ଗୀତା ଦାସ
ମଦ୍ୟପାନରୁ ମୁକ୍ତି ପାଇଁ କ’ଣ ଚିକିତ୍ସା ଦରକାର? ଆଜ୍ଞା ହଁ! ପଢ଼ନ୍ତୁ କ’ଣ କହୁଛନ୍ତି ପ୍ରଖ୍ୟାତ ଓଡ଼ିଆ ମନୋବୈଜ୍ଞାନିକ।
ଅଧିକାଂଶ ରୋଗୀ ଶାରୀରିକ ରୋଗର ପ୍ରତିକାର ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତି। ରୋଗ ଦେଖି ଯଦି ଡାକ୍ତର ଭାବନ୍ତି ଯେ ମଦ ପିଉଥିବା ଲୋକଙ୍କର ଏସବୁ ରୋଗ ହୋଇପାରେ, ତାହାହେଲେ ସେ ରୋଗୀର ଘର ଲୋକଙ୍କୁ ଏ ବିଷୟରେ ପଚାରିବେ। ରୋଗୀର ପାଠପଢ଼ା, ଚାକିରି ବା ଅନ୍ୟାନ୍ୟ କର୍ମଜୀବନର ସମସ୍ୟା, ପାରିବାରିକ ଓ ଆର୍ଥିକ ସମସ୍ୟା ଇତ୍ୟାଦି ଅଛି କି ନାହିଁ ବୁଝିବେ। ଲାବରେଟୋରି ଟେଷ୍ଟ ଓ ରୋଗୀକୁ ନିଜେ ପରୀକ୍ଷା କରି ସବୁ ତଥ୍ୟ ଏକାଠି କଲେ ମଦ ପିଇବା ଯୋଗୁଁ ଏସବୁ ହେଉଛି ବୋଲି ସହଜରେ ଜାଣିହେବ।
ଡାକ୍ତର ମଦ କଥା ଉଠାଇଲେ ରୋଗୀ ଅସ୍ୱୀକାର କରିବ ଓ ଡାକ୍ତରଙ୍କ ପାଖକୁ ଆସିବ ନାହିଁ। ଏ ଅବସ୍ଥାରେ ତା’ର ଘର ଲୋକଙ୍କୁ ପ୍ରତିଟି ପରୀକ୍ଷାର ଫଳ ବୁଝେଇ କହିଲା ପରେ ଡାକ୍ତର କହିବେ ଯେ ମଦ ପିଇବା ଯୋଗୁଁ ଏସବୁ ହେଉଛି। ତେଣୁ ମଦ ଛାଡ଼ିବା ପାଇଁ ଚିକିତ୍ସା କରିବା ଦରକାର। ଯଦି ରୋଗୀ ଫେରି ନ ଆସେ, ଡାକ୍ତରଙ୍କର ରୋଜଗାର କମିବ ସତ, କିନ୍ତୁ ଡାକ୍ତର ରୋଗୀ ଓ ରୋଗୀର ପରିବାରବର୍ଗଙ୍କ ପାଇଁ ଗୋଟାଏ ବଡ଼ ଉପକାର କଲେ ବୋଲି ଜାଣିବେ। କାରଣ ସାଂଘାତିକ କ୍ଷତିର ଭୟ ନ ହେବା ପର୍ଯ୍ୟନ୍ତ ମଦ ପିଉଥିବା ଲୋକମାନେ କେବେ ହେଲେ ମଦ ଛାଡ଼ିବାକୁ ଚେଷ୍ଟା କରନ୍ତି ନାହିଁ।
ଡାକ୍ତରଙ୍କ ପାଖକୁ ରୋଗୀ ଆସିଲା ବେଳକୁ ରୋଗୀର ମଦ ନିଶା ଅନ୍ତତଃ ଆଠ ଦଶ ବର୍ଷର ପୁରୁଣା ଅଭ୍ୟାସ ହୋଇଥାଏ। ଫଳରେ ମଦ ଓ ତା’ର ଆନୁଷଙ୍ଗିକ ମାନସିକ ସମସ୍ୟାରୁ ମଧ୍ୟ ରୋଗୀ ଯନ୍ତ୍ରଣା ଭୋଗୁଥାଏ। ମଦ ଯୋଗୁଁ ତା’ ଜୀବନରେ ବିଭିନ୍ନ ସମସ୍ୟା ଦେଖା ଦେଇଛି ବୋଲି ତା’କୁ ଅନ୍ୟମାନେ କହିଥିବେ ଓ ସେ ସବୁବେଳେ ‘ମଦ ଯୋଗୁଁ ନୁହେଁ’ କହି ପୂରା ଘଟଣାଟାକୁ ଅସ୍ୱୀକାର କରିଥିବ।
ମଦ ପିଇବା ବନ୍ଦ କରିଦେଲେ ବିଭିନ୍ନ ଶାରୀରିକ ଉପସର୍ଗ, ମାନସିକ କଷ୍ଟ ଓ ଅସମ୍ଭବ ପିଇବାର ଲାଳସା ହେବାର ଅନୁଭୂତି ପୂର୍ବ ଅଭିଜ୍ଞତାରୁ ଜାଣିହେବ। ତେଣୁ ମଦ୍ୟପ ମଦ ଛାଡ଼ିବା ପାଇଁ ଚିକିତ୍ସା କରିବାକୁ ରାଜି ହୁଅନ୍ତି ନାହିଁ।
ମଦ ଛାଡ଼ିବାର ଚିକିତ୍ସା ମଧ୍ୟ ଦୀର୍ଘଦିନ ଧରି ଚାଲେ। ଏମିତି କୌଣସି ଔଷଧ ନାହିଁ, ଯାହା ଆଜି ଖାଇଦେଲେ କାଲି ରୋଗୀ ମଦ ଛାଡ଼ିଦେବ। ଯାହାର ନୂଆ ଅଭ୍ୟାସ ତା’ର ଚିକିତ୍ସା ଘରେ ରହି ହୋଇପାରେ। ମାତ୍ର ଯାହାର ପୁରୁଣା ଅଭ୍ୟାସ ରହିଛି ଓ ସେଥି ସହିତ ରୋଗ ଅଛି, ତା’ର ହସ୍ପିଟାଲରେ ଅନ୍ତତଃ ପକ୍ଷେ ମାସେ ରହି ଚିକିତ୍ସା ହେବା ଦରକାର। କାହିଁକି ହସ୍ପିଟାଲରେ ରହି ଚିକିତ୍ସା ଦରକାର, ସେକଥା ବୁଝେଇବା ପାଇଁ ଏଠି ଗୋଟାଏ କେସ୍ କହୁଛି।
ଭଦ୍ରଲୋକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଇଞ୍ଜିନିୟର। ସରକାରଙ୍କ ତରଫରୁ ବଡ଼ ଲୁହା କାରଖାନାଗୁଡ଼ିକର କାର୍ଯ୍ୟକଳାପ, ସୁବିଧା ଅସୁବିଧା, ଲାଭ କ୍ଷତି ଇତ୍ୟାଦି ବିଭିନ୍ନ ବିଷୟ ତଦାରଖ କରି କ’ଣ କଲେ କାରଖାନାରୁ ଆହୁରି ଲାଭ ହେବ, ସେକଥା ସରକାରଙ୍କୁ ଜଣାନ୍ତି। ଦିଲ୍ଲୀରେ ସେ ଗୋଟିଏ ନୂଆ ଶିଳ୍ପ ନଗରୀ ପରିଦର୍ଶନ କରି ଆସିଥିଲେ।
