କେବଳ ଆପଣଙ୍କ ଦୃଷ୍ଟି ଶକ୍ତି ନୁହେଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ସ୍ମାର୍ଟଫୋନ୍।
ଆଜିକାଲି ଲୋକେ ମୋବାଇଲ ଫୋନ୍ର ବ୍ୟବହାର ବହୁଳ ଭାବରେ କରୁଛନ୍ତି। ଏହା ଏବେ ଜୀବନର ସାଥୀ ଭଳି ଯୋଡ଼ି ହୋଇଗଲାଣି। ଖାଇବା ବେଳେ, ଶୋଇବା ବେଳେ, ସକାଳୁ ଉଠିବା କ୍ଷଣି ମୋବାଇଲ ଦେଖିବାକୁ ଭୁଲୁ ନାହାନ୍ତି। ତେବେ ସ୍ମାର୍ଟଫୋନ୍ର ବହୁଳ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ।
ସ୍ମାର୍ଟଫୋନ୍ ବ୍ୟବହାର ସମୟରେ ଆଙ୍ଗୁଠିର ଅଧିକ ବ୍ୟବହାର ହୋଇଥାଏ। ସେଥିପାଇଁ ଅଙ୍ଗୁଳି ମଧ୍ୟ ବିନ୍ଧା କରିଥାଏ। ସ୍ମାର୍ଟ ଫୋନ୍ ବ୍ୟବହାର ଦ୍ୱାରା ଆଖି ଉପରେ ଏହାର ପ୍ରଭାବ ଅଧିକ। ବହୁ ବ୍ୟକ୍ତି ଇ ବୁକ୍ ପଢ଼ିବା ପାଇଁ, ଇଣ୍ଟରନେଟ୍ ସର୍ଚ୍ଚ କରିବା ପାଇଁ ତଥା ମ୍ୟାସେଜ୍ ପଠାଇବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିଥା’ନ୍ତି। ଏହା କରିବା ସମୟରେ, ସ୍କ୍ରିନର ଉଜ୍ଜ୍ୱଳତା ଏବଂ ଛୋଟ ଫଣ୍ଟ ଆକାର ଆପଣଙ୍କ ଚକ୍ଷୁ ଉପରେ ବହୁତ ଚାପ ପକାଇଥାଏ, ବିଶେଷକରି ଆପଣ ଯଦି ଅନ୍ଧାରରେ ପଢ଼ୁଥାନ୍ତି। ମୋବାଇଲ୍ ଡିଭାଇସରେ ଅପେକ୍ଷାକୃତ ଭାବରେ ଛୋଟ ସ୍କ୍ରିନ୍ ରହିଥାଏ ତେଣୁ ଆପଣ ଆଖିକୁ ଅଧିକ ଖୋଲା ରଖିଥାନ୍ତି ଏବଂ କମ୍ ଥର ଆଖି ପତା ପକାଇଥାନ୍ତି। ଏହା ଯୋଗୁଁ ଡ୍ରାଏ ଆଇ ବା ଶୁଷ୍କ ଚକ୍ଷୁ, ପୋଡ଼ାଜଳା ହେବା ଏବଂ ନାଲି ପଡ଼ିବା ଦେଖା ଦେଇପାରେ।
ତେବେ ମୋବାଇଲ ନିଶା ଛଡ଼େଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ।
୧- ନୋଟିଫିକେସନ୍ ବନ୍ଦ କରନ୍ତୁ: ପ୍ରାୟ ଲୋକେ ଫୋନ୍ରେ କିଛି ନୋଟିଫିକେସନ୍ ଆସିବା ମାତ୍ରେ ଫୋନ୍ ଦେଖନ୍ତି। ଫଳରେ ଆପଣ ଫୋନ୍କୁ ବାରମ୍ବାର ଦେଖିବାକୁ ପଡ଼ିଥାଏ। ତେଣୁ ଆପଣ ମୋବାଇଲ ବ୍ୟବହାର କରିବାର ଏକ ସମୟ ଧାର୍ଯ୍ୟ କରନ୍ତୁ। ଯେତେବେଳେ ବ୍ୟବହାର କରିବେ ନାହିଁ, ସେତେବେଳେ ନୋଟିଫିକେସନ୍ ବନ୍ଦ କରନ୍ତୁ।
୨- କିଛି ନୂଆ କରନ୍ତୁ: ଅନେକ ଜିନିଷ ଅଛି, ଯାହାକୁ ଆପଣ ଡିଜିଟାଲ ଦୁନିଆ ବାହାରେ ବି ଉପଭୋଗ କରିପାରିବେ। ବଗିଚାରେ ଗଛ ଲଗାନ୍ତୁ, ଚିତ୍ର ଆଙ୍କନ୍ତୁ, ବୁଲିବାକୁ ଯାଆନ୍ତୁ, ନୂଆ ନୂଆ ରୋଷେଇ କରନ୍ତୁ ବା ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରି ନିଜ ସମୟ ଅତିବାହିତ କରନ୍ତୁ।
୩ – ଶୋଇବା ପୂର୍ବରୁ ‘ଡୁ ନଟ୍ ଡିସ୍ଟର୍ବ’ ମୋଡ୍ ଅନ୍ କରନ୍ତୁ: ରାତିରେ ମୋବାଇଲ୍ ରିଙ୍ଗ ହେବା ଏବଂ ଭାଇବ୍ରେସନ୍ ହେବା କାରଣରୁ ଅଧା ରାତିରେ ନିଦରୁ ଉଠିଥା’ନ୍ତି ଲୋକେ ଏବଂ ଏପରିକି ସନ୍ଧ୍ୟା ପରେ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅଧିକ ମୋବାଇଲ୍ କାରଣରୁ ସେମାନଙ୍କୁ ଭଲରେ ନିଦ ହୋଇନଥାଏ। ତେଣୁ ଶୋଇବା ସମୟରେ ମୋବାଇଲକୁ ଯଥାସମ୍ଭବ ଦୂରରେ ରଖନ୍ତୁ।