ବର୍ଷା ଋତୁରେ ଓ କରୋନା ମହାମାରୀ ସମୟରେ କିପରି ନେବା ପିଲାଙ୍କ ଯତ୍ନ? ଜାଣନ୍ତୁ ଡାକ୍ତର ନିର୍ମଳ ମହାକୁଡ଼ଙ୍କ ପରାମର୍ଶ।
ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା। ସେପଟେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ଷାଦିନେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ହୋଇଥାଏ। ବିଶେଷ କରି ବର୍ଷାଦିନେ ଶିଶୁମାନେ ବହୁଳ ଭାବେ ବିଭିନ୍ନ ସଂକ୍ରମଣର ଶିକାର ହୋଇଥା’ନ୍ତି।
୧- ରାଜ୍ୟରେ ପ୍ରାକ୍ ମୋସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଏ ସମୟରେ ଶିଶୁମାନେ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇଥା’ନ୍ତି କାହିଁକି?
ଖରା ପରେ ବର୍ଷାର ଆଗମନ ପିଲାଙ୍କ ମନରେ ଆନନ୍ଦ ଭରିଦିଏ। ସେମାନେ ବର୍ଷାରେ ବୁଲିବାକୁ, ରାସ୍ତାଘାଟରେ ଜମା ହୋଇଥିବା ପାଣିରେ ଖେଳିବାକୁ ଭଲ ପାଆନ୍ତି। ଯାହାଫଳରେ ସେମାନେ ବିଭିନ୍ନ ବ୍ୟାକ୍ଟେରିଆ, ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ସମ୍ଭାବନା ରହିଛି। ସେହିପରି ବର୍ଷାଦିନେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ମ୍ୟାଲେରିଆ, ଡେଙ୍ଗୁ, ଚିକେନ୍ଗୁନିଆ ଭଳି ରୋଗ ଦ୍ୱାରା ପାଲାମାନେ ଆକ୍ରାନ୍ତ ହେବା ଆଶଙ୍କା ମଧ୍ୟ ରହିଥାଏ। ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ହେବା ଯୋଗୁଁ ପିଲାମାନଙ୍କୁ ସହଜରେ ଥଣ୍ଡା, କାଶ, ଶର୍ଦ୍ଦି ଆଦି ହୋଇଥାଏ।
୨. ଥଣ୍ଡା, କାଶ, ଜ୍ୱର ଓ ଝାଡ଼ା ଭଳି ରୋଗ ସଂକ୍ରମଣ ମୁଖତଃ ପିଲାମାନଙ୍କୁ କେଉଁ କାରଣରୁ ହୋଇଥାଏ ?
ଜଳବାୟୁ ପରିବର୍ତ୍ତନ ଜନିତ ଭୂତାଣୁ ସଂକ୍ରମଣ ଯୋଗୁଁ ପିଲାମାନଙ୍କୁ ଥଣ୍ଡା, କାଶ, ଜ୍ୱର ଓ ଝାଡ଼ା ହୋଇଥାଏ। ବର୍ଷା ଯୋଗୁଁ ପାଣି ଦୂଷିତ ହୋଇଯାଏ। ଏହି ଦୂଷିତ ପାଣି ପିଇବା ଦ୍ୱାରା ଝାଡ଼ା ଓ ଜଣ୍ଡିସ୍ ପରି ରୋଗ ମଧ୍ୟ ବ୍ୟାପେ। ସେହିପରି ବର୍ଷା ଦିନରେ ରାସ୍ତା କଡ଼ ଦୋକାନରୁ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଝାଡ଼ା ଓ ଜଣ୍ଡିସ୍ ବ୍ୟାପିଥାଏ। ଦୂଷିତ ଜଳ ସେବନ ଯୋଗୁଁ ଟାଇଫଏଡ୍ ହେବା ସମ୍ଭାବନା ମଧ୍ୟ ରହିଛି। ଏଣୁ ସ୍ୱଚ୍ଛ ପାନୀୟ ଜଳ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଦ୍ୟ ସହିତ ସ୍ୱାସ୍ଥ୍ୟକର ପରିବେଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ।
୩. ଏସବୁ ବାଦ୍ ଆଉ କେଉଁ ସବୁ ସଂକ୍ରମଣ ବର୍ଷାଋତୁରେ ବ୍ୟାପିଥାଏ?
