brown rice

ଲୋକେ ଫିଟ୍ ରହିବା ଚକ୍କରରେ ଏବେ ଭାତ ଖାଉନାହାନ୍ତି। କାରଣ ଭାତରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ ରହିଥାଏ। ତେବେ ଯଦି ଆପଣ ଭାତ ଖାଇବାକୁ ପସନ୍ଦ କରୁଥାନ୍ତି ତା’ ହେଲେ ଅକାଣ୍ଡିଆ ଚାଉଳ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ।

-ଅକାଣ୍ଡିଆ ଚାଉଳରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ଫାଇବର ଖାଦ୍ୟକୁ ଧୀରେ ଧୀରେ ହଜମ କରିଥାଏ। ତେଣୁ ଭୋକ କମ ହୋଇଥାଏ। ଏହାଯୋଗୁ ଆମ ଶରୀରରେ କ୍ୟାଲୋରୀର ପରିମାଣ ନିୟନ୍ତ୍ରିତ ହୋଇଥାଏ। ଫଳରେ ଓଜନ କମିବାରେ ସୁବିଧା ହୁଏ। ଅକାଣ୍ଡିଆ ଚାଉଳରେ ଥିବା ଫାଇବର ଷ୍ଟୋନ ହେବାର ଆଶଙ୍କାକୁ କମାଏ।

-ଅକାଣ୍ଡିଆ ଚାଉଳ ରକ୍ତରେ କୋଲେଷ୍ଟେରୋଲ୍‌ର ସ୍ତରକୁ ନିୟନ୍ତ୍ରିତ କରିବା ସହିତ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରେ। ଏଥିରେ ଥିବା ଫାଇବର ହୃଦରୋଗର କାରଣ ସାଜୁଥିବା ଖରାପ କୋଲେଷ୍ଟେରୋଲ ଏଲଡିଏଲ୍‌କୁ କମ କରିଥାଏ।

-ଅକାଣ୍ଡିଆ ଚାଉଳକୁ ଏଭଳି ଭାବେ ପ୍ରକ୍ରିୟାକରଣ କରାଯାଏ ଯାହାଦ୍ୱାରାକି ସେଥିରେ ଥିବା ମିନେରାଲ୍ସ, ଭିଟାମିନ ବି କଂପ୍ଲେକ୍ସ ଭଳି ପୋଷକ ତତ୍ତ୍ୱ ନଷ୍ଟ ହୁଏନାହିଁ। ଅନ୍ୟପଟେ ବଜାରରେ ମିଳୁଥିବା ଚାଉଳରେ ଏସବୁ ଗୁଣ ପ୍ରାୟ ନଥାଏ।

-ଅକାଣ୍ଡିଆ ଚାଉଳରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଭରପୁର ଥାଏ। ଏଥିରେ ଥିବା ସେଲେନିୟମ ହୃଦୟ ରୋଗ, କ୍ୟାନସର, ଆର୍ଥରାଇଟିସ ଭଳି ରୋଗରୁ ରକ୍ଷା କରେ।

-ଅକାଣ୍ଡିଆ ଚାଉଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାଯୋଗୁ ତ୍ୱଚାରେ କଳାଦାଗ, ଭାଙ୍ଗ ପ୍ରଭୃତି ପଡ଼େନାହିଁ। କେବଳ ସେତିକି ନୁହେଁ, ସୂର୍ଯ୍ୟର ହାନିକାରକ କିରଣରୁ ମଧ୍ୟ ଏହା ତ୍ୱଚାକୁ ରକ୍ଷା କରେ। ଏଥିପାଇଁ ଅକାଣ୍ଡିଆ ଚାଉଳର ପେଷ୍ଟ ତିଆରି କରି ତାକୁ ତ୍ୱଚାରେ ଲଗାନ୍ତୁ।

-ମଧୁମେହ ରୋଗୀମାନଙ୍କୁ ଭାତ ଖାଇବାକୁ ମନା କରାଯାଏ। କିନ୍ତୁ ସେମାନେ ଅକାଣ୍ଡିଆ ଚାଉଳକୁ ସପ୍ତାହରେ ୨-୩ ଥର ଖାଇପାରିବେ। କାରଣ ଅକାଣ୍ଡିଆ ଚାଉଳର ଗ୍ଲାଇକୋମିକ୍ ଇଣ୍ଡେକ୍ସ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହୋଇଥାଏ।

-ଏହା ହାଡ଼ର ସ୍ୱାସ୍ଥ୍ୟ ପାଇଁ ବି ଜରୁରୀ। ଏଥିରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ ରହିଥାଏ ଯାହା ହାଡ଼ର ଘନତ୍ୱକୁ ବଜାୟ ରଖେ।

-ରଜୋନିବୃତ୍ତି ହେଉଥିବା ମହିଳାଙ୍କ ପାଇଁ ମଧ୍ୟ ଏହା ଉପକାରୀ। ରଜୋନିବୃତ୍ତି ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାର ଶାରିରୀକ-ମାନସିକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଅକାଣ୍ଡିଆ ଚାଉଳରେ ଥିବା ଆମିନୋ ଏସିଡ୍ ସେମାନଙ୍କୁ ମାନସିକ ଅବସାଦରୁ ରକ୍ଷା କରେ।