ଉତ୍ତମ ସ୍ୱାସ୍ଥ୍ୟ ଏବଂ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଉପବାସ କରିବା ଜରୁରୀ। ସେହିପରି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆରୁ ନିଜକୁ ଦୂରରେ ରଖିବା ପାଇଁ କରନ୍ତୁ ଇ-ଫାଷ୍ଟିଂ।

ଇ-ଫାଷ୍ଟିଂ ବା ଇ-ଉପବାସ କ’ଣ?

ମାସକୁ କିମ୍ବା ସପ୍ତାହକୁ ଗୋଟିଏ ଦିନ ଫାଷ୍ଟିଂ ବା ଉପବାସ ରହିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଶରୀରର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଉପବାସ କରିବା ଏକ ଭଲ ଅଭ୍ୟାସ। ସେହିପରି ଇଣ୍ଟରନେଟ, ମୋବାଇଲ ଏବଂ ସୋସିଆଲ ମିଡିଆଠାରୁ ଦୂରେଇବାକୁ ଆଜିକାଲି ପ୍ରାୟ ଲୋକମାନେ ଇ-ଫାଷ୍ଟିଂ ବା ଇଲେକ୍ଟ୍ରୋନିକ ଫାଷ୍ଟିଂ ଆପଣାଉଛନ୍ତି। ଇଲେକ୍ଟ୍ରୋନିକ ଉପବାସ କିମ୍ବା ଇ-ଉପବାସ ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆ ପରି ଇଲେକ୍ଟ୍ରୋନିକ ଉପକରଣ ଏବଂ ସେବାଠାରୁ ଆପଣଙ୍କୁ ଦୂରରେ ରଖିପାରିବ। ସୋସିଆଲ ମିଡିଆରୁ ନିଜକୁ ଗୋଟିଏ ଦିନ ନିବୃତ୍ତ ରଖିବାକୁ ଇ-ଫାଷ୍ଟିଂ ସବୁଠାରୁ ସରଳ ଏବଂ ଉପଯୋଗୀ ଉପାୟ।

ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ

ଦିନର କେତେ ସମୟ ଇଣ୍ଟରନେଟରୁ ନିଜକୁ ଦୂରରେ ରଖିବେ ସେନେଇ ଏକ ସ୍ଥିର ନିଷ୍ପତ୍ତି ନିଅନ୍ତୁ। ଏହା ହୁଏତ ସ୍ୱଳ୍ପ ସମୟ ପାଇଁ ଆପଣଙ୍କର ଚିନ୍ତା ବଢ଼ାଇ ଦେବ, କିନ୍ତୁ ପରେ ଅନ୍ୟ ସମସ୍ତ କାମ କରିବାକୁ ଉତ୍ସାହିତ କରିପାରେ।

ଯଦି ଆପଣ ଗୋଟିଏ ଦିନ ଇଣ୍ଟରନେଟରୁ ନିଜକୁ ଦୂରରେ ରଖୁଛନ୍ତି, ତେବେ ପରବର୍ତ୍ତୀ ସମୟରେ ଦୁଇ ଦିନ କିମ୍ବା ଗୋଟିଏ ସପ୍ତାହ ଏପରି ରହିବାକୁ ଚେଷ୍ଟା କରନ୍ତୁ।

ଆତ୍ମ ନିୟନ୍ତ୍ରଣ

ସୋସିଆଲ ମିଡିଆ ବ୍ୟବହାର କରିବାକୁ ନିର୍ଦ୍ଦିଷ୍ଟ ସମୟ ଏବଂ କିଛି ନିୟମାବଳୀ ନିଜେ ତିଆରି କରନ୍ତୁ। ଯେପରିକି ସନ୍ଧ୍ୟାରେ ସୀମିତ ସମୟ ପାଇଁ ଇଣ୍ଟରନେଟ ବ୍ୟବହାର କରିବା କିମ୍ବା ଶୋଇବାକୁ ଯିବା ପୂର୍ବରୁ ଆଦୌ ବ୍ୟବହାର ନକରିବା ନେଇ ଆପଣ ନିଜେ ନିଷ୍ପତ୍ତି ନେଇପାରିବେ।

