କ୍ୟାନସର ରୋଗ ବିଷୟରେ ଶୁଣିବା ମାତ୍ରେ ମନରେ ଭୟ ଆସିଯାଏ। ବଂଶଗତ କାରଣରୁ ବା ଅନ୍ୟାନ୍ୟ ସଂକ୍ରମଣ ହେତୁ କ୍ୟାନସର ହୋଇଥାଏ। ତେବେ କ୍ୟାନସର କାହିଁକି ହୁଏ ଏବଂ ତା’ର ଚିକିତ୍ସା ବାବଦରେ ଡାକ୍ତର ସୌରଭ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
କ୍ୟାନସର ଏକ ମାରାତ୍ମକ ରୋଗ। ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କ୍ୟାନସରର କାରଣ ପାଲଟେ। ସଠିକ ସମୟରେ କ୍ୟାନସରକୁ ଚିହ୍ନଟ କରି ପାରିଲେ ଏହାର ଚିକିତ୍ସା ସମ୍ଭବ। ବର୍ତ୍ତମାନ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର କ୍ୟାନସରରେ ପୀଡ଼ିତ ହେଉଛନ୍ତି। ଖାଦ୍ୟପେୟର ଅଭ୍ୟାସ ଓ ପରିବର୍ତ୍ତିତ ଜୀବନଶୈଳୀ କ୍ୟାନସର ପ୍ରମୁଖ କାରଣ।
କ୍ୟାନସର କ‘ଣ? (What is cancer in Odia)
କୋଷକୁ ଜୀବନର ଆଧାର ବୋଲି କୁହାଯାଏ। ବିଭିନ୍ନ ପ୍ରକାର କୋଷିକାରେ ଆମ ଶରୀର ତିଆରି ହୋଇଛି। କୋଷଗୁଡ଼ିକ ଆମ ଶରୀରରେ ସଠିକ ଭାବେ ବିଭାଜନ ହେବା ଫଳରେ ଶରୀର ସୁସ୍ଥ ରହେ। ଶରୀରରେ ବିଭିନ୍ନ ଉପାୟରେ ଏହି କୋଷ ବିଭାଜନ ହୋଇଥାଏ। କୌଣସି କାରଣରୁ ଏହି ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଲେ କୋଷ ବିଭାଜନରେ ତ୍ରୁଟି ଦେଖାଦିଏ। ଫଳରେ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଆନ୍ତି। ଏହି ଅନିୟନ୍ତ୍ରିତ କୋଷ କ୍ୟାନସରରେ ପରିଣତ ହୁଏ।
ମଣିଷ ଶରୀରରେ କ୍ୟାନସର ସେଲ ରହିଛି ଏବଂ ସେମାନେ ଶରୀରରୁ ପୋଷଣ ନେଇ ବଢ଼ିବାରେ ଲାଗନ୍ତି। ଯାହାଦ୍ଵାରା ଶରୀରର ଉପାଦେୟ ତତ୍ଵ ନଷ୍ଟ ହୋଇଯାଏ ଓ ଆମେ ରୋଗଗ୍ରସ୍ଥ ହୋଇପଡ଼ୁ।
କାରଣ (Causes of cancer in Odia)
କାର୍ସିନୋଜେନ କେମିକାଲଗୁଡ଼ିକ ଶରୀରର କୋଷ ବିଭାଜନକୁ ତ୍ଵରିତ କରିଥାଏ। ତମାଖୁ, ବିଡ଼ି, ସିଗାରେଟ ଭଳି କେମିକାଲଗୁଡ଼ିକ କ୍ୟାନସରର କାରଣ। ପ୍ରାୟ ୫୦ ପ୍ରତିଶତ ଲୋକ ଗୁଣ୍ଡି ଓ ଧୁମ୍ରବିହୀନ ତମାଖୁ ବ୍ୟବହାର କରନ୍ତି। ତମାଖୁ ସେବନ ଦ୍ଵାରା ମୁଖଗହ୍ଵର ଏବଂ ଶ୍ଵାସନଳୀରେ କ୍ୟାନସର ହୁଏ। ବର୍ତ୍ତମାନ ଯୁବପିଢ଼ି ଅଧିକ ଧୁମପାନ, ମଦ୍ୟପାନ ଏବଂ ତମାଖୁ ସେବନ କରୁଛନ୍ତି। ଦୀର୍ଘ ସମୟ ଧରି ସିଗାରେଟ ସେବନ କରିବା ଯୋଗୁଁ ସେମାନେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅଧିକ ମାତ୍ରରେ ତମାଖୁ ଧୁଆଁ ଫୁସଫୁସ ଭିତରକୁ ପ୍ରବେଶ କଲେ କ୍ୟାନସର ହେବାର ଆଶଙ୍କା ଅଧିକ ହୋଇଯାଏ।
