ଆସନ୍ତୁ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କଠାରୁ ଧଳା ଛଉ ବିଷୟରେ ଅଧିକ ଜାଣିବା।
ଧଳା ଛଉ ବା ଭିଟିଲିଗୋ ଏକ ପ୍ରକାରର ଚର୍ମ ସମସ୍ୟା, ଯେଉଁଥିରେ ଚର୍ମର କିଛି ଅଂଶ ଫିକା ପଡ଼ି ଧଳା ରଙ୍ଗ ହୋଇଯାଏ। ତେବେ ଏହା ଶରୀର ପାଇଁ କୌଣସି ଅସୁବିଧା ସୃଷ୍ଟି କରିନଥାଏ। କିନ୍ତୁ, ଅସୁନ୍ଦର ଦେଖାଯାଉଥିବା କାରଣରୁ ଲୋକେ ଏହାକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ନ୍ତି। ଏହାର ଚିକିତ୍ସା ସମ୍ଭବ।
- ଧଳା ଛଉ କ’ଣ?
- ଧଳା ଛଉର ବିଭିନ୍ନ ପ୍ରକାର
- ଧଳା ଛଉ କେଉଁ ବୟସରେ ଦେଖାଯାଏ?
- ଧଳା ଛଉର ଚିକିତ୍ସା
- କ’ଣ କଲେ ଧଳା ଛଉ ହେବନି?
ଧଳା ଛଉ କ’ଣ? (What is Vitiligo in Odia)
ସାଧାରଣତଃ ଧଳା ଛଉ ଏକ ବଡ଼ ସାମାଜିକ ସମସ୍ୟା। ଟାଇପ୍ ୪ ଓ ଟାଇପ୍ ୫ ଚର୍ମରେ ଅର୍ଥାତ୍ କଳା ବା ଶ୍ୟାମଳ ରଙ୍ଗର ତ୍ୱଚାରେ ଧଳା ଛଉ ହେବାର ସମ୍ଭାବନା ଥାଏ। ଭାରତବର୍ଷରେ ଧଳା ଛଉ ଏକ ବଡ଼ ସମସ୍ୟା। ଏହି ଧଳା ଛଉକୁ ନେଇ ଅଧିକାଂଶ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ରହିଥିବାରୁ ସେମାନେ ଏହାର ଚିକିତ୍ସା କରନ୍ତି ନାହିଁ। ଏସବୁ ବିଷୟରେ ଜାଣିବା ଦରକାର ଯେ, ଧଳା ଛଉ କୌଣସି ସମସ୍ୟା ନୁହେଁ। ଯେପରି ଆପଣଙ୍କ ଶରୀରରେ କଳାଜାଇ ହେଉଛି, ସେହିପରି ଧଳା ଛଉ ବି ହୋଇଥାଏ।
ଅଧିକ ପଢ଼ନ୍ତୁ: କସ୍ମେଟିକ୍ ସର୍ଜରୀ କାହିଁକି ଦରକାର?
ଧଳା ଛଉର ପ୍ରକାର (Different types of white scars in Odia)
ଧଳା ଛଉ ବିଭିନ୍ନ ପ୍ରକାର। ଯଥା:
- କେତେକ ଲୋକଙ୍କର ଜନ୍ମରୁ ଧଳା ଛଉ ହୋଇଥାଏ। ଜନ୍ମ ବେଳେ ଛଉର ଆକାର ଛୋଟ ଥାଏ ଓ ବଡ଼ ହେବା ପରେ ଶରୀର ବଢ଼ିବା ଭଳି ଛଉ ବି ବଡ଼ ହୋଇଥାଏ। ଏହି ଛଉଗୁଡ଼ିକ କେଉଁ ଜାଗାକୁ ମାଡ଼ି ନଥାଏ।
- ଆଉ ଗୋଟେ ପ୍ରକାର ଛଉ ହୁଏ, ଯାହାକୁ ଭିଟିଲିଗୋ ବୋଲି କୁହାଯାଏ। ଏହି ଛଉ ହେଲେ ତ୍ୱଚା ପୂରା କାଗଜ ଭଳି ଧଳା ହୋଇଯାଏ। ଏହି ଛଉ ଚର୍ମରେ ମାଡ଼ି ମାଡ଼ି ଯାଏ ଓ କେତେକ କ୍ଷେତ୍ରରେ କୁଣ୍ଡାଇ ମଧ୍ୟ ହୁଏ।
