ଡାକ୍ତର ସମ୍ରାଟ କର
ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ। ସମସ୍ତେ ମିଳିମିଶି ଆତ୍ମହତ୍ୟାକୁ କିପରି ରୋକିବା, ତାହା ହିଁ ଏହି ଦିନର ମୂଳ ଉଦ୍ଦେଶ୍ୟ।
ଅଧିକ ପଢ଼ନ୍ତୁ: ଜଣେ ମଣିଷ କାହିଁକି ଡିପ୍ରେସନ୍ର ଶିକାର ହୁଏ?
ଜଣେ ନିଜର ଜୀବନକୁ ଇଚ୍ଛାକୃତ ଭାବରେ ଶେଷ କରିବାକୁ ଆତ୍ମହତ୍ୟା କୁହାଯାଏ। ଏହା ହେଉଛି ଏପରି ଏକ ଜଟିଳ ସମସ୍ୟା, ଯାହାର ଦୀର୍ଘଦିନ ଧରି ନୈତିକ, ଧାର୍ମିକ, ସାଂସ୍କୃତିକ ଆଲୋଚନା ହେଉଛି। ଗୀତା, ମହାଭାରତଠାରୁ ଆରମ୍ଭ କରି ଆଧୁନିକ ଦର୍ଶନ ଶାସ୍ତ୍ର ପର୍ଯ୍ୟନ୍ତ, ମାନବ ଜାତି ଏପରି ଏକ ଜଟିଳ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛି। ଅଧିକାଂଶ ଏହାକୁ କେବଳ ଏକ ମାନସିକ ସମସ୍ୟା ବୋଲି ଧାରଣା କରନ୍ତି, ମାତ୍ର କେତେକ ସମାଜ ଏହାକୁ ଏକ ଅପରାଧ ତଥା ଆଉ କେତେକ ସମ୍ମାନସୂଚକ ବୋଲି ଭାବନ୍ତି। ଯେପରିକି ଅନଶନ କରି ତଥା ଯୁଦ୍ଧରେ ଜାଣିଶୁଣି ନିଜର ଜୀବନ ଦେବାକୁ ସମ୍ମାନସୂଚକ ଧରାଯାଏ। ୟୁଥାନେସିଆର ଅର୍ଥ ହେଉଛି, ନିଜ ଯନ୍ତ୍ରଣାଦାୟକ ଜୀବନକୁ ଚିକିତ୍ସକମାନଙ୍କର ସାହାଯ୍ୟ ନେଇ ଶେଷ କରିବା। ମାତ୍ର ଏହାକୁ ଆମ ଦେଶରେ ବର୍ତ୍ତମାନ ଯାଏ ସ୍ୱୀକୃତି ଦିଆଯାଇ ନାହିଁ।
ପ୍ରତିବର୍ଷ ପୃଥିବୀରେ ପ୍ରାୟ ୧୦ଲକ୍ଷ ଲୋକ ଆତ୍ମହତ୍ୟା କରନ୍ତି ଓ କୋଟିଏ ଲୋକ ଚେଷ୍ଟା କରନ୍ତି ମାତ୍ର ପ୍ରକୃତ ସଂଖ୍ୟା ଏହାଠାରୁ ବହୁ ଅଧିକ। କାରଣ କେତେକ ଆତ୍ମହତ୍ୟାକୁ ଦୁର୍ଘଟଣା ବୋଲି ଧରାଯାଏ। ଯଦିଓ ସ୍ତ୍ରୀଲୋକମାନେ ଆତ୍ମହତ୍ୟା କରିବାକୁ ଅଧିକ ଚେଷ୍ଟା କରନ୍ତି, ତଥାପି ପୁରୁଷମାନେ ଅଧିକ ଆତ୍ମହତ୍ୟା କରି ନିଜ ଜୀବନର ପରିସମାପ୍ତି କରିଥା’ନ୍ତି। ଏହି ସମସ୍ୟା ଆଧୁନିକ ସମାଜରେ ଯୁବପିଢ଼ିଙ୍କଠାରୁ ଅଧିକ।
ଆତ୍ମହତ୍ୟାର କାରଣ : (Causes of suicide in Odia)
