ବିଶ୍ୱ ଷ୍ଟ୍ରୋକ୍ ଦିବସ: ଭାରତରେ ହୃଦରୋଗ ଏବଂ କ୍ୟାନସର ପରେ ମୃତ୍ୟୁର ସବୁଠୁ ବଡ଼ କାରଣ ସାଜିଛି ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କଘାତ।

ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ମୁଖ୍ୟ ଅଙ୍ଗ। ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ। ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଅନେକ ମୃତ୍ୟୁବରଣ କରୁଥିବା ବେଳେ ଅନେକ ଅକର୍ମଣ୍ୟ ହୋଇପଡୁଛନ୍ତି। ଯଦି ଠିକ୍ ସମୟରେ ଉଚିତ ଚିକିତ୍ସା ଦିଆଯାଏ, ତେବେ ରୋଗୀର ଜୀବନ ମଧ୍ୟ ବଞ୍ଚିଯାଇଥାଏ। ତେଣୁ ବ୍ରେନ୍ ଷ୍ଟ୍ରୋକ ବିଷୟରେ ସଚେତନ ରହିବା ନିତ୍ୟାନ୍ତ ଜରୁରୀ। ତେବେ କେମିତି ଚିହ୍ନିବେ ବ୍ରେନ୍ ଷ୍ଟ୍ରୋକ୍? ଏହାର ଲକ୍ଷଣ ସବୁ କ’ଣ? ଆସନ୍ତୁ ଏବିଷୟରେ ଅଧିକ ଜାଣିବା ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ଶୁଭାଂଶୁ ଶେଖର ଜେନାଙ୍କଠାରୁ।

ମସ୍ତିଷ୍କ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଏଥିରେ ଥିବା କୋଷିକାଗୁଡ଼ିକ ନିରନ୍ତର ଭାବେ ଅମ୍ଳଜାନ ଏବଂ ରକ୍ତ ସଞ୍ଚାଳନ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ, ତେବେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ। ବ୍ରେନ୍ ଷ୍ଟ୍ରୋକ୍ ହେଲେ ବ୍ୟକ୍ତିକୁ ତୁରନ୍ତ ଚିକିତ୍ସା କରାନଗଲେ ଜୀବନ ଯିବାର ମଧ୍ୟ ଯାଇପାରେ। ତେଣୁ ଠିକ ସମୟରେ ବ୍ରେନ୍ ଷ୍ଟ୍ରୋକକୁ ଚିହ୍ନିବା ଦରକାର।

ବ୍ରେନ୍‌ ଷ୍ଟ୍ରୋକ୍‌ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ।

ହେମୋରେଜିକ୍‌ ଷ୍ଟ୍ରୋକ୍‌ (hemorrhagic stroke): କୌଣସି କାରଣରୁ ଯଦି ମସ୍ତିଷ୍କର ଶୀରା ଫାଟି ଯାଇ ରକ୍ତ ସ୍ରାବ ହୁଏ, ତେବେ ଏହାକୁ ହେମୋରେଜିକ୍‌ ଷ୍ଟ୍ରୋକ୍‌ କୁହାଯାଏ।

ଇସ୍ଚେମିକ୍ଷ୍ଟ୍ରୋକ (Ischemic stroke): ମସ୍ତିଷ୍କକୁ ଠିକ୍‌ ଭାବରେ ରକ୍ତ ପ୍ରବାହ ହୋଇ ନ ପାରିଲେ, ମସ୍ତିଷ୍କର କୋଷଗୁଡ଼ିକ ରକ୍ତ ଓ ଅମ୍ଳଜାନ ନ ପାଇ ମରିଯାଆନ୍ତି, ତେବେ ଏହାକୁ ଇସ୍ଚେମିକ୍‌ ଷ୍ଟ୍ରୋକ କୁହାଯାଏ। 

ବିଶ୍ୱରେ ପ୍ରତିବର୍ଷ ୧୫ ମିଲିୟନ୍‌ ଲୋକ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହୁଅନ୍ତି, ସେଥିରୁ ୫ ମିଲିୟନ୍‌ ଲୋକ ଷ୍ଟ୍ରୋକ୍‌ରେ ମୃତ୍ୟୁବରଣ କରିଥା’ନ୍ତି ଏବଂ ୪ ମିଲିୟନ୍‌ ଲୋକ ଷ୍ଟ୍ରୋକ୍‌ ଯୋଗୁଁ ଅକାମୀ ହୋଇପଡ଼ନ୍ତି। ବିଶ୍ୱରେ ପ୍ରତି ୬ ସେକେଣ୍ଡରେ ଜଣ ଜଣକୁ ଷ୍ଟ୍ରୋକ୍‌ ହୋଇଥାଏ।

