ଆଜି ମେ’ ୩୧, ଏହି ଦିନ ସାରାବିଶ୍ୱରେ ତମାଖୁ ବର୍ଜନ ଦିବସ ପାଳନ ହୁଏ। ତମାଖୁ ପ୍ରତି ଦୂରତା ରଖିବାକୁ ସଚେତନ କରାଯାଏ।
ସିଗାରେଟ୍, ବିଡ଼ି, ହୁକ୍କା ଭଳି ତମାଖୁ ଜାତୀୟ ଉତ୍ପାଦକୁ ଜଣେ ବ୍ୟବହାର କଲେ ତାଙ୍କର ଆଖପାଖରେ ରହୁଥିବା ଲୋକମାନେ ଯେପରିକି ତାଙ୍କର ପରିବାର ଲୋକେ, ଅଫିସ୍ର ସହକର୍ମୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥା’ନ୍ତି। ଏହାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକ ବୋଲି କୁହାଯାଇଥାଏ। ଏହା ଖୁବ୍ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। କାରଣ ସିଗାରେଟ୍ରୁ ବାହାରୁଥିବା ଧୂଆଁ ଏବଂ ତାକୁ ଟାଣୁଥିବା ଲୋକମାନେ ବାହାର କରୁଥିବା ଧୂଆଁ ଉଭୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହୋଇଥାନ୍ତି।
କେଉଁ ସବୁ ରୋଗ ହୁଏ?
–ସେକେଣ୍ଡ ହ୍ୟାଣ୍ଡ ସ୍ମୋକ ଯୋଗୁଁ ଯେଉଁ ଲୋକମାନେ ସିଗାରେଟ୍, ବିଡ଼ି ପ୍ରଭୃତି ଟାଣନ୍ତି ନାହିଁ ସେମାନଙ୍କୁ ମଧ୍ୟ ଫୁସଫୁସ କର୍କଟ ହେବାର ଆଶଙ୍କା ରହେ।
–ବହୁ ଲୋକଙ୍କୁ ହୃଦରୋଗ ହୋଇଥାଏ। –ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଏ।
–ଗର୍ଭବତୀ ମହିଳାମାନଙ୍କ ନିକଟରେ ଏହାଯୋଗୁଁ ପ୍ରସବରେ ସମସ୍ୟା ଏବଂ ଶିଶୁଟି କମ୍ ଓଜନର ହେବାର ଆଶଙ୍କା ଥାଏ।
–ସେକେଣ୍ଡ ହ୍ୟାଣ୍ଡ ସ୍ମୋକର ଶିକାର ହେଉଥିବା ପିଲାମାନେ ଅନ୍ୟମାନଙ୍କ ତୁଳନାରେ ଫୁସଫୁସ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ବଢ଼ିଯାଏ।
–ବହୁ ପିଲାଙ୍କୁ ବ୍ରୋଙ୍କାଇଟିସ୍, ନିମୋନିଆ ପ୍ରଭୃତି ରୋଗ ହୋଇଥାଏ। ସେହିପରି କିଛି ପିଲାଙ୍କର କାନରେ ସଂକ୍ରମଣ ହୋଇଥାଏ।
– କିଛି ଲୋକଙ୍କୁ ଦାନ୍ତ ସଂକ୍ରମଣ, ଉଚ୍ଚ ରକ୍ତଚାପ ସମସ୍ୟା ବି ଦେଖାଯାଏ।
ରକ୍ଷା ପାଇବେ କିପରି?
ସେକେଣ୍ଡ ହ୍ୟାଣ୍ଡ ସ୍ମୋକରୁ ରକ୍ଷା ପାଇବାକୁ ଚାହୁଁଥିଲେ ସବୁଠୁ ଭଲ ଉପାୟ ହେଲା ଘରେ କାହାକୁ ସିଗାରେଟ୍ ଟାଣିବାକୁ ଅନୁମତି ଦିଅନ୍ତୁ ନାହିଁ। ଘରୋଇ ସହାୟକ, କାମ କରିବାକୁ ଆସୁଥିବା ଲୋକମାନଙ୍କୁ ବି ଏଥିପାଇଁ ବାରଣ କରନ୍ତୁ। ପିଲାମାନଙ୍କୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକର ଭୟାବହତା ବୁଝାନ୍ତୁ। ଯାହାଦ୍ୱାରା ସେମାନେ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ତମାଖୁ ଜାତୀୟ ଉତ୍ପାଦକୁ ବ୍ୟବହାର କରିବାକୁ ମନା କରିପାରିବେ। ଯଦି ଆପଣ କେହି ଧୂମପାନ କରୁଥିବା ଲୋକଙ୍କ ଘରକୁ ପିଲାଙ୍କ ସହ ଯାଉଥାନ୍ତି ତା’ହେଲେ ବାହାରେ ରହି କଥାବାର୍ତ୍ତା କରନ୍ତୁ। କର୍ମସ୍ଥଳୀରେ କେହି ଧୂମପାନ କରୁଥିଲେ ତାଙ୍କ ପାଖରେ ରହନ୍ତୁ ନାହିଁ। ଜନଗହଳି ସ୍ଥାନରେ ଯଦି କେହି ଧୂମପାନ କରୁଥିବେ, ସେଠାରେ ରହନ୍ତୁ ନାହିଁ।
Note: Health risks of secondhand smoke, in Odia language. People who are around smokers might have a higher risk of smoking-related disorders.