ସୋସିଆଲ ମିଡିଆରେ କମ ଯାଞ୍ଚ କରନ୍ତୁ

ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ଅଡିଓ, ଭିଡିଓ ଏବଂ ଫଟୋ ପୋଷ୍ଟ ହେଉଛି। ଗୋଟିଏ ସାଇଟ ଅନୁସନ୍ଧାନ କରିବା ସମୟରେ ଅନ୍ୟ ସାଇଟ ଉପରର ନଜର ପଡ଼ିବା କ୍ଷଣି ଆମେ ଉକ୍ତ ସାଇଟକୁ ଯାଞ୍ଚ କରୁଛୁ। ଏପରି କରିବା ଦ୍ୱାରା ଆମର ଉଭୟ ସମୟ ଏବଂ ଶକ୍ତି ନଷ୍ଟ ହେଉଛି। ତେଣୁ ଆପଣଙ୍କ ଆବଶ୍ୟକ ଅନୁସାରେ ଯାଞ୍ଚ କରନ୍ତୁ।

ମେସେଜ ଆଲର୍ଟ ଏବଂ ବିଜ୍ଞପ୍ତିକୁ ଅଣଦେଖା କରନ୍ତୁ

ମୋବାଇଲକୁ ବାରମ୍ବାର ମେସେଜ ଆସିଲେ ସେସବୁ ପ୍ରତି ଆମର ଆଗ୍ରହ ବଢ଼ିଥାଏ। ଯାହା ଦ୍ୱାରା ସବୁ ସମୟରେ ମୋବାଇଲ ଦେଖିବାକୁ ଲୋକମାନେ ଇଚ୍ଛା ପ୍ରକାଶ କରିଥାଆନ୍ତି। ସୋସିଆଲ ମିଡିଆରେ ଆସୁଥିବା ବିଜ୍ଞପ୍ତି ଆପଣଙ୍କ ଏକାଗ୍ରତା ଏବଂ ସମୟ ନଷ୍ଟ କରିଦେଇଥାଏ। ତେଣୁ ମୋବାଇଲକୁ କିପରି ବିଜ୍ଞପ୍ତି ଏବଂ ମେସେଜ କମ ଆସିବ ସେ ବ୍ୟବସ୍ଥା କରିବା ଉଚିତ।

ନିଜ ମୋବାଇଲ, ଲାପଟପ ଏବଂ କମ୍ପ୍ୟୁଟରର ଅନାବଶ୍ୟକ ଆପ ହଟାନ୍ତୁ। ସବୁବେଳେ ମୋବାଇଲକୁ ନିଜଠାରୁ ଦୂରରେ ରଖନ୍ତୁ।

ମୋବାଇଲକୁ କେବଳ କଥା ହେବା ପାଇଁ ବ୍ୟବହାର କରନ୍ତୁ। ଭିଡିଓ ଗେମ ଖେଳିବାର ଉପକରଣ ଭାବେ ସ୍ମାର୍ଟଫୋନକୁ ବାଛନ୍ତୁ ନାହିଁ। ଯଦି ଖେଳିବାର ଇଚ୍ଛା ରହିଛି ତେବେ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ।

ଛୁଟିଦିନରେ ସୋସିଆଲ ମିଡିଆରୁ ମଧ୍ୟ ଛୁଟି ନିଅନ୍ତୁ। ଘର ଲୋକ, ସାଙ୍ଗସାଥି ଏବଂ ଅନ୍ୟମାନଙ୍କ ସହ ମିଶନ୍ତୁ। ବାହାରକୁ ବୁଲିବାକୁ ମଧ୍ୟ ଯାଇପାରିବେ।

କେଉଁ କ୍ଷେତ୍ରରେ ସୋସିଆଲ ମିଡିଆର ଅଧିକ ଆବଶ୍ୟକ ରହିଛି ତାହା ଧାର୍ଯ୍ୟ କରନ୍ତୁ। ଅତି ଆବଶ୍ୟକ ନ ଥିଲେ ଫୋନ ବ୍ୟବହାର କରନ୍ତୁ ନାହିଁ।

ପ୍ରଥମେ ଗୋଟିଏ ଦିନ ଇଣ୍ଟରନେଟ ବିନା ରହିବାକୁ ଚେଷ୍ଟସ କରନ୍ତୁ। ଧୀରେ ଧୀରେ ଏହି ସମୟ ସୀମା ଆପଣ ବଢ଼ାଇ ପାରିବେ। ପରେ ନିଜ ଭିତରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ।