍ଥିତି। ଏଥିପାଇଁ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲ ଯିବାକୁ ପଡ଼ିଥାଏ। ହସ୍ପିଟାଲରେ ଇଞ୍ଜେକ୍ସନ୍ ନେବା ଦ୍ୱାରା ଏହା ଠିକ୍ ହୋଇଥାଏ।
ମୂତ୍ରାଶୟ ବା ବ୍ଲାଡରରେ ଷ୍ଟୋନ୍ ହେଲେ ପରୀସ୍ରା ଜନିତ ସମସ୍ୟା ଦେଖାଦିଏ। ଯେପରିକି ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ଜନିତ ସଂକ୍ରମଣ ହେବା, ପରିସ୍ରା ଭଲ ଭାବରେ ନ ହେବା, ପରିସ୍ରାରେ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦିଏ।
କିଡ୍ନି ଷ୍ଟୋନ୍ର କାରଣ (Causes of Kidney Stones in Odia)
କିଡ୍ନି ଷ୍ଟୋନ୍ର ପ୍ରଥମ କାରଣ ହେଲା କମ୍ ପାଣି ପିଇବା। ଏହାଦ୍ୱାରା ପରିସ୍ରାରେ ଥିବା ମିନେରାଲ୍ସ ଯଥା-କ୍ୟାଲ୍ସିୟମ୍, ଅକ୍ସାଲେଟ୍ ଆଦି କ୍ରିଷ୍ଟାଲାଇଜ୍ ହୋଇ ଷ୍ଟୋନ୍ ତିଆରି କରିଥା’ନ୍ତି। କେତେଗଚଡ଼ିଏ ଖାଦ୍ୟ ଯେପରିକି ଲୁଣ, ଅକ୍ସାଲେଟ୍ଯୁକ୍ତ ଖାଦ୍ୟ ଯେପରିକି ଶାଗ, ଟମାଟ, ବାଇଗଣ କାକୁଡ଼ି, କାଜୁ, କ୍ଷୀର, ମାଛ, ମାଂସ, ଅଣ୍ଡା ଇତ୍ୟାଦିକୁ ଅଧିକ ପରିମାଣର ସେବନ କରିବା ଦ୍ୱାରା ଷ୍ଟୋନ୍ ହେବାର ଆଶଙ୍କା ଥାଏ।
ଏହାଛଡ଼ା ଯେଉଁମାନେ ଅତ୍ୟଧିକ ଗରମ ଓ ଶୁଖିଲା ଜଳବାୟୁରେ ଥା’ନ୍ତି, ସେମାନଙ୍କଠାରେ ଷ୍ଟୋନ୍ ହେବାର ସମ୍ଭାବନା ଥାଏ। କାରଣ ସେମାନଙ୍କର ଜଳୀୟଅଂଶ କମ୍ ଥାଏ। ଏହାସହ ଯେଉଁମାନେ ଫ୍ୟାକ୍ଟ୍ରି ଓ ଶୁଖିଲା ପରିବଶେରେ କାମ କରିଥା’ନ୍ତି, ସେମାନଙ୍କ କ୍ଷେତ୍ରରେ ଷ୍ଟୋନ୍ ହୋଇପାରେ।
ଡାଏବେଟିସ୍ ରୋଗୀଙ୍କୁ ଷ୍ଟୋନ୍ ହେବାର ଆଶଙ୍କା ଅଧିକ।
ଜେନେଟିକ୍ କାରଣରୁ ମଧ୍ୟ କିଡ୍ନି ଷ୍ଟୋନ୍ ହୋଇପାରେ।
କିଡ୍ନି ଷ୍ଟୋନ୍ର ଜଟିଳତା (Complications of Kidney Stones In Odia)
କିଡ୍ନି ଷ୍ଟୋନ୍ର ଲକ୍ଷଣହୀନ ଥିଲେ ଏହା ଅଧିକ ମାରାତ୍ମକ। କାରଣ ଷ୍ଟୋନ ଧୀରେ ଧୀରେ ବଢ଼ିବଢ଼ି କିଡ୍ନିକୁ ଖରାପ କରିପାରେ। ଯଦ୍ଵାରା ଗୋଟେ କିଡ୍ନି ନଷ୍ଟ ହୋଇପାରେ। ଯଦି ଦୁଇପଟ ୟୁରେଟରରେ ଷ୍ଟୋନ୍ ରହେ, ତେବେ ଦୁଇପଟ କିଡ୍ନି କାମ କରିବା ବନ୍ଦ କରିଦିଏ।
