ସୋରିଆସିସ୍ ହେଉଛି ଏପରି ଏକ ଚର୍ମରୋଗ ଯାହାକି ସହଜରେ ଆରୋଗ୍ୟ ହୋଇନଥାଏ। ଏହା ହେଲେ ଚର୍ମ କୁଣ୍ଡେଇ ହେବା ସହିତ ଛାଲି ଛାଡ଼ିଥାଏ। ଏଥିପାଇଁ ଅନେକ କ୍ଷେତ୍ରରେ ଲୋକମାନେ ହୀନମନ୍ୟତାର ମଧ୍ୟ ଶିକାର ହୋଇଥାନ୍ତି।
୧୫-୩୫ ବର୍ଷ ମଧ୍ୟରେ ଲୋକଙ୍କୁ ଏହା ହେବାର ଆଶଙ୍କା ଅଧିକ ରହିଥାଏ। ପ୍ରଥମତଃ କହୁଣୀ, ଆଣ୍ଠୁ ତଥା ମୁଣ୍ଡରେ ଦେଖାଗଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସମସ୍ତ ଶରୀରକୁ ପରିବ୍ୟାପ୍ତ ହୋଇଥାଏ।
କାହିଁକି ହୁଏ: ଏହି ରୋଗ କ’ଣ ପାଇଁ ହୋଇଥାଏ ତାର କିଛି ନିର୍ଦ୍ଦିଷ୍ଟ କାରଣ ଏଯାବତ୍ ଜଣାପଡ଼ିନାହିଁ। କିନ୍ତୁ ଶୀତ-ଉଷ୍ଣ, ମଧୁର-ଲବଣ ପରି ପରି ବିପରୀତ ଆହାର ଏକାସାଙ୍ଗରେ ଖାଇବା, ଗରିଷ୍ଠ ଖାଦ୍ୟ ଅତ୍ୟଧିକ ଖାଇବା, ଦହି, ମାଛ, ଖଟା, ବିରି ଜାତୀୟ ଦ୍ରଦ୍ୟ ଅଧିକ ଖାଇବା, ଖାଦ୍ୟ ହଜମ ନ ହେବା ପୂର୍ବରୁ ପୁଣି ଖାଇବା, କ୍ଷୀର ସହ ମାଛ, ମାଂସ ଖାଇବା, ଅତ୍ୟଧିକ ଖାଇବା ପରେ ବ୍ୟାୟାମ କରିବା, ଖରାରେ ବୁଲିବା, ଦିନବେଳେ ଶୋଇବା, ଖରାରେ ବୁଲି ଆସିବା ପରେ କିମ୍ବା କଠିନ ପରିଶ୍ରମ ପରେ ପାଣି ପିଇବା, ମଳ, ମୂତ୍ର ଆଦିର ବେଗକୁ ଅବରୋଧ କରିବା କାରଣରୁ ଏହି ରୋଗ ହୋଇଥାଏ।
କିପରି ଜାଣିବେ: ସୋରିଆସିସର ଚିହ୍ନଟ ପାଇଁ କିଛି ସ୍ୱତନ୍ତ୍ର ପ୍ରକାର ରକ୍ତ ପରୀକ୍ଷାର ଆବଶ୍ୟକତା ନାହିଁ। ଅଭିଜ୍ଞ ଚିକିତ୍ସକମାନେ ତ୍ୱଚାର ଅବସ୍ଥା,ବର୍ଣ୍ଣକୁ ଅନୁଧ୍ୟାନ କରି ତଥା ରୋଗୀର ସଂପୂର୍ଣ୍ଣ ଇତିହାସକୁ ଜାଣି ରୋଗ ନିରୂପଣ କରିଥାନ୍ତି। ସେହିପରି ଚର୍ମର ଏକ ଛୋଟ ଖଣ୍ଡକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ଦେଖିବା ପରେ ସାଧାରଣ ଚର୍ମ ଅପେକ୍ଷା ତାହା ମୋଟା ଥିବାର ଜଣାପଡ଼ିଲେ ସୋରିଆସିସ୍ ହୋଇଥିବାର ଆକଳନ କରନ୍ତି।
ପ୍ରକାର ଓ ଲକ୍ଷଣ: ସୋରିଆସିସ୍ ୫ ପ୍ରକାରର ହୋଇଥାଏ। ସେଗୁଡ଼ିକ ହେଲା ପ୍ଲେଗ୍ ସୋରିଆସିସ୍, ଗୁଟେଟ୍ ସୋରିଆସିସ୍, ଇନଭର୍ସ ସୋରିଆସିସ୍, ପୋଶ୍ଚୁଲାର ସୋରିଆସିସ୍ ଏବଂ ଏରିଥ୍ରୋଡରମିକ୍ ସୋରିଆସିସ୍। ସବୁ ପ୍ରକାରର ସୋରିଆସିସ୍ ମଧ୍ୟରୁ ପ୍ଲେଗ୍ ସୋରିଆସିସ୍ ଅବସ୍ଥା ଅଧିକ ଦେଖିବାକୁ ମିଳିଥାଏ। ଏହା ସାଧାରଣତଃ ମୁଣ୍ଡ, ଆଣ୍ଠୁ, କହୁଣୀ ଓ ପଛପଟ, ନିମ୍ନ ଭାଗରେ ଦେଖାଯାଇଥାଏ। ଏହା ଖୁବ୍ କୁଣ୍ଡେଇ ହୋଇଥାଏ ଏବଂ ଫାଟିଯାଇ ରକ୍ତ ବୋହିଥାଏ। ଗୁଟେଟ୍ ସୋରିଆସିସ୍ ହୋଇଥିଲେ ଛୋଟ ଛୋଟ ଲାଲ୍ ବିନ୍ଦୁ ଆକାରର ଅଲଗା ଅଲଗା ଚିହ୍ନ ତ୍ୱଚାରେ ଦେଖାଯାଇଥାଏ। ସାଧାରଣତଃ ଗୋଇଠି, ହାତ, ଗୋଡ଼ ପ୍ରଭୃତି ସ୍ଥାନରେ ଦେଖାଯାଇଥାଏ। ଶ୍ୱାସନଳୀ ସଂକ୍ରମଣ, ମୁଖଗହ୍ୱର ସଂକ୍ରମଣ, ମାନସିକ ଅବସାଦ ପରି କେତେକ ଔଷଧର ଅତ୍ୟଧିକ ସେବନ କାରଣରୁ ଚିନ୍ତା ବଢିଲେ ଏହି ରୋଗ ହୋଇଥାଏ।
