ଆପଣଙ୍କ ହାର୍ଟ ସୁସ୍ଥ ନା ଅସୁସ୍ଥ, କେମିତି ଜାଣିବେ? କେମିତି ରଖିବେ ନିଜ ହାର୍ଟକୁ ସୁସ୍ଥ? ଏନେଇ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ବର୍ତ୍ତମାନ ସମୟରେ ଆଧୁନିକ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି। ତା’ମଧ୍ୟରୁ ସବୁଠାରୁ ବଡ଼ ରୋଗ ହେଉଛି ହୃଦରୋଗ। ହୃତ୍ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତପିଣ୍ଡ ସଠିକ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ। ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର।
ମଣିଷର ହୃତପିଣ୍ଡ ଏକ ମାଂସ ପିଣ୍ଡୁଳା ସଦୃଶ। ରକ୍ତ ସଞ୍ଚାଳନ କରିବା ହୃଦୟର ମୁଖ୍ୟ କାର୍ଯ୍ୟ। ଏହା ଶରୀରର ସମସ୍ତ କୋଷ, ଟିସୁ, ମସ୍ତିଷ୍କ, କିଡ୍ନି ଓ ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ। ଦେହର ବିଭିନ୍ନ ଅଂଶରୁ ଦୂଷିତ ରକ୍ତ ହୃତପିଣ୍ଡର ଡାହାଣ ଅଂଶକୁ ଆସେ ଓ ହୃତପିଣ୍ଡ ସେହି ରକ୍ତଙ୍କୁ ଫୁସ୍ଫୁସ୍କୁ ସଞ୍ଚାଳନ କରିଥାଏ। ଫୁସ୍ଫୁସ୍ରେ ରକ୍ତ ବିଶୁଦ୍ଧ ହୋଇ ହୃଦୟର ବାମ ପଟକୁ ଆସେ ଏବଂ ସେଠାରୁ ବିଶୁଦ୍ଧ ରକ୍ତ ଶରୀରର ସମସ୍ତ ଅଙ୍ଗପ୍ରତ୍ୟେଙ୍ଗକୁ ସଞ୍ଚାଳିତ ହୋଇଥାଏ। ହୃତ୍ପିଣ୍ଡ ହେଉଛି ଏକ ଇଞ୍ଜିନ୍ ସଦୃଶ। ହୃତ୍ପିଣ୍ଡ କାମ କଲେ ଶରୀରର ଅନ୍ୟସବୁ ଅଙ୍ଗ କାମ କରିବ।
ହୃତ୍ପିଣ୍ଡକୁ ସୁସ୍ଥ ରଖିବା କାହିଁକି ଜରୁରୀ? (Why is it important to keep your heart healthy in Odia)
ହୃତପିଣ୍ଡ ଯଦି ସଠିକ୍ ଭାବରେ କାର୍ଯ୍ୟ କରିବ ନାହିଁ, ତେବେ ଶରୀରର ଅଙ୍ଗଗୁଡ଼ିକ ପୋଷଣ ଓ ରକ୍ତ ପାଇପାରିବ ନାହିଁ। ଫଳରେ ଶରୀରର ସମସ୍ତ କୋଷ ଓ ଟିସୁ ମରିଯିବ।
ହୃତ୍ପିଣ୍ଡକୁ କେମିତି ରଖିବା ସୁସ୍ଥ? (How to keep your heart healthy in Odia)
ହୃତ୍ପିଣ୍ଡର ବିଭିନ୍ନ ଅଂଶ ରହିଛି, ଯେପରିକି, ହୃଦୟର ମାଂସପେଶୀ, ଭଲ୍ଭ, ରକ୍ତ ସଞ୍ଚାଳନ ବ୍ୟବସ୍ଥା (କରୋନାରି ସର୍କୁଲେସନ୍) ରହିଛି। ସେହିପରି ହୃତପିଣ୍ଡ ବଞ୍ଚିବା ପାଇଁ ନିଜସ୍ୱ ରକ୍ତ ସଞ୍ଚାଳନ ବ୍ୟବସ୍ଥା ରହିଛି। କରୋନାରି ଆର୍ଟେରି ମାଧ୍ୟମରେ ରକ୍ତ ସଞ୍ଚାଳନ ହାର୍ଟର ମାଂସପେଶୀକୁ ଯାଇଥାଏ। ସାଧାରଣତଃ କରୋନାରି ଆର୍ଟେରି ରୋଗ ପାଇଁ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ହାଟର୍କୁ ରକ୍ତ ଯୋଗାଉଥିବା ରକ୍ତ ନଳୀ ବା କରୋନାରି ଆର୍ଟେରିରେ କୌଣସି କାରଣବଶତଃ ରକ୍ତ ସଞ୍ଚାଳନ ହୋଇ ନପାରିଲେ ହୃତ୍ପିଣ୍ଡର ମାଂସପେଶୀ ଦୁର୍ବଳ ହୋଇଯିବ ଓ ହାର୍ଟ ଆଟାକ ଭଳି ଅନେକ ହୃଦରୋଗ ସମସ୍ୟା ଦେଖାଯିବ।
ହାର୍ଟକୁ ସୁସ୍ଥ ରଖିବାକୁ ହେଲେ କରୋନାରି ଆର୍ଟେରିରେ ରକ୍ତ ସଞ୍ଚାଳନକୁ ରକ୍ଷଣାବେକ୍ଷଣା କରିବାକୁ ହେବ। ଖାଦ୍ୟପେୟରେ ପରିବର୍ତ୍ତନ କରିବାକୁ ହେବ, କୋଲେଷ୍ଟ୍ରଲ ସ୍ତରକୁ କମ୍ ରଖିବା, ତମାଖୁ ସେବନକୁ ବନ୍ଦ କରିବା, ମଦ୍ୟପାନକୁ ବନ୍ଦ କରିବାକୁ ହେବ, ଉଚ୍ଚରକ୍ତଚାପ ଏବଂ ଡାଏବେଟିସ୍କୁ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରିବା, ମୋଟାପଣକୁ ନିୟନ୍ତ୍ରଣ କରିବା ଓ ବ୍ୟାୟାମ କରିବା ଦ୍ୱାରା ହାର୍ଟର ରକ୍ତ ସଞ୍ଚାଳନ ହେବା ସହ କରୋନାରି ସର୍କୁଲେସନ୍ ସଠିକ୍ ଭାବରେ ହୋଇପାରିବ। ଏହି ୭ଟି ଜିନିଷ କରି ଆମେ ହାର୍ଟକୁ ସୁସ୍ଥ ରଖିପାରିବା। ହେଲେ ଅନ୍ୟ କେତେକ କାରଣକୁ ଆମେ ନିୟନ୍ତ୍ରଣ କରିପାରିବା ନାହିଁ ଯେପରିକି ବୟସ, ଲିଙ୍ଗ, ବଂଶଗତ କାରଣ।
କାହିଁକି ହୁଏ ହାର୍ଟ ଆଟାକ୍? (Why heart attack occurs in Odia)
ହୃତ୍ପିଣ୍ଡକୁ ରକ୍ତ ସଞ୍ଚାଳନ କରୁଥିବା କରୋନାରି ଆର୍ଟେରି ହଠାତ୍ ବନ୍ଦ ହେବାକୁ ଆକ୍ୟୁଟ୍ ମାୟୋକାର୍ଡିଆଲ ଇନ୍ଫାର୍କସନ୍ (Acute myocardial infarction)। ଏହାକୁ ହାର୍ଟ ଆଟାକ କୁହାଯାଏ। କରୋନାରି ଆର୍ଟେରି ଧୀରେ ଧୀରେ ବନ୍ଦ ହେବାକୁ ଆଞ୍ଜାଇନା ପେକ୍ଟୋରିସ୍ କୁହାଯାଏ। ଏଥିରେ ସିଢ଼ି ଉଠିଲେ, ଉଠାଣି ଚଢ଼ିଲେ ଛାତି କଷ୍ଟ ହେବ ଓ ଅଣନିଶ୍ୱାସୀ ଲାଗିବ ଏବଂ ବିଶ୍ରାମ ନେବା ପରେ ଠିକ୍ ହୋଇଯିବ।
ହାର୍ଟ ଆଟାକରେ କରୋନାରି ଆର୍ଟେରି ୧୦୦ ପ୍ରତିଶତ ବନ୍ଦ ହୋଇଯାଏ। ଯଦି କରୋନାରି ଆର୍ଟେରି ୩୦ରୁ ୪୦ ପ୍ରତିଶତ ବନ୍ଦ ହୋଇଥିବ ତେବେ ହଠାତ୍ ଜମାଟ ବାନ୍ଧି ହାର୍ଟ ଆଟାକ ହୋଇଥାଏ।
ହାର୍ଟ ଆଟାକ ହେବାର ମୂଳ କାରଣ ହେଉଛି ଆଥେରୋସ୍କ୍ଲେରୋସିସ୍ (Atherosclerosis)। ଏହା ହେଉଛି ହୃଦୟର ଧମନୀ ଭିତରେ ଫ୍ୟାଟ୍ ଜମିଯିବ। ଫଳରେ ଧମନୀ ମୋଟା ହୋଇଯିବ ଏବଂ ପରବର୍ତ୍ତୀ ସମୟରେ ସେଥିରେ ଜମାଟ ବାନ୍ଧିଯିବ। ଯାହାଦ୍ଵାରା ହୃଦୟୀ ଧମନୀ ବନ୍ଦ ହୋଇଯାଏ।
ଲକ୍ଷଣରୁ ଚିହ୍ନନ୍ତୁ ହାର୍ଟ ଆଟାକ? (How to identify symptoms of a heart attack in Odia)
ଛାତିର ମଧ୍ୟ ଭାଗରେ ଯନ୍ତ୍ରଣା ହେବ। ଏହି ଯନ୍ତ୍ରଣା ତଣ୍ଟି ବା ଥୋଡ଼ି ପର୍ଯ୍ୟନ୍ତ ହୋଇଥାଏ। ବେଳେବେଳେ ବାମ ହାତ, ଡାହାଣ ହାତ ଓ ପିଠି ଯନ୍ତ୍ରଣା ହେବ। ତାହା ସହିତ ଝାଳ ବୋହିବ ଓ ଥକ୍କା ଲାଗିବ। ଅଧିକାଂଶ କ୍ଷେତ୍ରରେ ଅଣନିଶ୍ୱାସୀ ଲାଗିବ।
କେତେକ କ୍ଷେତ୍ରରେ ଛାତି ଧକ୍ ଧକ୍ ହୋଇ ମୁଣ୍ଡ ବୁଲାଇ ପଡ଼ିଯିବେ।
ସାଧାରଣତଃ ମହିଳା ଓ ଯେଉଁମାନଙ୍କର ଡାଏବେଟିସ୍ ବହୁତ ଦିନ ଯାଏଁ ଥାଏ, ୫୦ ପ୍ରତିଶତ କ୍ଷେତ୍ରରେ ଧଇଁସଇଁ ହୁଏ ନାହିଁ କିନ୍ତୁ ସିଭିୟର ହାର୍ଟ ଆଟାକ ହୋଇପାରେ।
ହାର୍ଟ ଆଟାକର ପରୀକ୍ଷଣ (Test for Heart Attack in Odia)
ଧଇଁସଇଁ ଲାଗିଲେ, ରକ୍ତ ଶର୍କରା କମିଗଲେ, ହଠାତ୍ ଝାଳ ବୋହିଲେ କିମ୍ବା ଗ୍ୟାସ୍ ହୋଇଛି ଭାବି ଦିନେ କିମ୍ବା ଦୁଇ ଦିନ ଅଣଦେଖା କରିଲେ ପରିସ୍ଥିତି ଅଣାୟତ୍ତ ହୋଇପାରେ। ଲୋକମାନେ ଏହି ଛୋଟ ଛୋଟ ଲକ୍ଷଣକୁ ଅଣଦେଖା କରିଦିଅନ୍ତି। ଏଥିପାଇଁ ସଚେତନ ହେବା ଜରୁରୀ।
ହାର୍ଟ ଆଟାକର ପରୀକ୍ଷା ପାଇଁ ପ୍ରଥମେ ଲକ୍ଷଣ, ଇସିଜି ଓ ବାୟୋମାର୍କର କରାଯାଏ। ଏହି ୩ଟାରୁ ୨ଟା ପଜିଟିଭ୍ ହେଲେ ହାର୍ଟ ଆଟାକ ହୋଇଛି ବୋଲି ଭାବିବା। ସେହି ରୋଗୀମାନେ ହସ୍ପିଟାଲରେ ଆଡ୍ମିଟ୍ ହୋଇ ମେଡିକାଲ ଥେରାପି ନେବେ।