ଆମ ଶରୀରରେ ବିଭିନ୍ନ ପ୍ରକାର କ୍ୟାନସର ଦେଖାଯାଏ ଯେପରିକି ଫୁସଫୁସ, ବୃକକ, ପରିସ୍ରା ଥଳୀରେ, ଅନ୍ତନଳୀ ଏବଂ ପାକସ୍ଥଳୀ କ୍ୟାନସର।
ପରିବର୍ତ୍ତିତ ଜୀବନଶୈଳୀ କ୍ୟାନସର ପ୍ରମୁଖ କାରଣ। ଆଜିକାଲି କିଛି ଲୋକ ସୋସିଆଲ ଷ୍ଟାଟସ ପାଇଁ ମଦ୍ୟପାନ ଏବଂ ଧୁମପାନକୁ ଆପଣାଉଛନ୍ତି। ଏହି ଷ୍ଚାଟସ ଅଭ୍ୟାସରେ ପରିଣତ ହୋଇ ଧୀରେ ଧୀରେ କ୍ୟାନସରର କାରଣ ପାଲଟେ।
କ୍ୟାନସର ହେଉଛି ବଂଶଗତ ରୋଗ। ବଂଶରେ ପୂର୍ବରୁ କାହାକୁ କ୍ୟାନସର ହୋଇଥିଲେ ଆପଣଙ୍କୁ କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ। କ୍ୟାନସର ଜିନ ପରବର୍ତ୍ତି ବଂଶଧରଙ୍କ ପାଖକୁ ଟ୍ରାନ୍ସଫର ହୋଇଥାଏ। ବୟସ ବଢ଼ିବା ସାଙ୍ଗକୁ ଏହି ରୋଗର ଆଶଙ୍କା ବଢ଼ିଯାଏ। ଏଣୁ, ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କ୍ୟାନସର ହେବାର ଦେଖାଯାଇଛି। ଛୋଟପିଲାଙ୍କ ପାଖରେ ବଂଶଗତ ଭାବେ କ୍ୟାନସର ହେବାର କମ ସମ୍ଭାବନା ରହିଛି।
ଲକ୍ଷଣ (Symptoms of cancer in Odia)
କ୍ୟାନସର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନଥାଏ।
ପାଟିରେ ଘା’ ହେବା।
ଜିଭରେ ଘା’ ନ ଶୁଖିବା।
ବେକରେ ଆବୁ ବା ଫୁଲିଯିବା।
ଖାଦ୍ୟ ଖାଇବାରେ ଅସୁବିଧା ହେବା।
ରକ୍ତବାନ୍ତି ହେବା।
କଳା ରଙ୍ଗର ଝାଡ଼ା ହେବା।
ରକ୍ତ କ୍ଷୟ ହେବା।
କାଶ, କଫ, ପରିସ୍ରା ଏବଂ ଝାଡ଼ାରେ ରକ୍ତ ପଡ଼େ।
ଥକ୍କା ଅନୁଭବ ହେବା।
ଚିକିତ୍ସା (Treatment of cancer in Odia)
ସ୍କ୍ରିନିଂ କରାନ୍ତୁ
କ୍ୟାନସର ହୋଇଛି କି ନାହିଁ ଜାଣିବା ପାଇଁ ଡାକ୍ତରଖାନାରେ ସ୍କ୍ରିନିଂ କରାଇନିଅନ୍ତୁ। ୪୦ ବର୍ଷରୁ ଉର୍ଦ୍ଧ୍ଵ ମହିଳାମାନଙ୍କୁ ସ୍ତନ କ୍ୟାନସର ହେବାର ଆଶଙ୍କା ରହିଥାଏ। ତେଣୁ ଶୀଘ୍ର ଟେଷ୍ଟ କରାଇନେଲେ କ୍ୟାନସର ଅଛି କି ନାହିଁ ଜଣା ପଡ଼ିଯିବ। ମହିଳାମାନେ ବର୍ଷକୁ ଥରେ ମେମୋଗ୍ରାଫି କରିବା ଉଚିତ। ପୂର୍ବରୁ ପରିବାରରେ କାହାକୁ ସ୍ତନ ଏବଂ ଗର୍ଭାଶୟ କ୍ୟାନସର ହୋଇଥିଲେ, ତେବେ ପରିବାରର ଅନ୍ୟ ସଦସ୍ୟ ୩୫ ବର୍ଷରୁ ସ୍କ୍ରିନିଂ କରାଇନେବା ଦରକାର।
କ୍ୟାନସର ଜିନ୍ଗୁଡ଼ିକ ନଷ୍ଟ କରିବା ପାଇଁ ଜେନେଟିକ ସ୍କ୍ରିନିଂ କରାଯାଉଛି। କ୍ୟାନସର ରୋଗ ଜାଣିବା ପାଇଁ ରକ୍ତ ଏବଂ ସ୍ଵାବକୁ ନେଇ ଜେନେଟିକ ଟେଷ୍ଟ କରାଯାଏ।
