– ଶିକ୍ଷକମାନଙ୍କୁ ଜଣାଇବା ଜରୁରୀ
-ପିଲା ସହ ଗ୍ଲୁକୋମିଟର ଓ ଗ୍ଲୁକୋଜ ବି ପଠାନ୍ତୁ
ଡାୟାବେଟିସ୍ ମେଲିଟସ୍ (ଡିଏମ୍) ହେଉଛି ଏପରି ଏକ ଅବସ୍ଥା ଯେତେବେଳେ କି ଆମ ଶରୀରର ଇନସୁଲିନ୍ ହରମୋନ୍ ପ୍ରସ୍ତୁତ କରିବାର କ୍ଷମତା କମିଯାଏ। ଇନସୁଲିନ୍ ହରମୋନ୍ ଆମେ ଖାଦ୍ୟ ଖାଇବା ପରେ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିଥାଏ। ତେଣୁ ଡାୟାବେଟିସ୍ ମେଲିଟସ୍ ହେଲେ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥାଏ। ତେବେ ଛୋଟ ପିଲାମାନେ ଏହାଦ୍ୱାରା ପ୍ରଭାବିତ ହେଲେ ସେମାନେ ବିଲକୁଲ ଇନସୁଲିନ୍ ପ୍ରସ୍ତୁତ କରିପାରନ୍ତି ନାହିଁ। ତେଣୁ ସଂପୂର୍ଣ୍ଣ ଭାବେ ଇନସୁଲିନ୍ ଇଞ୍ଜେକସନ୍ କିମ୍ବା ପମ୍ପ ଉପରେ ନିର୍ଭର କରିଥାନ୍ତି। କିଛି ପିଲାଙ୍କୁ ତ ବହୁତ ଥର ଇଞ୍ଜେକସନ୍ ଦେବାର ଆବଶ୍ୟକତା ପଡ଼େ। ପ୍ରତିଥର ସେମାନେ ଖାଇବା ପରେ ଏବଂ ଶୋଇବା ପୂର୍ବରୁ ଇଞ୍ଜେକସନ୍ ନେଇଥାନ୍ତି। ଏଭଳିକ୍ଷେତ୍ରରେ ପିଲାଟିର ଜୀବନ ଦୁର୍ବିସହ ହୋଇପଡ଼େ। ଏଭଳି ପରିସ୍ଥିତିରେ ବାପା ମା’ ସଚେତନ ହେବା ଜରୁରୀ। ପିଲାକୁ ଧେର୍ଯ୍ୟ ଧରିବା ଲାଗି ବୁଝାଇବା ସହିତ ତାର ଠିକ୍ ଯତ୍ନ ନେବାର ଆବଶ୍ୟକତା ରହିଛି। ତେବେ ଘରେ ତ ଆପଣ ତାର ଯତ୍ନ ନେଇଯିବେ, ହେଲେ ସେ ସର୍ବାଧିକ ସମୟ ବିତାଉଥିବା ସ୍କୁଲରେ କିପରି ଚଳିବ ସେ ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ସ୍କୁଲରେ ଶିକ୍ଷକମାନଙ୍କୁ ମଧ୍ୟ ତାର ଏଭଳି ପରିସ୍ଥିତି ସଂପର୍କରେ ଜଣାଇବାର ଆବଶ୍ୟକତା ରହିଛି। ଯେପରି ଆବଶ୍ୟକ ପଡ଼ିଲେ ସେମାନେ ସହାୟତା କରିପାରିବେ।
ଜରୁରୀକାଳୀନ ପରିସ୍ଥିତିରେ କ’ଣ କରିବେ: ଶରୀରରେ ଶର୍କରାର ପରିମାଣ ବଢିଗଲେ ପିଲାକୁ ଅବଶ ଲାଗେ, ଦେହ ଶୁଷ୍କ ହୋଇଯାଏ ଏବଂ ସେ କ୍ଲାନ୍ତ ହୋଇଯାଏ। ସମୟ ସମୟରେ ପିଲାମାନେ ବାନ୍ତି କରିବା ସହିତ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗିଥାନ୍ତି। ଏଭଳିସ୍ଥିତିରେ ତୁରନ୍ତ ପିଲାର ଅଭିଭାବକ ଏବଂ ଡାକ୍ତରଙ୍କ ସହ ସଂପର୍କ କରାଯିବା ଆବଶ୍ୟକ। ତେଣୁ ସ୍କୁଲରେ ଶିକ୍ଷକମାନଙ୍କୁ ପିଲାର ରୋଗ ବିଷୟରେ ଜଣାଇବା ସହିତ ଯେଉଁ ଡାକ୍ତରଙ୍କ ପାଖରେ ସେ ଚିକିତ୍ସିତ ହେଉଥିବ ତାଙ୍କର ଫୋନ୍ ନମ୍ବର ଦିଅନ୍ତୁ। ସେହିପରି ପିଲା ସହ ସ୍କୁଲକୁ ଗ୍ଲୁକୋମିଟର ନେଇ ଯିବାକୁ ସୁନିଶ୍ଚିତ କରାନ୍ତୁ। ପିଲା ସହ ଶିକ୍ଷକମାନଙ୍କୁ କିପରି ରକ୍ତ ସୁଗାର ପରୀକ୍ଷା କରାଯିବ ତାହା ଶିଖାନ୍ତୁ। ଜରୁରୀକାଳୀନ ସ୍ଥିତିରେ ଯଦି ରକ୍ତରେ ଶର୍କରାର ପରିମାଣ ୨୫୦-୩୦୦ଏମଜି/ଡିଏଲ୍ ହୋଇଯାଏ ତା’ ହେଲେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଏ ତ ଗଲା ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହେବା କଥା। ରକ୍ତରେ ଶର୍କରାର ପରିମାଣ କମିଗଲେ ମଧ୍ୟ ପିଲାକୁ ସମସ୍ୟା ହେବ। ବିଶେଷ କରି ମଧୁମେହରେ ପୀଡ଼ିତ ପିଲା ଅତ୍ୟଧିକ ଖେଳକୁଦ କରିବା ପରେ ଏହି ସମସ୍ୟା ଦେଖାଯାଏ। ଏପରି ହେଲେ ପିଲାର ଶରୀରରୁ ପ୍ରବଳ ଝାଳ ବାହାରିବା ସହ ଭୋକ ଲାଗିବା ଏବଂ ନିଦ ଲାଗିବା ଭଳି ସମସ୍ୟା ହୁଏ। ଏପରି କ୍ଷେତ୍ରରେ ତୁରନ୍ତ ତାର ମଧୁମେହ ପରୀକ୍ଷା କରାନ୍ତୁ। ଶର୍କରା ଅଂଶ କମିଯାଇଥିଲେ ୨ ଚାମଚ ଗ୍ଲୁକୋଜକୁ ଗୋଳାଇ ତାକୁ ପିଇବାକୁ ଦିଆଯିବା ଉଚିତ୍। ୧୫ ମିନିଟ୍ ପରେ ପୁଣି ଶର୍କରାର ମାତ୍ରା ପରୀକ୍ଷା କରାଯିବା ଦରକାର। ଯଦି ସୁଗର କମ୍ ଥାଏ ତା’ ହେଲେ ପିଲାଟିକୁ ପେଟପୂରା ଖାଇବା ଆବଶ୍ୟକ। ସେହିପରି କୌଣସି କ୍ଲାସ୍ରେ ମଧୁମେହ ଆକ୍ରାନ୍ତ ପିଲାଥିଲେ ସେଠାରେ ଗ୍ଲୁକୋମିଟର ଏବଂ ଗ୍ଲୁକୋଜ ରଖାଯିବା ନିହାତି ଜରୁରୀ।
ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣକୁ ପ୍ରତି ଧ୍ୟାନ ଦିଆଯିବା ଜରୁରୀ: ମଧୁମେହରେ ଆକ୍ରାନ୍ତ ପିଲାର ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣକୁ ବି ବୁଝିବା ଆବଶ୍ୟକ। ଟାଇପ-୧ ମଧୁମେହରେ ପୀଡ଼ିତ ପିଲାମାନଙ୍କୁ ସେମାନଙ୍କର ଖାଦ୍ୟ ଉପରେ ଧ୍ୟାନ ଦେବା ସହ ଶର୍କରାଯୁକ୍ତ ପାନୀୟ ନ ପିଇବା ପାଇଁ କୁହାଯାଇଥାଏ। କେବଳ ସେତିକି ନୁହେଁ, ପିଲାଟିକୁ ସ୍କୁଲ ଅବଧି ମଧ୍ୟରେ ସ୍ପଳ୍ପ ପରିମାଣର ଇନସୁଲିନ୍ ବି ନେବାକୁ ହୋଇଥାଏ। ଏଭଳିକ୍ଷେତ୍ରରେ ପିଲାଟି ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବି ଦୁର୍ବଳ ହୋଇଯାଏ। କ୍ଲାସ ଚାଲିଥିବା ସମୟରେ ଶର୍କରାର ପରିମାଣ କମିଗଲେ ବି ଖାଦ୍ୟ ମାଗିବାକୁ କିମ୍ବା ଏ ସଂପର୍କରେ କହିବାକୁ ସେ ସଙ୍କୋଚ ବୋଧ କରିଥାଏ। ସେହିପରି ଖେଳକୁଦ ସମୟରେ ପିଲାଟିକୁ ବାରମ୍ବାର ଶର୍କରାର ସ୍ତର ପରୀକ୍ଷା କରାଇବାକୁ ପଡ଼େ, ଯାହାକି ତାକୁ ଅସହଜ କରେ। ଫଳତଃ ପିଲାଟି ଅତ୍ୟଧିକ ଲାଜୁଆ କିମ୍ବା ଭୟାଳୁ ହୋଇଯାଏ। ଏଭଳି ସ୍ଥିତିରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଯେ ଏକ ସାଧାରଣ କଥା ତାହା ଶିକ୍ଷକମାନେ ପିଲାକୁ ବୁଝାଇବା ଦରକାର।
ସମସ୍ୟାର ସମାଧାନ କରିବେ କିପରି: ବାପା ମା’ଙ୍କର ଯତ୍ନ, ନିୟମିତ କାଉନସିଲିଂ, ଶିକ୍ଷକମାନଙ୍କର ସହୃଦୟତା ହିଁ ପିଲାଟିକୁ ଏଭଳିକ୍ଷେତ୍ରରେ ସହାୟକ ହୋଇପାରିବ। ଶିକ୍ଷକମାନେ ତାର ସହପାଠୀମାନଙ୍କୁ ବି ଏ ସଂପର୍କରେ ଅବଗତ କରିବାର ଆବଶ୍ୟକତା ରହିଛି। ଯେପରିକି ସେମାନେ ତାକୁ ଭିନ୍ନ ବ୍ୟବହାର କରିବେ ନାହିଁ ଓ ଜରୁରୀକାଳୀନ ସ୍ଥିତିରେ ସେମାନେ ଶିକ୍ଷକମାନଙ୍କୁ ଏ ନେଇ ଅବଗତ କରିପାରିବେ। ଏଭଳି ଭାବେ ଉପଯୁକ୍ତ ଯତ୍ନ ପାଇଲେ ପିଲାଟି ସ୍ୱାଭାବିକ ଜୀବନଯାପନ କରିପାରିବ।