ଆମ ଶରୀର ପାଇଁ ଆୟୋଡିନର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଥାଇରଏଡ୍ ହରମୋନର ପ୍ରସ୍ତୁତି ପାଇଁ ଆୟୋଡିନର ଭୂମିକା ଖୁବ୍ ବେଶୀ। ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ଆୟୋଡିନ୍ କେତେ ଦରକାର?
ଏହା ମଧ୍ୟ ଥାଇରଏଡ୍ ଗ୍ଲାଣ୍ଡ ଠିକ୍ ଭାବେ କାମ କରିବାରେ ସହାୟକ ହୋଇଥାଏ। ଆୟୋଡିନ୍ ଥାଇରଏଡ୍ ଷ୍ଟିମୁଲେଟିଂ ହରମୋନ୍(ଟିଏସଏଚ୍)କୁ ଟ୍ରାଇଓଡୋଥାଇରୋନାଇନ୍ (ଟି୩) ଏବଂ ଥାଇରୋକ୍ସିନ୍ (ଟି୪)ରେ ପରିବର୍ତ୍ତନ କରିବାରେ ସହାୟକ ହୁଏ। ଏହି ପରିବର୍ତ୍ତନ ଯୋଗୁ ଥାଇରଏଡ୍ ଗ୍ଲାଣ୍ଡ ଠିକ୍ ଭାବେ କାମ କରିଥାଏ। ଆମର ବେକରେ ଥିବା ଥାଇରଏଡ୍ ଗ୍ଲାଣ୍ଡରେ ୭୦-୮୦ ପ୍ରତିଶତ ଆୟୋଡିନ୍ ରହିଥାଏ। ବାକି ଆୟୋଡିନ୍ ରକ୍ତ, ମାଂସପେଶୀ ଏବଂ ଶରୀରର ଅନ୍ୟାନ୍ୟ ଭାଗରେ ରହିଥାଏ।
ଡାକ୍ତରମାନଙ୍କ ଅନୁସାରେ ଆମ ଶରୀରରେ ଶକ୍ତିର ସ୍ତରକୁ ବଜାୟ ରଖିବା, ସୁସ୍ଥ ତ୍ୱଚା ପ୍ରସ୍ତୁତି, ଦାନ୍ତ, କେଶକୁ ସୁସ୍ଥ ରଖିବା ରଖିବାରେ ଆୟୋଡିନର ଭୂମିକା ଉଲ୍ଲେଖନୀୟ। ଏହାମଧ୍ୟ ମା’ ପେଟରୁ ମଲା ପିଲା ଜନ୍ମ ହେବାରୁ ରକ୍ଷା କରେ। ସେହିପରି ହାଇପୋଥାଇରଏଡ୍ଜିମ୍ ଏବଂ କିଛି ପ୍ରକାରର କର୍କଟ ରୋଗରୁ ଏହା ରକ୍ଷା କରିଥାଏ।
ଆୟୋଡିନର ଅଭାବ ହେଲେ କ’ଣ ହେବ?
ଭାରତରେ ଏବେ ପ୍ରାୟ ୭୧ ନିୟୁତ ଲୋକ ଆୟୋଡିନ୍ ଅଭାବର ସାମ୍ନା କରୁଛନ୍ତି। ଥାଇରଏଡ୍ ବଢିଯିବା ଏବଂ ଗଳଗଣ୍ଡର ଏହା ମୁଖ୍ୟ କାରଣ। ଗଳଗଣ୍ଡ ରୋଗ ହେଲେ ତଣ୍ଟିରେ ଗିଳିବା ଏବଂ ଖାଦ୍ୟ ଚୋବାଇବାରେ ସମସ୍ୟା ହୋଇଥାଏ। ସେହିପରି ଆୟୋଡିନ୍ ଅଭାବରୁ ହାଇପୋଥାଇରଏଡ୍ଜିମ୍ ମଧ୍ୟ ହୋଇଥାଏ। ଯାହାଫଳରେ କି ବ୍ୟକ୍ତିଙ୍କର ଓଜନ ବଢିବା, ଜ୍ୱର ହେବା, ମାନସିକ ଅବସାଦ, ସ୍ମରଣ ଶକ୍ତି ହ୍ରାସ, କେଶ ଝଡ଼ିବା, ଚର୍ମ ଶୁଷ୍କ ହୋଇଯିବା, ବାରମ୍ବାର ଥଣ୍ଡା ହେବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ।
