ଆସନ୍ତୁ ଜାଣିବା ଭଲ ସ୍ଵାସ୍ଥ୍ୟ ପାଇଁ କିପରି ଛୁଆମାନଙ୍କର ଯତ୍ନ ନେବା ଉଚିତ।

ଜନ୍ମ ହେବାଠାରୁ ବଡ଼ ହେବା ପର୍ଯ୍ୟନ୍ତ ଛୋଟଛୁଆମାନଙ୍କର ଯତ୍ନ ନେବା ଜରୁରୀ। ଛୋଟ ବେଳୁ ସେମାନଙ୍କୁ ଧ୍ୟାନ ନ ଦେଲେ ସମାନେ ଅନେକ ରୋଗର ଶିକାର ହୋଇପଡ଼ନ୍ତି। ସବୁ ସମୟରେ ସବୁ ଜିନିଷ ଦିଗରେ ଯତ୍ନ ନେବା ଦ୍ଵାରା ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ।

ଭଲ ଭାବରେ ପୋଷାକ ପିନ୍ଧାନ୍ତୁ

ଛୋଟ ପିଲାଙ୍କ କାନ, ମୁଣ୍ଡ, ଗୋଡ଼କୁ ସବୁବେଳେ ଠିକ ଭାବରେ ଘୋଡାଇରଖିବା ଉଚିତ। ଶିଶୁମାନଙ୍କ ପ୍ରତିରୋଧ ଶକ୍ତି କମ୍ ଥାଏ। ଯାହା ପାଇଁ ତାଙ୍କୁ ଅଧିକ ଥଣ୍ଡା ଲାଗିଥାଏ। ତେଣୁ ପିଲାଙ୍କୁ ସବୁବେଳେ ଦୁଇ ବା ତିନୋଟି କପଡା ପିନ୍ଧାଇରଖିବା ଉଚିତ। ଶିଶୁଙ୍କ ପୋଷାକ ଭିତରେ ୱାରମର ପିନ୍ଧାଇବାକୁ ଭୁଲନ୍ତୁ ନାହିଁ। ତାହା ପରେ ଟି-ସାର୍ଟ ଓ ସ୍ୱେଟର ପିନ୍ଧାନ୍ତୁ। ଯଦି ବେଶି ଥଣ୍ଡା ହୁଏ ତା’ହେଲେ ଦୁଇଟି ସ୍ୱେଟର ମଧ୍ୟ ପିନ୍ଧେଇ ପାରିବେ।

ମାଲିସ କରନ୍ତୁ

ପ୍ରତିଦିନ ପିଲାଙ୍କୁ ୧୦-୧୫ ମିନିଟ ମାଲିସ କରନ୍ତୁ। ଏହାଦ୍ୱାରା ପିଲାଙ୍କ ଚମଡ଼ା ଓ ହାଡ଼ ଶକ୍ତ ହୋଇଥାଏ। ବାଦାମ ତେଲ, ଜଡ଼ା ତେଲ ବା ପିଲାଙ୍କ ଯେ କୌଣସି ତେଲରେ ମାଲିସ କରିପାରିବେ। ଯଦି ସମ୍ଭବ ସୋରିଷ ତେଲରେ ମାଲିସ କରିବା ଭଲ। ମାଲିସ କରିବା ବେଳେ ପ୍ରଥମେ ତଳ ଗୋଡ଼ ପଟୁ ଆରମ୍ଭ କରି ଉପରକୁ ମାଲିସ କରିବା ଉଚିତ। ମାଲିସ କରିବା ଫଳରେ ରକ୍ତ ସଂଚାଳନର ସଠିକ ଭାବେ ହୋଇପାରେ। ରକ୍ତ ଠିକ ଭାବରେ ହାର୍ଟରେ ପହ଼଼ଞ୍ଚିପାରିଥାଏ।

