ଅନିୟମିତ ଦିନଚର୍ଯ୍ୟା ଯୋଗୁ ମହିଳାମାନଙ୍କୁ ଆଜିକାଲି ବିଭିନ୍ନ ପ୍ରକାର ରୋଗର ସାମ୍ନା କରିବାକୁ ପଡ଼ୁଛି। ଏଭଳି କ୍ଷେତ୍ରରେ ନିୟମିତ ଭାବେ କିଛିଟା ଯୋଗାସନ କଲେ ଆପଣ ସୁଫଳ ପାଇପାରିବେ।
ଧନୁରାସନ: ପେଟେଇ ହୋଇ ପଡ଼ିଯାନ୍ତୁ। ଦୁଇ ହାତରେ ପାଦକୁ ଧରନ୍ତୁ। ପ୍ରଶ୍ୱାସକୁ ଭିତରକୁ ନେଇ ଗୋଡ଼କୁ ଉଠାଇବାକୁ ପ୍ରୟାସ କରନ୍ତୁ। ପ୍ରଥମେ ଶରୀରର ନିମ୍ନ ଭାଗକୁ ଉଠାନ୍ତୁ, ପରେ ଉଦ୍ଧ୍ୱର୍ ଭାଗକୁ ଉଠାଇବେ। ଏହି ସମୟରେ ନାଭି ଏବଂ ପେଟ ଭୂମିରେ ଲାଗିବା ଜରୁରୀ। ଏହାଦ୍ୱାରା ଆପଣଙ୍କ ଶରୀର ଧନୁ ଭଳି ବଙ୍କା ହୋଇ ରହିବ। ଏହି ଅବସ୍ଥାରେ ୩୦ ସେକେଣ୍ଡ ରୁହନ୍ତୁ ଏବଂ ପ୍ରଶ୍ୱାସକୁ ତ୍ୟାଗ କରି ସାମାନ୍ୟ ଅବସ୍ଥାକୁ ଆସନ୍ତୁ। ୫-୬ ଥର ଏପରି କରନ୍ତୁ।
ଲାଭ: ଏହି ଆସନ ଥାଇରଏଡ୍ ଗ୍ଲାଣ୍ଡକୁ ସକ୍ରିୟ କରିଦେବ। ଏହାଯୋଗୁ ଶରୀରରେ ଟିଏସଏଚ, ଟି-୩ ଏବଂ ଟି-୪ ହରମୋନ ମଧ୍ୟରେ ସନ୍ତୁଳନ ବଜାୟ ରହିବ । ଏହା ମଧ୍ୟ ପିସିଓଡ଼ି ସମସ୍ୟାରୁ ମୁକ୍ତି ଦେବ। ଋତୁସ୍ରାବରେ ଅନିୟମିତତା ଜନିତ ସମସ୍ୟା ବି ଦୂର ହେବ। ସେହିପରି ଏହା ଶରୀରରେ ଅମ୍ଳଜାନର ସ୍ତରକୁ ବୃଦ୍ଧି କରିଥାଏ, ଯାହାଦ୍ୱାରାକି ଶରୀରର ସ୍ପୁର୍ତ୍ତି ବଜାୟ ରହିଥାଏ। ତେବେ ଅଣ୍ଟା ଦରଜ, କିଡନି ଷ୍ଟୋନ, ଉଚ୍ଚ ରକ୍ତଚାପ ଏବଂ ସାଇଟିକା ଭଳି ରୋଗରେ ପୀଡ଼ିତ ମହିଳା ଏହା କରିବା ଅନୁଚିତ।
ଭୁଜଙ୍ଗାସନ: ପେଟେଇ ହୋଇ ପଡ଼ିଯାନ୍ତୁ। ଦୁଇ ହାତର ପାପୁଲିକୁ ଛାତିର ଦୁଇ କଡ଼ରେ ରଖନ୍ତୁ। ପ୍ରଶ୍ୱାସ ନେଇ ଶରୀରର ଉଦ୍ଧ୍ୱର୍ଭାଗକୁ ଉପରକୁ ଉଠାଇବାକୁ ପ୍ରୟାସ କରନ୍ତୁ। ବେକକୁ ପଛକୁ ନେବାକୁ ଚେଷ୍ଟା କରନ୍ତୁ। ୩୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରହି ସ୍ୱାଭାବିକ ସ୍ଥିତିକୁ ଫେରନ୍ତୁ। ଏହାକୁ ୧୦-୧୨ ଥର କରିପାରିବେ।
