ମହିଳାମାନଙ୍କୁ କିଭଳି ସ୍ତ୍ରୀ ରୋଗ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ ଆସନ୍ତୁ ସେ ସଂପର୍କରେ ଜାଣିବା।
ଅନେକେ ସ୍ତ୍ରୀ ରୋଗ କ’ଣ ତାହା ଜାଣିନଥିବେ। ଅଧିକାଂଶ ଏହାକୁ ଋତୁସ୍ରାବ ସମସ୍ୟା ବୋଲି ଭାବିନେଇଥା’ନ୍ତି। ପ୍ରକୃତରେ କିନ୍ତୁ ଏହା ମହିଳାଙ୍କ ରିପ୍ରଡକ୍ଟିଭ୍ ସିଷ୍ଟମ୍କୁ ପ୍ରଭାବିତ କରୁଥିବା ସମସ୍ୟା। ଏଥିରେ ସ୍ତନ, ଗର୍ଭାଶୟ, ଫେଲୋପିୟାନ୍ ଟ୍ୟୁବ୍ସ, ଓଭାରିର ସମସ୍ୟା ଇତ୍ୟାଦି ସାମିଲ।
ଡିସମେନୋରିଆ ବା ଯନ୍ତ୍ରଣାଯୁକ୍ତ ଋତୁସ୍ରାବ: (Painful menstruation in Odia): ଡିସମେନେରିଆ ବା ଯନ୍ତ୍ରଣାଯୁକ୍ତ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଏଭଳି ଯନ୍ତ୍ରଣା ହୋଇଥାଏ ଯେ ସେମାନେ ଦୈନନ୍ଦିନର କାମ କରିପାରନ୍ତି ନାହିଁ। ଏହା ଦୁଇ ପ୍ରକାରର ହୋଇଥାଏ, ପ୍ରାଇମେରୀ ଏବଂ ସେକେଣ୍ଡାରୀ।
ପ୍ରାଇମେରୀ ଡିସମେନୋରିଆ: ଏଥିରେ କୌଣସି ପ୍ରକାର ପେଲଭିକ୍ ସମସ୍ୟା ହୁଏନାହିଁ। ଋତୁସ୍ରାବ ହେବାର ଏକ ବା ଦୁଇଦିନ ପୂର୍ବରୁ ପେଟ ପ୍ରବଳ ଦରଜ ହୋଇଥାଏ। ଏକ ବା ଦୁଇଦିନ ଧରି ଏହା ରହିଥାଏ। ସାଧାରଣତଃ ସନ୍ତାନପ୍ରସବ ପରେ ଏହି ସମସ୍ୟାର ଅନ୍ତ ହୋଇଥାଏ।
ସେକେଣ୍ଡାରୀ ଡିସମେନୋରିଆ: ପେଲଭିକ୍ ଇନଫେକ୍ସନ୍, ୟୁଟେରାଇନ୍ ଫାଇବ୍ରଏଡ୍ କିମ୍ବା କପର-ଟି ଯୋଗୁଁ ଏହି ସମସ୍ୟା ହୋଇଥାଏ। ୩୦ ବର୍ଷୀୟ ମହିଳାଙ୍କ ନିକଟରେ ଏହା ଅଧିକ ଦେଖାଯାଏ। ଏହାର ମଧ୍ୟ ଚିକିତ୍ସା ସମ୍ଭବପର।
ଆମେନୋରିୟା ବା ପିରିଏଡ୍ସ ନ ହେବା: ପିରିୟଡ୍ସ ବା ଋତୁସ୍ରାବ ନ ହେବା ବିଭିନ୍ନ କାରଣରୁ ହୋଇଥାଏ। କିଛି ଝିଅଙ୍କର ନିର୍ଦ୍ଦିଷ୍ଟ ବୟସ ହେବା ସତ୍ତ୍ୱେ ପିରିୟଡ୍ସ ହୁଏନାହିଁ। ଆଉ କିଛି ଜଣଙ୍କର ଋତୁସ୍ରାବ ଆରମ୍ଭ ହୋଇ ବନ୍ଦ ହୋଇଥାଏ। ଏହାର ୩ଟି ଭିନ୍ନ ଭିନ୍ନ ସ୍ୱରୂପ ରହିଛି।
କ୍ରିପ୍ଟୋମେନୋରିଆ: ଯେଉଁ ଝିଅମାନଙ୍କର ଋତୁସ୍ରାବ ଆରମ୍ଭ ହୋଇନଥାଏ, ସେମାନଙ୍କୁ ଏହି ସମସ୍ୟା ହୋଇଥାଏ। ଏଥିରେ ପ୍ରତି ମାସରେ ଝିଅର ଆନ୍ତରିକ ରକ୍ତସ୍ରାବ ତ ହୋଇଥାଏ, କିନ୍ତୁ କିଛି କାରଣ ଯୋଗୁଁ ତାହା ଯୌନାଙ୍ଗ ମାଧ୍ୟମରେ ବାହାରକୁ ଆସିପାରେ ନାହିଁ।