ପରୀକ୍ଷା କରାଇନିଅନ୍ତୁ
କ୍ୟାନସର ହୋଇଛି କି ନାହିଁ ଜାଣିବା ପାଇଁ ଡାକ୍ତରମାନେ ପରୀକ୍ଷା କରାଇଥାନ୍ତି। ବାୟୋପ୍ସି ପରୀକ୍ଷା ମାଧ୍ୟମରେ କ୍ୟାନସର ଜାଣିହୁଏ। ଅବସ୍ଥା ଗୁରୁତର ଥିଲେ ଷ୍ଟେଜିଙ୍ଗ କରାଯାଏ। ଛାତି, ପେଟ , ଜଙ୍ଘ ଏବଂ ପାକସ୍ଥଳୀରେ ସିଟିସ୍କାନ ଏବଂ ଶରୀର ପରୀକ୍ଷା ପାଇଁ ପେଟ୍ ସିଟିସ୍କାନ କରାଯାଏ।
କ୍ୟାନସରର ଚିକିତ୍ସା ସାଧାରଣତଃ ୩ଟି ପଦ୍ଧତିରେ ହୋଇଥାଏ। କ୍ୟାନସର ସେଲ ନଷ୍ଟ କରିବା ପାଇଁ ସର୍ଜରୀ, ରାଡିଏସନ ଏବଂ କେମୋଥେରାପି କରାଯାଏ। ବିଶେଷଜ୍ଞମାନେ ରୋଗୀର ସ୍ଥିତି ଦେଖି କେଉଁ ପଦ୍ଧତି ଗ୍ରହଣ କରାଯିବ ତାହା ଧାର୍ଯ୍ୟ କରନ୍ତି। ଶରୀରର ଗୋଟିଏ ଅଙ୍ଗରେ କ୍ୟାନସର ହୋଇଥିଲେ ସର୍ଜରି କରାଯାଇ କ୍ୟାନସର ସେଲଗୁଡିକୁ ନଷ୍ଟ କରାଯାଏ।
ମୁଖଗହ୍ଵର କ୍ୟାନସର ପାଇଁ ରାଡିଏସନ ଥେରାପି ପ୍ରଭାବଶାଳୀ ହୋଇଥାଏ। ସବୁ ଷ୍ଟେଜର କ୍ୟାନସର ରୋଗୀଙ୍କୁ କେମୋଥେରାପି ଦିଆଯାଇ କ୍ୟାନସର ଭଲ କରାଯାଏ। ବର୍ତ୍ତମାନ କ୍ୟାନସର ଭଲ କରିବା ପାଇଁ ବିଭିନ୍ନ ନୂଆ ପଦ୍ଧତି ବାହାରିଛି ଯାହା ପ୍ରାଥମିକ ଅବସ୍ଥାରୁ କ୍ୟାନସର ଚିହ୍ନଟ କରିପାରୁଛି।
କ୍ୟାନସର ରୋଗୀମାନେ ସଂପୂର୍ଣ୍ଣ ଭଲ ହୋଇଯିବା ପରେ ମଧ୍ୟ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସୁସ୍ଥ ହେବାର ୨ବର୍ଷ ମଧ୍ୟରେ ପ୍ରତି ୩ ମାସରେ ଥରେ ଏବଂ ୩ ବର୍ଷ ମଧ୍ୟରେ ଛଅ ମାସରେ ଥରେ ଚିକିତ୍ସା କରିନେବା ଉଚିତ।
ନିରାକରଣ
ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ।
ଶରୀରର ଓଜନ ନିୟନ୍ତ୍ରଣ ରଖନ୍ତୁ।
ମୋଟାପଣ ଯୋଗୁଁ କ୍ୟାନସର ହୋଇପାରେ। ତେଣୁ ମୋଟାପଣରୁ ମୁକ୍ତି ପାଇଁ ଆପଣ ବ୍ୟାୟାମ କରିପାରିବେ।
ଅଧିକ ଜଙ୍କଫୁଡ ଏବଂ ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ।
ଧୁମପାନରୁ ଦୂରେଇ ରହନ୍ତୁ।
ସବୁଜ ପନିପରିବା ଏବଂ ଫଳମୂଳ ଖାଆନ୍ତୁ।
ଭିଟାମିନ ଓ ପୋଷକ ତତ୍ଵ ଖାଆନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୌରଭ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on causes, symptoms & treatment of Cancer, based on the interview with Dr. Sourav Kumar Mishra, Consultant Medical Oncologist.