ଆତ୍ମହତ୍ୟା ଏକ ଜଟିଳ ସମସ୍ୟା। କେତେକ ଖବରକାଗଜ ଓ ଟିଭିରେ ଯେପରି ଏକ ନିର୍ଦ୍ଦିଷ୍ଟ କାରଣକୁ ଅତିରଂଜିତ ଭାବରେ ବର୍ଣ୍ଣନା କରାଯାଇଥାଏ, ପ୍ରାୟ ସେପରି ନ ହୋଇ ଏକାଧିକ କାରଣ ଥାଏ। ଆତ୍ମହତ୍ୟା କରୁଥିବା ୧୦ଜଣଙ୍କ ମଧ୍ୟରୁ ପ୍ରାୟ ୯ଜଣଙ୍କର ମାନସିକ ରୋଗ ଯଥା- ବିଷାଦ, ସିଜୋଫ୍ରେନିଆ ଓ ଅତ୍ୟଧିକ ନିଶାସେବନ ଆଦି ସମସ୍ୟା ଥାଏ। ଅବିବାହିତ, ବେକାରୀ ଓ କମ୍ ରୋଜଗାର ଆତ୍ମହତ୍ୟାର ଆଶଙ୍କାକୁ ବଢ଼ାଇଥାଏ। ଏହିପରି ବ୍ୟକ୍ତିମାନଙ୍କ ଉପରେ ମାନସିକ ଚାପ ପଡ଼ିଲେ, ଆତ୍ମହତ୍ୟା ଇଚ୍ଛା ତ୍ୱରାନ୍ୱିତ ହୋଇଥାଏ। ଯେପରିକି ଆତ୍ମୀୟମାନଙ୍କ ମୃତ୍ୟୁ ହେବା, ମୂଲ୍ୟବାନ୍ ଜୀବନ ଓ ମାନସମ୍ମାନ ହରାଇବା ଓ ବହୁଦିନ ଧରି ସ୍ୱାସ୍ଥ୍ୟ ଖରାପ ରହିବା ଇତ୍ୟାଦି।
ଏହାଛଡ଼ା ପରୀକ୍ଷାରେ ଅକୃତକାର୍ଯ୍ୟ ହେବା, ପ୍ରେମଜନିତ ବ୍ୟାପାରରେ ନୈରାଶ୍ୟ ହେବା ତଥା ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ସହ ଭୁଲ ବୁଝାମଣା ହେବା ଇତ୍ୟାଦି କିଶୋରମାନଙ୍କର ଆତ୍ମହତ୍ୟାର ଇଚ୍ଛାକୁ ବଢ଼ାଇଥାଏ।
ଅଧିକ ପଢ଼ନ୍ତୁ: ମାନସିକ ଅବସାଦ, ହତୋତ୍ସାହ ହେବାର କାରଣ କ’ଣ?
ଆତ୍ମହତ୍ୟାର ଲକ୍ଷଣ : (Symptoms of suicide in Odia)
ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି ଜାଣିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ। ମାତ୍ର କେତେକ ଲକ୍ଷଣ ଯାହାକୁ ଆମେ ବିପଦ ସଂକେତ ବୋଲି ଜାଣିପାରିବା, ତାହା ହେଲା ଇଚ୍ଛାପତ୍ର ବା ଉତ୍ତରାଧିକାରୀ ପତ୍ର ଲେଖିବା, ହଠାତ୍ ପରିବାର ଓ ବନ୍ଧୁମାନଙ୍କ ସହିତ ଦେଖାକରିବା (ଶେଷଥର ପାଇଁ), ଆତ୍ମହତ୍ୟା ପାଇଁ ସରଞ୍ଜାମ କିଣିବା ଯଥା-ଦଉଡ଼ି, ବିଷ ଓ ପେଟ୍ରୋଲ ଇତ୍ୟାଦି।
ଯେଉଁ ବ୍ୟକ୍ତିଟି ଆତ୍ମହତ୍ୟା କରେ, ପ୍ରାୟ ସେ ମାନସିକ ବିଷାଦଗ୍ରସ୍ତ ହୋଇଥାଏ। ଏହାର କୌଣସି ଲକ୍ଷଣ ଦେଖା ନ ଯିବା ପର୍ଯ୍ୟନ୍ତ ପରିବାରର ଲୋକେ ଜାଣିବା କଷ୍ଟକର ହୋଇଥାଏ। ଗୋଟିଏ ସାଧାରଣ ଲୋକ ହଠାତ୍ ମାନ୍ଦା ହୋଇଯିବା, କିଛି କାମ ନ କରିବା, ଦୁଃଖ ଅନୁଭବ କରିବା, ଦୁର୍ବଳ ଲାଗୁଛି ଓ ଯନ୍ତ୍ରଣା ହେଉଛି ବୋଲି ଅଭିଯୋଗ କରେ, ନିରୋଳାରେ ରହିବାକୁ ଭଲପାଏ ଓ ଅନ୍ୟମାନଙ୍କ କଥା ତାକୁ ଭଲ ଲାଗେ ନାହିଁ। ସେ ପରିଷ୍କାର ଭାବେ କଥା କହେ ନାହିଁ ଓ ନିରବ ରହେ। ରାତିରେ ୨ଟା, ୩ଟା ବେଳକୁ ଉଠିପଡ଼େ଼। ସେ ନିଜକୁ ଦୋଷୀ ବୋଲି ଭାବେ ଓ ନିନ୍ଦା କରେ। ନିରାଶ୍ରୟ ଓ ଆଶାଶୂନ୍ୟ ଅନୁଭବ କରେ। ସେ ବଞ୍ଚିବା ଅପେକ୍ଷା ମରିଯିବାକୁ ଶ୍ରେୟ ମନେକରି କଠୋର ନିଷ୍ପତ୍ତି ନେଇଥାଏ।
