ମାନସିକ ଚାପ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଏ। ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିଯିବା ଫଳରେ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଉ।
ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି ମାନସିକ ଚାପର ସମ୍ମୁଖୀନ ହେଉଛୁ। ଆଜିକାଲିର ଜୀବନଶୈଳୀ, କମର୍ମୟ ଜୀବନ ମଣିଷକୁ ସବୁବେଳେ ଚାପଗ୍ରସ୍ତ କରି ରଖିଥାଏ। ବାହାର ଚିନ୍ତାଠାରୁ ଆରମ୍ଭ କରି ବ୍ୟକ୍ତିଗତ ସମସ୍ୟା ପର୍ଯ୍ୟନ୍ତ, ଏକାଧିକ କାରଣ ଚାପ ସୃଷ୍ଟି କରିପାରେ। କିନ୍ତୁ ଅତ୍ୟଧିକ ଚାପ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ମାନସିକ ଚାପ ବ୍ୟକ୍ତିର ଉଭୟ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହା ହୃଦଘାତର ଏବଂ ମଧୁମେହ ଭଳି ଗୁରୁତର ରୋଗର ଆଶଙ୍କା ବଢ଼ାଇପାରେ। ମାନସିକ ଚାପ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କ୍ଷତି ପହଞ୍ଚାଏ।
ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ହେଉଥିବା ବଭିନ୍ନ ସଂକ୍ରମଣ ବିରୋଧରେ ଲଢ଼େଇ କରେ ଏବଂ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। କିନ୍ତୁ ମାନସିକ ଚାପ ଏହି ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ ଏବଂ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି।
ଚାପ ହେତୁ ଶରୀରରେ ଅଧିକ ମାତ୍ରାରେ କର୍ଟିସୋଲ ହରମୋନ୍ ଉତ୍ପାଦନ ହୋଇଥାଏ, ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସନ୍ତୁଳନ ରଖେ। ମସ୍ତିଷ୍କ ଏଣ୍ଡୋକ୍ରାଇନ ସିଷ୍ଟମକୁ ପ୍ରତିରକ୍ଷା ସଙ୍କେତ ଦେଇଥାଏ, ଯାହା ଦ୍ଵାରା ଜଣେ ବ୍ୟକ୍ତିର ଶରୀରରୁ ଅଦରକାରୀ ହରମୋନ ନଷ୍ଟ ହୋଇଯାଏ। କିନ୍ତୁ ମାନସିକ ଚାପ କାରଣରୁ କ୍ରମାଗତ ହରମୋନ ଅନିୟମିତତା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଯେତେବେଳେ ବ୍ୟକ୍ତି ଚାପଗ୍ରସ୍ତ ହୁଏ, ଶରୀରର ଆବଶ୍ୟକୀୟ ଲିମ୍ଫୋସାଇଟ ବା ଧଳା ରକ୍ତ କଣିକା ତିଆରି ହୋଇପାରେ ନାହିଁ। ଶରୀରରେ ଧଳା ରକ୍ତ କଣିକା ମାଇକ୍ରୋବସ ଏବଂ ଆଣ୍ଟିଜେନକୁ ନଷ୍ଟ କରିପାରେ।
ଚାପ ଯୋଗୁଁ ମାନସିକ ସ୍ଵାସ୍ଥ୍ୟ ମୁଖ୍ୟତଃ ପ୍ରଭାବିତ ହୋଇଥାଏ। ଅତ୍ୟଧିକ କ୍ରୋଧ, ରାଗ, ଚିନ୍ତା, ଦୁଃଖ ଏବଂ ଉଦାସୀନତା କାରଣରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରିତ ରହେ ନାହିଁ। ରୋଗ ପ୍ରତିରୋଧକ ଶକ୍ତି କମିବା ଫଳରେ ବ୍ୟକ୍ତି ଅସୁସ୍ଥ ହୋଇପଡ଼େ।
ଚାପ ଆପଣଙ୍କ ହଜମ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଚାପ ହେତୁ ଖରାପ ଖାଇବା ଅଭ୍ୟାସ, ବାନ୍ତି ଏବଂ ଅନ୍ୟାନ୍ୟ ପେଟ ଜନିତ ସମସ୍ୟାର କାରଣ ହୋଇପାରେ।
ଅତ୍ୟଧିକ ଚାପ ଥକ୍କାପଣର କାରଣ ହୋଇପାରେ ଏବଂ ବିଭିନ୍ନ କାର୍ଯ୍ୟ କରିବାକୁ ଏକ ଅକ୍ଷମତା ସୃଷ୍ଟି କରିଥାଏ।
ମାନସିକ ଚାପ ମଧ୍ୟ ଅନିଦ୍ରା, ଉଚ୍ଚ ରକ୍ତଚାପ, ଶୀଘ୍ର ନିଶ୍ୱାସ, ହୃଦଘାତ ଏବଂ ବାରମ୍ବାର ମୁଣ୍ଡବିନ୍ଧାର କାରଣ ହୋଇପାରେ।
ମାନସିକ ଚାପଠାରୁ କେମିତି ଦୂରରେ ରହିବେ?
ଉତ୍ତମ ଖାଦ୍ୟପେୟ ଏବଂ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ।
ବିଭିନ୍ନ ପୁସ୍ତକ ପଢ଼ିବା ଏବଂ ଲେଖାଲେଖି ଅଭ୍ୟାସ କରନ୍ତୁ।
ନିୟମିତ ବ୍ୟାୟାମ ଏବଂ ଯୋଗ କରନ୍ତୁ।