ଛୋଟ ବେଳେ ଛୁଆମାନେ ବାନ୍ତି କରିବା ସାଧାରଣ କଥା। କିନ୍ତୁ ଅଧିକ ବାନ୍ତି ହେତୁ ପିଲାମାନେ ଅଧିକ ଦୁର୍ବଳ ହୋଇପଡ଼ନ୍ତି।
ସାଧାରଣତଃ ଶିଶୁମାନେ ଖାଇସାରିବା ପରେ ତାଙ୍କର ବାନ୍ତି ହୋଇଥାଏ। ଏହାକୁ କିଛି ଲୋକ ସାଧାରଣ ଭାବରେ ନେଇଯାଆନ୍ତି। ହେଲେ ପିଲା କ୍ଷୀର ବା ପରିପକ୍ୱ ଖାଦ୍ୟ ଖାଇସାରିବା ପରେ ବାନ୍ତି ହେବାର କାରଣ ଜାଣିବା ମା’ମାନଙ୍କ ପାଇଁ ନିହାତି ଆବଶ୍ୟକ।
କ୍ଷୀର ଏବଂ ଖାଦ୍ୟ
ଅନେକ ସମୟରେ ମା’ କ୍ଷୀରରେ ଥିବା ପ୍ରୋଟିନ ଶିଶୁ ସହଜରେ ଗ୍ରହଣ କରିପାରେ ନାହିଁ। ତେଣୁ ଶିଶୁ କ୍ଷୀର ପିଇବା ପରେ ବାନ୍ତି କରିଦେଇଥାଏ। ଖାଲି ସେତିକି ନୁହେଁ ପାଉଡର କ୍ଷୀର ପିଇବା ପରେ ଯଦି ପିଲା ବାନ୍ତି କରୁଥାଏ ତେବେ ସେମାନଙ୍କୁ ସୋୟା କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଦେବା ଉଚିତ। ଶିଶୁ ଏହି କ୍ଷୀରକୁ ସହଜରେ ହଜମ କରିଥାଏ। ସ୍ତନ୍ୟପାନ ପରେ ଶିଶୁ ଯଦି ବାନ୍ତି କରୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଅଧିକ ଏବଂ ଶୀଘ୍ର ଖୁଆଇବା
ଶିଶୁମାନଙ୍କୁ ଅବଶ୍ୟକଠାରୁ ଅଧିକ ଖାଦ୍ୟ ଖୁଆଇବା ଫଳରେ ସେମାନେ ବାନ୍ତି କରିଦେଇଥା’ନ୍ତି। ଆହୁରି ମଧ୍ୟ, କିଛି ମା’ମାନଙ୍କ ପାଖରେ ସମୟର ଅଭାବ ଯୋଗୁଁ ସେମାନେ ପିଲାମାନଙ୍କୁ ଜଲଦି ଜଲଦି ଖୁଆଇଦେଇଥା’ନ୍ତି। ଏଭଳି କରିବା ଦ୍ୱାରା ପିଲାର ବାନ୍ତି ହୋଇଥାଏ ଓ ଖାଦ୍ୟ କଣିକାଗୁଡ଼ିକ ବାନ୍ତି ଆକାରରେ ବାହାରିଯାଏ।
ଖାଦ୍ୟର ସ୍ୱାଦ
ଅନେକ ସମୟରେ ପିଲାକୁ ଖାଦ୍ୟର ସ୍ୱାଦ ଭଲ ଲାଗି ନଥାଏ। ଏଥିପାଇଁ ମଧ୍ୟ ପିଲାମାନେ ଖାଇବା ପରେ ବାନ୍ତି କରିଦିଅନ୍ତି। ବେଳେ ବେଳେ ଔଷଧର ସ୍ୱାଦ ପିଲାକୁ ଭଲ ଲାଗେ ନାହିଁ। ତେଣୁ ସେ ତୁରନ୍ତ ବାନ୍ତି କରିଦେଇଥାଏ।
ପେଟ ସଂକ୍ରମଣ
ପେଟରେ ସଂକ୍ରମଣ ଯୋଗୁଁ ବାନ୍ତି ହେବା ସ୍ୱାଭାବିକ କଥା। ପେଟର ଅନ୍ତନଳୀକୁ କୌଣସି ଜୀବାଣୁ ସଂକ୍ରମିତ କରିଥିଲେ ଶିଶୁ ଉପରେ ତା’ର ପ୍ରଭାବ ପଡ଼ିଥାଏ। ତେଣୁ ଶିଶୁ ଖାଦ୍ୟ ଖାଇବା କ୍ଷଣି ସଙ୍ଗେ ସଙ୍ଗେ ବାନ୍ତି କରିଦେଇଥାଏ।
ଛାତିରେ କଫ ହେବା
କାଶ ସମୟରେ ଛାତିରେ କଫ ଜମାଟ ବାନ୍ଧି ଅଧିକ କଷ୍ଟ ଦେଇଥାଏ। କଫ ଅଧିକ ଦିନ ଜମାଟ ବାନ୍ଧି ହୋଇ ରହିବା ଫଳରେ ବିଭିନ୍ନ ସଂକ୍ରମଣ ହୋଇଥାଏ। ତେଣୁ ପିଲା ବାରମ୍ବାର ବାନ୍ତି କରିଥାଏ।
ନବଜାତ ଶିଶୁଙ୍କ ବାନ୍ତି କିପରି ବନ୍ଦ ହେବ?