ଆତ୍ମହତ୍ୟା ରୋକିବାର ଚିକିତ୍ସା :
ଆତ୍ମହତ୍ୟାର ଇଚ୍ଛା କରୁଥିବା ବ୍ୟକ୍ତି ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଆସିଲେ, ପ୍ରଥମେ ତାର ଭାବନା ତଥା ବ୍ୟବହାରର ଆକଳନ କରାଯାଏ। ପୂର୍ବରୁ ସେ କେବେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି କିମ୍ବା ପରିବାରର କିଏ କରିଛନ୍ତି ଆଦି ଜାଣିବା ଦରକାର। ଲୋକଟିର ମାନସିକ ଚାପ ବିଷୟରେ ଜାଣିଲେ ଚିକିତ୍ସା ସହଜ ହୋଇଥାଏ। ଯେଉଁମାନଙ୍କର ପରିବାର ଓ ବନ୍ଧୁମାନଙ୍କ ସହିତ ନିବିଡ଼ ସଂପର୍କ ଥାଏ ତଥା ମାନସିକ ଚାପ ଦୂର କରିବାର ଇଚ୍ଛାଶକ୍ତି ଥାଏ, ସେମାନେ ଚିକିତ୍ସାରେ ଖୁବ୍ଶୀଘ୍ର ଲାଭବାନ୍ ହୁଅନ୍ତି। ବିଷାଦଗ୍ରସ୍ତ ଥିବା, ପୂର୍ବରୁ ଆତ୍ମହତ୍ୟାର ଉଦ୍ୟମ କରିଥିବା ଓ ନିଶାସେବନ କରୁଥିବା ବ୍ୟକ୍ତିମାନଙ୍କର ଅଧିକ ଦିନ ଚିକିତ୍ସା ଆବଶ୍ୟକ।
ମନସ୍ତତ୍ତ୍ୱ ଚିକିତ୍ସା: ଲୋକଟି ସହ କଥାବାର୍ତ୍ତା କରି ତା’ର ସମସ୍ୟା ବିଷୟରେ ପଚରାଉଚୁରା କରିବା ଉଚିତ। ତା’ର ଅକୃତକାର୍ଯ୍ୟ, ନୈରାଶ୍ୟ ଏବଂ ସେ କ’ଣ ପାଇଁ ଚିନ୍ତିତ ରହିଛି ଇତ୍ୟାଦି ବିଷୟ ବୁଝିବା ଆବଶ୍ୟକ। ତାକୁ ତା’ର କାର୍ଯ୍ୟଦକ୍ଷତା ଓ ସୀମା ବିଷୟରେ ବୁଝାଇବା ଦରକାର। ସେ ମଧ୍ୟ କିପରି ନିଜକୁ ପରିସ୍ଥିତି ସହ ଖାପ ଖୁଆଇ ଜୀବନରେ ବାସ୍ତବତା ପ୍ରତି ସଜାଗ ରହିବ ତାହା ମଧ୍ୟ ତାକୁ ବୁଝାଇବା ଉଚିତ। ସେ ଆବଶ୍ୟକ କରୁଥିବା ସାହାଯ୍ୟ, ସହାନୁଭୂତି, ଉପଦେଶ ଓ ଉତ୍ସାହ ତାକୁ ଦେବା ଦରକାର। ଫଳରେ ସେ ତା’ଉପରେ ଥିବା ସମସ୍ତ ପ୍ରକାର ସମସ୍ୟାଗୁଡ଼ିକୁ ଦୂର କରିପାରିବ।
ପାରିବାରିକ ଚିକିତ୍ସା: ଲୋକଟିର ଚିକିତ୍ସା ପାଇଁ ପରିବାରର ସଦସ୍ୟମାନଙ୍କର ବହୁ ଗୁରୁଦାୟିତ୍ୱ ରହିଛି। ସେମାନେ ତା’ର ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ ଏହାର ସମାଧାନ କରିବା ପାଇଁ ଡାକ୍ତରଙ୍କ ସହଯୋଗ ଓ ସାହାଯ୍ୟ କରିବା ସହ ଲୋକକୁ ମଧ୍ୟ ସାହାଯ୍ୟ କରିବେ ଓ ସେ କିପରି ପୁନର୍ବାର ଆତ୍ମହତ୍ୟାର ଇଚ୍ଛାରୁ ଦୂରେଇ ରହିବ ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ।
