ଅଧିକ କାମ ଚାପ ଯୋଗୁଁ ବ୍ୟକ୍ତି ଚାପଗ୍ରସ୍ତ ହୋଇପଡ଼େ। ବିଶେଷ କରି ମହିଳାମାନଙ୍କ ମଲ୍ଟି ଟ୍ୟାକ୍ସିଂ ସେମାନଙ୍କ ମାନସିକ ଅବସାଦର କାରଣ ହୋଇଥାଏ।
ମହିଳାମାନଙ୍କ ମଲ୍ଟି ଟ୍ୟାକ୍ସିଂ ସେମାନଙ୍କ ମାନସିକ ଅବସାଦର କାରଣ ହୋଇପାରେ। ଏକଥା ବିଶ୍ୱାସ ନ ହେଲେ ମଧ୍ୟ ସତ। ଦିନ ସାରା ଘର କାମ, ଅଫିସରେ କାମ ଏବଂ ଛୁଆଙ୍କ ଦାୟିତ୍ୱ ସେମାନଙ୍କୁ ଚିନ୍ତାଗ୍ରସ୍ତ କରିଦେଇଥାଏ। ତେଣୁ ଅଧିକ ସମୟ କାମ କରିବା ଫଳରେ ସେମାନେ ମାନସିକ ଚାପର ଶିକାର ହୋଇଥାନ୍ତି। କହିବାକୁ ଗଲେ ଏହି ଚାପ ଯୋଗୁଁ ସବୁ କ୍ଷେତ୍ରରେ ସେମାନଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ।
ମଲ୍ଟି ଟ୍ୟାକ୍ସିଂ କ’ଣ?
ଅନେକ ଗୁଡ଼ିଏ କାମ ଏକା ସାଙ୍ଗରେ କରୁଥିବାରୁ କର୍ମଜୀବୀ ମହିଳାମାନେ ପ୍ରାୟ ସମୟରେ ଚାପଗ୍ରସ୍ତ ରହିଥାନ୍ତି। ଗୋଟିଏ ପଟେ ଅଫିସରେ ସେମାନଙ୍କୁୂ ଡେଡଲାଇନ(ନିର୍ଦ୍ଧାରିତ ସମୟ) ମଧ୍ୟରେ କାମ ସାରିବାକୁ ପଡ଼ୁଥିବାବେଳେ ଅନ୍ୟପଟେ ପରିବାରର ଭାର ବି ସେମାନଙ୍କ ଉପରେ ରହିଥାଏ। ଏହି ଚାପ ସେମାନଙ୍କୁ ଶାରିରୀକ ସହିତ ମାନସିକ ଭାବେ ବି ଅବସାଦଗ୍ରସ୍ତ କରିଦେଇଥାଏ।
କେବଳ କର୍ମଜୀବୀ ମହିଳା ନୁହଁନ୍ତି, ଘରେ ରହୁଥିବା ମହିଳାମାନେ ମଧ୍ୟ ଏହି ଚାପର ଶିକାର ହେଉଛନ୍ତି। ସେମାନେ ଘରର ସଦସ୍ୟମାନଙ୍କ ସହ ନିଜକୁ ଆଡଜଷ୍ଟ କରିପାରନ୍ତି ନାହିଁ। ତେଣୁ ସବୁ ସମୟରେ ଘରେ ଅଶାନ୍ତି ଲାଗିରହିଥାଏ। ଯଦ୍ୱାରା ମହିଳାମାନେ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି।
ଏପରି ହେବାର କାରଣ କ’ଣ?