କେତେକ ଲୋକଙ୍କର ୟୁରେଟର ଓ କିଡ୍ନିରେ ଷ୍ଟୋନ ଥିବା ଓ ପେଟ ମଝିରେ ମଝିରେ ପେଟ ଯନ୍ତ୍ରଣା ହେଉଥିବ ଏବଂ ସେମାନେ ପେନ୍ କିଲର ଖାଉଥିବେ। ସେମାନଙ୍କର କିଡ୍ନି ନଷ୍ଟ ହେବାର ଆଶଙ୍କା ମଧ୍ୟ ଥାଏ।
ତେଣୁ ସଠିକ୍ ସମୟରେ କିଡ୍ନି ଷ୍ଟୋନ୍ର ଚିକିତ୍ସା କରାନଗଲେ, କିଡ୍ନି କାମ କରିବା ବନ୍ଦ କରିଦିଏ।
ଏହାଛଡ଼ା ବେଳେବେଳେ କିଡ୍ନି ଷ୍ଟୋନ୍ ଜମି ସଂକ୍ରମଣ ହୋଇଥାଏ। ଏହି ସଂକ୍ରମଣ ରକ୍ତକୁ ବ୍ୟାପିଲେ, ତାହାକୁ ୟୁରୋସେପ୍ସିସ୍ କୁହାଯାଏ। ଏହା ହେଲେ ରୋଗୀଙ୍କୁ ବହୁତ ଜୋରରେ ଜ୍ୱର ଆସିଥାଏ ଫଳରେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥାଏ। ଏହି କ୍ଷେତ୍ରରେ ପରିସ୍ରାକୁ ନ କାଢ଼ିଲେ ସମସ୍ୟା ଜଟିଳ ହୋଇ ରୋଗୀର ଜୀବନ ମଧ୍ୟ ଯାଇପାରେ।
କେଉଁ ପରୀକ୍ଷାରୁ କିଡ୍ନି ଷ୍ଟୋନ୍କୁ ଚିହ୍ନିବା? (Diagnosis of Kidney Stones?)
କିଡ୍ନି ଷ୍ଟୋନ୍ର ପ୍ରଥମ ପରୀକ୍ଷା ହେଲା ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ। ଅଲଟ୍ରାସାଉଣ୍ଡ ଦ୍ଵାରା କିଡ୍ନି ଫୁଲିଛି କି ନାହିଁ ଜାଣିପାରିବା ଓ କିଡ୍ନିରେ ଷ୍ଟୋନ୍ର ଆକାର ଏବଂ କେଉଁ ଜାଗାରେ କିଡ୍ନି ଅଛି ଜାଣିପାରିବା।
ଏହାସହ କିଡ୍ନି ଷ୍ଟୋନ୍ ଜାଣିବାର ଆଉ ଏକ ମୁଖ୍ୟ ପରୀକ୍ଷା ହେଲା ସିଟିସ୍କାନ। ଏଥିରେ କିଡ୍ନି, ୟୁରେଟର ଓ ବ୍ଲାଡରର ସମସ୍ତ ସମସ୍ୟା ବିଷୟରେ ଜାଣିପାରିବା।
କିଡ୍ନି ଷ୍ଟୋନ୍ର ଚିକିତ୍ସା (Treatment of Kidney Stones in Odia)
କିଡ୍ନିରେ ୫ ମିଲିମିଟର ଆକାରର ଷ୍ଟୋନ୍ ହୋଇଥିଲେ ଏହାର କୌଣସି ଲକ୍ଷଣ ଜଣାପଡ଼ିନଥାଏ। ଏହାକୁ କେବଳ ଔଷଧ ଦେଇ ନିୟନ୍ତ୍ରଣ କରାଯାଏ। ଯଦି ଷ୍ଟୋନ୍ ୧ ସେଣ୍ଟିମିଟର ଥାଏ, ତେବେ ESWL ପଦ୍ଧତି, PCNL ପଦ୍ଧତି ଓ RIRS ପଦ୍ଧତିରେ ଚିକିତ୍ସା କରାଯାଏ।
ୟୁରେଟୋରିକ୍ ଷ୍ଟୋନ୍ର ଚିକିତ୍ସା: ୟୁରେଟରରେ ଷ୍ଟୋନ୍ ହେଲେ ଅଧିକ ଜୋରରେ ଯନ୍ତ୍ରଣା ହୋଇଥାଏ। ୟୁରେଟୋରିକ୍ ଷ୍ଟୋନ୍ ୫ ମିଲିମିଟରରୁ ବା ତା’ଠାରୁ କମ୍ ଥିବ, ତାହାହେଲେ ଔଷଧ ଦ୍ୱାରା ଚିକିତ୍ସା କରାଯାଏ। ଏଥିରେ ୬୦ରୁ ୭୦ ପ୍ରତିଶତ ଲୋକ ଭଲ ହୋଇଯାଆନ୍ତି। କିନ୍ତୁ ୫ ମିଲିମିଟରରୁ ଅଧିକା ଅଛି, ତେବେ ଲେଜର ବା ଲିଥୋକ୍ଲାଷ୍ଟ ଦ୍ୱାରା ଷ୍ଟୋନକୁ ଭାଙ୍ଗି ଗୁଣ୍ଡ କରି କାଢ଼ିଦିଆଯାଏ।
