କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା? ଏହାକୁ ନେଇ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା
ଆମ ଶରୀରରେ ରକ୍ତ ସଞ୍ଚାଳନ ହେବା ପାଇଁ ହୃତପିଣ୍ଡରେ ରକ୍ତଚାପ ସୃଷ୍ଟି ହୋଇଥାଏ। ଶରୀରର କାର୍ଯ୍ୟ ଅନୁଯାୟୀ ଏହା ବଢ଼େ ଏବଂ କମେ। ତେବେ ଏହି ରକ୍ତଚାପ ଯଦି ବଢ଼ିବା ଅବସ୍ଥାରେ ରହିଯାଏ, ତେବେ ଏହା ଶରୀର ପାଇଁ ସତର୍କ ଘଣ୍ଟି। ଉଚ୍ଚ ରକ୍ତଚାପ ହାର୍ଟ ଆଟାକ୍ଠାରୁ ଆରମ୍ଭ କରି ଫୁସଫୁସ, କିଡ୍ନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ।
ହୃତପିଣ୍ଡର ସ୍ପନ୍ଦନ ଆରମ୍ଭ ହେଲେ ଜୀବନର ସଞ୍ଚାଳନ ଆରମ୍ଭ ହୁଏ ଏବଂ ହୃତ୍ପିଣ୍ଡର ସ୍ପନ୍ଦନ ବନ୍ଦ ହେଲେ ଜୀବନର ଅନ୍ତ ହୁଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୃତପିଣ୍ଡ ସ୍ପନ୍ଦନ କରି ଚାଲିଥାଏ। ଆମ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ କରିବା ହେଉଛି ହୃତପିଣ୍ଡର କାର୍ଯ୍ୟ। ଦୂଷିତ ରକ୍ତ ଦେହର ବିଭିନ୍ନ ଅଂଶରୁ ଦୂଷିତ ରକ୍ତ ହୃତପିଣ୍ଡର ଡାହାଣ ଅଂଶକୁ ଆସେ ଓ ହୃତପିଣ୍ଡ ସେହି ରକ୍ତଙ୍କୁ ଫୁସ୍ଫୁସ୍କୁ ସଞ୍ଚାଳନ କରିଥାଏ। ଫୁସ୍ଫୁସ୍ରେ ରକ୍ତ ବିଶୁଦ୍ଧ ହୋଇ ହୃଦୟର ବାମ ପଟକୁ ଆସେ ଏବଂ ସେଠାରୁ ବିଶୁଦ୍ଧ ରକ୍ତ ଶରୀରର ସମସ୍ତ ଅଙ୍ଗକୁ ସଞ୍ଚାଳିତ ହୋଇଥାଏ। ଏଭଳି ଭାବେ ହୃତପିଣ୍ଡ ଆମ ଶରୀରକୁ ଅମ୍ଳଜାନ ଓ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ।
ଅଧିକ ପଢ଼ନ୍ତୁ: ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ଉଚ୍ଚ ରକ୍ତଚାପ କ’ଣ?
ଶରୀରର ସମସ୍ତଙ୍କ ଅଙ୍ଗକୁ ରକ୍ତ ଯୋଗାଇବା ପାଇଁ ହୃଦୟକୁ କିଛି ଟା ଚାପ ପକେଇବାକୁ ପଡ଼ିଥାଏ। ଏହାକୁ ରକ୍ତଚାପ କୁହାଯାଏ। କିନ୍ତୁ, ଛୋଟ ଛୋଟ ନଳୀରେ ରକ୍ତ ଯିବା ପାଇଁ ହୃଦୟକୁ ଅଧିକ ଚାପ ପକେଇବାକୁ ପଡ଼ିଥାଏ ଫଳରେ ରକ୍ତଚାପ ବଢ଼ିଥାଏ। ରକ୍ତଚାପ ବଢ଼ିଲେ ତାକୁ ହାଇପରଟେନ୍ସନ୍ ବୋଲି କୁହାଯାଏ। ଉଚ୍ଚ ରକ୍ତଚାପ ଅଧିକ ଦିନ ଧରି ଲାଗି ରହିଲେ ଓ ଏହାର ଚିକିତ୍ସା ନ କରାଗଲେ, ହୃଦୟ ଉପରେ ପ୍ରଭାବ ପଡ଼ିଥାଏ। ହୃତପିଣ୍ଡର ମାଂସପେଶୀ ଟାଣ ହୋଇଯାଏ। ଉଚ୍ଚ ରକ୍ତଚାପ ଅଧିକ ଦିନ ରହିଲେ ହୃଦୟର ଆକାର ବଢ଼ି ବଢ଼ି ଚାଲେ ଏବଂ ହୃତ୍ପିଣ୍ଡ ପୂର୍ବ ଭଳି ରକ୍ତ ସଞ୍ଚାଳନ କରିପାରେ ନାହିଁ। ସମୟକ୍ରମେ ହାର୍ଟ ଫେଲ୍ୟୁୟରର ଲକ୍ଷଣ ଦେଖାଦିଏ।
