ଜାଣନ୍ତୁ, ମହାମାରୀ କରୋନା ସମୟରେ କିଭଳି ନବଜାତ ଶିଶୁମାନଙ୍କୁ ସୁରକ୍ଷିତ ରଖିବେ।

premature baby

କରୋନା ଭାଇରସ (କୋଭିଡ୍‌-୧୯) ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକ ହେଲା ସର୍ଦ୍ଦି, ଜ୍ୱର, ଲଗାତାର କାଶ ଓ ଛିଙ୍କ ଇତ୍ୟାଦି। ଏହି ଭୂତାଣୁ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ ସହଜରେ ଡେଇଁଥାଏ।

ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ।

ତେବେ କରୋନା ଭାଇରସ (କୋଭିଡ୍‌-୧୯) ହେଉଛି ଏକ ନୂଆ ଭାଇରସ୍‌। ଯେହେତୁ ଏହା ନୂଆ ଏହାର ପ୍ରକାର ଓ ପ୍ରଭାବ ସଂପର୍କରେ ବର୍ତ୍ତମାନ ଅନେକ କଥା ଜଣାପଡ଼ି ନାହିଁ। ପୂର୍ବରୁ ଇବୋଲା ଭଳି ଭାଇରସ୍‌ ମା’କୁ ହେଉଥିଲେ ଛୁଆ ବିକଳାଙ୍ଗ ହୋଇ ଜନ୍ମ ହେଉଥିଲା। କିନ୍ତୁ କରୋନା ଭାଇରସ୍‌ ମା’କୁ ହେଲେ ଛୁଆ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଏଯାଏଁ ଜଣାପଡ଼ି ନାହିଁ।

newly born baby

କରୋନା ସଂକ୍ରମିତ ମା’ଠାରୁ ସ୍ତନ୍ୟପାନ କରୁଥିବା ଶିଶୁ ସଂକ୍ରମିତ ହୁଏ କି? (Will the Nursing Mother transmit Coronavirus to the Baby, in Odia)

ମା’କୁ କରୋନା ହୋଇଥିଲେ ସ୍ତନ୍ୟପାନ କରୁଥିବା ଛୁଆକୁ ସିଧାସଳଖ କରୋନା ବ୍ୟାପିବାର ଏଯାଏଁ କୌଣସି ପ୍ରମାଣ ନାହିଁ। ଯଦି ଜଣେ ମହିଳାଙ୍କର କରୋନା ଭାଇରସ୍‌ ପଜିଟିଭ୍‌ ଅଛି ଏବଂ ସେ ଛୁଆ ଜନ୍ମ କରୁଛନ୍ତି, ତେବେ ଭାଇରସ ମା’ର ଶରୀରରୁ ଛୁଆର ରକ୍ତକୁ ଯାଇପାରିବ ବୋଲି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ। କିନ୍ତୁ ଗୋଟେ ଦୁଇଟି କେସ୍‌ରେ ମା’ଠାରୁ ଛୁଆକୁ କରୋନା ସଂକ୍ରମିତ ହୋଇଛି। ଯଦି ମା’ କରୋନା ଆକ୍ରାନ୍ତ, ତେବେ ନବଜାତ ଶିଶୁକୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଶିଶୁଟିକୁ ମା’ଠାରୁ ଅସ୍ଥାୟୀ ଭାବରେ ଅଲଗା ରଖିବାକୁ ହେବ।

କରୋନା ଆକ୍ରାନ୍ତ ମା’ମାନେ ସେମାନଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇପାରିବେ। କିନ୍ତୁ ମା’ର କ୍ଷୀରକୁ ବୋତଲରେ ନେଇ ପିଲାକୁ ଦିଆଯାଇପାରିବ। ମା’ କରୋନା ପଜିଟିଭ୍‌ ଥିଲେ ଛୁଆର ଟେଷ୍ଟିଂ କରିବା ନିହାତି ଜରୁରୀ। ଯଦି ମା’ କରୋନା ଭାଇରସରେ ଆକ୍ରାନ୍ତ ନୁହେଁ, ତେବେ ମା’ଠାରୁ ଛୁଆକୁ ଅଲଗା ରଖିବାର କୌଣସି ଆବଶ୍ୟକତା ନାହିଁ।

କରୋନା ବେଳେ ଶିଶୁମାନଙ୍କ ପାଇଁ ବିଶେଷ ଯତ୍ନ (Special care for Newborns during Covid-19 pandemic, in Odia)

ନବଜାତ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ଏଥିପାଇଁ ଶିଶୁମାନଙ୍କର ବିଶେଷ ଯତ୍ନ ନେବା ଜରୁରୀ। ଶିଶୁମାନଙ୍କୁ ଧରିବା ପୂର୍ବରୁ ହାତକୁ ୨୦ ସେକେଣ୍ଡ ପାଇଁ ହାଣ୍ଡଓ୍ୱାସ୍‌ ବା ସାବୁନରେ ଧୁଅନ୍ତୁ। ସ୍ତନ୍ୟପାନ ବେଳେ ସଂସ୍ପର୍ଶରେ ଆସୁଥିବା ସମସ୍ତ ଅଂଶକୁ ସଫା କରି ଶିଶୁଙ୍କୁ ସ୍ତନ୍ୟପାନ କରାନ୍ତୁ। ଶିଶୁ ବ୍ୟବହାର କରୁଥିବା ପୋଷାକ, ବ୍ୟବହୃତ କପଡ଼ାକୁ ପରିସ୍କାର ରଖିବା ସହ ଶିଶୁ ରହୁଥିବା ଘରକୁ ସଫା ରଖନ୍ତୁ। ଏହା ସହ ଶିଶୁ ଶୋଉଥିବା ବେଡସିଟ୍‌କୁ ସଫା ରଖନ୍ତୁ। ପିଲାଙ୍କୁ ଯେତେ ସମ୍ଭବ ଘରେ ରଖନ୍ତୁ। ଯଦି ଘରର କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର ହୋଇଥାଏ, ତେବେ ଶିଶୁକୁ ତାଙ୍କଠାରୁ ଦୂରେଇ ରଖନ୍ତୁ।

ଏହାଛଡ଼ା କରୋନା ସମୟରେ ଚାକିରି କରୁଥିବା ଗର୍ଭବତୀ ମହିଳାମାନେ ଅଧିକ ଯତ୍ନ ନେବା ଜରୁରୀ। ଏହି ସମୟରେ ମହିଳାମାନେ ଯଦି ଘରୁ ରହି କାମ କରିପାରିବେ ତାହା ଅତ୍ୟନ୍ତ ଭଲ। ଯଦି ଅଫିସ୍‌ ଯିବାକୁ ପଡ଼ୁଛି, ତେବେ ଅନ୍ୟମାନଙ୍କଠାରୁ ସାମାଜିକ ଦୂରତା ରକ୍ଷା, ବାରମ୍ବାର ସାବୁନରେ ହାତ ଧୋଇବା ଓ ନିଜର ସମ୍ପୂର୍ଣ୍ଣ ଭାବେ ଯତ୍ନ ନେବା ଜରୁରୀ।