ସଫାସୁତରା ରଖନ୍ତୁ

ପିଲାମାନଙ୍କୁ ସଫାସୁତରା ରଖିବା ବହୁତ ଜରୁରୀ। ପିଲାଙ୍କୁ ନିୟମିତ ଗୋଧୋଇ ଦିଅନ୍ତୁ। ସବୁଦିନ ଗାଧୋଇବା ଦ୍ୱାରା ଶରୀର ଜୀବାଣୁ ମୁକ୍ତ ହୋଇଥାଏ। ପିଲାମାନେ ଖେଳିବା ସମୟରେ ଧୂଳି ମଳି ସେମାନଙ୍କ ଶରୀରରେ ଲାଗିଯାଇଥାଏ। ଅନେକ କ୍ଷେତ୍ରରେ ମାଆମାନେ ଥଣ୍ଡା ହେବା ଭୟରେ ପିଲାଙ୍କୁ କପଡ଼ାରେ ଝାଡ଼ିଦେଇଥାଆନ୍ତି। ଏପରି କରିବା ଭୁଲ କଥା। ଏପରି କରିବା ଫଳରେ ଶରୀରର ଉପର ଅଂଶରୁ ଧୂଳି ଛାଡ଼ିଯାଏ କିନ୍ତୁ ସମ୍ପୂର୍ଣ୍ଣ ଭାବେ ସଫା ହୋଇନଥାଏ।

 

ଶୀତ ଦିନେ ଜନ୍ମ ଗ୍ରହଣ କରୁଥିବା ଶିଶୁଙ୍କୁ ଦୁଇ ବା ତିନି ଦିନରେ ଥରେ ଗାଧୋଇଦିଅନ୍ତୁ। ତାହା ପରେ ସ୍ପଞ୍ଜ କପଡ଼ା କିମ୍ବା ସଫା କପଡ଼ାରେ ଧୀରେ ଧୀରେ ପୋଛନ୍ତୁ। ବଡ଼ ପିଲାମାନେ ନିୟମିତ ଗାଧୋଇବା ଉଚିତ। ଯଦି ଥଣ୍ଡା ହୋଇଥାଏ ତାହା ହେଲେ ଗୋଟେ ଦିନ ଛାଡ଼ିକି ଶିଶୁକୁ ଗାଧୋଇ ଦିଅନ୍ତୁ।

ଖରାରେ ବସାନ୍ତୁ

ସୂର୍ଯ୍ୟଙ୍କ ସକାଳ କିରଣରୁ ଭିଟାମିନ-ଡି ମିଳିଥାଏ। ତେଣୁ ଛୋଟଛୁଆମାନଙ୍କୁ ଖରାରେ ଅଧିକ ସମୟ ବସାଇବା ପାଇଁ ଚେଷ୍ଟା କରନ୍ତୁ। ସେଥିପାଇଁ ପିଲାଙ୍କୁ ପ୍ରତିଦିନ ୧୧ ରୁ ୪ ଟା ମଧ୍ୟରେ ୧୫-୨୦ ମିନିଟ ପାଇଁ ଖରାରେ ଖେଳିବାକୁ ଛାଡ଼ନ୍ତୁ। ପିଲାଙ୍କୁ ସବୁବେଳେ ଘୋଡ଼ାଇକି ବାହାରକୁ ନେବା ଭଲ ନୁହେଁ। ସେଥିପାଇଁ ପିଲାଙ୍କୁ କିଛି ସମୟ ବାହାରେ ବୁଲିବା ପାଇଁ ଛାଡ଼ିଦେବା ଆବଶ୍ୟକ। ଘରର ଝରକା କିମ୍ବା କବାଟ ଦେଇ ଆସୁଥିବା ଖରାରେ ପିଲାମାନଙ୍କୁ ବସାଇବାକୁ ଚେଷ୍ଟା କରନ୍ତୁ।

ଫଳ ଓ ପରିବା ଖାଇବାକୁ ଦିଅନ୍ତୁ

ଜନ୍ମରୁ ଏକ ବର୍ଷ ପର୍ଯ୍ୟନ୍ତ ଛୁଆଙ୍କୁ ମା’ କ୍ଷୀର ପିଇବାକୁ ଦିଅନ୍ତୁ। ଆବଶ୍ୟକସ୍ଥଳେ ସେମାନଙ୍କୁ ମିଲ୍କ ପାଉଡର ବା ଲାକ୍ଟୋଜେନ ଦିଅନ୍ତୁ।  ଦୁଇ ବର୍ଷ ପିଲାଙ୍କୁ କ୍ରିମ ବା ମୋଟା କ୍ଷୀର ପିଇବାକୁ ଦିଅନ୍ତୁ । ଯାହା ପିଲାଙ୍କ ମସ୍ତିଷ୍କ ଓ ଆଖିର ବିକାଶ ପାଇଁ ବହୁ ସହାୟ ହୋଇଥାଏ। ଧୀରେ ଧୀରେ ପିଲା ବଡ଼ ହେଲେ ସେମାନଙ୍କୁ ଫଳ ଏବଂ  ପନିପରିବା ବି ଖୁଆଇ ପାରିବେ।