ଅନେକ ଲୋକ ଅଫିସରେ କାମର ଅତ୍ୟଧିକ ଚାପ କିମ୍ବା କାମ ଶୀଘ୍ର ଶେଷ କରିବା ଚକ୍କରରେ ନିଜର ସିଟରେ ଘଣ୍ଟାଘଣ୍ଟା ଧରି ବସି ରହିଥା’ନ୍ତି। ଏହାଯୋଗୁଁ ସେମାନେ କ୍ୟାରିୟରରେ ତ ଆଗକୁ ଯାଆନ୍ତି, କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଏ। ଦୀର୍ଘ ସମୟ ଯାଏଁ ବସି ରହିଲେ କେଉଁ କେଉଁ ରୋଗ ହୋଇଥାଏ ଜାଣନ୍ତୁ।
ହୃଦରୋଗ: ଦୀର୍ଘ ସମୟ ଧରି ବସିରହିଲେ ହୃଦରୋଗ ହେବାର ଆଶଙ୍କା ରହିଥାଏ। କାରଣ ଏହାଦ୍ଵାରା ଶରୀରର ଚର୍ବି ଖର୍ଚ୍ଚ ହୋଇପାରେ ନାହିଁ। ଫଳରେ ଫ୍ୟାଟି ଏସିଡ ହୃଦୟର ଧମନୀରେ ଜମା ହେବାକୁ ଲାଗିଥାଏ। ଯେତେବେଳେ ଏହି ଫ୍ୟାଟ୍ ଅଧିକ ମାତ୍ରାରେ ଜମା ହୋଇଯାଏ ସେତେବେଳେ ହୃଦରୋଗ ହେବାର ଆଶଙ୍କା ବଢ଼ିଯାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ ଶାରୀରିକ ଭାବେ କମ୍ ସକ୍ରିୟ ହୋଇଥାନ୍ତି ସେମାନଙ୍କୁ ହୃଦଘାତ ହେବାର ଆଶଙ୍କା ୧୪୦ ପ୍ରତିଶତ ବୃଦ୍ଧିପାଏ।
ମାଂସପେଶୀ ଦୁର୍ବଳ ହୋଇଯାଏ: ଦୀର୍ଘ ସମୟ ଧରି ବସିରହିଲେ ପାଦ ଏବଂ ପିଚାର ମାଂସପେଶୀ ଦୁର୍ବଳ ହୋଇଯାଏ। ଏହାଯୋଗୁଁ ବ୍ୟକ୍ତିଜଣକ ତଳେ ପଡ଼ିଯାଇ ଆଘାତପ୍ରାପ୍ତ ହେବା କିମ୍ବା ବ୍ୟାୟାମ କରିବା ସମୟରେ ଆଘାତ ପାଇବାର ଆଶଙ୍କା ରହେ।
କ୍ୟାନସର: ଶାରୀରିକ ସକ୍ରିୟତା କମିଯିବା ଫଳରେ କର୍କଟ ଭଳି ରୋଗ ହେବାର ଆଶଙ୍କା ଦ୍ୱିଗୁଣିତ ହୋଇଯାଏ। ଯେଉଁ ମହିଳାମାନେ ଅଫିସ୍ରେ ଦୀର୍ଘ ସମୟ ଯାଏଁ ଏଭଳି ବସିରହନ୍ତି ସେମାନଙ୍କୁ ବ୍ରେଷ୍ଟ କ୍ୟାନ୍ସର ଏବଂ ଓଭାରିଆନ୍ କ୍ୟାନସର ହେବାର ଆଶଙ୍କା ରହେ।
ଶରୀର ଦରଜ ହେବା: ଅଧିକ ସମୟ ଧରି ବସିରହିଲେ ଅଣ୍ଟା, କାନ୍ଧ ଓ ପିଠିରେ ଯନ୍ତ୍ରଣା ବୃଦ୍ଧିପାଏ। ସେହିପରି ଫ୍ରୋଜନ ସୋଲଡର ସମସ୍ୟା ବି ଦେଖାଦିଏ।
ମସ୍ତିଷ୍କ ଉପରେ ପ୍ରଭାବ: ଅଧିକ ସମୟ ଧରି ବସିରହିଲେ ମସ୍ତିଷ୍କରେ ସ୍ମରଣଶକ୍ତି ସୃଷ୍ଟି କରୁଥିବା ପାର୍ଟିକଲ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ ମସ୍ତିଷ୍କ ପ୍ରଭାବିତ ହୋଇଥାଏ।
ଓଜନ ବଢ଼ିବା: ଏକକାଳୀନ ଅନେକ ସମୟ ଧରି ଗୋଟିଏ ସ୍ଥାନରେ ବସିରହିବା ଦ୍ୱାରା ଖାଦ୍ୟରୁ ମିଳୁଥିବା ଫ୍ୟାଟ୍ ଏବଂ ସୁଗାରକୁ ଶରୀର ବ୍ୟବହାର କରିପାରେ ନାହିଁ। ତେଣୁ ଓଜନ ତୀବ୍ରଗତିରେ ବୃଦ୍ଧିପାଏ।
ମଧୁମେହ: ଏକ ଗବେଷଣା ମୁତାବକ ଯେଉଁ ଲୋକମାନେ ପ୍ରତିଦିନ ୫-୬ ଘଣ୍ଟା ଧରି ଅନବରତ ବସିଥା’ନ୍ତି, ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ବି ଅଧିକ ଥାଏ।