ଆଜିକାଲି କାମର ଚାପ ବଢ଼ିବା ସହିତ ଅନେକ ଲୋକ ନିଦ୍ରାହୀନତା ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ପୂର୍ବରୁ ବୟସ୍କ ଲୋକମାନେ ଏହାର ଶିକାର ହେଉଥିବାବେଳେ ଏବେ ଯୁବପିଢ଼ି ଏହାଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି। ତେବେ ଏଥିପାଇଁ ଔଷଧ ଖାଇବା ଅପେକ୍ଷା କିଛି ନିୟମ ପାଳନ କଲେ ଆପଣ ଉପକାର ପାଇପାରିବେ।
ଡାକ୍ତରମାନଙ୍କ ଅନୁସାରେ ଜଣେ ଲୋକ କେତେ ସମୟ ଶୋଇବ ତାହା ବ୍ୟକ୍ତି ନିର୍ବିଶେଷରେ ଭିନ୍ନ ଭିନ୍ନ ହୋଇଥାଏ। ଜଣେ ସୁସ୍ଥ ଲୋକ ଦିନକୁ ୭ ଘଣ୍ଟାର ନିଦ୍ରା ଆବଶ୍ୟକ କରୁଥିବାବେଳେ ପିଲାମାନେ ଅଧିକ ସମୟ ଶୋଇଥାନ୍ତି। ତେବେ ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହାର ବେଶୀ କମ୍ ହୋଇଥାଏ। ଏଭଳି କ୍ଷେତ୍ରରେ ଯଦି ଯୁବାବସ୍ଥାରେ ନିଦ୍ରାହୀନତା ଭୋଗୁଥାନ୍ତି ତାହେଲେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ।
ଯୋଗ ଓ ପ୍ରାଣାୟମ କରନ୍ତୁ: ନିଦ୍ରାହୀନତା ପାଇଁ ଯୋଗ ଓ ପ୍ରାଣାୟ ଏକ ମହୌଷଧି ଭଳି କାମ କରେ। ପ୍ରତିଦିନ ସକାଳେ ଅତି କମରେ ୧୫ ମିନିଟ ପାଇଁ ଏହାକୁ କରନ୍ତୁ। ଏକୁଟିକା କରିବାକୁ ଇଚ୍ଛା ହେଉନଥିଲେ ନିକଟରେ ଥିବା କୌଣସି ଯୋଗ କେନ୍ଦ୍ରରେ ଯୋଗ ଦେଇପାରିବେ।
ବ୍ୟାୟାମ: ବ୍ୟାୟାମ କରିବା ଦ୍ୱାରା ଆପଣଙ୍କର ଓଜନ କମିବା ସହିତ ଶରୀରକୁ ଶକ୍ତି ମିଳିବ। ମୁଡ୍ ପରିବର୍ତ୍ତନ ହେବ। ପରୋକ୍ଷରେ ଏହା ଭଲ ନିଦ କରାଇବ। ଅଧିକ ସୁଫଳ ପାଇବା ପାଇଁ ସକାଳ ସହିତ ରାତ୍ରି ଭୋଜନ ପରେ ମଧ୍ୟ କିଛି ସମୟ ପାଇଁ ଚାଲନ୍ତୁ। ଏହାଦ୍ୱାରା ଗ୍ୟାସ ସମସ୍ୟା ବି ଦୂର ହେବ।
ମସାଜ କରାନ୍ତୁ: ଭଲ ନିଦ ପାଇଁ ବହୁ ପ୍ରାଚୀନ କାଳରୁ ମସାଜ ଥେରାପିର ପ୍ରଚଳନ ରହିଛି। ନିଜର ପସନ୍ଦ ଅନୁସାରେ ଆପଣ ଅଲିଭ ଅଏଲ, ସୁଗନ୍ଧିତ ତେଲ ଦ୍ୱାରା ମସାଜ କରାଇପାରିବେ। ତେବେ ଯଦି ଆପଣଙ୍କର ତ୍ୱଚା ସମ୍ବେଦନଶୀଳ ହୋଇଥାଏ ତା’ ହେଲେ ମସାଜ କରାଇନେବା ପୂର୍ବରୁ ସ୍କିନ ପରୀକ୍ଷା କରାନ୍ତୁ। ଏହା ମଧ୍ୟ ଶରୀରର ଯନ୍ତ୍ରଣା, ଡିପ୍ରେସନକୁ ଦୂର କରିଥାଏ।
ମ୍ୟାଗ୍ନେସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ: ମ୍ୟାଗ୍ନେସିୟମ ମାଂସେପେଶୀକୁ ରିଲାକ୍ସ କରିବା ସହିତ ମାନସିକ ଚାପକୁ ଦୂର କରିଥାଏ। ତେଣୁ ମ୍ୟାଗ୍ନେସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଆପଣ ଚାହିଁଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମ୍ୟାଗ୍ନେସିୟମର ଅଭାବ ଦୂର ପାଇଁ ଟାବଲେଟ ମଧ୍ୟ ଖାଇପାରିବେ।
ଶୋଇବା ପୂର୍ବରୁ ଗରମ ପାଣିରେ ଗାଧାନ୍ତୁ: ଏସବୁ ବ୍ୟତୀତ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ଦ୍ୱାରା ଗାଧୋଇଲେ ମଧ୍ୟ ଭଲ ନିଦ ହୋଇଥାଏ।