କେମିତି ଛାଡ଼ିବେ ତମାଖୁ ସେବନ? ଜାଣନ୍ତୁ, ଡାକ୍ତର ଦେବୀ ପ୍ରସାଦ ମହାନ୍ତିଙ୍କ ପରାମର୍ଶ। (How to quit tobacco in Odia)
- ତମାଖୁ ସେବନ ଅଭ୍ୟାସରେ ପଡ଼େ କେମିତି?
- ତମାଖୁଜନିତ ବିଭିନ୍ନ ରୋଗ?
- କେମିତି ଛାଡ଼ିବେ ତମାଖୁ ?
ତମାଖୁ ସେବନ ଏବେ ଲୋକଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି। ଏହା ଲୋକଙ୍କ ଜୀବନଶୈଳୀ ସହିତ ଯୋଡ଼ି ହୋଇଗଲାଣି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ପ୍ରତିବର୍ଷ ୬ ଲକ୍ଷ ଲୋକ ତମାଖୁ ସେବନ ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି।
ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗୋଟିଏ ସିଗାରେଟ୍ରେ ୭ ହଜାର କାର୍ସିନୋଜେନିକ କେମିକାଲ ରହୁଛି। ସେଥି ମଧ୍ୟରୁ ୬୦ରୁ ୭୦ଟି କେମିକାଲ ସିଧାସଳଖ କର୍କଟ ରୋଗର କାରଣ ପାଲଟିଥାଏ।
ତମାଖୁ ସେବନ ଯୋଗୁଁ କେଉଁ ରୋଗ ହୋଇଥାଏ? (Diseases caused by all forms of Tobacco in Odia)
ତମାଖୁ ସେବନ ଯୋଗୁଁ ମୁଖ ଗହ୍ୱର କର୍କଟ ଓ ଧୂମପାନ ଯୋଗୁଁ ଫୁସ୍ଫୁସ୍ କର୍କଟ ଆଦି ରୋଗ ସୃଷ୍ଟି ହେଉଛି। ଧୂମପାନକାରୀଙ୍କୁ କୋଭିଡ୍-୧୯ ଭୂତାଣୁ ସଂକ୍ରମଣର ଆଶଙ୍କା ଅଧିକ। ତମାଖୁ ଦ୍ୱାରା ଶରୀରର ସମସ୍ତ ଅଙ୍ଗରେ ରୋଗ ହେବାର ଆଶଙ୍କା ରହିଛି। ପାଟି ଘା’, ପାଟି ଛୋଟ ହୋଇଯିବା, ପେଟରେ ଘା’ ହେବା, ପାକସ୍ଥଳୀ କର୍କଟ, ଫୁସ୍ଫୁସ୍ରେ ପାଣି ଜମିବା ଭଳି ସମସ୍ୟା ଉପୁଜିଥାଏ। ତମାଖୁ ସେବନ କରୁଥିଲେ ପ୍ରତି ୧୦ ଜଣରେ ଜଣଙ୍କ ମୃତ୍ୟୁ ସୁନିଶ୍ଚିତ।
ଯଦି ଜଣେ ବ୍ୟକ୍ତି ୩୦ ବର୍ଷ ଯାଏଁ ତମାଖୁ ସେବନ କରୁଛନ୍ତି, ତାଙ୍କ ଜୀବନକାଳ ୧୦ରୁ ୧୧ ବର୍ଷ କମିଯାଏ।
ତମାଖୁ ସେବନ ଅଭ୍ୟାସରେ ପଡ଼େ କେମିତି?
ତମାଖୁରେ ଥିବା ନିକୋଟିନ୍ ଆମ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। ନିକୋଟିନ୍ ମସ୍ତିଷ୍କରୁ ଡୋପାମାଇନ୍ ନାମକ ହରମୋନ୍କୁ କ୍ଷରଣ କରିଥାଏ, ଯାହାକି ଆମକୁ କିଛି କ୍ଷଣ ପାଇଁ ଖୁସି ଦେଇଥାଏ। ଦୁଃଖରେ ଥିଲେ କିମ୍ବା ଚିନ୍ତାଗ୍ରସ୍ତ ହେଲେ ତମାଖୁ ନେବାକୁ ଇଛା ହୁଏ। ଏହି ଭଳି ଭାବେ ଧୀରେ ଧୀରେ କରି ତମାଖୁ ଆମ ଅଭ୍ୟାସରେ ପଡ଼ିଯାଏ। ନିୟମିତ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଚେନ୍ ସ୍ମୋକର ବୋଲି କୁହାଯାଏ।
କେମିତି ଛାଡ଼ିବେ ତମାଖୁ? (How to quit smoking in Odia)
ତମାଖୁ ଛାଡ଼ିବା ପାଇଁ ୩ଟି ପ୍ରଣାଳୀର ବ୍ୟବହାର କରାଯାଏ, ଯେପରିକି ସାଇକୋଲୋଜିକାଲ କାଉନ୍ସିଲିଂ, ଆଚରଣ ଚିକିତ୍ସା ଏବଂ ଏନ୍ଆରଟି (ନିକୋଟିନ୍ ରିପ୍ଲେସ୍ମେଣ୍ଟ ଥେରାପି)।