- ଆଉ କେତେକ ଧଳା ଛଉ ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥାଏ। ମନେକର ଓଠ ପାଖରେ ଜ୍ଵର ଶଣ୍ଢା ହେବା ପରେ ସେହି ସ୍ଥାନରେ ଧଳା ଛଉ ହୋଇଯାଏ। ଅଥବା କିଛି ଧଳା ଜାଇ ଶରୀରର ଗୋଟେ ସ୍ଥାନରେ ହୋଇଥାଏ।
- କୁଷ୍ଠ ରୋଗ କାରଣରୁ ତମ୍ବାଳିଆ ରଙ୍ଗର ଛଉ ହୋଇଥାଏ।
ଧଳା ଛଉ କେଉଁ ବୟସରେ ଦେଖାଯାଏ? (At what age does Vitiligo appear in Odia)
ଧଳା ଛଉ ବା ଭିଟିଲିଗୋ ଜୀବାଣୁ ଜନିତ ରୋଗ ନୁହେଁ। ଏହା ଏକ ଅଟୋ ଇମ୍ୟୁନ୍ ରୋଗ। ଯେହେତୁ ଧଳା ଛଉ ଅଟୋ ଇମ୍ୟୁନ୍ ଡିଜିଜ୍, ଏହା କେଉଁ ବୟସରେ ହେବ କିଛି କହି ହେବ ନାହିଁ। ଧଳା ଛଉ ଛୋଟ ଛୁଆ, ଯୁବାବସ୍ଥା ଓ ବୃଦ୍ଧ ଲୋକଙ୍କୁ ବି ହୋଇପାରେ। ଛୋଟ ଛୁଆଙ୍କୁ ଧଳା ଛଉ ହୋଇଥିଲେ ଏହାର ଚିକିତ୍ସା କରିବା ନିହାତି ଜରୁରୀ। କାରଣ ପ୍ରାଥମିକ ଅବସ୍ଥାରେ ଏହାର ଚିକିତ୍ସା କରାଗଲେ ଏହାର ୧୦୦ ପ୍ରତିଶତ ଠିକ୍ ହୋଇଯିବ। ତେଣୁ, ଧଳା ଛଉ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ।
ଆମ ଶରୀରରେ ମେଲାନୋସାଇଟ୍ ନାମକ କୋଷ ରହିଛି, ଯାହାର କାମ ହେଲା ରଙ୍ଗ ତିଆରି କରିବା। ତ୍ୱଚାରେ କୌଣସି ସଂକ୍ରମଣ ହେଲେ ମେଲାନୋସାଇଟ୍ ତା’ର କାମ କରିବା କମ୍ କରିଦିଏ। ଫଳରେ ସେମାନେ ଆଉ କଳା ରଙ୍ଗ ତିଆରି କରିପାରନ୍ତି ନାହିଁ। ତେଣୁ ଧଳା ଛଉ ହେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଲେ ମେଲାନୋସାଇଟ୍ ସକ୍ରିୟ ହୋଇଯାଆନ୍ତି ଓ ତ୍ୱଚାର ରଙ୍ଗ ସ୍ଵାଭାବିକ ହୋଇପାରିବ। କିନ୍ତୁ, ଧଳା ଛଉ ବର୍ଷ ବର୍ଷ ଧରି ହେଉଥିଲେ ଓ ଏହାର ଚିକିତ୍ସା ନ କରାଗଲେ ମେଲାନୋସାଇଟ୍ କୋଷଗୁଡ଼ିକ ନଷ୍ଟ ହୋଇଯାଏ। ଏଭଳି କ୍ଷେତ୍ରରେ ଶରୀରର ଅଲଗା ଅଂଶରୁ ତ୍ୱଚା ଆଣି ଧଳା ଛଉରେ ଲଗେଇବାକୁ ପଡ଼ିଥାଏ।
ଅଧିକ ପଢ଼ନ୍ତୁ: ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ
ଧଳା ଛଉର ସଫଳ ଚିକିତ୍ସା (Successful treatment of Vitiligo in Odia)
