ତରଳ ଝାଡ଼ା ହେଲେ ଆମ ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଆମେ ଦୁର୍ବଳ ହୋଇପଡ଼ିଥାଉ। ଶରୀରରୁ ପାଣିର ମାତ୍ରା ଅଧିକ କମି ଗଲେ ମୃତ୍ୟୁ ମଧ୍ୟ ହୋଇପାରେ। ତେଣୁ ତରଳ ଝାଡ଼ା ହେଲେ ଖୁବ୍ ପିଇବା ଦରକାର। ବିଭିନ୍ନ ପାନୀୟ ତଥା ଓଆର୍‌ଏସ୍ ଦ୍ରବଣ ମିଶା ପାଣି ପିଇବା ଉଚିତ। ୟୁନିସେଫ୍ ‘ମୀନା’ ଆନିମେସନ୍ ସିରିଜର ‘ଜୀବନ ରକ୍ଷା’ ଅଧ୍ୟାୟରେ ମୀନା ଏହି ଭଳି ଭାବେ ନିଜ ସାନ ଭଉଣୀର ଜୀବନ ବଞ୍ଚାଇପାରିଛି।

ତରଳ ଝାଡ଼ା ଏକ ମାରାତ୍ମକ ରୋଗ। ନବେ ଦଶକରେ ଏହା ମହାମାରୀ ଭଳି ଅନେକ ଜୀବନ ନେଇଛି। ବର୍ତ୍ତମାନ ମଧ୍ୟ ଏହାକୁ ନେଇ ଅନେକ ଲୋକ ସଚେତନ ନାହାନ୍ତି। ତରଳ ଝାଡ଼ା ହେଲେ ଆମ ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଆମେ ଦୁର୍ବଳ ହୋଇପଡ଼ିଥାଉ। ଶରୀରରୁ ପାଣିର ମାତ୍ରା ଅଧିକ କମି ଗଲେ ଅବସ୍ଥା ସାଙ୍ଘାତିକ ହେବା ସହ ମୃତ୍ୟୁର ମଧ୍ୟ ଆଶଙ୍କା ରହିଥାଏ। ତେଣୁ ତରଳ ଝାଡ଼ା ହେଲେ ରୋଗୀକୁ ଖୁବ୍ ପିଇବାକୁ ଦେବା ଦରକାର, ଯେମିତିକି ରୋଗୀର ଶରୀରରେ ଜଳୀୟ ଅଂଶ କମ ନହୁଏ। ଏହା ତରଳ ଝାଡ଼ାର ଔଷଧ ନୁହେଁ, ହେଲେ ଏହା ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ। ଅଳ୍ପ ଲୁଣ ମିଶା ପାଣି ହେଉ ଅବା ତୋରଣି ହେଉ କିଛି ନା କିଛି ପିଇବାକୁ ଦେବା ଦରକାର। ତରଳ ଝାଡ଼ା ହେଉଥିଲେ ରୋଗୀକୁ ଓଆର୍‌ଏସ୍ ମିଶା ଦ୍ରବଣ ପିଇବାକୁ ଦେଲେ ଶରୀରର ଜଳୀୟ ଅଂଶ ଠିକ୍ ହୋଇଯାଇଥାଏ। ୟୁନିସେଫ୍ ‘ମୀନା’ ଆନିମେସନ୍ ସିରିଜର ‘ଜୀବନ ରକ୍ଷା’ ଅଧ୍ୟାୟରେ ମୀନା ଏହି ଭଳି ଭାବେ ନିଜ ସାନ ଭଉଣୀର ଜୀବନ ବଞ୍ଚାଇପାରିଛି। ଏହି ଅଧ୍ୟାୟରେ ତରଳ ଛାଡ଼ାର ନିରାକରଣ ପାଇଁ ସମାଜକୁ ଅତି ସୁନ୍ଦର ଭାବେ ସଚେତନତାର ବାର୍ତ୍ତା ଦିଆଯାଇଛି।

ମୀନା – କେମିତି ଓ କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

Swasthya Plus - Meena Video Opening Card - APPROVED (1)

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।