ମଧୁମେହ ରୋଗର ଆଶଙ୍କା କଲେ ଅଧିକାଂଶ ସମୟରେ ଡାକ୍ତରମାନେ ଖାଲି ପେଟରେ ବ୍ଲଡ୍ ସୁଗାର ପରୀକ୍ଷା କରି ଆସିବା ପାଇଁ ପରାମର୍ଶ ଦେଇଥାନ୍ତି। ଏହି ପରୀକ୍ଷାର ଅନେକ ଗୁରୁତ୍ୱ ରହିଛି।
ଯକୃତରେ ଅତ୍ୟଧିକ ଗ୍ଲୁକୋଜ୍ ଉତ୍ପାଦନ ଯୋଗୁ ଆମ ଶରୀରରେ ଫାଷ୍ଟିଂ ପ୍ଲାଜମା ଗ୍ଲୁକୋଜ୍ ଲେଭଲ (ଏଫ୍ପିଜି) ବଢିବା ଆରମ୍ଭ ହୋଇଥାଏ। ତେଣୁ କୌଣସି ଲୋକକୁ ମଧୁମେହ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଏଫ୍ପିଜି ପରୀକ୍ଷା କରାଯାଏ। ଏହି ପରୀକ୍ଷା ଖୁବ୍ ସରଳ ହୋଇଥିବାବେଳେ ଏହାଦ୍ୱାରା ମଧୁମେହର ଚିହ୍ନଟ ଠିକ୍ ଭାବେ ହୁଏ।
କେଉଁମାନେ ବ୍ଲଡ୍ ସୁଗାର ପରୀକ୍ଷା କରିବା ଉଚିତ୍?
- ରୋଗୀର ବୟସ ୪୫ ବର୍ଷରୁ ଅଧିକ ହୋଇଥିଲେମେଦବହୁଳତାର ଶିକାର ଲୋକ। ଯାହାଙ୍କର ପରିବାରରେ ପୂର୍ବରୁ କେହି ଏହି ରୋଗରେ ପୀଡ଼ିତ ଥିବେ
- ଗର୍ଭବତୀ ମହିଳା
- ପଲିଷିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ବା ପିସିଓଡ଼ିର ଶିକାର ମହିଳା
- ହାଇପରଟେନସନରେ ପୀଡ଼ିତ ବ୍ୟକ୍ତି
- ଶରୀରରେ ଏଚଡିଏଲ୍ କୋଲେଷ୍ଟେରୋଲର ସ୍ତର ୩୫ଏମଜି/ଡିଏଲରୁ କମ୍ ହୋଇଥିଲେ କିମ୍ବା ଟ୍ରାଇଗ୍ଲିସେରାଇଡର ସ୍ତର ୨୫୦ ଏମଜି/ଏମଏଲରୁ ଅଧିକ ହୋଇଥିଲେ
- ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତି
ବ୍ଲଡ୍ ସୁଗାର ପରୀକ୍ଷା ପୂର୍ବରୁ କ’ଣ କରିବେ?
ସକାଳୁ ଖାଲିପେଟରେ ଏହି ପରୀକ୍ଷା କରନ୍ତୁ ଅତ୍ୟଧିକ ବିଳମ୍ବ ଯେପରିକି ସକାଳ ୧୦ଟା ପରେ ହୋଇଗଲେ ପରୀକ୍ଷା କରାନ୍ତୁ ନାହିଁ। ଏହାଦ୍ୱାରା ରିପୋର୍ଟ ଠିକ୍ ଭାବେ ଆସିନଥାଏ। ପରୀକ୍ଷାର ଆଠ ଘଣ୍ଟା ପୂର୍ବରୁ କିଛି ଖାଦ୍ୟ ଖାଆନ୍ତୁ ନାହିଁ। କେବଳ ପାଣି ପିଇପାରିବେ। ପରୀକ୍ଷା ପୂର୍ବରୁ ଖୁବ୍ ଅଧିକ ବ୍ୟାୟାମ, ଧୂମପାନ, ମଦ୍ୟପାନ କରନ୍ତୁ ନାହିଁ। ପୂର୍ବଦିନ ରାତିରେ ଅଧିକ ଗରିଷ୍ଠ ଭୋଜନ ଯେପରିକି ମାଂସାହାର କରନ୍ତୁ ନାହିଁ। ପରୀକ୍ଷା ପୂର୍ବରୁ ଡାକ୍ତରଙ୍କୁ ଆପଣ କେଉଁ କେଉଁ ଔଷଧ ଖାଉଛନ୍ତି ତାହା କୁହନ୍ତୁ। ଏପରିହେଲେ ହୁଏତ ଡାକ୍ତର ଆପଣଙ୍କୁ କିଛି ଔଷଧ ସେବନ ବନ୍ଦ କରି ପରୀକ୍ଷା କରାଇବାକୁ କହିପାରନ୍ତି ଏଫ୍ପିଜିର ସ୍ତର କେତେ ହେବା ଉଚିତ୍।
ଆମେରିକାନ୍ ଡାଇବେଟିସ୍ ଆସୋସିଏସନ ଗାଇଡଲାଇନ୍ ଅନୁସାରେ ଶରୀରରେ ଏଫ୍ପିଜିର ସ୍ତର ୧୦୦ ଏମଜି/ଡିଏଲରୁ କମ୍ ଥିଲେ ତାହା ସାଧାରଣ ଅବସ୍ଥା। କିନ୍ତୁ ଏହା ୧୦୦-୧୨୫ ମଧ୍ୟରେ ରହିଲେ ତାକୁ ପ୍ରିଡାଇବେଟିସ୍ ବା ଡାଇବେଟିସ୍ର ପୂର୍ବାବସ୍ଥା ବୋଲି କୁହାଯାଏ। ଏହି ଅବସ୍ଥାରେ ବ୍ୟକ୍ତିଜଣକ ମଧୁମେହରେ ପୀଡ଼ିତ ହେବାର ଆଶଙ୍କା ଅଧିକ ରହେ। ସେହିପରି ଏଫ୍ପିଜି ୧୨୬ ଏମଜି/ଡିଏଲରୁ ଅଧିକ ଥିଲେ ବ୍ୟକ୍ତିଜଣକ ମଧୁମେହରେ ପୀଡ଼ିତ ବୋଲି ଆକଳନ କରାଯାଏ। ଏହା ଜଣାପଡ଼ିବା ପରେ ନିୟମିତ ଭାବେ ବ୍ୟାୟାମ କରିବା ସହିତ ସୁଷମ ଖାଦ୍ୟ ଖାଆନ୍ତୁ। ଆବଶ୍ୟକସ୍ଥଳେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇପାରିବେ।