ଅଧିକାଂଶ ଲୋକଙ୍କର ଜୀବନରେ କେବେ ନା କେବେ କଣନଖା ସମସ୍ୟା ହୋଇଥାଏ।

ସାଧାରଣତଃ ପାଣିରେ କାମ କରୁଥିବା ଲୋକେ ଓ ବିଲବାଡ଼ିର ପାଣି କାଦୁଅରେ କାମ କରୁଥିବା ଲୋକଙ୍କର କଣନଖା ସମସ୍ୟା ହୋଇଥାଏ। କଣନଖା ବାହାରକୁ ସାମାନ୍ୟ ଜଣାପଡ଼ୁଥିଲେ ମଧ୍ୟ ବେଳେ ବେଳେ ଏହା ଖୁବ୍ ଯନ୍ତ୍ରଣାଦାୟକ ହୋଇଥାଏ।

ନଖର ମୂଳଟି ଆଙ୍ଗୁଠିର ଯେଉଁ ସ୍ଥାନରୁ ବାହାରିଥାଏ, ଡାକ୍ତରୀ ଭାଷାରେ ତାହାକୁ ଏପୋନାଇକିଅମ ବୋଲି କୁହାଯାଏ। ସାଧାରଣତଃ ଏହି ଏପେନାଇଜିଅମ ଅଞ୍ଚଳରୁ ହିଁ କଣନଖାର ସଂକ୍ରମଣ ଆରମ୍ଭ ହୋଇଥାଏ ଏବଂ ଆସ୍ତେ ଆସ୍ତେ ନଖର ଗୋଟିଏ ପାଖକୁ କିମ୍ବା ଦୁଇ ପାଖକୁ ପ୍ରସାରିତ ହୋଇଥାଏ ।

କଣନଖା କାହିଁକି ହୁଏ?

ନଖ ନ କାଟିଲେ ନଖ ବଢ଼ିଯାଇ ଚର୍ମର କୋମଳ ଅଂଶକୁ ଆଘାତ କରିବା ଫଳରେ କଣନଖା ହୋଇଥାଏ। ପୁଣି କୌଣସି କାରଣରୁ ନଖର ଦୁଇ ପାର୍ଶ୍ଵ ଅଂଶ ନଖର ଭିତର ପଟକୁ ବଢ଼ି ଚାଲିଲେ ନଖ ଦରଜ ହୁଏ ଓ ଧୀରେ ଧୀରେ କଣନଖାର ରୂପ ନିଏ। ଏହି ଅବସ୍ଥାକୁ ଇନ୍‌ଟ୍ରୋଇଙ୍ଗ ନେଲସ ବୋଲି କୁହାଯାଇଥାଏ।

ତା’ ଛଡା ନଖ କାଟିବା ବେଳେ ଦୂଷିତ ନେଲ କଟର, ବ୍ଲେଡ ବା ନହୁରୁଣି ବ୍ୟବହାର କଲେ, ଖୁବ୍ ଚିପା ଜୋତା, ମୋଜା, ଗ୍ଲୋଭାସ ଇତ୍ୟାଦି ପିନ୍ଧିଲେ, ଗୋଡ଼ ନଖ ଉପରେ କୌଣସି କାରଣରୁ ଅଧିକ ଚାପ ପଡିଲେ ଅଥବା ନଖ ସନ୍ଧିରେ ବାଲି, ମାଟି, ମଇଳା ପଶିଗଲେ କଣନଖା ହୋଇଥାଏ । ଅଳତା ଲଗାଇବା ଦ୍ୱାରା କେତେକ ମହିଳାଙ୍କର କଣନଖା ହୋଇଥାଏ।

ଏହାଛଡ଼ା ନଖ କଣରୁ ମଇଳା କାଢ଼ିବା ପାଇଁ କିଛି ଛୁଞ୍ଚି କିମ୍ବ କଣ୍ଟାର ବ୍ୟବହାର କଲେ କଣନଖା ହୋଇଥାଏ।

କଣ ନଖା ହେଲେ କ’ଣ ହୁଏ?

ପ୍ରଥମେ ନଖର ଏପୋନାଇକିଅମ ଅଞ୍ଚଳ ଓ ଦୁଇପାଖ ଖାଲୁଆ ଅଂଶ ନାଲିପଡ଼ି ଫୁଲିଯାଏ। ତା’ ପରେ ଏଥିରେ ପୂଜ ହୋଇଯାଏ।  ଓ ଆଙ୍ଗୁଠି ଦରଜ ହୋଇଥାଏ। କେତେକ କ୍ଷେତ୍ରରେ ଏହା ମନକୁ ମନ ଫାଟିଯାଇ ପୂଜ ବାହାରିଯାଏ ଓ ନଖ କୋଣରୁ ପୂଜ-ରକ୍ତ ମିଶା ଲସା ବାହାରିଥାଏ। ଦୀର୍ଘଦିନ ପୂଜ ବାହାରିଲେ ସୁଡୋମୋନୋସ ନାମକ ଜୀବାଣୁ ଦ୍ଵାରା ଏହା ସଂକ୍ରମିତ ହୋଇଯାଏ। ନୀଳରଙ୍ଗର ପୂଜ ବାହାରେ ଖୁବ୍ ଦୁର୍ଗନ୍ଧ ହୁଏ।

ପ୍ରତିଷେଧକ

କଣନଖା ନ ହେବା ପାଇଁ ନଖକୁ ଠିକ୍ ଭାବରେ କାଟିବା ଦରକାର। ବଡ଼ ନଖ ରଖିବା ଉଚିତ୍ ନୁହେଁ। ଧ୍ୟାନ ଦିଅନ୍ତୁ, ନଖ ସନ୍ଧିରେ ଯେମିତି କୌଣସି ଧୂଳି, ମଳି ଜମି ନ ରହେ। ନଖକୁ ଅଧିକ ସମୟ ଓଦା ରଖିବା ଉଚିତ ନୁହେଁ। ଅଧିକ ସମୟ ପାଣିରେ କାମ କରିବାକୁ ପଡ଼ୁଥିଲେ ହାତରେ ରବର ଗ୍ଳୋଭସ ପିନ୍ଧିବା ଦରକାର । ହାତ, ପାଦରୁ ଅଧିକ ଝାଳ ବାହାରୁଥିଲେ ବାରମ୍ବାର ତାହାକୁ ପୋଛି ଡଷ୍ଟିଙ୍ଗ, ପାଉଡର ଛିଞ୍ଚିବା ଆବଶ୍ୟକ। ଅତି ଚିପା ଜୋତା, ମୋଜା କିମ୍ବା ଗ୍ଳୋଭସ ପିନ୍ଧିବା ଠିକ୍‌ ନୁହେଁ।

କଣନଖା ହେଲେ ସବୁବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରିବା ଜରୁରୀ।