ଗର୍ଭବତୀ ମହିଳାଙ୍କଠାରେ ଆୟୋଡିନର ଅଭାବ ହେଲେ ଗର୍ଭପାତ, ମଲା ପିଲା ଜନ୍ମ ନେବା ଏବଂ ପିଲାଠାରେ ଜନ୍ମଗତ ତ୍ରୁଟି ଦେଖାଯିବା ଭଳି ସମସ୍ୟା ହୋଇଥାଏ। ଏପରିକି ପିଲାର ବିକାଶ ବି ବାଧାପ୍ରାପ୍ତ ହୋଇଥାଏ, ପିଲା କଥା କହିବା ଓ ଶୁଣିବାର ସମସ୍ୟାର ସାମ୍ନା କରେ। ସମୟ ସମୟରେ ଏହା ପିଲାର ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ।
ଆୟୋଡିନର ଉତ୍ସ:
ପ୍ରାକୃତିକ ଭାବେ ଏହା ମାଟି ଏବଂ ସମୁଦ୍ର ପାଣିରୁ ମିଳିଥାଏ। କିଛି ସାମୁଦ୍ରିକ ମାଛ, କଙ୍କଡ଼ା, ଓଏଷ୍ଟରରୁ ମଧ୍ୟ ପ୍ରଚୁର ପରିମାଣରେ ଆୟୋଡିନ୍ ମିଳିଥାଏ। ଏହାଛଡ଼ା ସେଓ ଜୁସ୍, କଦଳୀ, ମଟରଛୁଇଁ, ସୋୟା ମିଲସ୍, ସୋୟା ସସ୍, ପାଉଁରୁଟି, ଅଣ୍ଡା ଓ ଦହିରୁ ଆପଣ ଆୟୋଡିନ୍ ପାଇପାରିବେ। ଆୟୋଡିନ୍ ଗ୍ରହଣ କରିବାର ସବୁଠୁ ସହଜ ଉପାୟ ହେଲା ଲୁଣ। ସେଥିପାଇଁ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ଲୁଣର ବ୍ୟବହାର କରାଯାଏ। ତେବେ ଶରୀରରେ ଆୟୋଡିନର ଅଭାବ ହେଲେ ଡାକ୍ତରମାନେ କିଛି ନିର୍ଦ୍ଦିଷ୍ଟ ମଲ୍ଟିଭିଟାମିନ୍ ଖାଇବାକୁ ଦେଇଥାନ୍ତି। ତାହା ଆୟୋଡିନ୍ ମୁକ୍ତ ହୋଇଥାଏ।
କେତେ ପରିମାଣର ଲୁଣ ଖାଇବେ:
୧୪ ବର୍ଷରୁ ଉଦ୍ଧ୍ୱର୍ ବୟସର ହୋଇଥିଲେ ଦିନକୁ୧୫୦ ମାଇକ୍ରୋଗ୍ରାମ୍ ଲୁଣ ଖାଇବା ଯଥେଷ୍ଟ। ଗର୍ଭାବସ୍ଥା ସମୟରେ ଦିନକୁ ୨୨୦ ମାଇକ୍ରୋଗ୍ରାମ ଲୁଣର ଆବଶ୍ୟକତା ପଡ଼େ। ସେହିପରି ପିଲାକୁ ସ୍ତନ୍ୟପାନ କରାଉଥିଲେ ଦିନକୁ ୨୯୦ ମାଇକ୍ରୋଗ୍ରାମ୍ ଲୁଣ ଖାଇବା ଆବଶ୍ୟକ।
ଅଧିକ ଆୟୋଡିନ୍ ବି କ୍ଷତିକାରକ:
ଅଧିକ ପରିମାଣରେ ଆୟୋଡିନ୍ ଗ୍ରହଣ କରିବା ମଧ୍ୟ ଶରୀର ପାଇଁ କ୍ଷତିକାରକ। ଅତ୍ୟଧିକ ଆୟୋଡିନ୍ ଗ୍ରହଣ କଲେ ମଧ୍ୟ ଥାଇରଏଡ୍ ସମସ୍ୟା ଦେଖାଯାଇଥାଏ। ଏହାଯୋଗୁ ତଣ୍ଟି, ପେଟ ଜ୍ୱଳାପୋଡ଼ା ହେବା ସହିତ ତଳିପେଟ ଦରଜ, ଜ୍ୱର, ବାନ୍ତି, ଡାଇରିଆ ହେବା ଭଳି ସମସ୍ୟା ହୁଏ। ତେଣୁ ଖାଦ୍ୟରେ ସନ୍ତୁଳିତ ଭାବେ ଆୟୋଡିନ୍ ବ୍ୟବହାର କରିବା ଆବଶ୍ୟକ।