ଆଜିକାଲି ଅଧିକାଂଶ ଛୋଟଛୁଆମାନଙ୍କର କ୍ଲବ ଫୁଟ ବା ବଙ୍କା ପାଦ ସମସ୍ୟା ଦେଖାଦେଉଛି। ବଙ୍କା ପାଦ କ’ଣ ଏବଂ ଏହାର ଚିକିତ୍ସା କିପରି ହୋଇପାରିବ? ଏନେଇ ପେଡିଆଟ୍ରିକ ଅର୍ଥୋପେଡିକ ସର୍ଜନ ଡାକ୍ତର ବିଭୁଦତ୍ତ ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

କ୍ଲବ ଫୁଟ ଏକ ଜନ୍ମଗତ ତ୍ରୁଟି ଯାହା ପ୍ରଭାବରେ ପାଦ ଗୋଡ଼ର ଅନ୍ୟ ପାର୍ଶ୍ଵ ଅପେକ୍ଷା ଛୋଟ ହୋଇଯାଏ। ଚିକିତ୍ସା ନ ପାଇଲେ ରୋଗୀ ପାଦ ଧାରରେ ଚାଲନ୍ତି ଏବଂ ଚାଲିବାରେ ସମସ୍ୟା ହୋଇଥାଏ। ଜନ୍ମ ପୂର୍ଵରୁ କିମ୍ବା ପରେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଏହି ରୋଗର ଚିହ୍ନଟ କରାଯାଇପାରିବ।

କ୍ଲବ ଫୁଟ ବା ବଙ୍କା ପାଦ କ’ଣ? (What is Clubfoot in Odia)

କ୍ଲବ ଫୁଟ ବା ବଙ୍କା ପାଦକୁ ଡାକ୍ତରୀ ଭାଷାରେ ସି.ଟି.ଇ.ଭି କୁହାଯାଏ। ଅନେକ ସମୟରେ ଛୁଆ ଜନ୍ମ ହେବା ପରେ ତା’ଠାରେ ବଙ୍କା ପାଦ ଦେଖାଯାଏ। ଛୁଆମାନଙ୍କର ଗୋଟିଏ ପାଦ କିମ୍ବା ଦୁଇଟି ପାଦ ସମ୍ପୂର୍ଣ୍ଣ ବଙ୍କା ହୋଇଯାଏ। ବଙ୍କା ପାଦରେ ଚାଲିବା ହେତୁ ଅଣ୍ଟା ଏବଂ ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ିଥାଏ।

ବଙ୍କା ପାଦର କାରଣ (Causes of Clubfoot in Odia)

କ୍ଲବ ଫୁଟ ବା ବଙ୍କା ପାଦ ହେବାର କୌଣସି ନିର୍ଦ୍ଦିଷ୍ଟ ଓ ସଠିକ କାରଣ ଜଣାପଡ଼ିନାହିଁ।

ସ୍ପାଇନାଲ କର୍ଡ ବା ମେରୁଦଣ୍ଡରେ ସମସ୍ୟା ଥିଲେ ଛୁଆମାନଙ୍କର ବଙ୍କା ପାଦ ହୋଇପାରେ।

ହାତ କିମ୍ବା ଗୋଡ଼ରେ କୌଣସି ଅସୁବିଧା ଥିଲେ ପିଲାମାନଙ୍କର ବଙ୍କା ପାଦ ଦେଖାଦେଇପାରେ।

ଗର୍ଭାବସ୍ଥାରେ ଶରୀରରୁ ପାଣିର ମାତ୍ରା କମିଗଲେ ଛୁଆ ଉପରେ ତା’ର ପ୍ରଭାବ ପଡ଼ିପାରେ ଏବଂ ଛୁଆର ପାଦ ବଙ୍କା ହୋଇଯାଏ।

ମା’ ପେଟରେ ପର୍ଯ୍ୟାପ୍ତ ଜାଗା ଅଭାବରୁ ଛୁଆ ବଢ଼ିପାରେ ନାହିଁ। ତେଣୁ ପିଲାର ହାତଗୋଡ଼ ବଙ୍କା ହୋଇପାରେ।

ବଙ୍କା ପାଦର ଚିକିତ୍ସା (Treatment of Clubfoot in Odia)

ବଙ୍କା ପାଦର ସଠିକ ଚିକିତ୍ସା ବାବଦରେ ଅନେକ ଲୋକ ଜାଣିନାହାନ୍ତି। ଜନ୍ମରୁ ଛୁଆମାନଙ୍କ ଏପରି ଅବସ୍ଥାକୁ କେହି କେହି ହେୟ ମନେ କରିଦିଅନ୍ତି। ଅନେକ ଏହାକୁ ଦେବତାଙ୍କ ଅଭିଶାପ ବୋଲି ଧରିନିଅନ୍ତି। ବଙ୍କା ପାଦର ସ୍ପଷ୍ଟ କାରଣ ଜଣା ନ ଥିଲେ ବି ଏହାର ଚିକିତ୍ସା ସମ୍ଭବ। ବଙ୍କା ପାଦକୁ ସିଧା କରିବା ପାଇଁ ଡାକ୍ତରମାନେ ପ୍ରାରମ୍ଭରେ ପୋନ୍‌ସେଟି ମାଧ୍ୟମରେ ଚିକିତ୍ସା କରିଥାଆନ୍ତି। ପାଦକୁ ସଠିକ ସ୍ଥାନକୁ ଯଥା ସମ୍ଭବ ଆଣି ପ୍ଲାଷ୍ଟର କରାଯାଏ ଏବଂ ପ୍ରତି ସପ୍ତାହରେ ଏହାକୁ ବଦଳାଇ ନୂଆ ପ୍ଲାଷ୍ଟର ଦିଆଯାଏ। ଜନ୍ମ ହେବାର କମ୍‌ ଦିନ ମଧ୍ୟରେ  ୭ରୁ ୮ ଥର ପ୍ଲାଷ୍ଟର କରାଗଲେ ପାଦ ସିଧା ହୋଇଯାଏ। ପ୍ଲାଷ୍ଟର ସରିବା ପରେ ଛୁଆକୁ ଏକ ଜୋତା ଦିଆଯାଏ ଯାହା ପାଦକୁ ସିଧା କରି ରଖିଥାଏ। ଏହି ଜୋତା କେବଳ ପାଦକୁ ସିଧା କରିବା ପରେ ହିଁ ପିନ୍ଧିବାକୁ ଦିଆଯାଏ। ଫଳରେ ପାଦ ଆଉ ବଙ୍କା ହେବ ନାହିଁ।

