ମଳ ପ୍ରତିରୋପଣ କ’ଣ ଓ ଏହା କାହିଁକି କରିଯାଏ ? ଆସନ୍ତୁ ଜାଣିବା…

ଆଜିକାଲି ହୃଦ୍‌ଯନ୍ତ୍ର, କିଡ୍‌ନି, ଯକୃତ, ଅସ୍ଥିମଜ୍ଜା ଆଦି ଟ୍ରାନ୍ସପ୍ଲାଣ୍ଟ ହେବା ଭଳି ମଳ ପ୍ରତିରୋପଣ ବା ଫିକାଲ ଟ୍ରାନ୍ସପ୍ଲାଣ୍ଟ କରି ଅନେକ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରୁଛି। ଶରୀରରେ ଥିବା ପାକସ୍ଥଳୀ, ବୃହତ ଅନ୍ତନଳୀ (କୋଲୋନ୍‌), ଛୋଟ ଅନ୍ତନଳୀକୁ ନେଇ ତିଆରି ହୋଇଛି ପାଚନ ବ୍ୟବସ୍ଥା। ଶରୀରରେ ଥିବା କେତେକ ଭଲ ବ୍ୟାକ୍ଟେରିଆ ପାଚନ କ୍ରିୟା ଠିକ୍ ରଖିବା ସହିତ ସୁସ୍ଥ ରଖିଥାଏ। ମାତ୍ର କୌଣସି କାରଣରୁ ଏହାର ସଂଖ୍ୟା କମିଲେ ଶରୀର ମଧ୍ୟରେ ଖରାପ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିବାକୁ ଲାଗେ । କିଛିଦିନ ମଧ୍ୟରେ ଏହି ଖରାପ ବ୍ୟାକ୍ଟେରିଆ ବୃହତ୍ ଅନ୍ତଃନଳୀ ମଧ୍ୟରେ ଦୂଷିତ ପଦାର୍ଥ ନିର୍ଗତ କରି ଏହାକୁ ନଷ୍ଟ କରିଦେଇଥାଏ। ଏହାକୁ ଡାକ୍ତରୀ ଭାଷାରେ କ୍ଲୋଷ୍ଟ୍ରିଡମ୍ ଡିଫିସାଇଲ କୋଲାଇଟିସ ବୋଲି କୁହାଯାଏ। ଏହାର ଚିକିତ୍ସା ତୁରନ୍ତ କରାନଗଲେ କୋଲୋନ ଉପରେ କୁପ୍ରଭାବ ପଡ଼ିବା ସହିତ କୋଲୋନ ଆକାର ବଢ଼ିବାକୁ ଲାଗେ ଯାହାକୁ ଟକ୍ସିକ୍ ମେଗାକୋଲୋନ୍ କୁହାଯାଏ । ଏହାର ସଠିକ ଚିକିତ୍ସା କରାନଗଲେ ରୋଗୀର ମୃତ୍ୟୁ ମଧ୍ୟ ଘଟିଥାଏ।

କାହିଁକି କରିବାକୁ ହୁଏ ମଳ ପ୍ରତିରୋପଣ?

କୋଲୋନ ମଧ୍ୟରେ ଖରାପ ବ୍ୟାକ୍ଟେରିଆ ନଷ୍ଟ କରିବା ଲାଗି ସାଧାରଣତଃ ଆଣ୍ଟିବାଇଓଟିକ୍ ଔଷଧ ଦିଆଯାଏ । କେତେକ କ୍ଷେତ୍ରରେ ଏହା କାମ ନକଲେ କୃତ୍ରିମ ଭାବରେ ଭଲ ବ୍ୟାକ୍ଟେରିଆ ଶରୀର ମଧ୍ୟରେ ଛଡ଼ାଯାଏ। ଯାହା ଫଳରେ କୋଲୋନ୍ ପୁଣି ଭଲ ଭାବେ କାମ କରିବା ଆରମ୍ଭ କରିଥାଏ। ଏହି ବ୍ୟାକ୍ଟେରିଆ ମଳ ମାଧ୍ୟମରେ ପ୍ରତିରୋପଣ କରାଯାଇଥାଏ ଯାହାକୁ ସାଧାରଣ ଭାଷାରେ ମଳ ପ୍ରତିରୋପଣ ବା ଫିକାଲ ଟ୍ରାନ୍ସପ୍ଲାଣ୍ଟ କହନ୍ତି।

କିଭଳି କରାଯାଏ? (How is a fecal transplant done in Odia)

ଯେଉଁ ବ୍ୟକ୍ତିଙ୍କର କୌଣସି ସଂକ୍ରମଣଜନିତ ରୋଗ ନଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ କେବଳ ତାଙ୍କର ମଳ ଚିକିତ୍ସାରେ ବ୍ୟବହାର କରାଯାଇପାରେ। ଏହାକୁ ଭଲ ଭାବରେ ପରୀକ୍ଷା କରି ଭଲ ବ୍ୟାକ୍ଟେରିଆର ପରିମାଣ ଅଧିକ ଥିଲେ ଲାବୋରେଟୋରୀରେ ତରଳ କରାଯାଏ।  କୋଲୋନୋସ୍କୋପିକ୍ ପଦ୍ଧତିରେ ବୃହତ ଅନ୍ତଃନଳୀ ବା କୋଲୋନ୍‌ରେ ପ୍ରତିରୋପଣ କରାଯାଏ। ଏହି ଚିକିତ୍ସାର ସେଭଳି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ ଏବଂ ସୁଫଳ ଖୁବ୍ କମ୍ ଦିନରେ ମିଳିଥାଏ।

ନିକଟରେ କରାଯାଇଥିବା ଡାକ୍ତରୀ ସର୍ଭେ ଅନୁସାରେ ଫିକାଲ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା ପରେ ୯୦ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି। ଯଦି ନିୟମିତ ବୃହତ ଅନ୍ତଃନଳୀ ବା କୋଲୋନ୍ ସଂକ୍ରମଣ ହେଉଥାଏ ତା’ହେଲେ ତୁରନ୍ତ ଅଭିଜ୍ଞ ପେଟ ଓ ଯକୃତରୋଗ ବିଶେଷଜ୍ଞଙ୍କ ସହ ଫିକାଲ ଟ୍ରାନ୍ସପ୍ଲାଣ୍ଟ ସଂପର୍କରେ ପଚାରି ବୁଝନ୍ତୁ।

Everything you need to know about fecal transplants. Odia Health Tips.