ନିୟମିତ ଭାବେ ଛେନାକୁ ଖାଦ୍ୟରେ ସାମିଲ କଲେ ଆପଣଙ୍କର ଦାନ୍ତ ଓ ହାଡ଼ ଶକ୍ତ ହେବ। କାରଣ ଏହା କ୍ୟାଲସିୟମ ଏବଂ ଫସଫରସର ଏକ ଭଲ ଉତ୍ସ।
ଛେନାରେ ପ୍ରଚୁର ପରିମାଣର ଡାଏଟ୍ରି ଫାଇବର ରହିଥାଏ ଯାହାକି ପାଚନକ୍ରିୟାକୁ ସହଜ କରେ। ସେହିପରି ମେଟାବଲିଜିମର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। କର୍କଟ ରୋଗ ହେବାର ଆଶଙ୍କାକୁ ବି ଏହା କମାଇଥାଏ। ବିଶେଷକରି ପେଟ, ଯକୃତ, ସ୍ତନକର୍କଟ ରୋଗର ଆଶଙ୍କା କମେ।
ଛେନା ପ୍ରୋଟିନର ଏକ ଭଲ ଉତ୍ସ। ୧୦୦ ଗ୍ରାମ ଛେନାରୁ ପାଖାପାଖି ୧୧ ଗ୍ରାମ ପ୍ରୋଟିନ ମିଳିଥାଏ। ତେଣୁ ଛୋଟ ପିଲାମାନଙ୍କୁ ଏହାକୁ ଖାଇବାକୁ ଦେବା ଲାଗି ପରାମର୍ଶ ଦିଆଯାଏ।
ଓମେଗା-୩ରେ ଭରପୁର ଛେନା ମଧୁମେହ ରୋକିବା ଲାଗି ମଧ୍ୟ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଏହା ଉଭୟ ଟାଇପ୍-୧ ଏବଂ ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଉପାଦେୟ। ତେବେ ଦୈନନ୍ଦିନ ଖାଉଥିଲେ ଏହାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଖାଇବା ଦରକାର। ମଧୁମେହ ରୋଗୀମାନେ ଛେନା ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।
ହୃଦ୍ରୋଗୀଙ୍କ ପାଇଁ ମଧ୍ୟ ଛେନା ଖାଇବା ଭଲ। ଏହା ହୃଦୟକୁ ସୁସ୍ଥ ରଖିଥାଏ। କେବଳ ସେତିକି ନୁହେଁ, ଏଥିରେ ଥିବା ପୋଟାସିୟମ ଶରୀରରେ ଜଳର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖେ। ଯାହାଦ୍ୱାରା କିଡନି ଉପରେ ଚାପ କମ୍ ହୋଇଥାଏ। ତେବେ ଛେନାରୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ସମୟରେ ଲୁଣର ବ୍ୟବହାରକୁ କମ୍ କରିବା ଆବଶ୍ୟକ। ସେହିପରି ଭିନେଗାର ଏବଂ ସୋୟାସସର ଉପଯୋଗ ବି କମ କରିବା ଆବଶ୍ୟକ।
ଛେନା ଫୋଲେଟ୍ର ଏକ ଭଲ ସ୍ରୋତ। ବିଶେଷକରି ଗର୍ଭବତୀମାନଙ୍କ ପାଇଁ ଏହାର ଖୁବ୍ ଆବଶ୍ୟକତା ରହିଛି। କାରଣ ଏହା ଗର୍ଭସ୍ଥ ଶିଶୁର ମାନସିକ ବିକାଶରେ ସହାୟକ ହୋଇଥାଏ। ଏହା ମଧ୍ୟ ଶରୀରରେ ଲୋହିତ ରକ୍ତକଣିକାର ସୃଷ୍ଟିରେ ସହାୟକ ହୁଏ।
ଛେନାରେ ପ୍ରଚୁର ପରିମାଣର ପ୍ରୋଟିନ ଥିବାରୁ ଏହାକୁ ଖାଇଲେ ଦୀର୍ଘ ସମୟ ଧରି ଭୋକ ହୁଏନାହିଁ। ତେଣୁ ବାରମ୍ବାର ଖାଇବାକୁ ଇଚ୍ଛା ବି ହୁଏନାହିଁ। ଯାହାଦ୍ୱାରା କି ଓଜନବୃଦ୍ଧି ନିୟନ୍ତ୍ରିତ ହୋଇଥାଏ।