ଛୁଆମାନେ ରାତି ଅଧରେ ଉଠି କାନ୍ଦିବା ଯୋଗୁଁ ଉଭୟ ଶିଶୁ ଏବଂ ବାପମା’ଙ୍କ ପାଇଁ ସମସ୍ୟା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏପରି ହେବାର କାରଣ ଓ ନିରାକରଣ ବାବଦରେ।
ଛୋଟ ଛୁଆମାନେ କାନ୍ଦିବା ସାଧାରଣ କଥା। ସେମାନେ ସବୁ ସମୟରେ କାନ୍ଦିବା ସ୍ୱାଭାବିକ। ବିଶେଷ କରି ରାତି ସମୟରେ କେତେକ ପିଲା ଅଧିକ କାନ୍ଦିଥାନ୍ତି। ଯଦ୍ୱାରା ବାପାମା’ଙ୍କ ଶୋଇବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଏପରି ବାରମ୍ବାର ଘଟିବା ଯୋଗୁଁ ସେମାନେ ଚିନ୍ତିତ ହୋଇପଡ଼ନ୍ତି। କାନ୍ଦିବା ଦ୍ୱାରା ଶିଶୁ ନିଜର ଆବଶ୍ୟକତା ବାବଦରେ ସଙ୍କେତ ଦେଇଥାଏ।
ଦିନ ସାରା ଖେଳ ଭିତରେ ବ୍ୟସ୍ତ ରହିବା ହେତୁ କୌଣସି ସମସ୍ୟା ହୋଇନଥାଏ। କିନ୍ତୁ ଅନେକ ସମୟରେ ଶିଶୁମାନେ ଗଭୀର ନିଦରୁ ଉଠି କାନ୍ଦିବା ଆରମ୍ଭ କରନ୍ତି। ଶିଶୁ ଅସୁସ୍ଥ ଥିବା ହେତୁ କିମ୍ବା ଅନ୍ୟାନ୍ୟ କୌଣସି କାରଣ ଯୋଗୁଁ ଶିଶୁ ଏପରି କରିଥାଏ।
ଶିଶୁ ରାତିରେ କାହିଁକି କାନ୍ଦେ?
ସାଧାରଣତଃ ଶିଶୁ ନିଜକୁ ଅସୁସ୍ଥ ଅନୁଭବ କରିବା ହେତୁ ରାତିରେ କାନ୍ଦିଥାଏ। ସାଧାରଣ କାନ୍ଦିବା ସ୍ୱରଠାରୁ ଏହି ସ୍ୱର ଭିନ୍ନ ହୋଇଥାଏ। ତେଣୁ ଶିଶୁର ଜ୍ୱର, ଥଣ୍ଡା ଭଳି କୌଣସି ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଶିଶୁମାନେ ନିଦ୍ରା ଅଭାବରୁ ଚିଡ଼ଚିଡ଼ା ହୋଇ ରାତି ଅଧରେ କାନ୍ଦିଥାନ୍ତି।
ଶିଶୁ ଶୋଇଥିବା ବିଛଣା ଏବଂ ତକିଆରେ କୌଣସି ଅସୁବିଧା ଥିଲେ ଶିଶୁ ରାତି ମଝିରେ ଉଠି କାନ୍ଦିଥାଏ।
ସାଧାରଣତଃ ଶିଶୁମାନଙ୍କୁ ଅନ୍ଧାରରେ ଶୋଇବାକୁ ଡର ଲାଗିଥାଏ। ତେଣୁ ରାତି ଅଧରେ ଉଠି ଜୋରରେ କାନ୍ଦିଥାନ୍ତି।
ଛୋଟ ଛୁଆମାନେ ବାରମ୍ବାର ପରିସ୍ରା କରିବା ଯୋଗୁଁ ସେମାନଙ୍କର ଡାଇପର ଓଦା ହୋଇଯାଇଥାଏ। ଏହା ସେମାନେ ବିରକ୍ତି ହୋଇ ରାତିରେ ଉଠି କାନ୍ଦିଥାନ୍ତି।
ଶିଶୁମାନେ ମା’ କ୍ଷୀର ଖାଇବା ସତ୍ତ୍ୱେ ସେମାନଙ୍କ ପେଟରେ ଗ୍ୟାସ ହୋଇଯାଇଥାଏ। ଅନେକ ଥର ଭୋକ ଯୋଗୁଁ ଶିଶୁମାନେ ଅଧିକ କ୍ଷୀର ହଜମ କରିପାରନ୍ତି ନାହିଁ। ଏଥିପାଇଁ ରାତିରେ ନିଦରୁ ଉଠି ଶିଶୁ କାନ୍ଦିଥାଏ।
ଅଧିକାଂଶ ସମୟରେ ଶିଶୁମାନେ କୌଣସି ଭୟାନକ ସ୍ବପ୍ନ ଦେଖି କାନ୍ଦିଥାଏ।
କିପରି ସେମାନଙ୍କ କାନ୍ଦ ବନ୍ଦ କରିବେ?
ଶିଶୁ ସାମାନ୍ୟ ଦୁର୍ବଳ ଅନୁଭବ କରୁଥିଲେ ସେମାନଙ୍କୁ ବିଛଣାରେ ଶୁଆଇ ଦିଅନ୍ତୁ।
ଯଦି ଶିଶୁ ରାତିରେ ଉଠି କାନ୍ଦୁଛି ଏବଂ କାନ୍ଦ ବନ୍ଦ କରୁ ନାହିଁ ତେବେ ସେମାନଙ୍କୁ କିଛି ସମୟ ଘର ଭିତରେ ବୁଲାଇ ଆଣନ୍ତୁ। ଏହା ଦ୍ୱାରା ସେ ଚୁପ ହୋଇଯିବ।
ଶୋଇବା ସମୟରେ ସେମାନଙ୍କ ପିଠି ଧୀରେ ଧୀରେ ଆଉଁସନ୍ତୁ ଏବଂ ସମ୍ପୂର୍ଣ୍ଣ ନିଦ ହୋଇଯିବା ପର୍ଯ୍ୟନ୍ତ ପାଖରେ ରୁହନ୍ତୁ।
ଶିଶୁ ରାତି ମଝିରେ ଉଠି କାନ୍ଦିଲେ ତାକୁ କୋଳକୁ ନେଇ କିଛି ସମୟ ହଲାନ୍ତୁ କିମ୍ବା ଝୁଲାନ୍ତୁ। ଏପରି କରିବା ଫଳରେ ସେମାନେ ଅଧିକ ନ କାନ୍ଦି ଜଲଦି ଶୋଇପଡ଼ନ୍ତି।
ସ୍ତନ୍ୟପାନ କରାଇବା ସମୟରେ ଧୀରେ ଧୀରେ ପିଠିରେ ହାତ ମାରନ୍ତୁ। ଯଦ୍ୱାରା ଶିଶୁ ଆରାମରେ ଶୋଇପଡ଼ିଥାଏ।
ଆପଣ ଅନେକ ଚେଷ୍ଟା ପରେ ଯଦି ଶିଶୁ ରାତିରେ ଉଠି କାନ୍ଦୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।