ମଣିଷ ଜୀବନରେ ଚାପ ବଢ଼ିବା ଏକ ସାଧାରଣ ସମସ୍ୟା। କିନ୍ତୁ, କିଛି ଲୋକ ନିଜ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମାନସିକ ଚିନ୍ତାରେ ପଡ଼ିଯାଆନ୍ତି। ଏମିତି ଏକ ରୋଗ ହେଉଛି କ୍ୟାନସର। ତେବେ କେମିତି ବୁଝିବେ କ୍ୟାନସର ରୋଗୀଙ୍କ ମନ? ଏନେଇ ଜାଣନ୍ତୁ, ଡାକ୍ତର ଦେବୀ ପ୍ରସାଦ ମହାନ୍ତିଙ୍କ ପରାମର୍ଶ।
କ୍ୟାନସର ହେଲେ ରୋଗୀମାନେ ଭାଙ୍ଗିପଡ଼ନ୍ତି। ଚିନ୍ତାଗ୍ରସ୍ତ ହୋଇ ସେମାନଙ୍କଠାରେ ମାନସିକ ରୋଗ ଦେଖାଦେଇଥାଏ। ଏଥିପାଇଁ ସେମାନଙ୍କର ମନ କଥା ବୁଝିବା ଦରକାର। ସେମାନେ ଯେଭଳି ନିଃସଙ୍ଗ ମନେ ନ କରନ୍ତି କିମ୍ବା ମୃତ୍ୟୁ ଭୟରେ ଅଧିକ ଭାଙ୍ଗି ନ ପଡ଼ନ୍ତି, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ଜଣେ ବ୍ୟକ୍ତି ଯେବେ ଜାଣେ ତାକୁ କ୍ୟାନ୍ସର ହୋଇଛି, ସେତେବେଳେ ତାଙ୍କ ମନରେ ଭୟ ଓ ଦୁଃଶ୍ଚିନ୍ତା ଓ ବୁଝିବା କ୍ଷମତା କମିଯାଏ। ଯିଏ ଯନ୍ତ୍ରଣାରେ କାତର, ତା’ର ଏକମାତ୍ର ଚିନ୍ତା ହେଲା କେମିତି ଯନ୍ତ୍ରଣା କମିବ। ଏଭଳି କ୍ଷେତ୍ରରେ ସେମାନଙ୍କ ମନୋବଳ ବୃଦ୍ଧି କରିବା ଦରକାର। ତେଣୁ କ୍ୟାନ୍ସର ରୋଗୀଙ୍କର ସାଇକୋଲୋଜିକାଲ କାଉନସେଲିଂ କରାଯାଏ। ତାଙ୍କୁ ବ୍ୟବହାର ଥେରାପି ଦିଆଯାଏ। କ୍ୟାନ୍ସର ରୋଗୀଙ୍କ ଚିନ୍ତାଧାରା କିପରି ସଠିକ୍ ମାର୍ଗରେ ଯିବ ସେଥିପାଇଁ ଥେରାପି ଦିଆଯାଏ। ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ ପ୍ରେରଣା ଦିଆଯାଏ।
କ୍ୟାନ୍ସର ରୋଗୀଙ୍କର ମାନସିକ ରୋଗ (Mental illness in cancer patients in Odia)
କ୍ୟାନ୍ସର ରୋଗୀଙ୍କର ତିନୋଟି ମୁଖ୍ୟ ଚିକିତ୍ସା ରହିଛି, ଯେମିତିକି ସର୍ଜରୀ, କୋମୋଥେରାପି ଏବଂ ରେଡିଏସନ୍ ଥେରାପି। ଏହି ସବୁ ସର୍ଜରୀ କଲାବେଳେ ରୋଗୀ ବିଭିନ୍ନ ମାନସିକ ଚାପ, ଅବସାଦରେ ଗତି କରନ୍ତି। ସେମାନଙ୍କଠାରେ ବଞ୍ଚିବାର ଆଶା କମିଯାଏ। ସେମାନେ ଠିକ୍ ଭାବେ ଶୋଇ ପାରନ୍ତି ନାହିଁ ଓ ଧୀରେ ଧୀରେ ସେମାନେ ଡିପ୍ରେସନ୍ ଆଡ଼କୁ ଗତି କରନ୍ତି। ଏଭଳି କ୍ଷେତ୍ରରେ ସେମାନଙ୍କୁ କାଉନସିଲିଂ କରାଯାଏ। ତାଙ୍କ ଖାଇବାଠାରୁ ଆରମ୍ଭ କରି ପ୍ରତିଦିନ ସେମାନଙ୍କ ମାନସିକ ଅବସ୍ଥା ଯେପରି ସକରାତ୍ମ ରହିବ ସେନେଇ ଧ୍ୟାନ ଦିଆଯାଏ।
କ୍ୟାନସର ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ (Doctor’s advice to cancer patients in Odia)