ପ୍ରାୟ ସମସ୍ତେ ଭାବିଥା’ନ୍ତି ଯେ ଧଳା ଛଉର କୌଣସି ଚିକିତ୍ସା ନାହିଁ। କିନ୍ତୁ, ବର୍ତ୍ତମାନ ଏହାର ଚିକିତ୍ସା ସମ୍ଭବ। ଲେଜର ଚିକିତ୍ସା ଓ ଏନର୍ଜି ଅଧାରିତ ଉପକରଣ ବ୍ୟବହାର କରି ଅତି ସହଜରେ ଧଳା ଛଉର ଚିକିତ୍ସା କରାଯାଇପାରୁଛି। ଏଡାଛଡ଼ା ଧଳା ଛଉର ଚିକିତ୍ସା ପାଇଁ ପୋଭାଥେରାପି ଦିଆଯାଉଛି। ଏଥିରେ ଏକ ଔଷଧ ଧଳାଛଉରେ ଲଗାଯାଇ ଖରାରେ ଠିଆ ହେବାକୁ କୁହାଯାଏ। ହେଲେ ଧଳା ଛଉ ପେଟରେ ବା ଜଙ୍ଘରେ ହେଲେ ତାକୁ ଖରାରେ ଦେଖାଇବା ସମ୍ଭବ ନୁହେଁ । ଏଭଳି କ୍ଷେତ୍ରରେ ଆର୍ଟିଫିସିଆଲ ଲାଇଟ୍ ବ୍ୟବହାର କରାଯାଏ। ଯଦି ଏସବୁ ଚିକିତ୍ସା ପରେ ବି ସୁଫଳ ନ ମିଳେ, ତେବେ ଶରୀରର ଅଲଗା ଜାଗାରୁ ତ୍ୱଚା ଆଣି ଛଉ ସ୍ଥାନରେ ସର୍ଜରୀ କରାଯାଏ।
କେତେକ କ୍ଷେତ୍ରରେ ସୂଯ୍ୟକିରଣରେ ଆଲର୍ଜି ହୋଇ ଧଳା ଛଉ ହୋଇଥାଏ। ହେଲେ ଭିଟିଲିଗୋ ହେଲେ ତ୍ୱଚାରେ କାଗଜ ଭଳି ଧଳା ହୋଇଯାଏ। ଏହା ଜଣକ ଦେହରୁ ଅନ୍ୟ କାହାକୁ ବ୍ୟାପେ ନାହିଁ। ଭିଟିଲିଗୋ ବଂଶଗତ କାରଣରୁ ମଧ୍ୟ ହୋଇପାରେ। ଯଦି ପରିବାରେ ବାପା କିମ୍ବା ମା’କୁ ଧଳାଛଉ ହୋଇଥାଏ, ତାହାହେଲେ ଛୁଆଙ୍କୁ ହେବାର ଆଶଙ୍କା ଥାଏ। ଯଦି ଛୁଆର ଧଳାଛଉ ହେଉଛି, ତେବେ ଚିନ୍ତିତ ନ ହୋଇ ଏହାର ଚିକିତ୍ସା ତୁରନ୍ତ କରନ୍ତୁ।
କ’ଣ କଲେ ଧଳା ଛଉ ହେବନି? (Prevention of Vitiligo in Odia)
ଧଳା ଛଉ ଏକ ଅଟୋ ଇମ୍ୟୁନ୍ ରୋଗ। କୌଣସି ଜିନିଷ ଖାଇବା ଦ୍ୱାରା ବା କୌଣସି ପ୍ରକାର ବାହ୍ୟ କାରକ ଯୋଗୁଁ ଧଳା ଛଉ ହୋଇନଥାଏ। ଧଳା ଛଉ ବା ଭିଟିଲିଗୋ କେତେବେଳେ କାହାକୁ ହେବ କିଛି କହି ହେବ ନାହିଁ। ଧଳା ଛଉ ନ ହେବା ପାଇଁ ମନଇଛା କୌଣସି ଔଷଧ ଖାଆନ୍ତୁ ନାହିଁ। କାରଣ ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ହୋଇପାରେ। ଯେତେବେଳେ ବାହାରୁଛି, ସେତେବେଳେ ହିଁ ଏହାର ଚିକିତ୍ସା କରାନ୍ତୁ।
ଧଳା ଛଉକୁ ଡରନ୍ତୁ ନାହିଁ (Don’t be afraid of Vitiligo in Odia)
ଧଳା ଛଉ ଯୋଗୁଁ ଅଧିକାଂଶ ଲୋକ ମାନସିକ ଚାପରେ ରହିଥା’ନ୍ତି। ହେଲେ ଜାଣି ରଖନ୍ତୁ ଏହାର ଚିକିତ୍ସା ସମ୍ଭବ। ଏହା ଏକ ଡିଆଁ ରୋଗ ନୁହେଁ। ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on causes & treatment of Vitiligo , in Odia language, is based on an extensive interview with Dermatologist Dr Manas Ranjan Puhan.