କ୍ୟାନ୍ସର ରୋଗୀଙ୍କ ପାଇଁ କେମୋଥେରାପି ଚିକିତ୍ସାର ଆବଶ୍ୟକତା ରହିଛି। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କେମୋଥେରାପି ଚିକିତ୍ସା ସଫଳ ମଧ୍ୟ ହୋଇଛି।
କେମୋଥେରାପି କ’ଣ?
କ୍ୟାନ୍ସର (କର୍କଟ) ଆକ୍ରାନ୍ତ କୋଷମାନଙ୍କ ବିକାଶ କରିବା ପାଇଁ ଯେଉଁ ଔଷଧ ପ୍ରୟୋଗ କରାଯାଏ ତାହାକୁ ’କେମୋଥେରାପି’ କୁହାଯାଏ। ଏଗୁଡ଼ିକ ଇଞ୍ଜେକ୍ସନ ଏବଂ ଟାବଲେଟ୍ ରୂପରେ ଉପଲବ୍ଧ।
ସମସ୍ତ ପ୍ରକାର କ୍ୟାନସର୍ରେ କେମୋଥେରାପିର ପ୍ରୟୋଗ ବାଧ୍ୟତାମୂଳକ ଅଟେ କି?
ପ୍ରାୟ ଅଧିକାଂଶ କ୍ୟାନସର ରୋଗୀଙ୍କ ପାଇଁ ସେମାନଙ୍କ କ୍ୟାନସର ଚିକିତ୍ସାର ଅଂଶବିଶେଷ ଭାବେ କେମୋଥେରାପିର ଆବଶ୍ୟକତା ରହିଥାଏ। କିନ୍ତୁ ଯେଉଁ କ୍ଷେତ୍ରରେ କ୍ୟାନସର ଆଡଭାନ୍ସଡ ଷ୍ଟେଜ୍ରେ (ବହୁତ ଆଡ଼େ ମାଡ଼ିଯାଇଥିବ) ଥିବ, ସେ କ୍ଷେତ୍ରରେ ତ ନିଶ୍ଚିତ ଭାବେ କେମୋଥେରାପିର ପ୍ରୟୋଗ କରାଯାଇଥାଏ। ପ୍ରକୃତରେ ଚତୁର୍ଥ ପର୍ଯ୍ୟାୟ (ଷ୍ଟେଜ୍ ୪)ର କ୍ୟାନ୍ସରରେ କେମୋଥେରାପି ହିଁ ଚିକିତ୍ସାର ପ୍ରାଥମିକ ସାଧନ। କିଛି କ୍ୟାନସର୍ର ପ୍ରାରମ୍ଭିକ ଅବସ୍ଥା (ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ)ରେ କେମୋଥେରାପି ଆବଶ୍ୟକ ହୁଏ ନାହିଁ।
କେମୋଥେରାପିର ଇତିହାସ
୧୯୪୦ ମସିହା ପର୍ଯ୍ୟନ୍ତ କ୍ୟାନସର ଚିକିତ୍ସାର ମୂଳ ସାଧନ ଥିଲା ଶଲ୍ୟ ଚିକିତ୍ସା ଏବଂ ରେଡିଓ ଥେରାପି। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦେଖାଯାଇଥିଲା ଯେ ମଷ୍ଟାର୍ଡ ଗ୍ୟାସ୍ ଦ୍ୱାରା ଅସ୍ଥିମଜ୍ଜା ଅବରୋଧ ହୋଇ ରକ୍ତକଣିକା କମିଯାଏ ଏବଂ ଏହା ଘାତକ ହୋଇଥାଏ। ପରବର୍ତ୍ତୀ ଅବସ୍ଥାରେ ଏହି ନିୟମ ରକ୍ତ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଲା। କିନ୍ତୁ ଯେତେବେଳେ ବୋଷ୍ଟନ୍ରେ କାର୍ଯ୍ୟରତ ଥିବା ଭାରତୀୟ ବୈଜ୍ଞାନିକ ଡକ୍ଟର ୟେଲ୍ଲାପ୍ରଗଦା ସୁବାରାଓ ‘ଆମିନୋ ପ୍ରୋଟିନ୍’ ଆବିଷ୍କାର କରିଥିଲେ, ସେତେବେଳେ ହିଁ କେମୋଥେରାପିର ପ୍ରକୃତ ପ୍ରଗତି ଆରମ୍ଭ ହୋଇଥିଲା। କ୍ୟାନ୍ସର ଆକ୍ରାନ୍ତ କୋଷର ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପୋଷକତତ୍ତ୍ୱ ଯଥା ଫଲିକ୍ ଏସିଡ୍ ଆଦିରୁ ବଞ୍ଚିତ କରି କ୍ୟାନସର୍ କୋଷକୁ ଏହି ଉପାଦାନ ମୂଳୋତ୍ପାଟନ କରିଦେଇଥାଏ। ଆଧୁନିକ କେମୋଥେରାପିର ଜନକ କୁହାଯାଉଥିବା ଡାକ୍ତର ସିଡ୍ନି ଫାର୍ବର ଏହି ଉପାଦାନକୁ ଶିଶୁମାନଙ୍କ ରକ୍ତକର୍କଟରେ ଉପଯୋଗ କରି ସଫଳତା ପାଇଥିଲେ।
ପରବର୍ତ୍ତୀ ସମୟରେ କେମୋଥେରାପିର ଉଚ୍ଚତ୍ତର ଗବେଷଣା ପାଇଁ ବହୁଳ ଅର୍ଥ ବିନିଯୋଗ କରାଯାଇଥିଲା। ୧୯୭୦ ମସିହାରେ ବ୍ରେଷ୍ଟ କ୍ୟାନସରର ଚିକିତ୍ସା ପାଇଁ ବୋନୋଡୋନ୍ନା କେମୋଥେରାପି ମିଶ୍ରଣ ବ୍ୟବହାର କରିଥିଲେ। ଡେଲିଟା ଲିମ୍ପୋମା ରୋଗରେ ଏମଓପିପି ରେଜିମେନ୍ ଭାବେ ବ୍ୟବହୃତ କରିଥିଲେ।
କେମୋଥେରାପି ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ
ମେଡିସିନ୍ର ଏହି ବିଭାଗକୁ ‘ମେଡ଼ିକାଲ୍ ଅଙ୍କଲୋଜି’ କୁହାଯାଏ। ମେଡିସିନ୍ କିମ୍ବା ରେଡିଓଥେରାପିରେ ପୋଷ୍ଟ୍ ଗ୍ରାଜୁଏସନ ସରିବା ପରେ ଏହି ସୁପରସ୍ପେସାଲିଷ୍ଟ କୋର୍ସ କରିବାକୁ ପଡ଼ିଥାଏ। ଏହି କୋର୍ସର ଅବଧି ତିନି ବର୍ଷ।
ଏଥିରେ ସଲିଡ୍ କ୍ୟାନସର (ଯଥା- ପାକସ୍ଥଳୀ, ଫୁସ୍ଫୁସ ଓ ସ୍ତନରେ ହେଉଥିବା କ୍ୟାନ୍ସର) ଏବଂ ବ୍ଲଡ୍ କ୍ୟାନ୍ସରରେ ଉପଯୋଗ ହେଉଥିବା କେମୋଥେରାପି ତଥା ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ୍ (ଅସ୍ଥିମଜ୍ଜା ପ୍ରତିରୋପଣ) ବିଷୟରେ ଶିକ୍ଷା ଦିଆଯାଇଥାଏ
କେମୋଥେରାପିର ସଫଳତା
ପ୍ରତ୍ୟେକ ଚିକିତ୍ସା ପଦ୍ଧତିର ଉଭୟ ସକାରାତ୍ମକ ଏବଂ ନକରାତ୍ମକ ପ୍ରଭାବ ରହିଥାଏ। କେମୋଥେରାପିରେ ମଧ୍ୟ ଉଭୟ ସଫଳତା ଓ ବିଫଳତା ରହିଛି।ଅନେକ କ୍ୟାନ୍ସର ଯଥା – ଲିମ୍ଫୋମା/ରକ୍ତ କର୍କଟ/ଜର୍ମ ସେଲ୍ ଟ୍ୟୁମର ଆଦିରୁ କେମୋଥେରାପି ଦ୍ୱାରା ଆରୋଗ୍ୟ ମିଳିଥାଏ। ଅଧିକାଂଶ କ୍ୟାନ୍ସରରେ କେମୋଥେରାପି ହିଁ ରୋଗୀଙ୍କ ଜୀବନ ରକ୍ଷା କରିଥାଏ। ତେବେ କେମୋଥେରାପି ଔଷଧର ଉପଯୁକ୍ତ ବ୍ୟବହାର ରୋଗମୁକ୍ତ କରିଥାଏଏବଂ ଏହାର ବିଷାକ୍ତତାକୁ କମ୍ କରିଥାଏ।
କେମୋଥେରାପି କେମିତି ଦିଆଯାଏ?
ବଟିକା ରୂପରେ ପାଟିରେ ଖାଇବାକୁ ଦିଆଯାଏ କିମ୍ବା ସାଲାଇନ୍ ସହ ମିଶାଇ ଇଣ୍ଟ୍ରାଭେନ୍ସ (ଶିରାରେ) ଇଞ୍ଜେକ୍ସନ ରୂପେ କେମୋଥେରାପିକୁ ଦିଆଯାଇଥାଏ। ହାଲୁକା ଜଳଖିଆ (ବ୍ଲାଣ୍ଡ ଫୁଡ୍) ଖାଇକରି ରୋଗୀଙ୍କୁ ଆସିବାକୁ କୁହାଯାଏ। ଇନ୍ଫ୍ୟୁଜନ୍ର ପ୍ରତିକ୍ରିୟା, ବାନ୍ତି ବାନ୍ତି ଲାଗିବା ଏବଂ ବାନ୍ତି ହେବା ଆଦିକୁ ରୋକିବା ପାଇଁ କେମୋଥେରାପି ପ୍ରୟୋଗ ପୂର୍ବରୁ ରୋଗୀଙ୍କୁ ପ୍ରି-ମେଡିକେସନ୍ ଦିଆଯାଇଥାଏ। କେମୋଥେରାପି ଯତ୍ନ ସହକାରେ ଶିରା ମଧ୍ୟରେ ଦିଆଯାଇଥାଏ ଏବଂ ଶିରା ବାହାରକୁ ଯେମିତି ନ ଯିବ, ସେଥିପାଇଁ ବିଶେଷ ଧ୍ୟାନ ରଖାଯାଏ। ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ଷ୍ଟାଫ୍ମାନଙ୍କ ଦ୍ୱାରା ହିଁ ଇଣ୍ଟ୍ରାଭେନ୍ସ କେମୋଥେରାପି ଦିଆଯାଇଥାଏ। କେମୋଥେରାପି ଦେବା ଦ୍ୱାରା ୱାର୍ଡରେ ରୋଗୀକୁ ପର୍ଯ୍ୟବେକ୍ଷଣ କରାଯାଏ। ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଏ, ସଙ୍ଗେ ସଙ୍ଗେ ଚିକିତ୍ସା କରାଯାଏ।
କେମୋଥେରାପି ନେଇଥିବା ରୋଗୀ କେଉଁ ପ୍ରକାରର ପ୍ରତିଷେଧକମୂଳକ ପଦକ୍ଷେପ ନେବା ଜରୁରୀ?