ଆମ ଶରୀରରେ ଖୁସି ଅନୁଭବ କରାଉଥିବା ହରମୋନ ରହିଛି ଯାହା ମଣିଷକୁ ଖୁସି କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଅତ୍ୟଧିକ କାମର ଚାପ ଯୋଗୁଁ ସେହି ହରମୋନ ଶରୀରରୁ ହ୍ରାସ ପାଇଥାଏ। ଯାହା ଫଳରେ ମହିଳାମାନେ ଅନେକ ସମୟ ଉଦାସ ରହିଥାନ୍ତି। ଅଧିକାଂଶ ମହିଳା ନିଜକୁ ନିରାଶ ଏବଂ ଏକୁଟିଆ ମନେ କରିଥାନ୍ତି।
ଲକ୍ଷଣ
କୋୖଣସି କାମ ଠିକରେ ନ କରିପାରିବା
ଅଫିସରେ କାମ କରିବାକୁ ଇଚ୍ଛା ନ ହେବା
ଘରେ ପିଲାଙ୍କୁ ରାଗିକି ବାଡ଼େଇବା
ଥକ୍କାପଣ ଅନୁଭବ କରିବା
ଓଜନରେ ନିୟନ୍ତ୍ରଣ ନ ରହିବା
ନିଜକୁ ନିରାଶ ଏବଂ ଏକୁଟିଆ ମନେ କରିବା
ଶରୀରରେ ଯନ୍ତ୍ରଣା ଅନୁଭବ ହେବା
ଜଟିଳତା
ମଲ୍ଟି ଟ୍ୟାକ୍ସିଂ କରୁଥିବା ମହିଳାମାନେ କେବଳ ମାନସିକ ଅବସାଦ ନୁହେଁ ବରଂ ଶାରୀରିକ ଭାବେ ମଧ୍ୟ ଦୁର୍ବଳ ହୋଇପଡ଼ନ୍ତି। ଅଧିକ ଚାପ ହେତୁ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ। ଗର୍ଭାବସ୍ଥାରେ ମଲ୍ଟି ଟ୍ୟାକ୍ସିଂ କରିବା ଫଳରେ ପିଲା ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଅନେକ ମହିଳାଙ୍କ ନିକଟରେ ପିସିଓଡ଼ି ସମସ୍ୟା ମଧ୍ୟ ଦେଖା ଯାଇଥାଏ। ଅତ୍ୟଧିକ କାମ ଯୋଗୁଁ ସେମାନଙ୍କ ଶରୀର ଯନ୍ତ୍ରଣା ହୋଇଥାଏ। ଏହା ଯୋଗୁଁ ପିଠି, ମେରୁଦଣ୍ଡରେ କଷ୍ଟ ହେବା ଏବଂ ଅଣ୍ଟାରେ ବ୍ୟଥା ଭଳି ସମସ୍ୟା ହୋଇଥାଏ। ଅଧିକାଂଶ ମହିଳାମାନେ ଚାପଗ୍ରସ୍ତ ହୋଇଯିବା ଫଳରେ ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ନିରାକରଣ
ସବୁ କାମ ଧୀରେ ସୁସ୍ଥେ କରନ୍ତୁ।
ମନ ଲଗାଇ କାମ କରିବା ଆବଶ୍ୟକ।
କାମକୁ ନେଇ ଅଧିକ ଚାପ ନିଅନ୍ତୁ ନାହିଁ।
କାମରୁ କିଛି ସମୟ ବିରତି ନେଇ ବାହାରକୁ ବୁଲାବୁଲି କରିବା ପାଇଁ ଯାଆନ୍ତୁ।
ଠିକ ସମୟରେ ଖାଇବା ପିଇବା କରନ୍ତୁ।
ଯଦି ଅତି ଆବଶ୍ୟକ ହେଉଛି ତେବେ ଘରେ କାହାକୁ ସହଯୋଗୀ ଭାବେ ରଖିପାରିବେ।
ଅଫିସରେ ନିଜ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ।
୧ କିମ୍ବା ୨ ସପ୍ତାହ ପାଇଁ ଘରର ସଦସ୍ୟ କିମ୍ବା ସାଙ୍ଗ ସାଥୀଙ୍କ ସହ ଟ୍ରିପରେ ଯାଆନ୍ତୁ।