ଅନୁଧ୍ୟାନରୁ ଜଣାପଡ଼ିଛି, ଭାରତରେ ହୃଦରୋଗ ଏବଂ କ୍ୟାନସର ପରେ ମୃତ୍ୟୁର ସବୁଠୁ ବଡ଼ କାରଣ ସାଜିଛି ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କଘାତ।

ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ (Symptoms of Brain stroke in Odia)

ବ୍ରେନ୍‌ ଷ୍ଟ୍ରୋକର ଲକ୍ଷଣ ଜାଣିବା ପାଇଁ ‘ବିଶ୍ୱ ଷ୍ଟ୍ରୋକ୍‌ ସଂଗଠନ’ ଏକ ଫର୍ମୂଲା ବାହାର କରିଛନ୍ତି। BEFAST ଫର୍ମୂଲା ଜରିଆରେ ଜାଣି ହେବ ବ୍ରେନ୍‌ ଷ୍ଟ୍ରୋକର ଲକ୍ଷଣ ସମ୍ପର୍କରେ।

ବି – (ବାଲାନ୍ସ (Balance): ସନ୍ତୁଳନ ରଖିନପାରିଲେ। ଯଦି ଆପଣ ନିଜର ନିୟନ୍ତ୍ରଣ କରିପାରୁ ନାହାନ୍ତି ଏବଂ ବେଳେ ବେଳେ ପଡ଼ିଯାଉଛନ୍ତି, ତେବେ ଏହା ଷ୍ଟ୍ରୋକ୍‌ର ଲକ୍ଷଣ।

ଇ – (ଆଖି (EYE): ଦେଖିବାରେ ଅସୁବିଧା ହେଲେ। ସଠିକ୍‌ ଭାବେ ଦେଖା ନଗଲେ ବା ଦୁଇ ଦୁଇଟା ଦେଖାଯିବା ହେଉଛି ପକ୍ଷାଘାତର ଲକ୍ଷଣ।

ଏଫ – (ମୁହଁ- FACE): ମୁହଁ ବଙ୍କା ହୋଇଗଲ, ମୁହଁରେ ଝିମ୍‌ ଝିମ୍‌ ଲାଗିଲେ, ମୁହଁ ବଧିରା ଲାଗିବା ବା କଥା ହେବା ବେଳେ ଖନି ମାରିବା।

ଏ –(ବାହୁ- ARM): ହାତ ଦୁର୍ବଳ ଲାଗିବା, ହାତରେ କୌଣସି ଜିନିଷ ଉଠାଇ ପାରୁ ନାହାନ୍ତି, ହାତ ବଧିରା ବା ଝିମ୍‌ଝିମ୍‌ ଲାଗିବା ହେଉଛି ଷ୍ଟ୍ରୋକ୍‌ର ଲକ୍ଷଣ।

ଏସ୍‌ – (Speech): କଥା କହିବା ବେଳେ ଖନି ମାରିବା ମଧ୍ୟ ଷ୍ଟ୍ରୋକ୍‌ର ଲକ୍ଷଣ।

ଟି – (ସମୟ – TIME): ଷ୍ଟ୍ରୋକ୍‌ ହେବା ବ୍ୟକ୍ତିଙ୍କ ପାଇଁ ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଜରୁରୀକାଳୀନ ପରିସ୍ଥିତି। ଷ୍ଟ୍ରୋକ୍‌ ହେଲେ ତୁରନ୍ତ ହସ୍ପିଟାଲରେ ପହଞ୍ଚିବା ଦରକାର। ଷ୍ଟ୍ରୋକ୍‌ ହେବାର ସାଢ଼େ ୪ ଘଣ୍ଟା ମଧ୍ୟରେ ଯଦି ହସ୍ପିଟାଲକୁ ଯାଉଛନ୍ତି, ତେବେ ଡାକ୍ତର କ୍ଲଟ୍‌ ଲାଇସିସ୍‌ ଡ୍ରଗ୍ସ ନାମକ ଏକ ଇଞ୍ଜେକସନ୍‌ ରୋଗୀକୁ ଦେଇଥା’ନ୍ତି। ଫଳରେ ଷ୍ଟ୍ରୋକ୍‌ରୁ ରକ୍ଷା ପାଇପାରିବେ। ଏହି ୪ ଘଣ୍ଟାର ସମୟକୁ ଗୋଲ୍ଡେନ ଓ୍ୱିଣ୍ଡୋ ପିରିୟଡ୍‌ ବା ସୁବର୍ଣ୍ଣ ସୁଯୋଗ ସମୟ ବୋଲି କୁହାଯାଏ। କାରଣ ଷ୍ଟ୍ରୋକ୍‌ର ଚିକିତ୍ସା ଯେତେ ଶୀଘ୍ର ହେବ ଏହା ଠିକ୍‌ ହେବାର ସମ୍ଭାବନା ସେତିକି ଜଲଦି। ଡେରିରେ ଚିକିତ୍ସା କରାଗଲେ ରୋଗୀର ଠିକ୍‌ ହେବାରେ ବିଳମ୍ବ ହୋଇଥାଏ।

