ସାଧାରଣତଃ ବାର୍ଦ୍ଧକ୍ୟ ଅବସ୍ଥାରେ ମୋତିଆବିନ୍ଦୁ ରୋଗ ହୋଇଥାଏ ବୋଲି ଆମର ଧାରଣା ରହିଛି। ପ୍ରକୃତରେ କିନ୍ତୁ ଏହା ଯେକୌଣସି ବୟସର ଲୋକ ଏପରିକି ଛୋଟ ପିଲାଙ୍କୁ ବି ହୋଇପାରେ। ଆସନ୍ତୁ ଜାଣିବା ସେ ସଂପର୍କରେ…।
ଶିଶୁମାନଙ୍କ ମୋତିଆବିନ୍ଦୁ ଜନ୍ମଗତ ହୋଇପାରେ କିମ୍ବା ଜନ୍ମପରେ ବି ପରିଲକ୍ଷିତ ହୁଏ। ଏହା ଗୋଟିଏ ଆଖିରେ ହୋଇପାରେ କିମ୍ବା ଉଭୟ ଆଖିରେ ବି ହୋଇପାରେ। ଉଭୟ ଆଖିରେ ମୋତିଆବିନ୍ଦୁ ହୋଇଥିଲେ ଦୁଇଟି ଯାକ ଆଖିରେ ତା’ର ପ୍ରଭାବ ସମାନ ନଥାଏ। ଗୋଟିଏ ଆଖିରେ ଅନ୍ୟ ଆଖି ଅପେକ୍ଷା ଏହା ଅଧିକ ଗୁରୁତର ବି ହୋଇପାରେ। ଏହା ଲେନ୍ସର ବିଭିନ୍ନ ଅଂଶରେ ହୋଇପାରେ ଏବଂ ଏହାର ଆକାର ଛୋଟ ବିନ୍ଦୁଠାରୁ ନେଇ ପୂରା ଧୂଆଁମୟ ହୋଇ ବଡ଼ ଆକାରର ବି ହୋଇଥାଏ।
ଏହାର ଆନୁବଂଶିକ ବିସଙ୍ଗତି, ମେଟାବୋଲିକ ଡିଜଅର୍ଡର ଯଥା-ମଧୁମେହ ଏବଂ ଚକ୍ଷରୁ ଲେନ୍ସ ନଷ୍ଟ ହୋଇଯାଉଥିବା ଆଘାତ କାରଣରୁ ମଧ୍ୟ ହୋଇଥାଏ। ଅନେକ ସମୟରେ ଏଭଳି କିଛି ନଥାଇ ମଧ୍ୟ ଆପେ ଆପେ ମୋତିଆବିନ୍ଦୁ ହୁଏ।ରୋଗ ନିରୂପଣ: ରେଟିନାରେ ଗୋଟିଏ ବସ୍ତୁର ସଠିକ ଚିତ୍ର ପାଇବା ପାଇଁ ଆଖିର ଲେନ୍ସ ପୂରା ସ୍ୱଚ୍ଛ ହେବା ଆବଶ୍ୟକ। ଯାହାଦ୍ୱାରାକି ଏହି ଚିତ୍ର ମସ୍ତିଷ୍କକୁ ସଂରଚିତ ହୋଇପାରିବ। ମୋତିଆବିନ୍ଦୁ ହୋଇଗଲେ ରେଟିନାକୁ ଆଲୁଅ ପହଞ୍ଚିବା ବାଧାପ୍ରାପ୍ତ ହୋଇଥାଏ। ଏହି ସମୟରେ ଏକ ପ୍ରକାର ଧୂଆଁଳିଆ ଅବସ୍ଥା ସୃଷ୍ଟି ହୋଇଥିବାରୁ ଆଲୋକ ରଶ୍ମୀ ସିଧା ନ ପଡ଼ି ବିଚ୍ଛୁରିତ ହୋଇଯାଏ; ଫଳରେ ରେଟିନାରେ ଯେକୌଣସି ବସ୍ତୁର ଚିତ୍ର ଆସିପାରେ ନାହିଁ।
ଛୋଟ ପିଲାଙ୍କଠାରେ ଯେତେବେଳେ ଆଖି ଓ ମସ୍ତିଷ୍କ ‘ଦେଖିବା’ କାର୍ଯ୍ୟଟି ଧୀରେ ଧୀରେ ଶିଖୁଥାନ୍ତି ସେତେବେଳେ ଏଭଳି ବିକୃତି ଦ୍ୱାରା ଦୃଷ୍ଟିମାନ୍ଦ୍ୟ(ଆମ୍ବ୍ଲିୟୋପିଆ) ଦେଖାଯାଏ। ଏହାର ଉପଯୁକ୍ତ ଚିକିତ୍ସା କରାନଗଲେ ପେଡିଆଟ୍ରିକ କାଟ୍ରାକ୍ଟ କାରଣରୁ ଚକ୍ଷୁ ଓ ମସ୍ତିଷ୍କ ମଧ୍ୟରେ ଏକ ଅସ୍ୱାଭାବିକ ଯୋଗାଯୋଗ ସୃଷ୍ଟି ହୋଇଥାଏ। ଥରେ ଏଭଳି ଯୋଗାଯୋଗ ସୃଷ୍ଟି ହୋଇଗଲେ ଏହାକୁ ଆଉ ପରିବର୍ତ୍ତନ କରିହୁଏନାହିଁ । ଜନ୍ମପରେ ହିଁ ନବଜାତକକୁ ପରୀକ୍ଷା କରିବା ସମୟରେ ଅଧିକାଂଶ ପେଡିଆଟିକ କାଟ୍ରାକ୍ଟ ଜଣାପଡ଼ିଥାଏ। ବେଳେବେଳେ ସେମାନେ ଡାକ୍ତରଖାନରୁ ଡିସଚାର୍ଜ ହେବା ସମୟରେ ଏହା ନିରୂପିତ ହୋଇଥାଏ।
ଚିକିତ୍ସା: ଅଧିକାଂଶ କ୍ଷେତ୍ରରେ ଶିଶୁମାନଙ୍କର ମୋତିଆବିନ୍ଦୁକୁ ଶଲ୍ୟ ଚିକିତ୍ସା ବା ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଏ। ଶଲ୍ୟ ଚିକିତ୍ସା ପରେ ଶିଶୁଙ୍କଠାରେ କଣ୍ଟ୍ରାକ୍ଟ ଲେନ୍ସର କିଛି ମିଶ୍ରଣ, ଇଣ୍ଟ୍ରାଅକ୍ୟୁଲାର ଲେନ୍ସ ଆଦିକୁ ଆଖିରେ ସ୍ଥାପନ କରାଯାଏ। ଯଦି ଦୃଷ୍ଟିମାନ୍ଦ୍ୟ/ କମ୍ ଦେଖାଯିବା(ଆମବ୍ଲିୟୋପିଆ) ବୃଦ୍ଧି ହୋଇଯାଇଥାଏ, ତେବେ ଶିଶୁକୁ ‘ପ୍ୟାଚିଂ’ ଚିକିତ୍ସାର ଆବଶ୍ୟକତା ପଡ଼େ।