କେମୋଥେରାପି ପରେ ବାନ୍ତି ଲାଗିବା ଏବଂ ବାନ୍ତି ହେବା ଆଦି ଲକ୍ଷଣକୁ ପ୍ରତିହତ କରିବା ପାଇଁ ରୋଗୀଙ୍କୁ ଆଣ୍ଟାସିଡ୍ ଏବଂ ଆଣ୍ଟିଏମିଟିକ୍ ଔଷଧ ଦିଆଯାଇଥାଏ।ହାତ ହେଉଛି ସଂକ୍ରମଣର ମୁଖ୍ୟ ଉତ୍ସ। ତେଣୁ ରୋଗୀମାନଙ୍କୁ ସାବୁନରେ ଭଲ ଭାବେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥାଏ। ଦୈନିକ ଦୁଇରୁ ତିନି ଲିଟର ପାଣିରେ ହାତ ଧୋଇବା ଉଚିତ। ଉଷୁମ ପାଣିରେ ପାଟି ଧୋଇବା ଉଚିତ। ଅତି ଅଳ୍ପ ଲୁଣ ଓ ମସଲା ମିଶିଥିବା ବ୍ଲାଣ୍ଡଫୁଡ୍ (କୋମଳ ଖାଦ୍ୟ) ଖାଇବା ଆବଶ୍ୟକ। ରନ୍ଧା ପରିବା ଓ କଅଁଳ ଭାତ ଖାଇବା ଉଚିତ। କଞ୍ଚା ପନିପରିବା ଓ ଫଳରେ ତିଆରି କରାଯାଇଥିବା ସାଲାଡ୍ ସେବନ କରନ୍ତୁ ନାହିଁ। ଯଦି ସାଲାଡ ଖାଇବାକୁ ଇଛା ହେଉଥାଏ, ତେବେ ପନିପରିବାକୁ ଛୋଟ ଛୋଟ କରି କାଟି ଭଲ ଭାବେ ଧୁଅନ୍ତୁ। ଫଳରେ ଚୋପା ଛଡ଼େଇ ଖାଆନ୍ତୁ। ଅତ୍ୟଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ ଏବଂ ବେଶି ଗହଳି ଅଞ୍ଚଳ ବା ଭିଡ଼ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ। ଯଦି ପୂର୍ବରୁ କୋଷ୍ଠକାଠିନ୍ୟ ଦୋଷଥାଏ,ତେବେ ବିରେଚକ(ଲାକ୍ଜେକ୍ଟିଭ୍) ଔଷଧ ରାତିରେ ଶୋଇଲାବେଳେ ଖାଆନ୍ତୁ।
ଯେଉଁ ରୋଗୀମାନେ ଡାଇୟୁରେଟିକ୍ସ (ମୂତ୍ରଳ) ଏବଂ ଆଣ୍ଟି ହାଇପଟେନ୍ସିଭ୍ (ଉଚ୍ଚ ରକ୍ତଚାପ ରୋଗୀ) ଔଷଧ ସେବନ କରୁଥିବେ, ସେମାନେ ମେଡିକାଲ୍ ଅଙ୍କଲୋଜିଷ୍ଟଙ୍କୁ ପରାମର୍ଶ କରି ତାକୁ ସେବନ କରିପାରିବେ।
କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା
କେମୋଥେରାପି ଚିକିତ୍ସା ପାଉଥିବା ଅଧିକାଂଶ ରୋଗୀ କେମୋଥେରାପି ଜନିତ ପାର୍ଶ୍ୱପ୍ରତିକ୍ରିୟା କିଛି ନା କିଛି ପରିମାଣରେ ଭୋଗିଥାର୍ନ୍ତି, କିନ୍ତୁ ଏହା ତାଙ୍କର ଦୈନନ୍ଦିନ ଦିନଚର୍ଯ୍ୟାରେ କିଛି ପ୍ରଭାବ ପକାଇନଥାଏ। ଏହି ରୋଗୀମାନେ ସାଧାରଣତଃ ତାଙ୍କର କେମୋଥେରାପିର ପୂରା ମାତ୍ରା ନେଇଥା’ନ୍ତି।୫-୧୦ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟମରୁ ଅତିଶୟ ପାର୍ଶ୍ୱପ୍ରତିକ୍ରିୟା ପରିଲକ୍ଷିତ ହୋଇଥାଏ ଏବଂ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥାଏ, ଅଧିକ ଯତ୍ନ ନେବାକୁ ପଡ଼ିଥାଏ, କେମୋଥେରାପିର ମାତ୍ରା ବଦଳେଇବାକୁ ପଡ଼ିଥାଏ କିମ୍ବା କେମୋଥେରାପିକୁ କିଛି ଦିନ ପାଇଁ ବିରତି ଦେବାକୁ ପଡ଼ିଥାଏ।
