ଜାଣନ୍ତୁ, ଲିଭର ବା ଯକୃତ ଜନିତ ସମସ୍ୟା ବିଷୟରେ। (Liver problems: type, causes, symptoms and preventions in odia)
ଲିଭର ବା ଯକୃତ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମେ ଖାଉଥିବା ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ, ଖାଦ୍ୟକୁ ଶକ୍ତିରେ ପରିଣତ କରେ। ଶରୀର ପାଇଁ ଉପଯୋଗୀ ପ୍ରୋଟିନ୍ ପ୍ରସ୍ତୁତ କରିଥାଏ। ପାଚନକ୍ରିୟାରେ ସହାୟକ ହେଉଥିବା ପିତ୍ତର ସ୍ରାବ ମଧ୍ୟ ଏହିଠାରୁ ହୋଇଥାଏ। କେବଳ ସେତିକି ନୁହେଁ, ଏହା ପ୍ରାକୃତିକ ଫିଲଟର ଭଳି କାମ କରି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଲିଭର ଏକାସାଙ୍ଗରେ ବହୁତଗୁଡ଼ିଏ କାମ କରୁଥିବାରୁ ଏଥିରେ ସମସ୍ୟା ହେଲେ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଇଥାଏ। ମେଦବହୁଳତା, ସଂକ୍ରମଣ, ମଦ୍ୟପାନ, ଆନୁବଂଶିକତା ପ୍ରଭୃତି କାରଣରୁ ଲିଭରରେ ରୋଗ ସୃଷ୍ଟି ହୋଇଥାଏ। ୨୦୧୮ ମସିହାର ଏକ ପରିସଂଖ୍ୟାନ ଅନୁସାରେ ଲିଭର ରୋଗ ଯୋଗୁଁ ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୨ ନିୟୁତ ଲୋକଙ୍କର ପ୍ରାଣହାନି ହେଉଛି।
ଲିଭର ରୋଗର ପ୍ରକାର
-ଫ୍ୟାଟି ଲିଭର
-ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ଡିଜିଜ
-ହେପାଟାଇଟିସ୍ ଏ
-ହେପାଟାଇଟିସ୍ ବି
-ହେପାଟାଇଟିସ ସି
-ହେପାଟାଇଟିସ୍ ଡି
-ହେପାଟାଇଟିସ୍ ଇ
-ସିରୋସିସ
-ଆଲକୋହୋଲିକ୍ ହେପାଟାଇଟିସ୍
-ହେମୋକ୍ରୋମାଟୋସିସ୍
-କୌଣସି ପ୍ରକାର ଆନୁବଂଶିକ ଲିଭର ରୋଗ
-ଲିଭର କ୍ୟାନସର
ଲକ୍ଷଣ: (Symptoms of Liver disease in Odia)
-ତ୍ୱଚା ଓ ଆଖି ହଳଦିଆ ଦେଖାଯିବା
-ପେଟ ଦରଜ, ପେଟ ଫୁଲିବା
-ପାଦ ଫୁଲିବା
-ତ୍ୱଚା କୁଣ୍ଡାଇ ହେବା
-ମଳରେ ରକ୍ତ ପଡ଼ିବା
-ଅତି ଥକ୍କା ଲାଗିବା
-ବାରମ୍ବାର ବାନ୍ତି ହେବା
-ଭୋକ କମ୍ ହେବା
-ଜଣ୍ଡିସ
-ଜ୍ୱର ଲାଗି ରହିବା
କାରଣ (Causes of Liver disease in Odia)
ଲିଭର ରୋଗର ବିଭିନ୍ନ ପ୍ରକାର କାରଣ ଥାଏ। ସଂକ୍ରମଣ, ମେଦବହୁଳତା, ଆନୁବଂଶିକତା ପ୍ରଭୃତି ସେସବୁ ମଧ୍ୟରେ ଅନ୍ୟତମ।
