ଓଜନ କମାଇବା କଥା ଆସିଲେ ଲୋକେ ଭାତ ନ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଅଧିକାଂଶ ଲୋକେ ଭାବନ୍ତି ଭାତ ଖାଇବା ଦ୍ୱାରା ଉଭୟ ଓଜନ ଓ ପେଟ ବଢ଼ିଥାଏ। ଏମିତି ବି ଲୋକ ଅଛନ୍ତି, ଯିଏ ଭାତ ଖାଇବାକୁ ଭଲ ପାଆନ୍ତି, ହେଲେ ଓଜନ କମ୍‌ କରିବା ନିଶାରେ ଭାତକୁ ଖାଦ୍ୟ ତାଲିକାରୁ ବାଦ୍‌ କରି ଦେଇଥା’ନ୍ତି। କ’ଣ ସତରେ ଭାତ ଖାଇବା ଦ୍ୱାରା ଚର୍ବି ବଢ଼ିଥାଏ?

ଭାରତରେ ଅଧିକାଂଶ ଲୋକ ପ୍ରତିଦିନ ଅରୁଆ ଭାତ ଖାଇଥା’ନ୍ତି। କାରଣ ଅରୁଆ ଚାଉଳକୁ ବାରମ୍ବାର ପଲିସ୍‌ କରାଯାଇଥାଏ। ଯେଉଁଥିରେ ଫାଇବର ନଷ୍ଟ ହୋଇଯାଇଥାଏ ଓ କାର୍ବୋହାଇଡ୍ରେଟ୍‌ ଅଧିକ ଥାଏ। ତେଣୁ ଖାଦ୍ୟରେ ସବୁବେଳେ ଉଷୁନା ଚାଉଳ ଖାଇବା ଭଲ। ଉଷୁନା ଚାଉଳରେ ଫାଇବର ଓ ପୋଷକ ତତ୍ୱ ଭରି ରହିଥାଏ।

କେବଳ ଭାତ ଖାଇଲେ ତାହା ଶୀଘ୍ର ହଜମ ହେଉଥିବାରୁ ଆପଣଙ୍କୁ ଜଲଦି ଭୋକ ଲାଗିବାର ଆଶଙ୍କା ଥାଏ। ଏହା ସହିତ କାର୍ବୋହାଇଡ୍ରେଟର ମାତ୍ରା ବି ଅଧିକ ହୋଇଯାଏ। ତେଣୁ ଭାତ ସହିତ ମନପସନ୍ଦର ଡାଲି ପ୍ରସ୍ତୁତ କରନ୍ତୁ। ଏହା ସହ ବିଭିନ୍ନ ପ୍ରକାର ପରିବା ତରକାରୀ ଖାଇଲେ ଉପଯୁକ୍ତ ପରିମାଣର ପ୍ରୋଟିନ୍ ଏବଂ ଫାଇବର ମିଳିଥାଏ। ଯାହାଦ୍ୱାରାକି ଦୀର୍ଘ ସମୟ ଧରି ପେଟ ପୂରି ରହିବାର ଅନୁଭବ ରହିଥାଏ। ଇଚ୍ଛା ହେଲେ ଭାତରେ ସିମଲା ଲଙ୍କା, ବ୍ରୋକୋଲି, ପନିର, ଚିକେନ୍ ଆଦିକୁ ମିଶାଇ ପାରିବେ। ଏହାଦ୍ୱାରା ଭାତର ସ୍ୱାଦ ବଢ଼ିବା ସହିତ ପନିପରିବାରୁ ଆପଣ ପ୍ରୋଟିନ ପାଇପାରିବେ।

ଭାତ ରାନ୍ଧିବା ସମୟରେ କେବେହେଲେ ତାକୁ ଭାଜନ୍ତୁ ନାହିଁ କିମ୍ବା ସେଥିରେ କ୍ରିମ ମିଶାନ୍ତୁ ନାହିଁ। ସବୁବେଳେ ପାଣି ଗରମ କରି ହିଁ ଭାତକୁ ପ୍ରସ୍ତୁତ କରନ୍ତୁ। ନିହାତି ଆବଶ୍ୟକ ନଥିଲେ ପ୍ରେସର କୁକରରେ ଭାତ ରାନ୍ଧନ୍ତୁ ନାହିଁ। କାରଣ ସେଥିରୁ ପେଜ ବାହାରି ପାରେନାର୍ହି। ସେହି ପେଜ ହିଁ ଓଜନ ବଢ଼ାଇଥାଏ।

ରାତିରେ ଖାଦ୍ୟ ଖାଇବା ପରେ କ୍ୟାଲୋରୀ ବିଲକୁଲ ଖର୍ଚ୍ଚ ହେଉନଥିବାରୁ ଏହି ସମୟରେ ଭାତ ଖାଇବାକୁ ଏଡ଼ାଇ ଯାଆନ୍ତୁ। ଯଦି ବି ଖାଇବେ ତା’ ପୂର୍ବରୁ ଗୋଟିଏ ପ୍ଳେଟ ସାଲାଡ୍ ଖାଇସାରି ଭାତ ଖାଇବା ଆବଶ୍ୟକ। ସାଲାଡ୍ ଆପଣଙ୍କ ପେଟକୁ ପୂରା ହେବାପରି ଅନୁଭବ ଦେବ। ତେଣୁ ଆପଣ  ଅଧିକ ଖାଇପାରିବେ ନାହିଁ। ଅନ୍ୟପଟେ ରାତିରେ ଭାତ ଖାଉଥିଲେ ଶୋଇବାକୁ ଯିବାର ୨ ଘଣ୍ଟା ପୂର୍ବରୁ ଖାଆନ୍ତୁ। ଏହାଦ୍ୱାରା ଓଜନ ବଢ଼ିବ ନାହିଁ।

ମୋଟା ଥିବା ବ୍ୟକ୍ତିମାନେ ଖାଦ୍ୟର ପରିମାଣକୁ ନିୟନ୍ତ୍ରଣ କରିବା ଜରୁରୀ। ସବୁବେଳେ ଥାଳିରେ ଗୋଟିଏ ଚାମଚ ଭାତ ନିଅନ୍ତୁ। ତା’ସହିତ ରୁଟି ମିଶାଇ ଖାଇପାରିବେ। ଏହାଦ୍ୱାରା କ୍ୟାଲୋରୀର ପରିମାଣ ବେଶି ହେବନାହିଁ। ଏହା ସହିତ କମ୍ କାର୍ବୋହାଇଡ୍ରେଟ ଜାତୀୟ ଖାଦ୍ୟ ଖାଆନ୍ତୁ।