ସାଧାରଣତଃ ଆମେ ଛୋଟଛୁଆଙ୍କୁ ସଜେଇବା ପାଇଁ ନେଲପଲିସ, ଲିପଷ୍ଟିକ ଏବଂ ଅନ୍ୟାନ୍ୟ ସୌଖୀନ ସାମଗ୍ରୀ ଲଗାଇଦେଉ। ସୁନ୍ଦର ଦେଖାଯିବା ପାଇଁ ଛୋଟଛୁଆଙ୍କୁ ପାଉଡର ଏବଂ ଲିପଷ୍ଟିକ ଲଗାଇ ଦେଇଥାଉ। ବେଳେବେଳେ ଛୁଆ ନିଜେ ଜିଦି କରି ହାତରେ ଏବଂ ଦେହ ସାରା ନେଲପଲିସ ଓ ଲିପଷ୍ଟିକ ଲଗେଇ ଦିଅନ୍ତି। କିନ୍ତୁ ଏସବୁ ସାମଗ୍ରୀର ବ୍ୟବହାର ଛୁଆଙ୍କ ପାଇଁ ବିପଦ ଆଣିଦିଏ।
ନେଲପଲିସ
ନେଲପଲିସରେ ଟଲୁଇନ, ଫର୍ମାଲ ଡିହାଇଡ, ଇଥାଇଲ ଏସିଟେଟେ ଭଳି କେମିକାଲ ରହିଥାଏ। ଏହି କେମିକାଲ ନେଲପଲିସକୁ ନଖରେ ଅଧିକ ସମୟ ଲାଗି ରହିବାରେ ସାହାଯ୍ୟ କରେ। ପିଲାମାନେ ବାରମ୍ବାର ହାତକୁ ପାଟିରେ ପୁରେଇବା ଫଳରେ ସେହି କେମିକାଲ ପେଟ ଭିତରକୁ ଯାଇ ବିଭିନ୍ନ ସଂକ୍ରମଣ କରାଏ। ନେଲପଲିସର ଛୋଟ ଅଂଶ ପିଲାମାନଙ୍କ ଶରୀରକୁ ଯାଇ ଶ୍ଵାସ ଏବଂ ସ୍ନାୟୁ ସମସ୍ୟା ସୃଷ୍ଟି କରାଏ। ମସ୍ତିଷ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ନେଲପଲିସରେ ଥିବା ଡାଇବ୍ୟୁଟାଇଲ ଥାଲେଟ କେମିକାଲ ପାଟି, ହାତ, ଗଳା ଏବଂ ଆଖି ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ଆଶଙ୍କା ରହିଛି।
ଲିପଷ୍ଟିକ
– ଲିପଷ୍ଟିକରେ ମାଙ୍ଗାନିଜ, କ୍ୟାଡମିୟମ, କ୍ରୋମିୟମ ଏବଂ ଆଲୁମିନିୟମ ରହିଛି। ପିଲାମାନେ ଖାଇବା ସମୟରେ ଲିପଷ୍ଟିକ ପାଟିକୁ ଯାଇଥାଏ, ଫଳରେ ବିଭିନ୍ନ କେମିକାଲ ଶରୀରରେ ପ୍ରବେଶ କରିଥାଏ।
-ଲିପଷ୍ଟିକ୍ ଅଧିକ ଦିନ ରହିବା ପାଇଁ ବିସ୍ମୁଥ ଅକ୍ସିକ୍ଲୋରାଇଡ ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ। ଏହି ଉପାଦାନରେ ଥିବା କର୍କିନୋଜେନିକ୍ ଗୁଣ ଅତ୍ୟନ୍ତ କ୍ଷତିକାରକ ଏବଂ ଆଲର୍ଜି ସୃଷ୍ଟି କରିପାରେ।
-ଲିପଷ୍ଟିକ ଲଗାଇବା ଫଳରେ ଚର୍ମର ଜଳାପୋଡ଼ା, କାଶ ଏବଂ ଆଖିର ଉତ୍ତେଜନା ଭଳି ବଡ଼ କ୍ଷତି ହୋଇପାରେ। କିଛି ଲିପଷ୍ଟିକ ବ୍ରାଣ୍ଡ କର୍କଟ ରୋଗ ମଧ୍ୟ ସୃଷ୍ଟି କରିପାରେ।