ପରିଦର୍ଶନ ପରେ ପାଖଆଖର ସୁନ୍ଦର ଜାଗା ସବୁ ତାଙ୍କୁ କାରଖାନାର ଜେନେରାଲ୍ ମ୍ୟାନେଜର ବୁଲେଇ ଦେଖାଉଥିଲେ। ସନ୍ଧ୍ୟାରେ ଫେରିଲା ବାଟରେ ମୋଟର ଦୁର୍ଘଟଣା ହୋଇ ତାଙ୍କର କାନ୍ଧହାଡ଼ ଭାଙ୍ଗିଗଲା ଓ ଅନ୍ୟାନ୍ୟ ଖଣ୍ଡିଆ ମଧ୍ୟ ହେଲା। ତେଣୁ ସେ ହସ୍ପିଟାଲରେ ରହିଲେ।
ହସ୍ପିଟାଲରେ ଦୁଇଦିନ ରହିଲା ପରେ ତାଙ୍କର ବହୁତ ଦେହ ଖରାପ ହେଲା। ପାଗଳାମୀର ଲକ୍ଷଣ ପରି ଲକ୍ଷଣ ଦେଖାଗଲା। ତାଙ୍କ ଘରକୁ ଖବର ଦିଆଗଲା। ଯେଉଁ ସର୍ଜନ ତାଙ୍କ ଚିକିତ୍ସା କରୁଥିଲେ ସେ ଭୟ ପାଇଲେ। ଅନ୍ୟ ସବୁ ଡାକ୍ତରଙ୍କୁ ରୋଗୀ ଦେଖାଇ ସେମାନଙ୍କର ମତ ଜଣାଇବାକୁ କହିଲେ। ଏ ଡାକ୍ତରମାନଙ୍କ ଭିତରୁ ଜଣେ ତରୁଣ ଡାକ୍ତର ଅଳ୍ପଦିନ ହେଲା ବିଦେଶରୁ ପାଠସାରି ଇସ୍ପାତ ନଗରୀର ଡାକ୍ତରଖାନାରେ ଚାକିରି ଆରମ୍ଭ କରିଥିଲେ।
ତାଙ୍କର ସନ୍ଦେହ ହେଲା ଯେ ଏସବୁ ଲକ୍ଷଣ ମଦ ପିଉ ନ ଥିବା ଯୋଗୁଁ ଆରମ୍ଭ ହୋଇଛି। ସେ ଭରସା କରି ତାଙ୍କର ମାନ୍ୟଗଣ୍ୟ ରୋଗୀଙ୍କୁ ପଚାରିଲେ। ସେ ଅକପଟରେ କହିଲେ, ‘ହଁ ମୁଁ ସବୁଦିନ କାମରୁ ଫେରିଲେ ସନ୍ଧ୍ୟାରେ ଟିକେ ହୁଇସ୍କି ପିଏ। ତା’ପରେ ବିଶ୍ରାମ କରି ଖିଆପିଆ ସାରି ସମସ୍ତେ ଶୋଇବାକୁ ଗଲେ ମୁଁ ଘଣ୍ଟାଏ ଖଣ୍ଡେ ଅଫିସ କାମ କରେ, ସେତେବେଳେ ହୁଇସ୍କି ଆଉ ଟିକେ ପିଏ। ସେ ନିଜେ କେବେ ଭାବି ନାହାନ୍ତି ଯେ ତାଙ୍କର ମଦ ନିଶା ଥିବ ବୋଲି। ସେ କେବେ ମଦ ପିଇ ମାତାଲ ହୋଇ ନାହାନ୍ତି କି ନିଶା ହେବାର ଅଭିଜ୍ଞତା ମଧ୍ୟ ତାଙ୍କର ନାହିଁ।