ହାର୍ଟ ଫେଲ୍ୟୁୟରର ଲକ୍ଷଣ ଯେପରିକି ଧଇଁସଇଁ ଲାଗିବା, ଗୋଡ଼ ଫୁଲିବା ବା ଅଳ୍ପ କାମ କରି ହାଲିଆ ହୋଇଯିବା। ଏଭଳି ଲକ୍ଷଣ ଅଧିକ ଦିନ ଧରି ଲାଗି ରହିଲେ ହୃତପିଣ୍ଡ ଦୁର୍ବଳ ହୋଇପଡ଼େ। ଏହାସହ ହୃତପିଣ୍ଡର ରକ୍ତ ନଳୀ ଉପରେ ପ୍ରଭାବ ପଡ଼ିଥାଏ, ଯାହାକି ହାର୍ଟ ଆଟାକ କରାଇଥାଏ।
ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦିନ ଧରି ରହିଲେ ବ୍ରେନ୍ ଷ୍ଟ୍ରୋକ୍, ପକ୍ଷାଘାତ, କିଡ୍ନି ଫେଲ୍ୟୁୟର ଓ ଦୃଷ୍ଟିଶକ୍ତି କମିଯିବାର ଆଶଙ୍କା ଅଧିକ ଥାଏ।
ଉଚ୍ଚ ରକ୍ତଚାପର କାରଣ ଓ ଲକ୍ଷଣ (Causes and symptoms of high blood pressure in Odia)
ଉଚ୍ଚ ରକ୍ତଚାପର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼େ ନାହିଁ। ବଂଶଗତ କାରଣ ଯୋଗୁଁ ଉଚ୍ଚ ରକ୍ତଚାପ ହୋଇଥାଏ। କେତେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ହେବାର କାରଣ ଜଣାପଡ଼େ ଯେପରିକି କିଡ୍ନି ବ୍ୟାଧି, ଥାଇରଏଡ୍ ସମସ୍ୟା ଯୋର୍ଗୁ ହୋଇଥାଏ। ପ୍ରାୟ ଲୋକ ଭାବନ୍ତି ରକ୍ତଚାପ ବଢ଼ିଲେ ମୁଣ୍ଡ ବୁଲାଏ। ହେଲେ ୧ରୁ ୨ ପ୍ରତିଶତ କ୍ଷେତ୍ରରେ ମୁଣ୍ଡ ବୁଲେଇବା ସମସ୍ୟା ହୋଇଥାଏ।
ଆଜିକାଲି କମ୍ ବୟସର ପିଲାଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି।
ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ମାନସିକ ଚାପ ଅଧିକ ବଢ଼ିଯାଉଛି। ପ୍ରାୟତଃ କରୋନା ସମୟରେ ବହୁ ଲୋକଙ୍କର ଚାକିରି ଚାଲିଯାଉଛି ବା ଦରମା କମିଯାଉଛି, ସେତେବେଳେ ମଣିଷ ଅଧିକ ଚିନ୍ତାଗ୍ରାସ୍ତ ହୋଇପଡ଼ୁଛି। ତାହାଛଡ଼ା ଲୋକମାନେ ଶାରୀରିକ କାର୍ଯ୍ୟ କରୁ ନାହାନ୍ତି, ସମସ୍ତେ ବସି ରହି କାମ କରୁଛନ୍ତି। ଏହାସହ ଫାଷ୍ଟଫୁଡ୍ ଅଧିକ ମାତ୍ରାରେ ଖାଉଛନ୍ତି। ଏହାଦ୍ୱାରା ମୋଟାପଣ ବଢ଼ୁଛି। ଏହିସବୁ କାରଣ ଯୋଗୁଁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି।
ଅଧିକ ପଢ଼ନ୍ତୁ: ବସିକରି ହଠାତ୍ ଉଠିବା ପରେ ମୁଣ୍ଡ ବୁଲାଉଛି କି?
ଉଚ୍ଚ ରକ୍ତଚାପର ଜଟିଳତା (Complications of high blood pressure in Odia)
ଉଚ୍ଚ ରକ୍ତଚାପ ଅନ୍ୟ ବଡ଼ ବଡ଼ ରୋଗର କାରଣ ପାଲଟେ। ଏହା ମସ୍ତିଷ୍କରେ ପାରାଲିସିସ୍ କରାଏ। ଏହାଛଡ଼ା ହାର୍ଟ ଫେଲ୍ୟୁୟର, ହାର୍ଟ ଆଟାକ, କିଡ୍ନି ଫେଲ୍ୟୁୟର ଏବଂ ଦୃଷ୍ଟି ଶକ୍ତ ବି କମିପାରେ।
ଏହି ସମସ୍ୟାର କୌଣସି ନିରାକରଣ ନାହିଁ କିନ୍ତୁ ଏହି ସମସ୍ୟା ନ ହେବା ପାଇଁ ଆମେ ଧ୍ୟାନ ଦେଇପାରିବା। ତେଣୁ ଏହିସବୁ ଜଟିଳତାକୁ ଦୂରେଇବା ପାଇଁ ନିୟମିତ ଭାବରେ ରକ୍ତଚାପ ପାଇଁ ଔଷଧ ଖାଇବା ଜରୁରୀ।
ଉଚ୍ଚ ରକ୍ତଚାପକୁ କେମିତି କରିବେ ନିୟନ୍ତ୍ରଣ? (How to control high blood pressure in Odia)
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ଖାଦ୍ୟରେ ନିୟନ୍ତ୍ରଣ ଆଣିବାକୁ ପଡ଼ିବ। ନିୟମିତ ବ୍ୟାୟାମ କରିବା ଜରୁରୀ। ମାନସିକ ଶାନ୍ତି ପାଇଁ ପ୍ରାଣାୟାମ, ମେଡିଟେସନ୍ କରିବା। ଏହାସହ ଆପଣଙ୍କ ଡାକ୍ତର ପରାମର୍ଶ ଦେଇଥିବା ଔଷଧକୁ ନିୟମିତ ଭାବେ ଖାଇବା ଆବଶ୍ୟକ।
ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ରକ୍ତଚାପ ମୋର ନିୟନ୍ତ୍ରଣ ହୋଇଗଲାଣି, ମୁଁ ଆଉ ଔଷଧ ଖାଇବି କାହିଁକି? ହେଲେ ଡାଏବେଟିସ୍ରେ ଯେମିତି ଔଷଧ ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଛି ଓ ଔଷଧ ଛାଡ଼ିଲେ ସୁଗାର ବଢ଼ିଯାଏ। ସେହିପରି ରକ୍ତଚାପ ଅଧିକ ଥିବା ବେଳେ ଔଷଧ ବନ୍ଦ କରିଦେଲେ ଭବିଷ୍ୟତରେ ପୁଣି ରକ୍ତଚାପ ବଢ଼ିଯିବାର ସମ୍ଭାବନା ରହିଛି। ଏଥିପାଇଁ ନିୟମିତ ଔଷଧ ଖାଇବା ଜରୁରୀ।
ରକ୍ତଚାପ ୧୨୦/୮୦ ଭିତରେ ଗଣନା କରାଯାଏ। ୧୨୦ରୁ ୧୪୦ ଭିତରେ ରହିଲେ ଏହାକୁ ଅସାମାନ୍ୟ ବୋଲି ଧରାଯାଏ। ରକ୍ତଚାପ ଏହି ସୀମାରେ ରହିଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ସହ ବ୍ୟାୟାମ ଓ ମେଡିଟେସନ୍ କରିବା ଦ୍ୱାରା ନିୟନ୍ତ୍ରଣରେ ରହିଥାଏ। ସେହିଭଳି ରକ୍ତଚାପ ସୀମା ୧୪୦/୯୦ରୁ ଅଧିକା ହେଲେ ରୋଗୀଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଔଷଧ ଖାଇଲେ ରକ୍ତଚାପ ୧୪୦ରୁ ୯୦ ପଏଣ୍ଟକୁ ଛୁଇଁଯାଏ ସେତେବେଳେ ଆମେ ଭାବିବୁ ଯେ ଔଷଧ କାମ କରୁଛି।
କିଛି ଦୁଃଖ ଖବର ବା ଶାରୀରିକ ଯନ୍ତ୍ରଣା ଯୋଗୁଁ ରକ୍ତଚାପ ବଢ଼ିଥିଲେ ଔଷଓ ଖାଇବାକୁ ଦିଆଯାଏ ନାହିଁ। ଯେଉଁ ସମସ୍ୟା ପାଇଁ ହୋଇଛି, ସେଥିପାଇଁ ଔଷଧ ଖାଇଲେ ରକ୍ତଚାପ ବି ନିୟନ୍ତ୍ରଣରେ ଆସିଯିବ।
ଅଧିକ ପଢ଼ନ୍ତୁ: ରକ୍ତଚାପ ସମସ୍ୟାରୁ କିଭଳି ରହିବେ ସୁରକ୍ଷିତ?
ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ? (What to eat for a healthy heart in Odia)
ସୁସ୍ଥ ହୃଦୟ ପାଇଁ ସୁଷମ ଖାଦ୍ୟ ଖାଇବା ଜରୁରୀ। ଖାଦ୍ୟରେ ଯେତେ କମ୍ ତେଲ, ମସଲା ବ୍ୟବହାର କରିବେ। ନିୟମିତ ଫଳ, ସବୁଜ ପନିପରିବା ସାମିଲ କରନ୍ତୁ। ପ୍ରତିଦିନ ଖାଦ୍ୟରେ ସାଲାଡ୍ ସାମିଲ କରନ୍ତୁ। ଏହା ଆମ ପେଟ ଓ ସ୍ୱାସ୍ଥ୍ୟ ପାଇଁ ଭଲ। କାର୍ବୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ ଖାଆନ୍ତୁ କିନ୍ତୁ କମ୍ ପରିମାଣରେ ଖାଆନ୍ତୁ। କାର୍ବୋହାଇଡ୍ରେଟ୍ କମ୍ ଖାଇଲେ ଓଜନ ବୃଦ୍ଧି ହେବ ନାହିଁ।
ଉଦ୍ଭିଦଜାତୀୟ ପ୍ରୋଟିନ୍ ଖାଦ୍ୟରେ ସାମିଲ କରନ୍ତୁ।
ଅତ୍ୟଧିକ ଲୁଣ ଖାଆନ୍ତୁ ନାହିଁ।
ଯେଉଁ ଲୋକମାନଙ୍କର ହାର୍ଟ ସମସ୍ୟା କିମ୍ବା କିଡ୍ନି ସମସ୍ୟା ଅଛି, ସେମାନେ ଲୁଣ କମ୍ ଖାଇବା ଭଲ।
ସୁସ୍ଥ ହୃଦୟ ପାଇଁ ଡାକ୍ତରଙ୍କ ଟିପ୍ସ
ଖାଦ୍ୟରେ ନିୟନ୍ତ୍ରଣ ରଖିବା। ଖାଦ୍ୟର ପରିମାଣ କମ୍ କରିବା। ତେଲ ମସଲା କମ୍ କରିବା।
ପ୍ରତିଦିନ ୪୫ ମିନିଟ୍ରୁ ୧ ଘଣ୍ଟା ବ୍ୟାୟାମ କରିବା। ଆମ ଶରୀରକୁ ସୁହାଇବା ଭଳି ବ୍ୟାୟାମ କରିବା।
ହୃଦରୋଗ ନ ହେବା ପାଇଁ ମାନସିକ ଶାନ୍ତି ନିହାତି ଜରୁରୀ। ତେଣୁ ଯୋଗ, ମେଡିଟେସନ୍ ଓ ପ୍ରାଣାୟାମ କରନ୍ତୁ।
ନିୟମିତ ବ୍ୟବଧାନରେ ଡାଏବେଟିସ୍, କୋଲେଷ୍ଟ୍ରୋଲ, ରକ୍ତଚାପ ପରୀକ୍ଷା କରାଇନେବା ଜରୁରୀ। ଯଦି କୌଣସି ସମସ୍ୟା ବାହାରିଲା, ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଇବା ଆବଶ୍ୟକ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବିନୟ ଭୂଷଣ ବିଣାକାରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on High blood pressure based on the interview with Dr. Binay Bhushan Binakar, Consultant Urology, Cardiologist.