ସାଧାରଣତଃ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଭାବେ ଇନ୍ଫ୍ୟୁଜନ୍ ରିଆକ୍ସନ, ବାନ୍ତି ବାନ୍ତି ଲାଗିବା ଓ ବାନ୍ତି ହେବା, ଚୁଟି ଝଡ଼ିଯିବା, ଥକ୍କା ଲାଗିବା, ତରଳ ଝାଡା ହେବା, କୋଷ୍ଠକାଠିନ୍ୟ ହେବା, କ୍ଷୁଧା ନ ଲାଗିବା, ପାଟି ଘା’, ଜ୍ୱର, ରକ୍ତସ୍ରାବ ତଥା ରକ୍ତକଣିକା କମିଯିବା ଆଦି ଦେଖାଯାଇଥାଏ।
ଯଦି ରୋଗୀଙ୍କ ନିମ୍ନଲିଖିତ ଲକ୍ଷଣମାନ ପ୍ରକାଶ ପାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏଗୁଡ଼ିକ ‘ରେଡ୍ ଫ୍ଲାଗ ସାଇନ୍’ ଅଟନ୍ତି।ଲକ୍ଷଣଗୁଡ଼ିକ ହେଉଛି – ଜ୍ୱର, ପାଟିଘା’, ମୁଣ୍ଡ ବୁଲାଇବା, ତରଳ ଝାଡା ହେବା, ବାନ୍ତି,ରକ୍ତ କଣିକା କମିଯିବା, ରକ୍ତସ୍ରାବ ଆଦି।କେମୋଥେରାପି ନେଉଥିବା ରୋଗୀ ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ୍।
କେମୋଥେରାପି ଜନିତ ପାର୍ଶ୍ୱ ପ୍ରତିକ୍ରିୟାର ବିଳମ୍ବରେ ସୂଚନା ଏବଂ ବିଳମ୍ବରେ ଚିକିତ୍ସା ରୋଗୀ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ବର୍ତ୍ତମାନ କେମୋଥେରାପିଜନିତ ମୃତ୍ୟୁହାର ଯଥେଷ୍ଟ ପରିମାଣରେ କମିପାରିଛି। ଅଧିକାଂଶ ଟାର୍ଗେଟେଡ୍ ଥେରାପି ଓ ମନୋକ୍ଲୋନାଲ୍ ଆଣ୍ଟିବଡିର ପାର୍ଶ୍ୱପ୍ରତିକ୍ରିୟା କମ୍ ଥାଏ। ଫଳରେ ରୋଗୀମାନେ ଏହାକୁ ସହ୍ୟ କରିପାରନ୍ତି।
କେମୋଥେରାପି ଖର୍ଚ୍ଚବହୁଳ କି?
କେମୋଥେରାପି ଖର୍ଚ୍ଚବହୁଳ। ତେବେ ଏହାକୁ ସାଧାରଣ ରୋଗୀଙ୍କୁ ସୁଲଭ ମୂଲ୍ୟରେ ବା ଅଳ୍ପ ମୂଲ୍ୟରେ ଯୋଗାଇ ଦେବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଅନେକ ରୋଗୀ ଚିକିତ୍ସା ଅଧାରୁ କେମୋଥେରାପି ବନ୍ଦ କରିବାକୁ ବାଧ୍ୟ ହୋଇଥାନ୍ତି। କାରଣ ଏଗୁଡ଼ିକୁ କିଣିବା ପାଇଁ ବେଳେ ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।