୧୫– ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା।
କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହୋଇଥାଏ। ଏହି ସମୟରେ ପିତାମାତା, ସ୍କୁଲ୍ରେ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ସମଗ୍ର ସମାଜ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ୍।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୬ ମସିହାରେ ୬୨,୦୦୦ କିଶୋର/କିଶୋରୀ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ଏବେ ସାରା ପୃଥିବୀର ପ୍ରାୟ ୯୦ ପ୍ରତିଶତ କିଶୋର/କିଶୋରୀ ନିମ୍ନ- ମଧ୍ୟମ ଆୟବର୍ଗ ଦେଶଗୁଡ଼ିକରେ ବାସ କରୁଛନ୍ତି।
ଆତ୍ମହତ୍ୟା ପ୍ରବୃତ୍ତି ନିରାଶା, ହତାଶା କିମ୍ବା ଏକୁଟିଆପଣ କାରଣରୁ ହୋଇପାରେ। ଆତ୍ମହତ୍ୟା ବିଭିନ୍ନ କାରଣରୁ ହୋଇପାରେ ଯେପରିକି ମଦ୍ୟପାନର କ୍ଷତିକାରକ ପ୍ରଭାବ, ପିଲାଦିନୁ ନିଶାଗ୍ରସ୍ତ ହେବା, ସାମାଜିକ କୁସଂସ୍କାର କାରଣରୁ ସାହାଯ୍ୟ ମାଗିନପାରିବା, ନିଜର ମାନସିକ ଚିନ୍ତା ପ୍ରକାଶ କରିନପାରିବା ଏବଂ ମାନସିକ ସହାୟତା ଲାଭ କରିନପାରିବା।
ପାରିବାରିକ କାରଣ
କିଶୋର ଅବସ୍ଥାରେ ପିଲାମାନେ ହଠାତ୍ ରାଗିଯାଇଥାନ୍ତି, ହିଂସ୍ର ଭାବରେ ଆଚରଣ ପ୍ରଦର୍ଶନ କରିଥାନ୍ତି। ଖରାପ ଭାଷା କହିଥାନ୍ତି, ପିତାମାତାଙ୍କୁ ଅପମାନିତ କରିଥାନ୍ତି। ଏପରିକି ଜିନିଷପତ୍ର ଭାଙ୍ଗି ଦେଇଥାନ୍ତି ଓ ନିଜର ମଧ୍ୟ କ୍ଷତି କରିଥାନ୍ତି। ଏସବୁ କିଶୋର ଅବସ୍ଥାରେ ଶାରୀରିକ ଓ ମାନସିକ ପରିବର୍ତ୍ତନର ଲକ୍ଷଣ ହୋଇଥାଏ। ପିଲାର ଚରିତ୍ର ନୁହେଁ। ତେଣୁ ପ୍ରଥମେ ପିତାମାତା ଏହି ବୟସର ଲକ୍ଷଣଗୁଡ଼ିକୁ ବୁଝିବା ଉଚିତ୍। ପିଲା ସହିତ ସମତାଳରେ ଲଢ଼େଇ ନକରି, ସବୁକଥାରେ ପିଲାର ବିରୋଧ ନ କରି ପିଲାକୁ ବୁଝନ୍ତୁ ଓ ପିଲା ଶାନ୍ତ ହେବା ପରେ ବୁଝାଇବାକୁ ଚେଷ୍ଟା କରନ୍ତୁ। ପିଲା ରାଗିଯାଇ ପାଟିତୁଣ୍ଡ କଲେ ଏହାକୁ ହସି ହସି ଭୁଲିଯାନ୍ତୁ। ନିହାତି ଆବଶ୍ୟକ ନ ହେଲେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ। ପିଲାକୁ ବନ୍ଧୁ ପରି ବ୍ୟବହାର କରନ୍ତୁ। କେବେ ବି ପିଲାକୁ ଏକୁଟିଆ ହେବାକୁ ଦିଅନ୍ତୁ ନାହିଁ।
ଏହି ସମୟରେ ପିଲାମାନେ ଅଧିକ ସ୍ୱାଧୀନତା ଦାବି କରିଥାନ୍ତି। ନିଜ ପୃଥିବୀରେ ମସଗୁଲ୍ ରହିବାକୁ ଚାହିଁଥାନ୍ତି। ବିଭିନ୍ନ ସ୍ଥାନ, ଚଳଣି ଓ ସାମାଜିକ ସ୍ଥିତି ଅନୁଯାୟୀ ଏହା ଭିନ୍ନ ଭିନ୍ନ ହୋଇଥାଏ। ପିଲାକୁ ସବୁକଥାରେ ବିରୋଧ କରନ୍ତୁ ନାହିଁ। ସାଙ୍ଗସାଥୀମାନଙ୍କ ସହିତ ମିଶିବାକୁ ଦିଅନ୍ତୁ। ଶାରୀରିକ ତଥା ଯୌନ ପରିବର୍ତ୍ତନ ବିଷୟରେ ପିଲାକୁ ସ୍ପଷ୍ଟ ସୂଚନା ଦିଅନ୍ତୁ। ଯାହାଫଳରେ ପିଲାଟି ଭଲମନ୍ଦ ନିଜେ ବୁଝିପାରିବ। ନିଜ ଶରୀର ସୁରକ୍ଷାକୁ ପ୍ରାଥମିକତା ଦେବ। ଅବାଞ୍ଛିତ ଗର୍ଭଧାରଣ, ଶାରୀରିକ ନିର୍ଯାତନା, ଯୌନ ନିର୍ଯାତନା ଇତ୍ୟାଦିରୁ ନିଜକୁ ସୁରକ୍ଷିତ ରଖିପାରିବ।
