ଆମ ଦେଶରେ ଏବେ ୪୦-୬୦ ପ୍ରତିଶତ ଲୋକ ଷ୍ଟୋନ୍ ସମସ୍ୟା ଦ୍ୱାରା ପୀଡ଼ିତ। ସେମାନଙ୍କ ମଧ୍ୟରୁ କିଛି ଏପରି ଅଛନ୍ତି ଯେଉଁମାନେ କି ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତି ନାହିଁ, ଫଳରେ ଏହି ସମସ୍ୟା ବୃଦ୍ଧି ପାଏ।
ଷ୍ଟୋନ୍ ସମସ୍ୟା କ’ଣ
ଆମର ପରିସ୍ରାରେ କିଛି ମିନେରାଲ୍ସ ଓ ଲୁଣ ମହଜୁଦ ଥାଏ। ପରିସ୍ରାରେ ଏହି ମିନେରାଲ୍ସର ମାତ୍ରା ବଢ଼ିଗଲେ ଏବଂ ପାଣିର ମାତ୍ରା କମିଗଲେ ସେହି ମିନେରାଲ୍ସ ଷ୍ଟୋନ୍ ହୋଇଯାଏ। ଏହା ବିଭିନ୍ନ ପ୍ରକାରର।
କ୍ୟାଲସିୟମ ଷ୍ଟୋନ୍: ଷ୍ଟୋନ୍ ବିଭିନ୍ନ ପ୍ରକାର ମିନେରାଲ୍ସରୁ ତିଆରି ହୋଇଥାଏ। ସେଥିରୁ ସବୁଠୁ ସାଧାରଣ ମିନେରାଲ୍ସ ହେଲା କ୍ୟାଲସିୟମ। ଏହା କେତେ ସାଧାରଣ ଆପଣ ଏଇଥିରୁ ଅନୁମାନ କରିପାରିବେ ଯେ ଶରୀରରେ ହେଉଥିବା ୬୦ ପ୍ରତିଶତ ଷ୍ଟୋନ୍ କ୍ୟାଲସିୟମ୍ ଯୋଗୁ ହୋଇଥାଏ। ଯେଉଁମାନଙ୍କ ପରିସ୍ରାରେ କ୍ୟାଲସିୟମର ମାତ୍ରା ଅଧିକ ଥାଏ ସେମାନଙ୍କୁ ଏହାର ଆଶଙ୍କା ଅଧିକ ଥାଏ। କ୍ୟାଲସିୟମ୍ ଅକ୍ସଲେଟ୍ ଏବଂ ଫସଫେଟ୍ ଯୋଗୁ ଷ୍ଟୋନ୍ ସୃଷ୍ଟି ହୋଇଥାଏ।
ୟୁରିକ୍ ଏସିଡ୍ ଷ୍ଟୋନ୍: ଶରୀରରେ ହେଉଥିବା ରସାୟନିକ ପରିବର୍ତ୍ତନ ଯୋଗୁ ୟୁରିକ ଏସିଡ୍ ଷ୍ଟୋନ୍ ହୋଇଥାଏ । ୟୁରିକ ଏସିଡ୍ର ଏହି କ୍ରିଷ୍ଟାଲ ଆପେ ଆପେ ପରିସ୍ରାରେ ମିଶି ପାରେ ନାହିଁ ଏବଂ ଷ୍ଟୋନ୍ର ରୁପ ନିଏ । ୨୦% ଷ୍ଟୋନ୍ ୟୁରିକ୍ ଏସିଡ୍ ଯୋଗୁ ହୋଇଥାଏ ।
ଇନଫେକୂା୍ ଷ୍ଟୋନ୍: ୟୁରିନାରୀ ଟ୍ରାକ୍ଟରେ ସଂକ୍ରମଣ କାରଣରୁ ଯେଉଁ ଷ୍ଟୋନ୍ ସୃଷ୍ଟି ହୋଇଥାଏ ତାକୁ ସଂକ୍ରମଣ ଷ୍ଟୋନ୍ ବୋଲି କୁହାଯାଏ । ଅବଶ୍ୟ ଏହିପ୍ରକାର ଷ୍ଟୋନ୍ ଖୁବ୍ କମ୍ ଦେଖାଯାଏ । କିନ୍ତୁ ସଂକ୍ରମଣ୨୦% ଷ୍ଟୋନ୍ ହେବାର କାରଣ।
ଷ୍ଟୋନ୍ କେଉଁଠାରେ ହୁଏ?