ହାର୍ଟ ଆଟାକ୍ର ସାମାନ୍ୟ ଲକ୍ଷଣକୁ କେବେବି ଗ୍ୟାସ୍ ଭାବି ଏଡ଼ାଇ ଦେବେ ନାହିଁ। ଗୋଟେ ଇସିଜି କରାଇବା ନିହାତି ଜରୁରୀ।
ହାର୍ଟ ଆଟାକର ଚିକିତ୍ସା (Treatment of heart attack in Odia)
ଯେତେ ଶୀଘ୍ର ପରୀକ୍ଷା କରିବେ ସେତେ ଜଲଦି ଚିକିତ୍ସା କରିପାରିବେ ଏବଂ ଜୀବନ ରକ୍ଷା ପାଇପାରିବ। ହାର୍ଟ ଆଟାକର ଲକ୍ଷଣ ଦେଖାଦେବାର ୧୨୦ ମିନିଟ୍ ଭିତରେ କରୋନାରି ସର୍କୁଲେସନ୍କୁ ଠିକ୍ କରିପାରୁଛେ କିମ୍ବା ପ୍ରାଇମେରି ଆଞ୍ଜେପ୍ଲାଷ୍ଟି କରି ସର୍କୁଲେସନ୍ ଠିକ୍ କରିପାରୁଛେ, ତେବେ ହୃଦୟର ମାଂସପେଶୀକୁ ସୁରକ୍ଷିତ କରିପାରିବା ଓ ବ୍ୟକ୍ତିର ଜୀବନ କାଳକୁ ସୁରକ୍ଷିତ କରିପାରିବା।
ହାର୍ଟ ଆଟାକ ହେଉଛି ସବୁଠୁ ମାରାତ୍ମକ। ବାଇପାସ୍ ସର୍ଜରୀ ଏବଂ ଆଞ୍ଜିଓପ୍ଲାଷ୍ଟି ହେଉଛି ସାମୟିକ ଚିକିତ୍ସା। ତେଣୁ, ସୁସ୍ଥ ଜୀବନଶୈଳୀ, ଡାଏବଟେିସ୍ ନିୟନ୍ତ୍ରଣ, ଉଚ୍ଚରକ୍ତଚାପ ନିୟନ୍ତ୍ରଣ, କୋଲେଷ୍ଟ୍ରଲ ପରିଚାଳନା, ବ୍ୟାୟାମ କରିବା ହେଉଛି ସୁସ୍ଥ ହୃଦୟର ଚାବିକାଠି।
ଆପଣଙ୍କ ହାର୍ଟ ସୁସ୍ଥ ନା ଅସୁସ୍ଥ? (Is your heart healthy or sick in Odia)
ଯେଉଁମାନେ ୪୦ ବର୍ଷ ବୟସରୁ ଅଧିକ, ଉଚ୍ଚରକ୍ତଚାପ, ଡାଏବେଟିସ୍, ଧୂମପାନ କରୁଛନ୍ତି ଏବଂ ପରିବାରରେ କରୋନାରି ଆର୍ଟେରି ରୋଗ ରହିଛି, ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ନିୟମିତ ବ୍ୟବଧାନରେ ମଧୁମେହ ପରୀକ୍ଷା, କୋଲେଷ୍ଟ୍ରୋଲ, ଇସିଜି ଓ ଟ୍ରେଡ୍ମିଲ ପରୀକ୍ଷା କରିବା ଜରୁରୀ। ଜଣେ ବ୍ୟକ୍ତି ୮ରୁ ୯ ମିନିଟ୍ ଟ୍ରେଡ୍ମିଲରେ ଦୌଡ଼ିପାରୁଛି ଏବଂ ଇସିଜିରେ କୌଣସି ପରିବର୍ତ୍ତନ ହେଉନାହିଁ, ତେବେ ବ୍ୟକ୍ତିଙ୍କ କରୋନାରି ଆର୍ଟେରି ରୋଗ ନାହିଁ।
ଖରାପ ଜୀବନଶୈଳୀ ହୃଦ୍ରୋଗର ମୁଖ୍ୟ କାରଣ (Poor lifestyle is the leading cause of heart disease in Odia)
