ଶରୀର ସୁସ୍ଥ ରହିବା ଲାଗି ମାଂସପେଶୀ ମଜଭୁତ ରହିବା ଖୁବ୍ ଜରୁରୀ। ମାଂସପେଶୀ ଯେତେ ମଜଭୁତ ରହିବ ଆପଣ ସେତେ ଫିଟ୍ ରହିବେ। କାରଣ ଏହା ମେଟୋବୋଲିଜିମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ତେଣୁ ଲୋକମାନଙ୍କର ଓଜନ କମ୍ ହୋଇଥାଏ। ସେହିପରି କୌଣସି ପ୍ରକାର କ୍ଷତ ହେଲେ ସେଥିରୁ ଆରୋଗ୍ୟ ଲାଭ ପାଇଁ ମଧ୍ୟ ମାଂସପେଶୀ ସହାୟକ ହୋଇଥାଏ। ଏହାଯୋଗୁ ରକ୍ତଚାପ ଓ ମଧୁମେହ ମଧ୍ୟ ନିୟନ୍ତ୍ରଣରେ ରହେ। ଏପରିସ୍ଥଳେ ମାଂସପେଶୀକୁ କିଭଳି ମଜୁଭତ କରିବେ ତାହା ଜାଣିରଖନ୍ତୁ।
-ମାଂସପେଶୀକୁ ସୁସ୍ଥ ରଖିବାର ସବୁଠୁ ବଡ଼ ଉପାୟ ହେଲା ଡାଏଟ୍ ଏବଂ ବ୍ୟାୟାମ ମଧ୍ୟରେ ସନ୍ତୁଳନ ବଜାୟ ରଖିବା। କୌଣସି ଭଲ ଫିଟନେସ ଟ୍ରେନର କିମ୍ବା ଡାଏଟିସିଆନ୍ଙ୍କ ପରାମର୍ଶ ନେଇ ଆପଣ ନିଜ ଶରୀରର ଆବଶ୍ୟକତା ଓ କ୍ଷମତା ଅନୁସାରେ ଡାଏଟ ପ୍ଲାନ କରିପାରିବେ। ଏହାଦ୍ୱାରା ଆପଣ ମାଂସପେଶୀ ଓ ଲିଗାମେଣ୍ଟ ଉପରେ ଅତ୍ୟଧିକ ଚାପ ନ ପକାଇ ମଧ୍ୟ ସୁଫଳ ପାଇପାରିବେ।
-ମାଂସପେଶୀକୁ ଶକ୍ତ କରିବାକୁ ଚାହୁଁଥିଲେ କେବଳ ଜିମ୍ରେ ୱାର୍କଆଉଟ କରିବା ଯଥେଷ୍ଟ ନୁହେଁ। ଘରେ ଚାକରାଣୀ ରଖିବା ବଦଳରେ ଘରୋଇ କାମ ଯେପରିକି ଘରପୋଛା, ଝାଡୁକରିବା, ଲୁଗା ସଫା କରିବା ଇତ୍ୟାଦି ନିଜେ କରିବା ଦରକାର। ଲିଫ୍ଟ ବଦଳରେ ଶିଡ଼ି ଚଢନ୍ତୁ। ଏହାଦ୍ୱାରା ପାଦ, ଜଂଘ ଓ ପେଟର ମାଂସପେଶୀକୁ ବଳ ମିଳିବ।
-ପାଦର ମାଂସପେଶୀକୁ ଶକ୍ତ କରିବାକୁ ହେଲେ ନିୟମିତ ଭାବେ ୨୦ ମିନିଟ ଧରି ଚାଲନ୍ତୁ। ଫୋନରେ କଥା ହେଉଥିବା ସମୟରେ ବି ଆପଣ ଏହା କରିପାରିବେ। ସମୟ ସମୟରେ ପାଦ ଆଙ୍ଗୁଠିରେ ଛିଡ଼ା ହେବାର ଅଭ୍ୟାସ କରନ୍ତୁ।
-ମାଂସପେଶୀକୁ ସୁସ୍ଥ ରଖିବାର ଆଉ ଏକ ଉପାୟ ହେଲା ଶରୀର ପାଇଁ ଆବଶ୍ୟକ ମାତ୍ରାରେ ପାଣି ପିଇବା। ଦିନକୁ ଅତି କମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ। ଶରୀରର ଆବଶ୍ୟକତା ଅନୁସାରେ ଏହାକୁ ବଢ଼ାଇ ବି ପାରିବେ।
-ନିଶା ସେବନରୁ ଦୂରେଇ ରୁହନ୍ତୁ। ଏହା ହଠାତ୍ ମାଂସପେଶୀ ଉପରେ ପ୍ରଭାବ ପକାଉ ନଥିଲେ ବି ଧୀରେ ଧୀରେ ତାକୁ ଦୁର୍ବଳ କରିଦେଇଥାଏ।
-ସେହିପରି ଅତ୍ୟଧିକ କଫି ପିଇବାର ଅଭ୍ୟାସକୁ ମଧ୍ୟ ଛାଡ଼ିବାକୁ ପଡ଼ିବ। ଏହା ଶରୀରରେ ପ୍ରୋଟିନ ସିନ୍ଥେସିସର ପ୍ରକ୍ରିୟାକୁ ଧିମା କରିଦେଇଥାଏ। ଫଳରେ ମାଂସପେଶୀ ଉପରେ ନକରାତ୍ମକ ପ୍ରଭାବ ପଡ଼େ। ଅତ୍ୟଧିକ କଫି ପିଇବା ଯୋଗୁ ମାଂସପେଶୀ ଲୌହ ଅବଶୋଷଣ କରିପାରେନାହିଁ। ତେଣୁ ଆନିମିଆର ଆଶଙ୍କା ଖୁବ୍ ବଢ଼ିଯାଏ।
-ମାଂସପେଶୀକୁ ସୁସ୍ଥ ରଖିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ କରନ୍ତୁ। ଦିନକୁ ଅତି କମରେ ୬-୮ ଘଣ୍ଟା ଧରି ଶୋଇବା ଦରକାର। କାରଣ ଆମେ ଶୋଇବା ସମୟରେ ଶରୀରକୁ କମ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଆଉ ସେହି ଶକ୍ତି ମାଂସପେଶୀର ମରାମତି ତଥା ନିର୍ମାଣରେ ବ୍ୟବହୃତ ହୋଇଥାଏ। ଯଦି କମ ସମୟ ଶୋଇବେ ତା’ ହେଲେ ମାଂସେପେଶୀ ଧୀରେ ଧୀରେ ଦୁର୍ବଳ ହୋଇଚାଲିବ।
-ଅତ୍ୟଧିକ ୱାର୍କଆଉଟ କଲେ ମଧ୍ୟ ମାଂସପେଶୀ ଦୁର୍ବଳ ହୋଇଥାଏ। ତେଣୁ ସେଥିରୁ ନିବୃତ୍ତ ରୁହନ୍ତୁ।