ମାନସିକ ଚାପ ଯୋଗୁଁ ଅନେକ ଗୁରୁତର ରୋଗ ଦେଖାଦିଏ। ଏହି ଚାପରୁ ମୁକ୍ତ ରହିବା ପାଇଁ ଆପଣାନ୍ତୁ କିଛି ଭଲ ଅଭ୍ୟାସ।
ଆଜିକାଲି ମାନସିକ ଚାପ ସାଧାରଣ ରୋଗ ଭାବେ ଦେଖାଦେଉଛି। ଏହା ପଛରେ ଅନେକ ସମ୍ଭାବ୍ୟ କାରଣ ରହିଛି। ଆପଣ ହୁଏତ ଜାଣି ନଥିବେ କିନ୍ତୁ ଏପରି କିଛି ଅଭ୍ୟାସ ଅଜାଣତରେ ଆପଣଙ୍କୁ ଚାପ ପକାଇପାରେ। କେତେକ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ମାନସିକ ଚାପର କାରଣ ପାଲଟେ। ମାନସିକ ଚାପ ଯୋଗୁଁ ଅନେକ ଗୁରୁତର ରୋଗ ମଧ୍ୟ ଦେଖାଦିଏ। ଏକ ଖରାପ ଜୀବନଶୈଳୀଠାରୁ ଆରମ୍ଭ କରି କାର୍ଯ୍ୟ ଚାପ ପର୍ଯ୍ୟନ୍ତ, ଅନେକ ଛୋଟ କାରଣ ଯୋଗୁଁ ଆପଣ ମାନସିକ ଚାପରେ ଶିକାର ହୋଇପାରନ୍ତି। ଏହା ହୃଦରୋଗର ଆଶଙ୍କା ମଧ୍ୟ ବଢାଇଦିଏ। ମାନସିକ ଚାପଗ୍ରସ୍ତ ବ୍ୟକ୍ତି ଅଧିକ ଖାଦ୍ୟ ଖାଆନ୍ତି ଏବଂ ସେମାନଙ୍କ ନିକଟରେ ମେଦ ବହୁଳତା ଭଳି ସମସ୍ୟା ଦେଖାଦିଏ। କେବଳ ଏତିକି ନୁହେଁ, ମାନସିକ ଚାପ ବିଭିନ୍ନ ଉପାୟରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
ଭଲ ନିଦ୍ରାରେ ଶୁଅନ୍ତୁ
ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ସଠିକ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଦ୍ରା ଅଭାବ ମସ୍ତିଷ୍କରେ ମାନସିକ ଚାପ ପକାଏ। ଚାପକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ଉପଯୁକ୍ତ ନିଦରେ ଶୋଇବାକୁ ପଡ଼ିବ। ତେଣୁ ପ୍ରତ୍ୟେକ ଦିନ ଅତି କମରେ ୭ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଚା କରନ୍ତୁ। ନିୟମିତ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ।
ଗୋଟିଏ କଥାକୁ ଅଧିକ ଭାବନ୍ତୁ ନାହିଁ
ଅଧିକାଂଶ ଲୋକ ପ୍ରତ୍ୟେକ ଛୋଟ କଥାକୁ ବାରମ୍ବାର ଭାବିବା ଫଳରେ ମାନସିକ ଚାପର ଶିକାର ହୁଅନ୍ତି। ଅନାବଶ୍ୟକ ଚିନ୍ତାରୁ ନିଜକୁ ମୁକ୍ତି ରଖନ୍ତୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଅତ୍ୟଧିକ ଚିନ୍ତା ଚାପ ବଢ଼ାଇଥାଏ ଏବଂ ଆପଣଙ୍କ କାମରେ ବିଚଳିତ ମଧ୍ୟ କରିପାରେ। ଆପଣ କେତେ ମାତ୍ରରେ ଚିନ୍ତାମୁକ୍ତ ରହିପାରିବେ ତାହା ଆପଣଙ୍କ ଉପରେ ନିର୍ଭର କରେ।
ଫୋନରୁ ଦୂରେଇ ରହନ୍ତୁ
ଅତ୍ୟଧିକ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଉପରେ ମାନସିକ ଚାପ ପଡ଼ିପାରେ। ମୋବାଇଲରେ ଆସୁଥିବା ବିଭିନ୍ନ ଉତ୍ତେଜକ ଫୋଟ କିମ୍ବା ଭିଡିଓ ଦ୍ଵାରା ଅନେକ ଲୋକ ପ୍ରଭାବିତ ହୋଇଥାଆନ୍ତି। ମୋବାଇଲ୍ ଫୋନରେ ଅଧିକ ସମୟ ବିତାନ୍ତୁ ନାହିଁ। ଆପଣ ନିଜ ଫୋନରେ ଆସୁଥିବା ବିଜ୍ଞପ୍ତିକୁ ବନ୍ଦ କରିପାରିବେ। ଗୋଟିଏ ଦିନର କିଛି ସମୟ ମୋବାଇଲରେ ବିତାଇ ବାକି ସମୟ ସାଙ୍ଗସାଥୀ ଏବଂ ଘରଲୋକଙ୍କ ସହ ବିତାନ୍ତୁ। ଏମିତି କରିବା ଫଳରେ ଆପଣ ମୋବାଇଲ ଫୋନର ବ୍ୟବହାରକୁ ମଧ୍ୟ ହ୍ରାସ କରିପାରିବେ।
ସବୁ ଜିନିଷ ସଜାଡ଼ି ରଖନ୍ତୁ
ଅନେକ ସମୟରେ କାର୍ୟ୍ୟ ବ୍ୟସ୍ତତା ହେତୁ ଆମେ ଘରର ଜିନିଷପତ୍ର ଠିକ ଭାବରେ ସଜାଡ଼ି ରଖିପାରିନଥାଉ। ବାହାରୁ କୌଣସି କାମ ସାରି ଘରକୁ ଫେରିବା ପରେ ସେସବୁ ଜିନିଷ ଦେଖି ଆମେ ବିଚଳିତ ହୋଇପଡ଼ୁ। ବାରମ୍ବାର ଏପରି ହେବା ଯୋଗୁଁ ଆମ ମସ୍ତିଷ୍କ ଉପରେ ଚାପ ପଡ଼େ। ଏହାକୁ ନେଇ ଅଧିକ ବ୍ୟତିବ୍ୟସ୍ତ ହୋଇପଡ଼ୁ ଏବଂ ଆମ ସ୍ଵାସ୍ଥ୍ୟରେ ଅବନତି ଦେଖାଦିଏ।