ପ୍ରାଇମେରୀ ଆମେନୋରିଆ: ପ୍ରାୟ ସବୁ ଝିଅଙ୍କର ୧୫ ବର୍ଷ ହେବା ମଧ୍ୟରେ ଋତୁସ୍ରାବ ହୋଇଯାଏ। କିନ୍ତୁ ଯଦି ଏହି ବୟସ ପରେ ମଧ୍ୟ ଝିଅର ଋତୁସ୍ରାବ ହୁଏନାହିଁ, ତା’ହେଲେ ଏହା ଚିନ୍ତାଜନକ। ଥାଇରଏଡ୍, କ୍ରୋମୋଜୋମ୍ରେ ଅସାମନ୍ୟତା ବା ଅନ୍ୟ କିଛି ସମସ୍ୟା ଯୋଗୁଁ ତାର ଯୌନାଙ୍ଗ ଅବିକଶିତ ରହିଯିବା ଦ୍ୱାରା ମଧ୍ୟ ଋତୁସ୍ରାବ ହୋଇପାରିନଥାଏ।
ସେକେଣ୍ଡାରୀ ଆମେନୋରିଆ: ଛଅ ମାସ ଧରି ଋତୁସ୍ରାବ ନ ହେବା ସ୍ଥିତିକୁ ସେକେଣ୍ଡାରୀ ଆମେନୋରିଆ କୁହାଯାଏ। ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍, ଓଭାରିରେ ଟ୍ୟୁମର ହେବା, ମାନସିକ ଚାପ, ହାଇପୋଥାଇରଏଡିଜିମ୍, କୁପୋଷଣ, ମଧୁମେହ ଇତ୍ୟାଦି ଏହାର କାରଣ ହୋଇପାରେ।
ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ(ପିସିଓଏସ୍): ଆଜିକାଲି ଝିଅମାନଙ୍କ ମଧ୍ୟରେ ଏହା ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ମାନସିକ ଚାପ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଏହାର କାରଣ। ଏହାଯୋଗୁଁ ଓଭାରିର ଆକାର ବୃଦ୍ଧିପାଇଥାଏ ଏବଂ ଲଗାତର ସିଷ୍ଟ ହୋଇଥାଏ। ଝିଅମାନଙ୍କ ମଧ୍ୟରେ ମୋଟାପଣ, ଋତୁସ୍ରାବରେ ଅସାମାନ୍ୟତା, ବ୍ରଣ ଇତ୍ୟାଦି ଦେଖାଯାଏ। ତେବେ ଏହାର ଏକ ମାରାତ୍ମକ କଥା ହେଲା ପିସିଓଏସ୍ ହେଲେ ସମୟ ସମୟରେ ଇନସୁଲିନ୍ର ମାତ୍ରା ଏଭଳି ପ୍ରଭାବିତ ହୋଇଥାଏ ଯେ ମହିଳାଙ୍କୁ ମଧୁମେହ ହୋଇଯାଏ। ସନ୍ତୁଳିତ ଆହାର, ବ୍ୟାୟାମ ଓ ଯୋଗକୁ ନିୟମିତ ଭାବେ କଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।
ଫାଇବ୍ରଏଡ୍ସ: ସାଧାରଣତଃ ୩୦ ବର୍ଷ ମଧ୍ୟରେ ୨୦% ମହିଳାଙ୍କୁ ଫାଇବ୍ରଏଡ୍ ହୋଇଥାଏ। ୩୫-୪୫ ବର୍ଷ ମଧ୍ୟରେ ଏହା ତୀବ୍ର ଗତିରେ ବୃଦ୍ଧିପାଏ। ପ୍ରବଳ ଋତୁସ୍ରାବ, ବହୁତ ଅଧିକ ଯନ୍ତ୍ରଣା, ପେଟର ତଳ ଭାଗରେ ଯନ୍ତ୍ରଣା ବଢ଼ିଯିବା, ବାରମ୍ବାର ଗର୍ଭପାତ ହେବା ଏବଂ ପେଲଭିକ୍ ଅଞ୍ଚଳରେ ଦରଜ ଏହାର ସାଧାରଣ ଲକ୍ଷଣ।