ଏସବୁକୁ ବାଦ୍ ଦେଲେ ବ୍ରେନ୍ ମ୍ୟାଲେରିଆ, ଆସ୍ଥମା, ନିମୋନିଆ, ମସ୍ତିଷ୍କ ଜ୍ୱର (ଜାପାନିଜ୍ ଏନ୍ସେଫାଲାଇଟିସ୍), ସଂକ୍ରମଣ ଜନିତ ଚର୍ମ ରୋଗ (ଟେନିଆ କାପିଟିସ୍, ଟିନିଆ ରେଡିସ୍, ଟେନିଆ କର୍ପୋରିସ୍ ) ଓ କାଛୁକୁଣ୍ଡିଆ ଆଦି ହୋଇଥାଏ।
୪. ବିଶେଷକରି କେଉଁ ବୟସ ବର୍ଗର ଶିଶୁ ସଂକ୍ରମଣର ଶିକାର ହେବା ଆଶଙ୍କା ଅଧିକ ରହିଥାଏ?
ଜନ୍ମରୁ ଦୁଇବର୍ଷ ପର୍ଯ୍ୟନ୍ତ ଶିଶୁମାନେ ମୁଖ୍ୟତଃ ବିଭିନ୍ନ ରୋଗରେ ପଡ଼ିଥା’ନ୍ତି। ଜୀବାଣୁ / ଭୂତାଣୁଙ୍କ ବିପକ୍ଷରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ବିକଶିତ ହୋଇନଥିବାରୁ ସେମାନେ ବାରମ୍ବାର ସଂକ୍ରମଣର ଶିକାର ହୋଇଥା’ନ୍ତି।
୫. ନବଜାତ ଶିଶୁଙ୍କ ଯତ୍ନ ବର୍ଷା ଋତୁ ସମୟରେ କିଭଳି ନିଆଯିବ?
ନବଜାତ ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହିସବୁ ପଦକ୍ଷେପ ନେବେ:
- ପିଲାମାନଙ୍କୁ ଢିଲା, କଟନ୍ ପୋଷାକ ପିନ୍ଧାନ୍ତୁ।
- ଶିଶୁକୁ ଧରିବା ପୂର୍ବରୁ ସାବୁନ୍ରେ ଭଲ ଭାବେ ହାତ ଧୁଅନ୍ତୁ ବା ହାତରେ ସାନିଟାଇଜର୍ ପ୍ରୟୋଗ କରନ୍ତୁ।
- ନିୟମିତ ତେଲ ମସାଜ୍ କରନ୍ତୁ ଏବଂ ଗାଧାନ୍ତୁ। ଚର୍ମରେ ଭାଙ୍ଗ ଥିବା ସ୍ଥାନକୁ ଭଲ ଭାବେ ଧୋଇ ପରିଷ୍କାର କରନ୍ତୁ।
- ସଂକ୍ରମଣ ଏଡ଼ାଇବା ପାଇଁ ନିୟମିତ ଭାବେ ନଖ କାଟନ୍ତୁ ।
- ଉଚିତ୍ ସମୟ ବ୍ୟବଧାନରେ ମାଆ ଶିଶୁକୁ ନିଜର ଦୁଗ୍ଧ ପାନ କରାଇା ଉଚିତ। ପ୍ରତି ସପ୍ତାହରେ ଓଜନ ବୃଦ୍ଧି ଉପରେ ନଜର ରଖନ୍ତୁ ( ସପ୍ତାହରେ ଶିଶୁର ଓଜନ ପ୍ରାୟ ୫୦ଗ୍ରାମ ବଢ଼ିଥାଏ)।
- ପରିବେଶ ପରିସ୍କାର ରଖିବା ଉଚିତ୍ ଯାହାଦ୍ୱାରା ଶିଶୁମାନଙ୍କୁ ବିଭିନ୍ନ କୀଟ, ବୁଢ଼ିଆଣୀ, ବିରୁଡ଼ି ଆଦି କାମୁଡ଼ିବାଠାରୁ ସୁରକ୍ଷିତ ରଖନ୍ତୁ।
୬. ଶିଶୁଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ କେଉଁ ସବୁ ଉପାୟ ଅବଲମ୍ବନ କରାଯିବା ଆବଶ୍ୟକ ?
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସନ୍ତୁଳିତ ଖାଦ୍ୟ ଗୁରୁତ୍ୱ ବହନ କରେ। ପିଲାମାନଙ୍କୁ ବିଭିନ୍ନ ପ୍ରକାରର ପନିପରିବା ଓ ଫଳ ଖାଇବା ପାଇଁ ବାପାମା’ ପ୍ରବର୍ତ୍ତାଇବା ଉଚିତ୍। ସେହିପରି ଜଙ୍କ ଫୁଡ୍, ଫାଷ୍ଟ ଫୁଡଠାରୁ ଯଥା ସମ୍ଭବ ଦୂରେଇ ରଖିବା ପାଇଁ ମଧ୍ୟ ମା’ ବାପା ଯତ୍ନବାନ ହେବା ଉଚିତ୍। ସନ୍ଧ୍ୟା ବେଳେ ପିଲାମାନେ ଖୋଲା ପଡ଼ିଆରେ ଅତିକମ୍ରେ ଏକ ଘଣ୍ଟା ଖେଳିବା ଉଚିତ (ଯେଉଁଥିରେ ଶାରୀରିକ ପରିଶ୍ରମ ହେଉଥିବ)। ଏହାଦ୍ୱାରା ସେମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଘଟିଥାଏ।
୭. ବର୍ତ୍ତମାନ ଆମ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ କ’ଣ ସବୁ ସ୍ୱତନ୍ତ୍ର ଯତ୍ନର ଆବଶ୍ୟକତା ରହିଛି?
