ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ। ଏହା ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ତମାଖୁ ଆମ ପାଇଁ କିପରି ସାଂଘାତିକ ହୋଇପାରେ ସେ ବିଷୟରେ ଲୋକଙ୍କୁ କୁହାଯାଏ।
ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ମଧ୍ୟରେ ତମାଖୁଜନିତ କ୍ୟାନ୍ସର୍ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ମୁଖ୍ୟତଃ ପାନ ଓ ଗୁଟ୍ଖା ଆଦି ସେବନ ତଥା ଧୂମପାନ କାରଣରୁ ସୃଷ୍ଟି ହେଉଥିବା ଏହି ରୋଗ ରାଜ୍ୟର ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଲେ ଭୁଲ୍ ହେବ ନାହିଁ। ବର୍ତ୍ତମାନ ଦେଖାଯାଇଛି ଯେ ଯେତିକି କର୍କଟ ରୋଗୀ ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ମଧ୍ୟରେ ୩୫ରୁ ୪୫ ବର୍ଷ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ।
ମୁଖ କର୍କଟ ଉଭୟ ପୁରୁଷ ଓ ମହିଳାଙ୍କୁ ହୋଇପାରେ। କିନ୍ତୁ ପୁରୁଷମାନଙ୍କ ମଧ୍ୟରେ ଅଧିକ ପରିଲକ୍ଷିତ ହୁଏ ମୁଖ କର୍କଟ ରୋଗ ବା ଓରାଲ୍ କ୍ୟାଭିଟି କ୍ୟାନ୍ସର୍। ଆମର ଶରୀରରେ ସାଧାରଣ ଭାବେ କୋଷ ବିଭାଜନ ହୋଇଥାଏ। କିନ୍ତୁ କ୍ୟାନ୍ସର ହେଲେ କୋଷ ବିଭାଜନ ତୀବ୍ର ଗତିରେ ହୋଇଥାଏ। ଫଳରେ କ୍ୟାନ୍ସର କୋଷଗୁଡ଼ିକ ଏହାର ଚାରିପଟେ ଥିବା ଭଲ କୋଷକୁ ନଷ୍ଟ କରିଦିଏ। କ୍ୟାନ୍ସର ସେଲ୍ ତା’ର ନିଜ ଟସ୍ୟୁଠାରୁ ଅଲଗା ହୋଇ ରକ୍ତ କିମ୍ବା ଲିମ୍ଫାଟିକରେ ମିଶି ଅନ୍ୟ ଅଙ୍ଗକୁ ସଂକ୍ରମଣ କରିପାରେ। କ୍ୟାନ୍ସର ସେଲ୍ସ ଆମ ଶରୀରର ଯକୃତ, ଫୁସ୍ଫୁସ୍, ହାଡ଼ ଭଳି ସମସ୍ତ ଅଙ୍ଗକୁ ବ୍ୟାପିପାରେ। ମୁଣ୍ଡରୁ ଆରମ୍ଭ କରି ପାଦ ଯାଏଁ ସବୁ ଟିସୁକୁ ପ୍ରଭାବିତ କରେ କ୍ୟାନ୍ସର।
ମୁଖ ଗହ୍ୱର କର୍କଟ କ’ଣ?
ମୁଖ ଗହ୍ୱର କ୍ୟାନ୍ସରକୁ ସାଧାରଣରେ ଓରାଲ କ୍ୟାଭିଟି କ୍ୟାନ୍ସର କୁହାଯାଏ। ମୁଖ ଗହ୍ୱର କ୍ୟାନ୍ସର ପାଟି ଭିତରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ। ଏହି କ୍ୟାନ୍ସର ଦ୍ୱାରା ଓଠ, ଦାନ୍ତ ମଜ୍ଜା, ପ୍ୟାଲେଟ୍, ବକାଲ ମ୍ୟୁକୋଷା ଆଦି ପ୍ରଭାବିତ ହୋଇଥାଏ। ପ୍ରଥମେ ପାଟିରେ ଘା’ ହୋଇ ମୁଖ ଗହ୍ୱର କ୍ୟାନ୍ସର ହୋଇଥାଏ।
ମୁଖ ଗହ୍ୱର କର୍କଟର କାରଣ (Causes of Oral Cavity Cancer in Odia)
ମୁଖ ଗହ୍ଵର କର୍କଟର ମୁଖ୍ୟ କାରଣଗୁଡ଼ିକ ହେଉଛି:
ତମାଖୁର ସେବନ।
ପାନ, ବିଡ଼ି, ତମାଖୁ, ଗୁଟ୍ଖା, ସିଗାରେଟ୍ ତଥା ମଦ୍ୟପାନ ମୁଖ କର୍କଟର କାରଣ ସାଜିଥାଏ।
ମୁଖ ଗହ୍ୱର କ୍ୟାନ୍ସରର ଅନ୍ୟ କାରଣ ହେଉଛି ମଦ୍ୟପାନ। କେବଳ ମଦ ପିଇଲେ ଓରାଲ କ୍ୟାଭିଟି କ୍ୟାନ୍ସର ହୋଇଯିବ ବୋଲି ଭାବିବା ଭୁଲ। ମଦ ସହ ଯଦି ତମାଖୁ, ଗୁଟ୍ଖା ଖାଇବେ ତେବେ କ୍ୟାନ୍ସର ହେବାର ଆଶଙ୍କା ତିନିରୁ ୪ ଗୁଣା ବଢ଼ିଯାଏ।
ହ୍ୟୁମାନ ପପିଲୋମା ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇପାରେ ମୁଖ ଗହ୍ୱର କ୍ୟାନ୍ସର।
୯୫ ପ୍ରତିଶତ ମୁଖ ଗହ୍ୱର କର୍କଟ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କଠାରେ ଦେଖାଯାଏ।
ମୁଖ ଗହ୍ୱର କର୍କଟର ଲକ୍ଷଣ (Symptoms of Oral Cavity Cancer in Odia)
ପାଟିରେ ଘା’ ହେବା
ଘା’ ଶୁଖିବ ନାହିଁ।
ପାଟିରେ ମାଂସ ପିଣ୍ଡୁଳା ବଢ଼ିବ, ଔଷଧ ଖାଇଲେ ମାଂସ ପିଣ୍ଡୁଳା କମିବ ନାହିଁ।
ପାଟିରେ ଘା’ ହେବା ମାନେ ନୁହେଁ ଯେ ଏହା କର୍କଟ। କିନ୍ତୁ କେତେକ କ୍ଷେତ୍ରରେ ପାଟିରେ ହୋଇଥିବା ଘା’ ମୁଖ କର୍କଟ ରୋଗର ପ୍ରଥମ ସୋପାନ ବି ହୋଇଥାଏ।
ମୁଖ ଗହ୍ୱର କର୍କଟର ନିରାକରଣ
ମୁଖ ଗହ୍ୱର କର୍କଟ ନିରାକରଣର ଗୋଟିଏ ମାତ୍ର ମନ୍ତ୍ର ହେଉଛି ତମାଖୁ ବର୍ଜନ। ଏହାସହ ମଦ୍ୟାପାନ ବୀ ଛାଡ଼ିବାକୁ ହେବ।
ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ୩ରୁ ୪ ବର୍ଷ ହେବ ତମାଖୁ ଛାଡ଼ିଦେଉଛନ୍ତି, ତେବେ ମୁଖ କର୍କଟର ଆଶଙ୍କା ୩୦ ପ୍ରତିଶତ କମିଯାଏ।
All you need to know about causes, symptoms & preventions of Oral Cavity Cancer in Odia language. #WorldNoTobaccoDay #SayNoToTobacco