ପିଲାବେଳୁ ବଙ୍କାପାଦର ଚିକିତ୍ସା କାହିଁକି ଜରୁରୀ?

ଛୋଟବେଳୁ କ୍ଲବ ଫୁଟ ବା ବଙ୍କା ପାଦର ଚିକିତ୍ସା କରାଯିବା ଉଚିତ। ଛୁଆ ବଡ଼ ହୋଇଗଲେ ଏହି ରୋଗର ଚିକିତ୍ସା କଷ୍ଟକର ହୋଇପଡ଼େ। ବୟସ ବଢ଼ିବା ସହ ଶିଶୁର ପାଦ ଧୀରେଧୀରେ ବଡ଼ ହୋଇଯାଏ। ବଙ୍କା ପାଦରେ ଚାଲିବା ଯୋଗୁଁ ଆଣ୍ଠୁ, ସ୍ପାଇନ ଏବଂ ଅଣ୍ଟାରେ ଅଧିକ ଚାପ ପଡ଼େ ଓ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ପାଦ ବଙ୍କା ଫଳରେ ପିଲାମାନେ ସାଧାରଣ ଜୋତା ପିନ୍ଧିପାରନ୍ତି ନାହିଁ। ବଙ୍କା ପାଦକୁ କେହିକେହି ଶାରୀରିକ ବିକଳାଙ୍ଗ ବୋଲି ଧରିନିଅନ୍ତି। ଉପଯୁକ୍ତ ସମୟରେ ଚିକିତ୍ସା ହୋଇପାରିଲେ ଏହି ରୋଗର ମଧ୍ୟ ସମାଧାନ ହୋଇପାରିବ।

ଛୋଟ ପିଲାଙ୍କ ଭଙ୍ଗା ହାଡ଼ର ଚିକିତ୍ସା

ବଡ଼ ଲୋକଙ୍କ ଅପେକ୍ଷା ଛୋଟଛୁଆଙ୍କ ହାଡ଼ ଭାଙ୍ଗିବାରେ ଅନେକ ଫରକ ରହିଛି। ଛୋଟ ବେଳେ ଖେଳିବା ସମୟରେ ଅଜ୍ଞାନବଶତଃ ତଳେ ପଡ଼ିଯାଇ ଗୋଡ଼ହାତ ଭାଙ୍ଗିଯାଏ। ଶିଶୁମାନଙ୍କର ନଳୀଗୋଡ଼ ଏବଂ ହାତର କହୁଣୀ ପାଖରେ ସୁପ୍ରାକଣ୍ଡିଲର ଫ୍ୟାକଚର ହୋଇଯାଏ। ୫ରୁ ୭ବର୍ଷ ପିଲାଙ୍କର ଶରୀରର ହାଡ଼ ମଜବୁତ ନଥାଏ ଏବଂ ଟିକେ ବାଜିବା ମାତ୍ରକେ ଭାଙ୍ଗିଯାଏ। ଶରୀରରେ ଫାଇସାଲ ନାମକ ଏକ ଅଂଶ ରହିଛି, ଯାହା ହାଡ଼ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ। ଛୋଟଛୁଆମାନଙ୍କ ହାଡ଼ରେ ଏହି ଫାଇସାଲ ସକ୍ରିୟ ହୋଇ ରହିଥାଏ। ପିଲାବେଳେ କୌଣସି ଆଘାତ କିମ୍ବା ମାଡ଼ ହୋଇଥିଲେ ଡାକ୍ତରଙ୍କ ସହ ପରାମର୍ଶ କରାଇନେବା ଭଲ ନଚେତ ବଡ଼ ହେଲେ ଅନେକ ସମସ୍ୟା ଦେଖାଦେଇପାରେ। ଛୋଟପିଲାମାନଙ୍କର ସର୍ଜରୀ ନ ହୋଇ ମଧ୍ୟ ସେମାନେ ଭଲ ହୋଇଯାଉଥିବାର ଜଣାପଡ଼ିଛି।

ନିରାକରଣ

ହାଡ଼ ଶକ୍ତ ଏବଂ ମଜବୁତ ରଖିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

ସଠିକ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଫଳରେ ଶରୀରକୁ ପ୍ରୋଟିନ ମିଳେ ଯାହା ହାଡ଼କୁ ସୁସ୍ଥ ରଖେ।

ବଙ୍କା ପାଦର କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା କରାନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ  ଡାକ୍ତର ବିଭୁଦତ୍ତ ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on causes and treatment of Clubfoot based on the interview with Dr. Bibhudutta Sahoo, Paediatric Orthopedic Surgeon.