ବ୍ୟକ୍ତି ଜଣକ କେତେ ସମୟ ଧରି ତମାଖୁ ଖାଉଛନ୍ତି, କେଉଁ ତମାଖୁ ଖାଉଛନ୍ତି ବୋଲି ଡାକ୍ତର ପଚାରି ବୁଝନ୍ତି। ଏହାସହ ତାଙ୍କର ରକ୍ତଚାପ, ରକ୍ତ ପରୀକ୍ଷା ଆଦି କରାଯାଏ।
୫A ମଡେଲ ଜରିଆରେ ବ୍ୟକ୍ତିଙ୍କ ବ୍ୟବହାର ବଦଳାଯାଇଥାଏ। ତମାଖୁଜନିତ କ’ଣ ଅସୁବିଧା ରହିଛି ବ୍ୟକ୍ତିଙ୍କୁ ପ୍ରଥମେ ପଚରାଯାଏ। ତମାଖୁର ଅପକାରିତା ବିଷୟରେ ତାଙ୍କୁ ଉପଦେଶ ଦିଆଯାଏ। ଶେଷରେ ଏନ୍ଆରଟି ଜରିଆରେ ତମାଖୁ ନିଶାର ଚିକିତ୍ସା କରାଯାଏ।
ଏନ୍ଆରଟି କ’ଣ? (What is NRT on Odia)
ଏନ୍ଆରଟି ହେଉଛି ନିକୋଟିନ୍ ରିପ୍ଲେସ୍ମେଣ୍ଟ ଥେରାପି। ମସ୍ତିଷ୍କରେ ନିକୋଟିନ୍ର ପ୍ରଭାବ କମାଇବା ପାଇଁ ଏହି ଚିକିତ୍ସା କରାଯାଏ। ରିପ୍ଲେସ୍ମେଣ୍ଟ ଥେରାପି ବିଭିନ୍ନ ପ୍ରକାରର ଯେପରିକି ଟାବଲେଟ୍, ନିକୋଟିନ୍, ଗମ୍, ନିକୋଟିନ୍ ପ୍ୟାଚ, ନିକୋଟିନ ଇନ୍ହେଲର ଆଦି। ଏହି ଥେରାପି ଦ୍ୱାରା ମସ୍ତିଷ୍କକୁ ନିକୋଟିନ୍ ଯିବା ରାସ୍ତାକୁ ଅବରୋଧ କରାଯାଏ। ଫଳରେ ଡୋପାମାଇନ୍ ହରମୋନ୍ କ୍ଷରଣର ମାତ୍ରା ଠିକ୍ ହୋଇଯାଏ। ଏହାର ଦୈନିକ ଅଭ୍ୟାସ ଯୋଗୁଁ ବ୍ୟକ୍ତି ଧୀରେ ଧୀରେ ତମାଖୁ ଛାଡ଼ିଥାଏ।
ଦେଶରେ ତମାଖୁ ସେବନର ସ୍ଥିତି?
ଭାରତରେ ପ୍ରାୟ ୬୩ ଭାଗ ପୁରୁଷ ତମାଖୁ ସେବନ କରୁଛନ୍ତି। ସେହିପରି ପ୍ରାୟ ୨୧ଭାଗ ମହିଳା ତମାଖୁ ସେବନ କରନ୍ତି। ସହରାଞ୍ଚଳମାନଙ୍କରେ ବିଡ଼ି, ସିଗାରେଟ୍, ସିଗାରର ବ୍ୟବହାର ଅଧିକ। ଗ୍ରାମାଞ୍ଚଳରେ ପାନ, ବିଡ଼ି, ସିଗାରେଟ୍ ଓ ଗୁଟ୍ଖାର ଅଧିକ ବ୍ୟବହାର ହେଉଛି। ଓଡ଼ିଶାରେ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ତମାଖୁ ସେବନ କରୁଛନ୍ତି। କିନ୍ତୁ ତମାଖୁ ଜନିତ ରୋଗ ମହିଳାଙ୍କୁ ଅଧିକ ହେଉଛି। ପୂର୍ବ ଓଡ଼ିଶାରେ ମୁଖ ଗହ୍ୱର କର୍କଟ ଓ ଫୁସ୍ଫୁସ୍ କର୍କଟ ଅଧିକ ଦେଖାଦେଉଛି। ଆଜିକାଲି ସ୍କୁଲ ପିଲାମାନେ ଅଧିକ ତମାଖୁ ସେବନ କରୁଛନ୍ତି। କାରଣ ଯୁବାବସ୍ଥାରେ ଡୋପାମାଇନ୍ର କ୍ଷରଣ ଅଧିକ ହୋଇଥାଏ। ତେଣୁ ସେମାନଙ୍କଠାରେ ତମାଖୁର ପ୍ରଭାବ ଅଧିକ ଥାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦେବୀ ପ୍ରସାଦ ମହାନ୍ତିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Tobacco use has now become a daily habit of people. It has been linked to people’s lifestyles. But you would be surprised to know that 600,000 people worldwide die each year from tobacco use. This shows the dire consequences of tobacco use. Dr. Devi Prasad Mohanty advises here on how to avoid the habit of tobacco use.