କିଡ୍ନି: ଅଧିକାଂଶ ଷ୍ଟୋନ୍ କିଡ୍ନିରେ ହିଁ ସୃଷ୍ଟି ହୋଇଥାଏ । କିଡ୍ନି ଶରୀର ପାଇଁ ଫିଲଟର ଭଳି କାମ କରୁଥିବାବେଳେ ସେଠାରେ ଆବଶ୍ୟକତାଠାରୁ ଅଧିକ କ୍ୟାଲସିୟମ ଜମା ହୋଇଯିବା ଫଳରେ ତାହା ଷ୍ଟୋନ୍ର ରୂପ ନିଏ । କିଡ୍ନି ଷ୍ଟୋନ୍ର ଯନ୍ତ୍ରଣା ଅସହ୍ୟନୀୟ ହୋଇଥାଏ। ତେବେ ୮ ମିମି ପର୍ଯ୍ୟନ୍ତ ଷ୍ଟୋନକୁ ଔଷଧ ଦ୍ୱାରା ପରିସ୍ରା ମାଧ୍ୟମରେ ବାହାର କରାଯାଇପାରିବ । କିନ୍ତୁ ତା’ ଠାରୁ ବଡ଼ ଷ୍ଟୋନ୍ ହୋଇଥିଲେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥାଏ।
ପିତ୍ତାଶୟ: ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ପିତ୍ତାଶୟରେ ଷ୍ଟୋନ୍ ରୋଗ ଅଧିକ ହୋଇଥାଏ। କୋଲେଷ୍ଟେରୋଲ୍ ଯୋଗୁ ଏହା ପିତ୍ତାଶୟରେ ସୃଷ୍ଟି ହୁଏ। ଯେଉଁ ମହିଳାମାନେ ଫ୍ୟାଟ୍ ବା ଚର୍ବିଜାତୀୟ ଖାଦ୍ୟ ଅଧିକ ଖାଆନ୍ତି ସେମାନଙ୍କୁ ଏହା ହେବାର ଆଶଙ୍କା ବି ଅଧିକ ରହେ। ଏପରି ହେଲେ ପିତ୍ତାଶୟରେ ଅନେକ ସଂଖ୍ୟାରେ ଛୋଟ ଛୋଟ ପଥର ସୃଷ୍ଟି ହୋଇଥାଏ। ତାକୁ ବାହାର କରିବା କଷ୍ଟକର ହୋଇଥିବାରୁ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ କାଢ଼ିବାକୁ ପରାମର୍ଶ ଦେଇଥାନ୍ତି।
-ଏହାଛଡ଼ା ଶରୀରର ଅନ୍ୟ ଅଙ୍ଗ ଯେପରିକି ବ୍ଲାଡର, ପାନକ୍ରିଆଜ୍, ପେଟ, ଗଳା ଆଦିରେ ମଧ୍ୟ ଷ୍ଟୋନ୍ ହୋଇପାରେ। ତେବେ ସବୁଠୁ ଅଧିକ ଷ୍ଟୋନ୍ ପିତ୍ତାଶୟ ଓ କିଡ୍ନିରେ ଦେଖାଯାଏ।
ଷ୍ଟୋନର କାରଣ
-ଷ୍ଟୋନ୍ ହେବାର ସବୁଠୁ ବଡ଼ କାରଣ ହେଲା ପାଣି ପିଇବା କମ୍ କରିବା। ପରିସ୍ରାରେ ପାଣିର ପରିମାଣ କମ୍ ହୋଇଯିବାରୁ ୟୁରିକ୍ ଏସିଡର ମାତ୍ରା ଅଧିକ ହୋଇଥାଏ। ଏହା ଷ୍ଟୋନର କାରଣ ପାଲଟେ।
-ଉତ୍ତର ଭାରତର ଲୋକେ ଅଧିକ କ୍ଷୀରଜାତୀୟ ଦ୍ରବ୍ୟ ଯେପରିକି ଦୁଧ, ଦହି, ଛେନା ଓ ଘିଅ ପ୍ରଭୃତି ଖାଇଥାନ୍ତି। ତାହା କ୍ୟାଲସିୟମ୍ ଓ ଫ୍ୟାଟରେ ଭରପୁର ଥିବାରୁ ସେମାନଙ୍କୁ ଅଧିକ ସଂଖ୍ୟାରେ ଷ୍ଟୋନ୍ ହୋଇଥାଏ।
-ବଥୁଆ ଓ ପାଳଙ୍ଗ ଶାଗ ଅଧିକ ଖାଇଲେ ଶରୀରରେ ଅକ୍ସଲେଟର ପରିମାଣ ବୃଦ୍ଧି ପାଇଥାଏ। ତେଣୁ ଷ୍ଟୋନ୍ ହୋଇଥାଏ।
-ଏହାଛଡ଼ା ଅନେକ ଲୋକ ଖାଦ୍ୟରେ ଗହମ ଜାତୀୟ ଦ୍ରବ୍ୟକୁ ବ୍ୟବହାର କରିଥାନ୍ତି। ଗହମରେ ଥିବା ଫସଫେଟ୍ ଷ୍ଟୋନର ପ୍ରମୁଖ କାରଣ।
-ସେହିପରି ମଧୁମେହ ରୋଗୀମାନେ ଷ୍ଟୋନ୍ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ।
କିଭଳି ରକ୍ଷା ପାଇବେ
-ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
-ଫାଷ୍ଟଫୁଡ୍ ଏବଂ ପ୍ୟାକେଟ୍ ଖାଦ୍ୟ ଖାଆନ୍ତୁ ନାହିଁ।
-ମାଛ, ମାଂସରେ ଏସିଡିକ୍ ଗୁଣ ଅଧିକ ଥାଏ ଯାହାକି ୟୁରିକ୍ ଏସିଡ୍ର ମାତ୍ରାକୁ ବୃଦ୍ଧି କରେ।
-ସେହିପରି ଆଳୁ, ପାଳଙ୍ଗ, ଡାର୍କ ଚକୋଲେଟ୍, ଅଙ୍ଗୁର ଏବଂ କୋଳିଜାତୀୟ ଖାଦ୍ୟ ଖାଇବା କମ୍ କରନ୍ତୁ।
-ମଞ୍ଜିଥିବା ପରିବା ଯେପରିକି ଭେଣ୍ଡି, ଟମାଟୋ, କଲରା ଓ ବାଇଗଣ କମ୍ ପରିମାଣରେ ଖାଆନ୍ତୁ।