ବ୍ରେନ୍ଷ୍ଟ୍ରୋକ୍ କାରଣ (Causes of Stroke in Odia)

ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଦୁଇଟି କାରଣ ରହିଛି। ଯଥା- ପରିବର୍ତ୍ତିତ ଜଟିଳତା ଓ ଅପରିବର୍ତ୍ତି ଜଟିଳତା।

ଅପରିବର୍ତ୍ତି ଜଟିଳତା ହେଲା ଯାହାକୁ ଆମେ ବଦଳେଇ ପାରିବା ନାହିଁ। ଯେପରିକି ୫୫ ବର୍ଷରୁ ଅଧିକ ବୟସରଲୋକଙ୍କଠାରେ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଦୁଇଗୁଣା ଅଧିକ ଏବଂ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଷ୍ଟ୍ରୋକ୍‌ର ଆଶଙ୍କା ତିନିଗୁଣା ଅଧିକ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଷ୍ଟ୍ରୋକ୍‌ ଅଧିକ ଦେଖାଦେଇଥାଏ। ଏହାଛଡ଼ା ବଂଶଗତ କାରଣରୁ ମଧ୍ୟ ଷ୍ଟ୍ରୋକ୍‌ ହୋଇପାରେ।

ପରିବର୍ତ୍ତିତ ଜଟିଳତା ହେଲା ଯାହାକୁ ଆମେ ବଦଳେଇପାରିବା। ଯେଉଁ ଲୋକମାନଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରୋଲ ବା ଡିସ୍‌ଲିପିଡିମିଆ (Dyslipidemia), ହୃଦରୋଗ, ଧୂମପାନ ବା ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କଠାରେ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ର ଆଶଙ୍କା କାହାକୁ ଅଧିକ ଥାଏ? (Who is more likely to have a stroke in Odia)

ସାଧାରଣତଃ ବେଶି ବୟସର ଲୋକଙ୍କଠାରେ ବ୍ରେନ୍‌ ଷ୍ଟ୍ରୋକ୍‌ ଅଧିକ ଦେଖାଦେଇଥାଏ। କିନ୍ତୁ, ବର୍ତ୍ତମାନ ସମୟରେ କମ୍‌ ବୟସର ଲୋକଙ୍କଠାରେ ମଧ୍ୟ ଷ୍ଟ୍ରୋକ୍‌ ହେଉଛି। ପରିସଂଖ୍ୟାନରୁ ଜଣାପଡ଼ିଛି, ପାଖାପାଖି ୧୦ରୁ ୨୦ ପ୍ରତିଶତ ଷ୍ଟ୍ରୋକ୍‌ ୪୦ ବର୍ଷର ଲୋକଙ୍କଠାରେ ଦେଖାଦିଏ। ଧୂମପାନ, ମଦ୍ୟପାନ, ଅଟୋ ଇମ୍ୟୁନ୍‌ ଡିଜିଜ୍‌, ଡ୍ରଗ୍ସ ସେବନ ଯୋଗୁଁ କମ୍‌ ବୟସରେ ଷ୍ଟ୍ରୋକ୍‌ ହୋଇଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ର ଚିକିତ୍ସା (Treatment of Brain stroke in Odia)

ବ୍ରେନ୍‌ ଷ୍ଟ୍ରୋକର କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ହସ୍ପିଟାଲ ଯାଆନ୍ତୁ। ଡାକ୍ତର ପ୍ରଥମେ ସିଟି ସ୍କାନ କିମ୍ବା ଏମ୍‌ଆରଆଇ ଜରିଆରେ ମସ୍ତିଷ୍କର ଫଟୋ ନିଅନ୍ତି। ଏହି ଫଟୋ ମାଧ୍ୟମରେ କେଉଁ ପ୍ରକାରର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି ତାହା ନିରୂପଣ କରାଯାଏ। ସେହି ଅନୁସାରେ ଚିକିତ୍ସା କରଯାଏ।

ଷ୍ଟ୍ରୋକ୍‌ ରୋଗୀଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଏ। ରୋଗୀଙ୍କର ଅବସ୍ଥାରେ ସୁଧାର ଆସିଲେ ତାଙ୍କୁ ସାଧାରଣ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇ ରୋଗୀଙ୍କୁ ଔଷଧ ଦେବା ସହ ଫିଜିଓଥେରାପି, ସ୍ପିଚ୍‌ ଥେରାପି, ଅକୁପେସ୍‌ନାଲ ଥେରାପି ମଧ୍ୟ ଦିଆଯାଏ।