ସାମୂହିକ ଚିକିତ୍ସା: ଯେଉଁମାନଙ୍କର ପାରିପାର୍ଶ୍ୱିକ ଅବସ୍ଥା ବା କାରଣ ଯୋଗୁଁ ଏପରି ଭାବନା ଆସିଥାଏ, ସେମାନଙ୍କ କ୍ଷେତ୍ରରେ ସାଧାରଣତଃ କେତେଗୁଡ଼ିଏ ସମସ୍ୟା ଏଥିପାଇଁ ଦାୟୀ। ତେଣୁ ସେମାନେ ଏକାଠି କେତେଗୁଡ଼ିଏ ଲୋକ ସହିତ ବସି ଆଲୋଚନା କରି ସମସ୍ୟାର ସମାଧାନ ବିଷୟ ସ୍ଥିର କରିବା ଆବଶ୍ୟକ। ସାଧାରଣତଃ ଛ’ରୁ ଦଶ ଜଣ ଏପ୍ରକାର ଲୋକ ସପ୍ତାହରେ ଥରେ ଏକାଠି ହୋଇ ଆଲୋଚନା କରିବା ଦରକାର। ଆମ ଦେଶରେ ଏପ୍ରକାର ପ୍ରଣାଳୀ ଖୁବ୍ ଉପଯୋଗୀ।
ଅଧିକ ପଢ଼ନ୍ତୁ: ଭାବନା ସହ ଆମ ଶରୀରର ବିଭିନ୍ନ ଅଙ୍ଗର ସଂପର୍କ ଜାଣନ୍ତୁ
ଆପଣମାନେ କ’ଣ କରିପାରିବେ ?
ଆପଣ ଯଦି ଜାଣିପାରନ୍ତି ଯେକୌଣସି ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଇଚ୍ଛା ପ୍ରକାଶ କରୁଛି-
(୧) ତାକୁ ସଙ୍ଗେ ସଙ୍ଗେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ।
(୨) ଚିକିତ୍ସା ପାଇଁ ତାଙ୍କୁ ବାଧ୍ୟ କରି ଡାକ୍ତରଙ୍କ ପାଖକୁ ନିୟମିତ ନିଅନ୍ତୁ।
(୩) ଦୟାଶୀଳ ହୋଇ ରୋଗୀସହ କଥାବାର୍ତ୍ତା କରନ୍ତୁ। ତାହାର ଅନୁଭବ ଓ ସମସ୍ୟା ବିଷୟରେ ଧୈର୍ଯ୍ୟ ଧରି ଶୁଣନ୍ତୁ।
(୪) ତାଙ୍କୁ ଉତ୍ସାହ ଦିଅନ୍ତୁ। ତାଙ୍କୁ ପ୍ରବୋଧ ଦିଅନ୍ତୁ ଯେ ଆଗକୁ ଭଲ ଦିନ ଆସୁଛି ଓ ହସି ହସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
(୫) ତାହାଙ୍କର ଖାଦ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନ ନିଅନ୍ତୁ।
(୬) ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ତାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ। ଯଦି ଏହା ସମ୍ଭବ ନ ହୁଏ ତା’ହେଲେ ତାଙ୍କୁ ଡାକ୍ତରଖାନାରେ ରଖି ଦିଅନ୍ତୁ।
(୭) ମନେ ରଖନ୍ତୁ ଆତ୍ମହତ୍ୟା କରିବାର ଭାବନା ନିଶ୍ଚିତ ଭାବେ ଦୂର ହୋଇପାରିବ। ଏଥିପାଇଁ ପରିବାର, ସମାଜ ତଥା ଚିକିତ୍ସକମାନଙ୍କ ସହଯୋଗ ନିତାନ୍ତ ଆବଶ୍ୟକ।