ସଂକ୍ରମଣ: ଅନେକ ସ୍ଥଳରେ ପରଜୀବୀ ଓ ଭୂତାଣୁ ଲିଭରକୁ ସଂକ୍ରମିତ କରିଥାନ୍ତିି। ଏହା ଯୋଗୁଁ ଲିଭରର କାର୍ଯ୍ୟ ଠିକ୍ ଭାବେ ହୋଇପାରେ ନାହିଁ। ଲିଭରକୁ କ୍ଷତି ପହଞ୍ଚାଉଥିବା ଏହି ଭାଇରସ ରକ୍ତ, ଦୂଷିତ ଖାଦ୍ୟ ଖାଇବା, ପାଣି, କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ ନିକଟ ସଂପର୍କରେ ଆସିବା ଯୋଗୁଁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ଲିଭର ସଂକ୍ରମଣର ସବୁଠୁ ସାଧାରଣ ପ୍ରକାର ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ।
ମେଦବହୁଳତା: ମେଦବହୁଳତା ଯୋଗୁଁ ଅନେକ କ୍ଷେତ୍ରରେ ଲିଭରରେ ଚର୍ବି ଜମା ହୋଇଯାଇଥାଏ। ଏହା ଯୋଗୁଁ ମଧ୍ୟ ହେପାଟାଇଟିସ୍ ହେବାର ଆଶଙ୍କା ରହେ।
ମଦ୍ୟପାନ: ମଦ ପିଇବା ଦ୍ୱାରା ମଧ୍ୟ ଲିଭରର କୋଷିକାଗୁଡ଼ିକ ମଧ୍ୟରେ ଚର୍ବି ଜମା ହୋଇ ରହିଯାଏ। ଏହା ଯୋଗୁଁ ଲିଭରର କାମ ବାଧାପ୍ରାପ୍ତ ହୋଇଥାଏ।
ଆନୁବଂଶିକତା: ସମୟ ସମୟରେ ଅସାମାନ୍ୟ ଜିନ୍ ଯୋଗୁଁ ଲିଭର ପ୍ରସ୍ତୁତ କରୁଥିବା ପ୍ରୋଟିନ୍ର ପରିମାଣ ହ୍ରାସ ପାଇଥାଏ। ଏହା ଯୋଗୁଁ ଲିଭର କ୍ଷତିଗ୍ରସ୍ତ ହୋଇଥାଏ। ହେମୋକ୍ରୋମୋଟୋସିସ୍, ୱିଲସନ୍ସ ଡିଜିଜ୍, ଗିଲବର୍ଟସ ଡିଜିଜ୍ ପ୍ରଭୃତି ଆନୁବଶିଂତା ଯୋଗୁଁ ହୋଇଥାଏ।
ପର୍ଯ୍ୟାୟ
ଲିଭର ରୋଗର ବିଭିନ୍ନ ପ୍ରକାର ପର୍ଯ୍ୟାୟ ରହିଥାଏ। ଏହାର ପ୍ରଥମ ପର୍ଯ୍ୟାୟ ହେଲା ଲିଭର ଫୁଲିଯିବା। ଏହା ଯୋଗୁଁ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଯଦି ଦୀର୍ଘ ଦିନ ଧରି ଏହାକୁ ଚିକିତ୍ସା କରାନଯାଏ ଏହା ଲିଭର ଖରାପ ହେବାର କାରଣ ପାଲଟେ। ଦ୍ୱିତୀୟ ପର୍ଯ୍ୟାୟଟି ହେଲା ଫାଇବ୍ରୋସିସ୍। ଏହା ଯୋଗୁଁ ଲିଭରରେ କ୍ଷତ ସୃଷ୍ଟି ହେବା ଆରମ୍ଭ ହୋଇଥାଏ। ତୃତୀୟ ପର୍ଯ୍ୟାୟଟି ହେଲା ସିରୋସିସ୍। ଯଦି ଫାଇବ୍ରୋଟିକ୍ ପର୍ଯ୍ୟାୟକୁ ଯାଞ୍ଚ କରାନଯାଏ ତେବେ ଲିଭରରେ ହୋଇଥିବା କ୍ଷତ ଆହୁରି ବୃଦ୍ଧି ପାଏ। ଏହି ପର୍ଯ୍ୟାୟରେ ଲିଭର କ୍ୟାନ୍ସର ପରି ଅବସ୍ଥା ମଧ୍ୟ ଦେଖାଦେଇଥାଏ। ଚତୁର୍ଥ ପର୍ଯ୍ୟାୟ ହେଲା ଲିଭର ଫେଲ୍ୟୁଅର। ଏହା ହେଉଛି ଲିଭର ରୋଗର ଅନ୍ତିମ ପର୍ଯ୍ୟାୟ। ଏହି ପର୍ଯ୍ୟାୟରେ ରୋଗୀକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥାଏ। ଯଦି ଚିକିତ୍ସା କରାନଯାଏ ତା’ ହେଲେ ରୋଗୀ କୋମାକୁ ପଳାଇଯିବା ସହିତ ମୃତ୍ୟୁର ଶିକାର ମଧ୍ୟ ହୋଇଥାଏ।
କିଭଳି ଚିହ୍ନଟ ହୁଏ?