ଲାଭ: ଏହାଦ୍ୱାରା ଗର୍ଭାଶୟର ବ୍ୟାୟାମ ହୋଇଥାଏ। ଋତୁସ୍ରାବ ସମୟରେ ହେଉଥିବା କ୍ରାମ୍ପସରୁ ରକ୍ଷା ମିଳେ। ଅତ୍ୟଧିକ ଋତୁସ୍ରାବରୁ ଏହା ରକ୍ଷା କରେ। ତେବେ ଗର୍ଭବତୀମାନେ ଏହି ଆସନ କରିବା ଅନୁଚିତ।
ପବନ ମୁକ୍ତାସନ: ଚିତ ହୋଇ ଶୋଇ ପଡ଼ନ୍ତୁ। ଡାହାଣ ଗୋଡ଼ର ଆଣ୍ଠୁକୁ ଛାତି ଉପରକୁ ଆଣି ରଖନ୍ତୁ। ନିଃଶ୍ୱାସ ଛାଡ଼ି ମୁଣ୍ଡକୁ ଉଠାଇ ନାକ ଦ୍ୱାରା ଆଣ୍ଠୁକୁ ଛୁଇଁବାକୁ ଚେଷ୍ଟା କରନ୍ତୁ। ୧୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ। ତା’ ପରେ ସାମାନ୍ୟ ଅବସ୍ଥାକୁ ଫେରନ୍ତୁ। ପୁଣି ବାମ ଗୋଡ଼ ମାଧ୍ୟମରେ ଅଭ୍ୟାସ କରିପାରିବେ।
ଲାଭ: ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ପେଟ ଓ ଆଣ୍ଠୂରେ ଜମିଥିବା ଚର୍ବି କମେ। କେବଳ ସେତିକି ନୁହେଁ, ଗ୍ୟାଷ୍ଟ୍ରିକ ଜନିତ ସମସ୍ୟାରୁ ଉପଶମ ମିଳେ।
ଶଶକାସନ: ବଜ୍ରାସନରେ ବସନ୍ତୁ। ଅଣ୍ଟା ଓ ଶରୀରକୁ ସିଧା ରଖନ୍ତୁ। ଦୁଇ ହାତକୁ ଜଂଘ ଉପରେ ରଖନ୍ତୁ। ପ୍ରଶ୍ୱାସ ନେଇ ଦୁଇ ହାତକୁ ଉଠାନ୍ତୁ। ନିଃଶ୍ୱାସ ଛାଡ଼ିବା ସମୟରେ ହାତକୁ ଆଗକୁ ନେଇଯାନ୍ତୁ। ମୁଣ୍ଡ ଏବଂ କହୁଣୀକୁ ମାଟିରେ ଲଗାନ୍ତୁ। ଅତି କମରେ ୫ ଥର ଏପରି କରନ୍ତୁ।
ଲାଭ: ଏହାଯୋଗୁ ମସ୍ତିଷ୍କକୁ ଶକ୍ତି ମିଳେ। ମାନସିକ ଚାପ ଦୂରହୋଇଥାଏ। ରଜୋନିବୃତ୍ତି ପରେ ମହିଳାଙ୍କଠାରେ ଦେଖାଯାଉଥିବା ଚିଡଚିଡାପଣ ବି କମେ।ଏହା ଫୁସଫୁସର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିଥାଏ। ଏହା ମେଟୋବୋଲିଜିମ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।