ଶିଶୁମାନେ ଖାଇବା ପରେ ଛେପ ପକାଉଛି ତେବେ ସେମାନଙ୍କୁ ଅଳ୍ପ ପରିମାଣରେ ଖାଦ୍ୟ ଖାଇବାକୁ ଦିଅନ୍ତୁ।
ଖାଦ୍ୟ ଖାଇବା ସମୟରେ ପିଲାକୁ ଆଣ୍ଠୁ କିମ୍ବା କୋଳରେ ବସାଇ ଖାଇବାକୁ ଦିଅନ୍ତୁ ନାହିଁ। ଖାଦ୍ୟ ଶରୀର ଭିତରେ ଠିକ ସ୍ଥିତିକୁ ଆସିବା ପର୍ଯ୍ୟନ୍ତ କିଛି ସମୟ ଲାଗିଥାଏ। ଏହା ସହ ଶିଶୁ ଖାଇବା ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ସିଧା ରଖନ୍ତୁ, ଶୁଆନ୍ତୁ ନାହିଁ।
ଭ୍ରମଣ ସମୟରେ ଶିଶୁକୁ ଖୁଆଇବା ପରେ ଖୋଲା ପବନ ସଂସ୍ପର୍ଶରେ ଆଣନ୍ତୁ। ଏହା ଦ୍ୱାରା ପିଲାର ଖାଦ୍ୟ ଠିକ ଭାବେ ହଜମ ହେବା ସହ ପିଲାକୁ ବାନ୍ତି ହେବାର ଭୟ ନଥାଏ।
ଶ୍ୱାସକ୍ରିୟା ସଂକ୍ରମଣ ଯୋଗୁଁ କଫ ଜମି ରହି ଯଦି ସେମାନଙ୍କୁ ବାନ୍ତି ହେଉଥାଏ ତେବେ ସେମାନଙ୍କ ନାକକୁ ପ୍ରଥମେ ସଫା କରନ୍ତୁ।
ବାନ୍ତି ହେବା ପରେ କ’ଣ କରିବେ?
ବାନ୍ତି ହେବା ପରେ ଶିଶୁକୁ ଶୀଘ୍ର ଖାଇବାକୁ ଦିଅନ୍ତୁ ନାହିଁ। ସେମାନଙ୍କୁ ଜଲଦି ନ ଖୁଆଇ ଧୀରେ ଧୀରେ ଖୁଆନ୍ତୁ। ଏପରି କଲେ ଶିଶୁକୁ ଅଧିକ ବାନ୍ତି ହୋଇପାରେ।
ବାନ୍ତି ହେବା ପରେ ଶିଶୁ ଦୁର୍ବଳ ହୋଇପଡ଼େ ଏବଂ ତାକୁ ଶକ୍ତିର ଆବଶ୍ୟକ ଥାଏ। ତେଣୁ ବାନ୍ତି ହୋଇ ସାରିବା ପରେ ଶିଶୁର ପେଟକୁ କିଛି ସମୟ ବିଶ୍ରାମ ଦିଅନ୍ତୁ।
ଶରୀରରେ ଜଳର ଅଭାବ ହେଲେ କାନ୍ଦିବା ସମୟରେ କମ ଲୁହ ଏବଂ କମ ପରିସ୍ରା ହୋଇଥାଏ। ଶିଶୁର ଏପରି ଲକ୍ଷଣ ଦେଖାଗଲେ ଏବଂ ବାନ୍ତି ବନ୍ଦ ହେଉନଥିଲେ ତେବେ ତାଙ୍କୁ ଶିଶୁ ରୋଗ ବିଶେଷଜ୍ଞଙ୍କ ନିକଟକୁ ନିଅନ୍ତୁ।
ବାରମ୍ବାର ବାନ୍ତି ହେଉଥିଲେ ସେମାନଙ୍କୁ ତରଳ ପଦାର୍ଥ ଖାଇବାକୁ ଦିଅନ୍ତୁ। ଯଦି ନବଜାତ ଶିଶୁ ମା’ କ୍ଷୀର ପିଇବା ପରେ ମଧ୍ୟ ବାନ୍ତି କରୁଛି ତେବେ ତାଙ୍କୁ ଅନ୍ୟ ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ।
ଜନ୍ମର ୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ଦିଅନ୍ତୁ। କାରଣ ପିଲା ସହଜରେ ଏହି କ୍ଷୀର ହଜମ କରିଥାଏ।
ପିଲା ଶରୀରରେ ଖାଦ୍ୟର ଅଭାବ ପୂରଣ ପାଇଁ ଆପଣ ଅଧିକ ଥର ସ୍ତନ୍ୟପାନ କରାଇପାରିବେ। କିନ୍ତୁ ସ୍ତନ୍ୟପାନ ସମୟରେ ଶିଶୁକୁ ଅଧିକ କ୍ଷୀର ଦିଅନ୍ତୁ ନାହିଁ।
୧ ବର୍ଷରୁ କମ ଶିଶୁଙ୍କୁ ଡାକ୍ତରଙ୍କ ବିନା ପରାମର୍ଶରେ ORS କିମ୍ବା ଇଲେକଟ୍ରୋଲାଇଟ ତରଳ ପଦାର୍ଥ ଦିଅନ୍ତୁ ନାହିଁ।
କୌଣସି ଔଷଧ ଦିଅନ୍ତୁ ନାହିଁ
ଶିଶୁର ବାନ୍ତି ବନ୍ଦ ପାଇଁ କୌଣସି ଔଷଧ ଖାଇବାକୁ ଦିଅନ୍ତୁ ନାହିଁ। କୌଣସି ଔଷଧ ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ। ପିଲାଙ୍କୁ ଆସ୍ପାରିନ ଥିବା ଔଷଧ ଖାଇବାକୁ ଦିଅନ୍ତୁ ନାହିଁ। ଆସ୍ପାରିନ ଯୋଗୁଁ ରେଏ ସିଣ୍ଡ୍ରୋମ ହେବାର ଆଶଙ୍କା ରହିଛି।