ପରିବାର ମଧ୍ୟରେ ବାପା, ମାଆ କଳି କଜିଆ କରିବା, ଭାଇ ଭଉଣୀ ବା ବାପା ମାଆ ମଦ୍ୟପାନ କରିବା ଇତ୍ୟାଦି କୋମଳ କିଶୋର ଅବସ୍ଥାରେ ମାନସିକତାକୁ ପ୍ରଭାବିତ କରିଥାଏ। ତେଣୁ ପରିବାରରେ ଶାନ୍ତି ବଜାୟ ରଖନ୍ତୁ।
ଯଦି ପିଲାଟି କୌଣସି କ୍ଷେତ୍ରରେ ବିଫଳ ହୁଏ ତେବେ ତିରସ୍କାର କରନ୍ତୁ ନାହିଁ। ପିଲାଟିର ଦୁର୍ବଳତା ଜାଣନ୍ତୁ ଓ ସଫଳ ହେବାରେ ସାହାଯ୍ୟ କରନ୍ତୁ।
ପିଲାମାନଙ୍କୁ ଖରାପ ଭାଷାରେ ଗାଳିଦେବା, ସାଙ୍ଗମାନଙ୍କ ସମ୍ମୁଖରେ ଅପମାନିତ କରିବା, ତିରସ୍କାର କରିବା ସେମାନଙ୍କ ଭିତରେ ନିରାଶା ଭରିଦିଏ। କିଶୋର ଅବସ୍ଥାର ସ୍ପର୍ଶକାତର ମାନସିକ ଅବସ୍ଥାର ବଶବର୍ତ୍ତୀ ହୋଇ ବେଳେ ବେଳେ ଛୋଟ ଛୋଟ କଥାରୁ ପିଲାମାନେ ଆତ୍ମହତ୍ୟା କରିଥାନ୍ତି।
ଆତ୍ମହତ୍ୟା ନିରାକରଣ
ପିଲାମାନଙ୍କୁ ୧୦ରୁ ୧୯ ବର୍ଷ ମଧ୍ୟରେ ସ୍ନେହ ଶ୍ରଦ୍ଧାର ସହ ପାଳନ୍ତୁ। ବିଦ୍ୟାଳୟରେ, ଗୋଷ୍ଠୀରେ ତଥା ପରିବାରରେ ପିଲା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରନ୍ତୁ। ପିଲାର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବା ସହିତ ପିଲାର ବନ୍ଧୁ ଭାବରେ ସମସ୍ତ ସୁଖ ଦୁଃଖ ପଚାରି ବୁଝନ୍ତୁ। ପିଲାକୁ ଏକୁଟିଆ ହେବାକୁ ଦିଅନ୍ତୁ ନାହିଁ। ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା, ଟିଭି, ଇଣ୍ଟରନେଟ୍ ଓ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଆପଣ କିଶୋରଅବସ୍ଥାର ବିଭିନ୍ନ ଦିଗ ବିଷୟରେ ଅଧିକ ଜାଣନ୍ତୁ ଏବଂ ପିଲାଙ୍କୁ ମଧ୍ୟ ସେ ବିଷୟରେ ସଚେତନ କରନ୍ତୁ। ଯଦି ଆପଣଙ୍କର ଉଦ୍ୟମ ସତ୍ତ୍ୱେ ପିଲାଟି ମାନସିକ ବିଷାଦଗ୍ରସ୍ତ ହୋଇ ରହୁଛି ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣ ପିଲାଟିର ଖାଇବା ପିଇବା, ଶୋଇବା ଓ ଆଚରଣରେ ଦୀର୍ଘଦିନ ଧରି ଅସ୍ୱାଭାବିକତା ଲକ୍ଷ୍ୟ କରନ୍ତି ତେବେ ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ। ପିଲାର ଦକ୍ଷତା ଓ ଦୁର୍ବଳତା ବୁଝନ୍ତୁ। ପିଲାକୁ ଯଥାସାଧ୍ୟ ସୁବିଧା ସୁଯୋଗ ଦିଅନ୍ତୁ। ତୀବ୍ର କଟୁ ସମାଲୋଚନା କରିବା, ଗାଳିମନ୍ଦ କରିବା, ମାଡ଼ ଦେବା ଇତ୍ୟାଦିରୁ ବିରତ ରୁହନ୍ତୁ। ବନ୍ଧୁ ପରି ପିଲାଟି ସହିତ ଆଚରଣ କରନ୍ତୁ ଓ ପିଲାଟିର ସାମଗ୍ରିକ ବିକାଶରେ ସହାୟକ ହୁଅନ୍ତୁ।