ୱାର୍କ ଫ୍ରମ ହୋମ ଯୋଗୁଁ ଲୋକଙ୍କୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଟିପ୍ସ ଜାରି କରିଛି।
କରୋନା ଯୋଗୁଁ ସାମାଜିକ ଦୂରତାକୁ ନଜରରେ ରଖି ସବୁ ଅଫିସ, ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସଂସ୍ଥାନ ବନ୍ଦ ରଖାଯାଇଛି। ଏପରି ସ୍ଥଳେ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଅଫିସ ତରଫରୁ ୱାର୍କ ଫ୍ରମ ହୋମର ବ୍ୟବସ୍ଥା ରଖାଯାଇଛି। ଘରେ କାମ କରୁଥିବାରୁ ଲୋକଙ୍କ ପିଠି, ଅଣ୍ଟା ଓ ଆଖିରେ କଷ୍ଟ ଅନୁଭବ ହେଉଥିବାର ଜଣାପଡ଼ିଛି।
ଅଧିକ ସମୟ କମ୍ପ୍ୟୁଟରରେ କାମ କରିବା ଯୋଗୁଁ ମୁଣ୍ଡବିନ୍ଧା ମଧ୍ୟ ହେଉଛି। ୱାର୍କ ଫ୍ରମ ହୋମ ସହ ଜଡ଼ିତ ସମସ୍ୟାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଗାଇଡ ଲାଇନ ଜାରି କରିଛି। ଏଭଳି ସମସ୍ୟା ସମୟରେ ଲୋକମାନେ ଯେପରି ଆଉ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ସମ୍ମୁଖୀନ ନ ହୁଅନ୍ତୁ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଟିପ୍ସ ଦେଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ୱାର୍କ ଫ୍ରମ ହୋମ ସମୟରେ ଅଧିକ ସମୟ ଧରି ଗୋଟିଏ ସ୍ଥିତିରେ ବସିବା ଯୋଗୁଁ ଅଣ୍ଟାରେ କଷ୍ଟ ହେବାର ଅନେକ ଆଶଙ୍କା ରହିଛି। ସେଥିପାଇଁ ପ୍ରତି ଅଧା ଘଣ୍ଟାରେ ଥରେ ଉଠିକି ୩ ମିନିଟ ପାଇଁ ଶରୀରକୁ ଷ୍ଟ୍ରେଚ କରିବା ଦରକାର। ଏପରି କରିବା ଫଳରେ ଶରୀରକୁ ଆରାମ ମିଳିବା ସହ ଅଣ୍ଟା ଏବଂ ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଅଧିକ ସମୟ ପାଇଁ କମ୍ପ୍ୟୁଟର କିମ୍ବା ଲାପଟପ ସ୍କ୍ରିନକୁ ଦେଖିବା ଯୋଗୁଁ ଆଖିରେ ଯନ୍ତ୍ରଣା ହୋଇଥାଏ। ସେଥିପାଇଁ କମ୍ପ୍ୟୁଟର ସ୍କ୍ରିନକୁ ୧ ଫୁଟ କିମ୍ବା ୪ ରୁ ୫ ହାତ ଦୂରରେ ରଖିବା ଆବଶ୍ୟକ।
ପ୍ରତି ୧୫ କିମ୍ବା ୨୦ ମିନିଟରେ ଥରେ ଦୁଇ ହାତକୁ ପରସ୍ପର ସହ ଘଷି ଆଖିରେ କିଛି ସମୟ ପାଇଁ ରଖିଲେ ଆଖିର ଯନ୍ତ୍ରଣା କମ ହୋଇଥାଏ ଏବଂ ଆରାମ ମିଳିଥାଏ।
ଅଧିକ ସମୟ ବସି ରହିବା କାରଣରୁ ଶରୀର ବ୍ୟଥା ହୋଇଥାଏ। ତେଣୁ ଘରର ପାହାଚରେ ତଳୁ ଉପରକୁ ଓ ଉପରୁ ତଳକୁ କିଛି ସମୟ ପାଇଁ ଯିବା ଆସିବା କରନ୍ତୁ। ଦିନକୁ ଅତିକମରେ ୪ ରୁ ୫ ଥର ଏହିଭଳି କରନ୍ତୁ। ଏହାଦ୍ୱାରା ଶରୀରର ଥକାପଣ ଦୂର ହୋଇଥାଏ ଏବଂ ମାଂସପେଶୀ ମଧ୍ୟ ସୁସ୍ଥ ରହିଥାଏ।
ନିଜକୁ ସୁସ୍ଥ ଓ ସକ୍ରିୟ ରଖିବା ପାଇଁ ନିୟମିତ କିଛି ସମୟ ବ୍ୟାୟାମ କରନ୍ତୁ। ନିଜ ପସନ୍ଦର ଗୀତ କିମ୍ବା ମ୍ୟୁଜିକ ଲଗାଇ ଡ୍ୟାନ୍ସ ମଧ୍ୟ କରିପାରିବେ। ଏହାଦ୍ୱାରା ମନ ପ୍ରଫୁଲ୍ଲ ରହିବା ସହ ଓ ଶରୀର ମଧ୍ୟ ସୁସ୍ଥ ରହିବ।
ୱାର୍କ ଫ୍ରମ ହୋମ ସମୟରେ ଯେତେବେଳେ ସମୟ ପାଇବେ ଶରୀରକୁ ଷ୍ଟ୍ରେଚ କରନ୍ତୁ। ଏହାଦ୍ୱାରା ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ ଏବଂ ଶରୀର ଫୁର୍ତ୍ତି ଲାଗିଥାଏ।