ଏଣ୍ଡୋମେଟ୍ରେିଓସିସ୍: ଏଣ୍ଡୋମେଟ୍ରେିଓସିସ୍ ସଂପର୍କରେ ସବୁ ଝିଅ ଜାଣିବା ଆବଶ୍ୟକ। ଯେତେବେଳେ ଗର୍ଭାଶୟର ଭିତର ଲାଇନ୍ସ ବା ଟ୍ୟୁବ୍ସ ଅସାମାନ୍ୟ ଭାବେ ଗର୍ଭାଶୟ ବାହାରେ, ଓଭାରି ବା ଫେଲୋପିଆନ୍ ଟ୍ୟୁବ୍ସ ଉପରକୁ ମାଡ଼ି ଆସେ ତା ହେଲେ ଏହାକୁ ଏଣ୍ଡୋମେଟ୍ରେିଓସିସ୍ ବୋଲି କୁହାଯାଏ। ଏହା ହେଲେ ଋତୁସ୍ରାବ ସମୟରେ ଯନ୍ତ୍ରଣା, ଯୌନସଂପର୍କ ରକ୍ଷା ସମୟରେ ଯନ୍ତ୍ରଣା, ଡାଇରିଆ, ମୁଣ୍ଡ ବୁଲାଇବା ଏବଂ ବହୁତ ଅଧିକ ଥକ୍କାପଣ ହୋଇଥାଏ। ଏହା ଜଣାପଡ଼ିବା ପରେ ଡାକ୍ତର ଆପଣଙ୍କୁ ପେନକିଲର ଏବଂ ହରମୋନ୍ ଥେରାପି ଦେଇପାରନ୍ତି।
ପେଲଭିକ୍ ଇନ୍ଫ୍ଲେମେଟରୀ ଡିଜିଜ୍: ୟୁଟେରସ, ଫେଲୋପିୟାନ୍ ଟ୍ୟୁବ୍ସ, ଓଭାରି ଏବଂ ସର୍ଭିକ୍ସରେ ସଂକ୍ରମଣ ଓ ଜ୍ୱଳାପୋଡ଼ାକୁ ପେଲଭିକ୍ ଇନ୍ଫ୍ଲେମେଟରୀ ଡିଜିଜ୍ ବୋଲି କୁହାଯାଏ। ସାଧାରଣତଃ ଏହା ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍ ଯୋଗୁଁ ହୋଇଯାଏ। ଏଭଳି କ୍ଷେତ୍ରରେ ଶାରିରୀକ ସଂପର୍କ ରକ୍ଷା ସମୟରେ ମହିଳାଙ୍କୁ ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦିଆଯାଏ। ଅଧିକାଂଶଙ୍କ ନିକଟରେ ଏହାର ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଯେଉଁମାନଙ୍କ ନିକଟରେ ଦେଖାଯାଏ ସେମାନଙ୍କୁ ଜ୍ୱର, ପେଟର ତଳ ଭାଗରେ ଦରଜ, ପରିସ୍ରା କରିବା ସମୟରେ କଷ୍ଟ ହେବା, ଶାରିରୀକ ସଂପର୍କ ରକ୍ଷା ସମୟରେ କଷ୍ଟ ହେବା ଇତ୍ୟାଦି ଅନୁଭୂତ ହୋଇଥାଏ। ଅବଶ୍ୟ ଆଣ୍ଟିବାଇଓଟିକ୍ସ ଖାଇବା ଦ୍ୱାରା ଏହା ଭଲ ହୋଇଯାଏ।
ଭେଜାଇନିଟିସ୍: ଏହା ଯୌନାଙ୍ଗରେ ହେଉଥିବା ଏକ ପ୍ରକାର ସଂକ୍ରମଣ ଏବଂ ଜ୍ୱଳନ। ଝିଅମାନଙ୍କୁ କମ୍ ବୟସରେ ଏହା ଅଧିକ ହୋଇଥାଏ। କାରଣ ସେ ସମୟରେ ଯୌନାଙ୍ଗକୁ ସୁରକ୍ଷା ଦେଉଥିବା ଏଷ୍ଟ୍ରୋଜେନ୍ ନଥାଏ। ବଡ଼ ହେବା ପରେ ବି ଭେଜାଇନିଟିସ୍ କିଛି ମହିଳାଙ୍କୁ ସମସ୍ୟା ଦେଇଥାଏ। ଏହାର କାରଣ ହେଉଛନ୍ତି ସୂକ୍ଷ୍ମ ଜୀବାଣୁ। ଏହା ମଧ୍ୟ ଦୁଇପ୍ରକାରର ଦେଖାଯାଏ। ଯେପରିକି ଟ୍ରିକୋମୋନସ୍ ଏବଂ କେଣ୍ଡିଡା।