ବ୍ଲାଡରରେ ୨ ସେଣ୍ଟିମିଟରରୁ କମ୍ ଆକାରର ଷ୍ଟୋନ୍ ଥିଲେ, ତେବେ ପରିସ୍ରା ରାସ୍ତାରେ ଯାଇ ଗୁଣ୍ଡ କରି କଢ଼ାଯାଏ। ଯଦି ୨ରୁ ୪ ସେଣ୍ଟିମିଟର ଥିବ ପେଟରେ କଣା କରି ବ୍ଲାଡର ଭିତରେ ପଶି ଷ୍ଯୋନ୍କୁ ଗୁଣ୍ଡ କରି କଢ଼ାଯାଏ। ଯଦି ବ୍ଲାଡରରେ ୪ ସେଣ୍ଟିମିଟରରୁ ବଡ଼ ଷ୍ଟୋନ୍ ଅଛି, ତାହାହେଲେ ତାକୁ ଓପନ୍ ସର୍ଜରୀ କରାଯାଏ।
କିଡନି ଷ୍ଟୋନକୁ ରୋକିବା ପାଇଁ କ’ଣ ଖାଇବେ? (Diet for prevention of kidney Stones in Odia)
ମାଛ, ମାଂସ, ଅଣ୍ଡା, କ୍ଷୀର, ଲୁଣ ଆଦି ଅତ୍ୟଧିକ ଖାଇଲେ ପରିସ୍ରାରେ ଇଲେକ୍ଟ୍ରୋଲାଇଟ୍ର ପରିବର୍ତ୍ତନ ହୁଏ। ତେଣୁ ସାଇଟ୍ରିକ୍ ଏସିଡ୍ ଯୁକ୍ତ ଖାଦ୍ୟ, ଯେପରିକି କମଳା, ସପୁରୀ, ଲେମ୍ବୁ, ତରଭୁଜ ଆଦିକୁ ଅଧିକ ଖାଇବା ଦ୍ୱାରା ସାଇଟ୍ରିକ୍ ଏସିଡ୍ ପରିସ୍ରାରେ ନିଷ୍କାସନ ହେବ। ଯେଉଁମାନଙ୍କର ବାରମ୍ବାର ଷ୍ଟୋନ୍ ହୁଏ, ସେମାନଙ୍କର ଷ୍ଟୋନ୍ର ପରୀକ୍ଷା କରାଯାଏ। କେଉଁ ପ୍ରକାରର ଷ୍ଟୋନ୍ ଜାଣିବା ପରେ ତା’ର ପରୀକ୍ଷା ସେହି ଅନୁଯାୟୀ କରାଯାଏ।
ସବୁବେଳେ ପ୍ରଚୁର ପରିମାଣର ପାଣି ପିଅନ୍ତୁ। ମୋଟାପଣ, ଡାଏବେଟିସ୍କୁ ନିୟନ୍ତ୍ରଣରେ ରଖନ୍ତୁ।
କିଡ୍ନିକୁ କେମିତି ରଖିବେ ସୁସ୍ଥ (How to keep Kidney healthy in Odia)
ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଯେପରିକି ଦିନକୁ ପରିସ୍ରା ଦେଢ଼ରୁ ଦୁଇ ଲିଟର ହେବ।
ମେଦବହୁଳତାକୁ କମ୍ କରିବେ।
ମଧୁମେହକୁ ନିୟନ୍ତ୍ରଣରେ ରଖିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବିଶ୍ୱଜିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on causes, symptoms and treatment of Kidney stone, in Odia language, is based on an extensive interview with Urologist Dr Biswajit Nanda.