ଆମେରିକିୟ ଦେଶ ତୁଳନାରେ ଭାରତୀୟଙ୍କର ହୃଦ୍ରୋଗ ଜନିତ ସମସ୍ୟା ବେଶି। କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ। ଛଣାଛଣି ଖାଦ୍ୟ ଅଧିକ ଖାଇବା, ପରିଶ୍ରମ ନ କରିବା, ବ୍ୟାୟାମ ନ କରିବା, ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ, ମାନସିକ ଚାପ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ତେଲ ବ୍ୟବହାର ଅଧିକ, ତମାଖୁର ସେବନ, ମୋଟାପଣ ଯୋଗୁଁ ଏସିଆ ଦେଶଗୁଡ଼ିକରେ କରୋନାରି ଆର୍ଟେରି ରୋଗ ବେଶି ଦେଖାଦେଉଛି।
ସୁସ୍ଥ ହାର୍ଟ ପାଇଁ ଡାକ୍ତରଙ୍କ ପରାମର୍ଶ (Doctor’s advice for a healthy heart in Odia)
ସବୁଜ ପନିପରିବା ଖାଇବେ, ସାଲାଡ୍, ଡାଲି, ଛୋଟ ମାଛ ଖାଇବେ, ବଡ଼ ମାଛର ଚମଡ଼ା କାଢ଼ି ଖାଇବେ, ଅଣ୍ଡା, ରାଇସ୍ବ୍ରାନ୍ ତେଲ, ଅଲିଭ ତେଲ, ସନ୍ଫ୍ଲାଉଆର ତେଲ ବ୍ୟବହାର କରିପାରିବେ। ଦିନକୁ ୧୫ ଏମ୍ଏଲ୍ ତେଲର ବ୍ୟବହାର କରିବେ।
ସପ୍ତାହକୁ ୧୫୦ ମିନିଟ୍ ବ୍ୟାୟାମ କରିବେ। ସାଇକ୍ଲିଙ୍ଗ, ଜଗିଂ କିମ୍ବା ଘରେ ଟ୍ରେଡ୍ମିଲ କରିପାରିବେ। କିଶୋର କିଶୋରିମାନେ ଅଧିକ ବ୍ୟାୟାମ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହେବ, ଡାଏବେଟିସ୍ ଓ ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିବ। ଆମେ ସମ୍ପୂର୍ଣ୍ଣ ଭଲ ତ କରିପାରିବା ନାହିଁ କିନ୍ତୁ ନିୟନ୍ତ୍ରଣ କରିପାରିବା। ଯେଉଁ ସମସ୍ୟା ୪୦ ବର୍ଷରେ ଆସିବାର ଥିବା ତାହା ୬୦ ବର୍ଷରେ ହେବ।
ତମାଖୁ ସେବନ କରନ୍ତୁ ନାହିଁ। ଧୂମପାନ ନ କଲେ ବି ଧୂମପାନର ଧୂଆଁ ଆପଣଙ୍କ ପାଇଁ କ୍ଷତିକାରକ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on How to keep your heart healthy, in Odia language, is based on an extensive interview with cardiologist Dr. Mahendra Prasad Tripathy.