ଲିଭର ସମ୍ବନ୍ଧୀୟ ରୋଗର ଚିହ୍ନଟ ପାଇଁ ଡାକ୍ତରମାନେ ରକ୍ତ ପରୀକ୍ଷା କରିଥାନ୍ତି। ଲିଭର ଫଙ୍କସନ୍ ଟେଷ୍ଟ ବା ଏଲଏଫଟି ନାମକ ଏକପ୍ରକାର ରକ୍ତ ପରୀକ୍ଷଣରୁ ଲିଭର ସମ୍ବନ୍ଧୀୟ ରୋଗ ଜଣାପଡ଼ିଥାଏ। ଏହାଛଡ଼ା ଆନୁବଂଶିକ ସ୍ଥିତିକୁ ଦେଖି ମଧ୍ୟ କିଛି ପ୍ରକାର ରକ୍ତ ପରୀକ୍ଷଣ ହୋଇଥାଏ। ସେହିପରି ଅଲଟ୍ରାସାଉଣ୍ଡ, ସିଟି ସ୍କାନ, ଏମଆରଆଇ ଦ୍ୱାରା ଲିଭରକୁ ହୋଇଥିବା କ୍ଷତି ବିଷୟରେ ଜଣାପଡ଼ିଥାଏ। ସମୟ ସମୟରେ ଏଥିପାଇଁ ବାୟୋପ୍ସି ମଧ୍ୟ କରାଯାଏ।
କିଭଳି ରକ୍ଷା ପାଇବେ
-ମଦ ପିଅନ୍ତୁ ନାହିଁ। ଏହା ଯକୃତକୁ କ୍ଷତି ପହଞ୍ଚାଇବାର ସବୁଠୁ ବଡ଼ କାରଣ।
-ହେପାଟାଇଟିସ୍ ସଂକ୍ରମଣ ନ ହେବା ଲାଗି ଟୀକା ନିଅନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ।
-ଯେକୌଣସି ଔଷଧକୁ ଆବଶ୍ୟକତା ଅନୁସାରେ ଖାଆନ୍ତୁ। ହର୍ବାଲ ଔଷଧ ଖାଇବା ପୂର୍ବରୁ ଡାକ୍ତରମାନଙ୍କ ସହ ପରାମର୍ଶ କରନ୍ତୁ।
-ଓଜନକୁ କମ୍ କରନ୍ତୁ। ମେଦବହୁଳତା ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ଡିଜିଜ୍ର କାରଣ ପାଲଟିଥାଏ।
-ତେଲ ମସଲା, ଛଣାଛଣି ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ।
-ଅଧିକ ଲୁଣ ଖାଆନ୍ତୁ ନାହିଁ। ଏହା କେବଳ ଯେ ରକ୍ତଚାପ ବୃଦ୍ଧି କରିବ ତାହା ନୁହେଁ, ଏହା ଲିଭରକୁ ମଧ୍ୟ କ୍ଷତି ପହଞ୍ଚାଇବ।
-ଏହାଛଡ଼ା ନିୟମିତ ଭାବେ ବ୍ୟାୟାମ କରନ୍ତୁ। ପ୍ରତିଦିନ ଅତି କମ୍ରେ ଅଧ ଘଣ୍ଟାଏ ଲେଖାଏଁ ଚାଲିବା ଆବଶ୍ୟକ। ୩୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ପ୍ରତି ଛଅମାସରେ ଥରେ ଏଲ୍ଏଫ୍ଟି ପରୀକ୍ଷା କରିବା ଭଲ।