-ସମସ୍ତ ଲିପଷ୍ଟିକରେ ପେଟ୍ରୋକେମିକାଲ୍ ଥାଏ ଯାହା ଏଣ୍ଡୋକ୍ରାଇନରେ ବ୍ୟାଘାତ, ବୁଦ୍ଧି, ପ୍ରଜନନରେ ବାଧା ସୃଷ୍ଟି କରେ। ଆମେ ଜାଣିଛୁ ପେଟ୍ରୋକେମିକାଲସ ହେଉଛି ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତେଲର ମିଶ୍ରଣ। ତେଣୁ ଲିପଷ୍ଟିକ ଛୋଟଛୁଆଙ୍କ ପାଇଁ ଭଲ ନୁହେଁ।
-ଅଧିକାଂଶ ଲିପଷ୍ଟିକର ଏକ ସାଧାରଣ ଉପାଦାନ ହେଉଛି ସୀସା। ଏହା ଶରୀରରେ ହରମୋନ ଅସନ୍ତୁଳନ ଏବଂ ମସ୍ତିଷ୍କର କ୍ଷତି ଘଟାଏ। ସୀସାରେ ନ୍ୟୁରୋ ଟକ୍ସିନ୍ ନାମକ ଏକ ତତ୍ତ୍ୱ ଥାଏ, ଯାହା ଶରୀରର ନର୍ଭ ସିଷ୍ଟମ୍ ଉପରେ ପ୍ରଭାବ ପକାଇଥାଏ। ଏହା ଦ୍ୱାରା କେତେକ କ୍ଷେତ୍ରରେ ବ୍ରେନ୍ ଡ୍ୟାମେଜ୍ ପରି ସମସ୍ୟା ଦେଖାଦେଇଥାଏ।
ଲିପଷ୍ଟିକ ପ୍ରସ୍ତୁତି ନିମନ୍ତେ କ୍ୟାଡମିୟମ୍, ମ୍ୟାଗ୍ନେସିୟମ୍, କ୍ରୋମିୟମ୍ ଏବଂ ଆଲୁମିନିୟମ୍ ପରି ଧାତୁର ବ୍ୟବହାର କରାଯାଏ। ଯାହା ବିପଦପୂର୍ଣ୍ଣ ରୋଗ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ ଏହା କ୍ଷତି ପହଞ୍ଚାଇଥାଏ। ଅଧିକ ମାତ୍ରାରେ କ୍ୟାଡମିୟମ୍ ଥିବାରୁ ଏହା ରୋଗ ସୃଷ୍ଟିର ବାହକ ହୋଇଥାଏ। କ୍ରମାଗତ ଲିପଷ୍ଟିକ୍ ବ୍ୟବହାର ଫଳରେ ଟ୍ୟୁମର ମଧ୍ୟ ହୋଇଥାଏ।
ପାଉଡର
ଶିଶୁମାନଙ୍କ ପାଇଁ ବ୍ୟବହାର ହେଉଥିବା ପାଉଡରରେ ସୁକ୍ଷ୍ମ କଣିକା ଥାଏ, ଯାହାକି ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଫୁସଫୁସରେ ସମସ୍ୟା ସୃଷ୍ଟି କରେ। ଶିଶୁ ଆସ୍ଥମା ଭଳି କୌଣସି ପ୍ରକାରର ଶ୍ଵାସକ୍ରିୟା ରୋଗରେ ପୀଡ଼ିତ ଥିଲେ ସେମାନଙ୍କ ପାଇଁ ଏହି ପାଉଡର ବିପଦ ଆଣିପାରେ। ବଡ଼ କଣିକା ଯୁକ୍ତ ପାଉଡରରେ ନିଶ୍ୱାସ ପ୍ରଶ୍ୱାସର ନେବାରେ ଅସୁବିଧା କରାଇଥାଏ ଏବଂ ଏହାର ଉତ୍କୃଷ୍ଟ ଗନ୍ଧ ପିଲାଙ୍କ ପାଇଁ ଭଲ ନୁହେଁ।