କରୋନା ଠାରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ –
- ପିଲାମାନଙ୍କୁ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ।
- ବାହାରକୁ ବାହାରିଲେ ପିଲାମାନେ ମାସ୍କ ପିନ୍ଧିବା ଉଚିତ।
- ବାହାରେ କୌଣସି ଜିନିଷକୁ ସ୍ପର୍ଶ କରିଥିଲେ ଘରକୁ ଫେରିବା ପରେ ସାବୁନ୍ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଘଷି ଘଷି ସଫା କରିବା ଉଚିତ୍। ଏହା ବଦଳରେ ହାତରେ ସାନିଟାଇଜର୍ ବି ଲଗାଇ ପାରିବେ। ହେଲେ, ବାହାରୁ ଖେଳିବୁଲି ଆସିବା ପରେ ସବୁବେଳେ ହାତ ଧୋଇବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ।
- ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ଫଳ ରସ ପିଇବାକୁ ଦିଆଯିବା ଉଚିତ। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ୍ ସି, ଭିଟାମିନ୍ ଏ ଓ ଜିଙ୍କ୍ ଥିବା ଖାଦ୍ୟ ଖାଇବା ଉଚିତ।
୮. ଏ ସମୟରେ ବାରମ୍ବାର ସଂକ୍ରମିତ ହେଉଥିବା ଶିଶୁମାନଙ୍କୁ କିଭଳି ଚିକିତ୍ସାର ଆବଶ୍ୟକତା ରହିଛି ?
ଶିଶୁ ବାରମ୍ବାର ସଂକ୍ରମଣର ଶିକାର ହେଉଥିଲେ ସମୟ ବିଳମ୍ବ ନକରି ଶିଶୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ଦେଖାନ୍ତୁ ନଚେତ୍ ଟେଲିମେଡିସିନ୍ ସେବା ଗ୍ରହଣ କରିପାରିବେ। ଆବଶ୍ୟକ ସ୍ଥଳେ ରକ୍ତ ଓ ପରିସ୍ରା ପରୀକ୍ଷା କରିବା ଉଚିତ।
୯. ମୁଖ୍ୟତଃ ବାପାମା’ମାନେ ସେମାନଙ୍କ ଶିଶୁର ସ୍ୱାସ୍ଥ୍ୟ ପାଇଁ କେଉଁ ସବୁ ଦିଗ ପ୍ରତି ଗୁରୁତ୍ୱେ ଦେବେ?
ବର୍ତ୍ତମାନ ଲକ୍ଡାଉନ୍ ଯୋଗୁଁ ପିଲାମାନେ ଘରେ ରହୁଥିବାରୁ ବାପାମା ସେମାନଙ୍କ ସହିତ ଗୁଣବତ୍ତା ଯୁକ୍ତ ସମୟ ବିତାଇବା ଉଚିତ। ପିଲାଙ୍କୁ ମାନସିକ ଚାପ ଦିଅନ୍ତୁ ନାହିଁ। ସେମାନଙ୍କୁ ସନ୍ତୁଳିତ ଖାଦ୍ୟ ଖାଇବା ପାଇଁ ପ୍ରବର୍ତ୍ତାଇବା ସହିତ କିଛି ସମୟ ବ୍ୟାୟାମ କରିବା ପାଇଁ ଉତ୍ସାହିତ କରିବା ଉଚିତ। ସ୍କ୍ରୀନ୍ ଟାଇମ୍ ୧-୨ ଘଣ୍ଟା ମଧ୍ୟରେ ସିମୀତ ରହିବା ପାଇଁ ଚେଷ୍ଟା କରିବା ଉଚିତ।
୧୦. ଶେଷରେ ଆମ ରାଜ୍ୟର ଅଗଣିତ ଶିଶୁଙ୍କ ସୁସ୍ୱାସ୍ଥ୍ୟ ପାଇଁ ଆପଣ କ’ଣ ସବୁ ପରାମର୍ଶ ଦେବେ?
ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ।
Note: A brief medical advice, in Odia language, on Child care during rainy season, based on the interview with Dr. Nirmal Mahakud, Department of Pediatrics.