କ୍ୟାନ୍ସର ରୋଗୀ ମାନସିକ ଅବସାଦରୁ ରକ୍ଷା ପାଇବା ଲାଗି ବ୍ୟାୟାମର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରତି ଦିନ ଅତିକମ୍ରେ ଅଧ ଘଣ୍ଟା ଲେଖାଏଁ ବ୍ୟାୟାମ କରନ୍ତୁ। ଏହାଛଡ଼ା ନିୟମିତ ଭାବେ ଯୋଗାଭ୍ୟାସ କରିବା ମଧ୍ୟ ଆବଶ୍ୟକ। ଯୋଗ ଆପଣଙ୍କର ମସ୍ତିଷ୍କକୁ ସକ୍ରିୟ କରିବା ସହିତ ଏକ ତାଜାପଣ ଆଣି ଦେବ ଯାହାକି ପରୋକ୍ଷରେ ମାନସିକ ଅବସାଦରୁ ରକ୍ଷା କରିବ।
ସଙ୍ଗୀତର ମଣିଷର ମନ ଉପରେ ସବୁବେଳେ ଏକ ସକାରାତ୍ମକ ପ୍ରଭାବ ଥାଏ। ଏହା ମନରେ ଖୁସି ଆଣି ଦେବା ସହିତ ମସ୍ତିଷ୍କର ତନ୍ତ୍ରୀଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ଷମ କରାଇଥାଏ। ତେଣୁ ନିଜର ପ୍ରିୟ ଗୀତ ଶୁଣିବାକୁ ଭୁଲନ୍ତୁ ନାହିଁ।
ମାନସିକ ଅବସାଦରୁ ରକ୍ଷା ପାଇବା ଲାଗି ସକାରାତ୍ମକ ଚିନ୍ତାଧାରା ବିଶିଷ୍ଟ ଲୋକଙ୍କ ସହ ମିଶିବା ନିହାତି ଆବଶ୍ୟକ। ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧିପାଏ। ସେହିପରି ନିଜକୁ ଭଲ ଲାଗୁଥିବା କାମ ମଧ୍ୟରୁ ଗୋଟିଏ ପ୍ରତ୍ୟେକ ଦିନ କରିବା ଆବଶ୍ୟକ। ଏହାଦ୍ୱାରା ମନ ଖୁସି ରହିବ। ମାନସିକ ଅବସାଦରୁ ରକ୍ଷା କରିବା ଲାଗି ପରିବାରର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପରିବାରର ଲୋକମାନେ କ୍ୟାନ୍ସର ରୋଗୀଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିପାରିବେ।
ଭୟ ମଣିଷର ବ୍ରେନ୍କୁ ପ୍ରଭାବିତ କଲାରୁ ମନରେ ନୈରାଶ୍ୟ ଓ ବିଷାଦ ବଢ଼େ ଓ ବେଳେବେଳେ ଆତ୍ମହତ୍ୟାର ଭାବନା ଆସେ। କିଛି କ୍ୟାନ୍ସର ରୋଗୀ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ ମଧ୍ୟ କରନ୍ତି। ଏଭଳି ହେଲେ ତାଙ୍କର ସହାୟତା କରନ୍ତୁ। ସବୁ ପ୍ରକାର ସ୍ଥିତିରେ ଆପଣ ଯେ ତାଙ୍କ ସହିତ ଅଛନ୍ତି ଏହା ତାଙ୍କୁ ହୃଦୟଙ୍ଗମ କରାନ୍ତୁ। ସେମାନଙ୍କ ସହ କ୍ୱାଲିଟି ସମୟ ବିତାନ୍ତୁ। ଯେପରିକି ସେମାନେ ମନଖୋଲି ନିଜର କଥା କହିପାରିବେ। ସେମାନଙ୍କର ମନୋଦଶାକୁ ନେଇ ଅଚାନକ କୌଣସି ନିର୍ଣ୍ଣୟରେ ପହଞ୍ଚନ୍ତୁ ନାହିଁ। ସେମାନଙ୍କ ଉପରେ କୌଣସି ପ୍ରକାର ଚାପ ପକାନ୍ତୁ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦେବୀ ପ୍ରସାଦ ମହାନ୍ତିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on how to understand the psychology of a cancer patients based on the interview with Dr. Devi Prasad Mohanty, Psycho-oncologist.