ଟ୍ରିକୋମୋନସ୍ ଭେଜାଇନିଟିସ୍: ଯୌନାଙ୍ଗରୁ ଅଚାନକ ଡିସଚାର୍ଜ ହେବା, ତାର ଆଖପାଖରେ କୁଣ୍ଡାଇ ହେବା, ବାରମ୍ବାର ପରିସ୍ରା ଯିବାକୁ ଇଚ୍ଛା ହେବା, ପରିସ୍ରା ହେବା ସମୟରେ ଜ୍ୱଳାପୋଡ଼ା ହେବା ଏହାର ଲକ୍ଷଣ। ଏହି ସମୟରେ ଯୌନାଙ୍ଗରୁ ହେଉଥିବା ଡିସଚାର୍ଜ ହଳଦିଆ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥାଏ।
କ୍ୟାଣ୍ଡିଡା ଭେଜାଇନିଟିସ୍: ଏହି ସଂକ୍ରମଣ ସମୟରେ ମଧ୍ୟ ଯୌନାଙ୍ଗର ଆଖପାଖରେ କୁଣ୍ଡାଇ ହୋଇଥାଏ। ଏହା ସହ ଡିସଚାର୍ଜ ବି ହୁଏ। କିନ୍ତୁ ଏହି ଡିସଚାର୍ଜ ଧଳା ରଙ୍ଗର ହୋଇଥାଏ। ଔଷଧ ଖାଇଲେ ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଏହା କମିଯାଏ।
ଲ୍ୟୁକୋରିଆ: ଯୌନାଙ୍ଗରୁ ଅତ୍ୟଧିକ ଡିସଚାର୍ଜ ହେବାକୁ ଲ୍ୟୁକୋରିଆ କୁହାଯାଏ। ତେବେ ଏହି ସମୟରେ କୁଣ୍ଡାଇ ହେବା କିମ୍ବା ସଂକ୍ରମଣର ଭୟ ନଥାଏ। ଗର୍ଭନିରୋଧକ ଟାବଲେଟ୍ ଖାଇବା, ପେଲଭିକ୍ ଇନଫ୍ଲେମେସନ୍ କାରଣ ଯୋଗୁଁ ଏହା ହୋଇପାରେ।
କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ
ପିରିୟଡ୍ସ ସମୟରେ ରକ୍ତସ୍ରାବ ଏବଂ ଡିସଚାର୍ଜ ସବୁ ମହିଳାଙ୍କ ପାଇଁ ଏକ ସାଧାରଣ କଥା। କିନ୍ତୁ ଯଦି ତା’ ପରେ ମଧ୍ୟ କୌଣସି ପ୍ରକାର ଡିସଚାର୍ଜ ହୁଏ କିମ୍ବା ଆପଣଙ୍କର ପ୍ରାଇଭେଟ୍ ପାର୍ଟରେ କିଛି ଅଜବ ଅନୁଭବ ହୁଏ ତା’ ହେଲେ ତୁରନ୍ତ କୌଣସି ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
-ପିରିୟଡ୍ସ ବହୁତ ଶୀଘ୍ର କିମ୍ବା ବହୁତ ବିଳମ୍ବରେ ହେଉଥିଲେ
-ପିରିୟଡ୍ସ ସମୟରେ ଅସାମାନ୍ୟ ଭାବେ ରକ୍ତସ୍ରାବ ହେଉଥିଲେ
-ପେଲଭିକ୍ ଅଞ୍ଚଳରେ ଦରଜ
-ଛାତିରେ ଆବୁ ହେବା
-ପରିସ୍ରା ସମୟରେ ଜ୍ୱଳାପୋଡ଼ା
-ଶାରୀରିକ ସଂପର୍କ ରକ୍ଷା ସମୟରେ ଜ୍ୱଳାପୋଡ଼ା ହେବା
ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ
ତେବେ ଏହି ସବୁ ରୋଗ ହେବା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ରହିବା ଉପରେ ଗୁରୁତ୍ୱ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ନିୟମିତ ଭାବେ ଯୋଗ ଓ ବ୍ୟାୟାମ କରନ୍ତୁ। ଫଳ ଓ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦିଅନ୍ତୁ।