ଡାଇବେଟିସ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ନିକଟରେ ଚକ୍ଷୁ ସମସ୍ୟା ଦେଖାଦିଏ। ଆସନ୍ତୁ ଜାଣିବା ଏହି ଚକ୍ଷୁ ସମସ୍ୟା ବିଷୟରେ କ’ଣ କହୁଛନ୍ତି ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ। (EYE PROBLEM AND TREATMENT FOR DIABETES PATIENT IN ODIA)
ଡାଇବେଟିସ ବା ମଧୁମେହ ରୋଗ ବର୍ତ୍ତମାନ ସାଧାରଣ ରୋଗ ଭାବେ ଗଣତି ହେଉଛି। ସବୁବର୍ଗର ଲୋକମାନେ ଏଥିରେ ପୀଡ଼ିତ ହେଉଛନ୍ତି। ଅପରିବର୍ତ୍ତିତ ଜୀବନ ଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବଂ ପରିଶ୍ରମର ଅଭାବ ମଧୁମେହ ରୋଗର କାରଣ ହୋଇଥାଏ। ଅତ୍ୟଧିକ ଜଙ୍କ ଫୁଡ ଖାଇବା ଏବଂ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ମଧୁମେହ ରୋଗ ଦେଖାଯାଇଥାଏ। ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟରେ ଚକ୍ଷୁ ସମସ୍ୟା ମଧ୍ୟ ଦେଖାଯାଏ। ଆରମ୍ଭରୁ ଏହି ରୋଗର ଚିକିତ୍ସା ନ କରାଗଲେ ପରିସ୍ଥିତି ଜଟିଳ ହୋଇଥାଏ।
ଡାଇବେଟିସ ରୋଗୀଙ୍କ ଚକ୍ଷୁ ସମସ୍ୟା (Eye problem for Diabetics in Odia)
ସାଧାରଣତଃ ମଧୁମେହ ୨ ପ୍ରକାରର ଦେଖାଯାଏ। ପ୍ରଥମଟି ହେଉଛି ପ୍ରୋଲିଫେଟିଭ ଏବଂ ଅନ୍ୟଟି ହେଉଛି ନନ-ପ୍ରୋଲିଫେଟିଭ। ଡାଇବେଟିସ ନନ-ପ୍ରୋଲିଫେଟିଭରୁ ପ୍ରୋଲିଫେଟିଭ ହେବା ପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିଥାଏ। ପ୍ରାଥମିକ ଅବସ୍ଥାରେ ନନ-ପ୍ରୋଲିଫେଟିଭ ଡାଇବେଟିସ ରୋଗୀଙ୍କର ଚକ୍ଷୁ ସମସ୍ୟା ଦେଖାଦିଏ। ଠିକ ସମୟରେ କିମ୍ବା ରୋଗ ଆରମ୍ଭର ୬ ମାସରୁ ୧ ବର୍ଷ ଭିତରେ ଆଖି ଚିକିତ୍ସା ନ କରାଗଲେ ଆଖି ଖରାପ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଇନେବା ଆବଶ୍ୟକ।
ପ୍ରୋଲିଫେଟିଭ ଡାଇବେଟିସ ରୋଗୀମାନଙ୍କ କ୍ଷେତ୍ରରେ ଚକ୍ଷୁ ଚିକିତ୍ସା କରାଇବା କଷ୍ଟକର ହୋଇଥାଏ। ଚିକିତ୍ସା ପରେ ଆଖି ସଂପୂର୍ଣ୍ଣ ଭଲ ହୋଇଯିବାର ସମ୍ଭାବନା କମ ଥାଏ। ଅନେକ ରୋଗୀମାନଙ୍କର ଆଖି ଚିକିତ୍ସା ସରିବା ପରେ ମଧ୍ୟ ଆଖିରୁ ରକ୍ତସ୍ରାବ ହୋଇଥାଏ। ଅନେକ କ୍ଷେତ୍ରରେ ଏହି ଚିକିତ୍ସା ଫଳପ୍ରଦ ମଧ୍ୟ ହୋଇନଥାଏ।