ଇନଭର୍ସ ସୋରିଆସିସ୍ ହେଲେ ଖୁବ୍ ମୋଟା ଚର୍ମ ଥିବା ସ୍ଥାନରେ ଭାଙ୍ଗ ପଡ଼ିଯାଏ। ବିଶେଷ କରି କାଖ, ଜଂଘ, ମହିଳାଙ୍କ ସ୍ତନର ତଳପଟ, ଆଣ୍ଠୁ, କହୁଣୀର ପଛପଟରେ ଏହା ଅଧିକ ଦେଖାଯାଏ। ଏହାଛଡ଼ା ମୋଟା, ଓଜନିଆ ଲୋକଙ୍କୁ ଏହା ଅଧିକ ହୋଇଥାଏ। ପୋଶ୍ଚୁଲାଲ ସୋରିଆସିସ୍ ହୋଇଥିଲେ ଧଳା ରଙ୍ଗର ବ୍ରଣ ଭଳି ହୋଇଥାଏ। ତେବେ ସେଥିରେ ସଂକ୍ରମଣଜନିତ ପୂଜ ନଥାଇ ମୃତ ଶ୍ୱେତରକ୍ତ କଣିକା ଭର୍ତ୍ତି ହୋଇଥାଏ। ଶରୀରର ଯେକୌଣସି ସ୍ଥାନରେ ଏହା ହେଉଥିଲେ ମଧ୍ୟ ହାତ ଓ ପାଦରେ ଏବଂ ଯୁବକମାନଙ୍କଠାରେ ବେଶୀ ପରିପାଣରେ ଦେଖାଯାଏ। ଦୀର୍ଘଦିନ ଧରି ତ୍ୱଚାରେ ଉତ୍ତେଜକ ମଲମ ଲଗାଇବା, ସୂର୍ଯ୍ୟରଶ୍ମିରେ ରହିବା, ଗର୍ଭାବସ୍ଥା, ଷ୍ଟେରଏଡ୍ ଔଷଧ ସେବନ କରିବା ତଥା ମାନସିକ ଭାବେ ଅବସାଦଗ୍ରସ୍ତ ହେବା ଏହାର ପ୍ରମୁଖ କାରଣ। ଏରିଥ୍ରୋଡରମିକ୍ ସୋରିଆସିସ୍ ହେଲେ ଦେହସାରା ଲାଲ୍ ରଙ୍ଗର ଚକଡ଼ା ଚକଡ଼ା ହୋଇ ଫଳିଯାଏ। ଏହା କୁଣ୍ଡେଇ ହୋଇ ଖୁବ୍ ଯନ୍ତ୍ରଣା ଦେଇଥାଏ।
ଚିକିତ୍ସା କ’ଣ: ଏଲୋପ୍ୟାଥିକ୍ରେ ସୋରିଆସିସ୍ ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ରହିଛି। ବେଶ୍ କିଛି ଦିନ ଧରି ସେଗୁଡ଼ିକୁ ସେବନ କରିବାକୁ ପଡ଼ିଥାଏ। ଆୟୁର୍ବେଦ ମାଧ୍ୟମରେ ମଧ୍ୟ ଏହାର ଉପଚାର ସମ୍ଭବ। ମଞ୍ଜିଷ୍ଠାଦି କଷାୟ, ଆରଣକ ଆଦି କଷାୟ, ଆରୋଗ୍ୟ ବର୍ଦ୍ଧିନୀ ବଟି, ଗନ୍ଧକ ରସାୟନ ପ୍ରଭୃତିକୁ ବିଶେଷଜ୍ଞ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ପ୍ରୟୋଗ କଲେ ସୁଫଳ ମିଳିଥାଏ। ଏହାଛଡ଼ା ପଞ୍ଚକର୍ମ ଚିକିତ୍ସା ସୋରିଆସିସ୍ ପାଇଁ ଖୁବ୍ ଉପାଦେୟ ହୋଇଥାଏ।
କ’ଣ ଖାଇବେ: ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଯେପରିକି ମୁଗ, ମସୁର ଡାଲି, ପୁରୁଣା ଚାଉଳର ଭାତ, ଗହମ, ଯଅ ପ୍ରସ୍ତୁତ ଖାଦ୍ୟ, ନିମ୍ବ, ହଳଦୀ, ପୋଟଳ, କଲରା, ମହୁ, ରସୁଣ, ଡାଳିମ୍ବ ପରି ଫଳ। କ୍ଷୀର ସହ ମାଛ, ନୂଆଅନ୍ନ, ପିଠାପଣା, ବେଶୀ ପରିମାଣରେ ଦହି, ଘିଅ, ବିରି, ମାଛ, ଲୁଣ, ଗୁଡ଼, ମଦ ଇତ୍ୟାଦି ଅଧିକ ଖାଇବା ଅନୁଚିତ୍। ଏହାଛଡ଼ା ନିୟମିତ ବ୍ୟାୟାମ କରିବା ବି ଜରୁରୀ।