ଡାକ୍ତର ତାଙ୍କୁ ବୁଝେଇ କହିଲେ ତାଙ୍କର ଯେଉଁସବୁ ଲକ୍ଷଣ ବାହାରିଛି ସେଗୁଡ଼ିକ ପ୍ରକୃତ ପାଗଳ ଅବସ୍ଥାର ଲକ୍ଷଣ ନୁହେଁ। କାରଣ ମାନସିକ ବ୍ୟାଧି ଯୋଗୁଁ ଯେତେବେଳେ ଏସବୁ ଲକ୍ଷଣ ଦେଖାଯାଏ ସେତେବେଳେ ରୋଗୀର ଆଂଶିକ ବାସ୍ତବ ଜ୍ଞାନ ଚାଲିଯାଇଥାଏ। ଅଥଚ ତାଙ୍କର ବାସ୍ତବ ଜ୍ଞାନ ଅତୁଟ ରହିଛି।
ସେ ଜାଣିପାରୁଛନ୍ତି ଯେ ତାଙ୍କୁ କୁକୁରଟା ଦୌଡ଼ିଗଲା ପରି ଦେଖାଗଲେ ମଧ୍ୟ ବାସ୍ତବରେ ସେଠି ସେପରି କୌଣସି କୁକୁର ନାହିଁ। ଦେହରେ ପୋକ ଚାଲିଗଲା ପରି ଲାଗୁଥିଲେ ମଧ୍ୟ ପୋକ ନାହିଁ; ତାଙ୍କ ମାଆ କଥା କହିଲା ପରି ଶୁଣାଯାଉଥିଲେ ମଧ୍ୟ ସେ ଜାଣନ୍ତି ତାଙ୍କ ମାଆ ଦିଲ୍ଲୀରେ। ମଦ ପିଇବା ବନ୍ଦ କରିଦେଲେ ପ୍ରଥମ ଛତିଶ ଘଣ୍ଟା ଭିତରେ ନିଶାଗ୍ରସ୍ତ ଲୋକର ଏପରି ଅନୁଭୂତି ହୁଏ। ସ୍ମୃତିଭ୍ରଂଶ ହୁଏ, ମନରେ ଉତ୍କଣ୍ଠା ଓ ଭୟ ହୁଏ। ଏହାର ଅର୍ଥ ନୁହେଁ ଯେ ସେ ପାଗଳ ହୋଇଯାଉଛନ୍ତି। ଯଦି ପ୍ରମାଣ ଚାହାନ୍ତି ତେବେ ହୁଇସ୍କି ପିଇଲେ ଏସବୁ ଲକ୍ଷଣ ଚାଲିଯିବ।
ଭଦ୍ରଲୋକ ବଡ଼ ହେଲା ପରେ କେବେ ଦେହ ଖରାପ ହୋଇ ନ ଥିଲା କି ହସ୍ପିଟାଲରେ ରହିବା ଦରକାର ହୋଇ ନ ଥିଲା। ସେ ହସ୍ପିଟାଲରେ ଥିଲାବେଳେ ହୁଇସ୍କି ପିଇବାଟା ଶାଳୀନତାର ଚିହ୍ନ ନୁହେଁ ଭାବି ହୁଇସ୍କି ନ ପିଇ ରହିଲାରୁ କ’ଣ ସତେ ଏମିତି ହେଲା? ଡାକ୍ତରଙ୍କ କଥା ତାଙ୍କର ପୂରା ବିଶ୍ୱାସ ହେଲା ନାହିଁ। ଯାହାହେଉ ସେ ତାଙ୍କର ସର୍ଜନଙ୍କୁ ପଚାରି ହୁଇସ୍କି ପିଇଲାରୁ ଏସବୁ ଲକ୍ଷଣ ଚାଲିଗଲା। ଭଦ୍ରଲୋକ ତା’ପରେ ବିଶ୍ୱାସ କଲେ ଯେ ତାଙ୍କର ମଦ ନିଶା ହୋଇପାରିଥାଏ ବୋଲି। ଦିଲ୍ଲୀରେ ସେ ଆଉଥରେ ଡାକ୍ତରଙ୍କୁ ପଚାରିବେ କହି ଏଇ ତରୁଣ ଡାକ୍ତରଙ୍କୁ ଧନ୍ୟବାଦ ଦେଇ ଗଲେ।