ମସ୍ତିଷ୍କରେ ବଡ଼ ଷ୍ଟ୍ରୋକ୍‌ ହୋଇଥିଲେ ନ୍ୟୁରୋ ସର୍ଜରୀ ଦରକାର ପଡ଼ିଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ର ନିରାକରଣ (Prevention of Brain stroke in Odia)

  • ମଧୁମେହ, ରକ୍ତଚାପ ଓ କୋଲେଷ୍ଟ୍ରୋଲକୁ ନିୟମିତ ଭାବେ ଔଷଧ ଖାଇ ନିୟନ୍ତ୍ରଣରେ ରଖନ୍ତୁ।
  • ନିୟମିତ ବ୍ୟବଧାନରେ ରକ୍ତଶର୍କରା, ରକ୍ତଚାପ ଓ କୋଲେଷ୍ଟ୍ରୋଲ ପରୀକ୍ଷା କରାନ୍ତୁ।
  • ଧୂମପାନ, ମଦ୍ୟପାନରୁ ଦୂରେଇ ରହନ୍ତୁ।
  • ପ୍ରତିଦିନ ବ୍ୟାୟାମ, ଏରୋବିକ୍‌ ଏକ୍ସରସାଇଜ୍‌ ବା ଜୋର ଜୋର ଚାଲନ୍ତୁ।
  • ମେଦବହୁଳତାକୁ ନିୟନ୍ତ୍ରଣରେ ରଖିବା ଜରୁରୀ।
  • ସାଚୁରେଟ୍‌ଡ୍‌ ଫ୍ୟାଟ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
  • ଚିନ୍ତାମୁକ୍ତ ରହନ୍ତୁ।
  • ଯଥେଷ୍ଟ ପରିମାଣରେ ଶୁଅନ୍ତୁ।

ବ୍ରେନ୍‌ ଷ୍ଟ୍ରୋକ୍‌ ରୋଗୀ କ’ଣ ଖାଇବେ? (What will brain stroke patients eat in Odia)

ଧରନ୍ତୁ, ମଧୁମେହ ବା କୋଲେଷ୍ଟ୍ରୋଲ କାରଣ ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି, ତେବେ ଚିନି ଜାତୀୟ ଖାଦ୍ୟ କମ୍‌ ଖାଇବେ, ସବୁଜ ପନିପରିବା ଓ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଅଧିକ ଖାଇବାକୁ ପରାମର୍ଶ ଦିଆଯାଏ।

ଥରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲେ କ’ଣ କରିବେ? (Care for Brain stroke patient in Odia)

  • ଯଦି ପରିବାରରେ କାହାକୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି, ତେବେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସାରେ ରହିବା ଜରୁରୀ। ଡାଏବେଟିସ୍‌, କୋଲେଷ୍ଟ୍ରୋଲ ଅଛି ତାହାହେଲେ ନିୟମିତ ଔଷଧ ସେବନ କରନ୍ତୁ।
  • ଯଦି ଇସ୍ଚେମିକ୍‌ ଷ୍ଟ୍ରୋକ୍‌ ହୋଇଛି, ତାହାହେଲେ ଆସ୍‌ପିରିନ୍‌ ଔଷଧ ବା କ୍ଲପିଡୋଗ୍ରିଲ୍‌ ଔଷଧ ଜୀବନସାରା ଖାଇବାକୁ ପଡ଼ିଥାଏ। ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରନ୍ତୁ ନାହିଁ।
  • ଔଷଧ ସହିତ ସନ୍ତୁଳିତ ଖାଦ୍ୟ ଖାଇବାର ଆବଶ୍ୟକତା ଅଛି।
  • ଷ୍ଟ୍ରୋକ୍‌ ଯୋଗୁଁ କୌଣସି ଅଙ୍ଗପ୍ରତ୍ୟେଙ୍ଗ ପାରାଲିସିସ୍‌ ହୋଇଥିଲେ ଫିଜିଓଥେରାପି ମାଧ୍ୟମରେ ଏହାକୁ ଠିକ୍‌ କରାଯାଏ। ଯେଉଁମାନଙ୍କର କଥା କହିବାରେ ଅସୁବିଧା ହେଉଛି, ସେମାନଙ୍କୁ ସ୍ପିଚ୍‌ ଥେରାପି ଦିଆଯାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes, symptoms, treatment & prevention of Brain stroke, in Odia language, is based on an extensive interview with neurologist Dr Subhansu Sekhar Jena.