ଡାଇବେଟିସ ରୋଗୀମାନଙ୍କର ଆଖି ଉପରେ ପରଳ ପଡ଼ିଯାଏ। ଯୁବାବସ୍ଥାରେ ସେମାନଙ୍କ ଆଖିରେ ମୋତିଆ ବିନ୍ଦୁ ହେବାର ଦେଖାଯାଏ। କମ ବୟସରୁ ପିଲାମାନଙ୍କର ଚକ୍ଷୁରେ କୌଣସି ସମସ୍ୟା ଦେଖାଗଲେ ସେମାନଙ୍କ ପାଖରେ ଡାଇବେଟିସ ଥିବାର ଆଶଙ୍କା କରାଯାଏ।
କେମିତି କରିବେ ଚିକିତ୍ସା? (What is the treatment procedure of Eye problem in Odia)
ଡାଇବେଟିସକୁ ଠିକ ସମୟରେ ନିୟନ୍ତ୍ରିତ ନ କରାଗଲେ ଆଖି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଅନେକ ରୋଗୀଙ୍କର ମଧୁମେହ ହେବାର ୨୦ ବର୍ଷ ପର୍ଯ୍ୟନ୍ତ ଆଖିରେ କୌଣସି ସମସ୍ୟା ଦେଖାଦିଏ ନାହିଁ। ଶରୀରରେ ଡାଇବେଟିସର ମାତ୍ରା କମ ରହିଲେ ଚକ୍ଷୁ ସମସ୍ୟାର ପ୍ରତିକାର କରିହେବ।
ଡାଇବେଟିସରେ ପୀଡ଼ିତ ଛୋଟ ପିଲାଙ୍କ ଆଖି ସମସ୍ୟା (Eye problem in young children with Diabetes in Odia)
ଡାଇବେଟିସ ରୋଗର ଟାଇପ ୧ ଏବଂ ଟାଇପ ୨ ଅବସ୍ଥା ରହିଛି। ଛୋଟ ପିଲାମାନଙ୍କ କ୍ଷେତ୍ରରେ ଟାଇପ ୧ ମଧୁମେହ ରୋଗ ଦେଖାଯାଏ। ଏହି ଟାଇପ ୧ ଡାଇବେଟିସ ଜିନଗତ ହୋଇଥାଏ ଏବଂ ପରିବାରର କୌଣସି ସଦସ୍ୟ ଏହି ରୋଗରେ ପୂର୍ବରୁ ପୀଡ଼ିତ ଥିଲେ ପିଲାଙ୍କୁ ମଧୁମେହ ଆକ୍ରାନ୍ତ କରେ। ଛୋଟଛୁଆମାନଙ୍କୁ ଡାଇବେଟିସ ଆକ୍ରାନ୍ତ ହେଲେ ସେମାନଙ୍କ ଚକ୍ଷୁ ସମସ୍ୟା ଦେଖାଦିଏ।
ଆମ ଶରୀରରେ ବିଟା ସେଲରୁ ଇନସୁଲିନ କ୍ଷରଣ ହୋଇଥାଏ। ଏହି ଇନସୁଲିନ ଅଭାବରୁ ଡାଇବେଟିସ ରୋଗ ଦେଖାଦିଏ। ଛୋଟ ପିଲାମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଇନସୁଲିନ ତିଆରି ହୋଇପାରେ ନାହିଁ। ତେଣୁ ରୋଗର ପ୍ରାଥମିକ ଅବସ୍ଥାରୁ ସେମାନଙ୍କୁ କୌଣସି ବଟିକା ଦିଆନଯାଇ ଇନସୁଲିନ ଇଞ୍ଜେକସନ ଦିଆଯାଏ। ଏହି ଇନସୁଲିନ ଇଞ୍ଜେକସନ ଦେବା ଫଳରେ ସେମାନଙ୍କ ମଧୁମେହ ରୋଗ ନିୟନ୍ତ୍ରିତ ହେବା ସହ ଆଖି ସମସ୍ୟା ମଧ୍ୟ ଦୂର ହୋଇଯାଏ।
ନିରାକରଣ (Precaution of Diabetes in Odia)
ନିୟମିତ ବ୍ୟାୟାମ ଏବଂ ଯୋଗ କରନ୍ତୁ।
ସପ୍ତାହକୁ ୫ ଦିନ ଅତି କମରେ ୩୦ ମିନିଟ ଚାଲିବା ଅଭ୍ୟାସ କରନ୍ତୁ।
ପ୍ରତିଦିନ ସବୁଜ ପନିପରିବା ଓ ଫଳମୂଳ ଖାଆନ୍ତୁ।
ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Eye Care for Diabetes Patients based on the interview with Dr. Surjya Kiran Patnaik, ophthalmologist.