ଆର୍ଥ୍ରାଇଟିସ୍ ରୋଗ ଯୋଗୁଁ ଆମ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। ଆଣ୍ଠୁ ବ୍ୟଥା, ଅଣ୍ଟା ବିନ୍ଧା, କହୁଣୀ ବ୍ୟଥା (ଟେନିସ୍ ଏଲବୋ), ସ୍ପଣ୍ଡିଲାଇଟିସ୍। ଠିକ୍ ସମୟରେ ଏହି ସମସ୍ୟାର ସଠିକ୍ ଚିକିତ୍ସା ନକଲେ ପରିସ୍ଥିତି ଜଟିଳ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ସମସ୍ୟାର ଚିକିତ୍ସା ସମ୍ପର୍କରେ କ’ଣ କହୁଛନ୍ତି ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା।
- ଅଣ୍ଟା ବିନ୍ଧାର କାରଣ କ’ଣ?
- କହୁଣୀ ବ୍ୟଥା (ଟେନିସ୍ ଏଲବୋ) କାହିଁକି ହୁଏ?
- ସ୍ପଣ୍ଡିଲାଇଟିସ୍ କ’ଣ?
- ଆଣ୍ଠୁ ପ୍ରତିରୋପଣ କେମିତି ହୁଏ?
- ଆଣ୍ଠୁ ପ୍ରତିରୋପଣ ଲାଗି କେତେ ଟଙ୍କା ଖର୍ଚ୍ଚ ହୁଏ?
ଆର୍ଥ୍ରାଇଟିସ୍କୁ ଆମେ ଗଣ୍ଠିବାତ ବୋଲି କହିଥାଉ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଆର୍ଥ୍ରାଇଟିସ୍ ସମସ୍ୟା ଅଧିକ ଦେଖାଦିଏ। ଛୋଟ ପିଲାମାନଙ୍କଠାରେ ଜୁଭେନାଇଲ ରୁମାଟଏଡ୍ ଆର୍ଥାଇଟିସ୍ ଦେଖାଯାଏ। ମଧ୍ୟ ବୟସ୍କଙ୍କଠାରେ ରୁମାଟଏଡ୍ ଆର୍ଥାଇଟିସ୍ ଦେଖାଯାଏ।
ସାଧାରଣତଃ ଆର୍ଥାଇଟିସ୍ ସମସ୍ୟାରେ ହାତ ଗଣ୍ଠିଗୁଡ଼ିକ ଫୁଲିଯାଏ, ହାତକୁ ମୁଠା କରି ହୁଏ ନାହିଁ, ବେଳେ ବେଳେ ବ୍ୟକ୍ତି ଜଣକ ଚାଲିପାରନ୍ତି ନାହିଁ ଓ ଧୀରେ ଧୀରେ ହାତ ପାଦ ବଙ୍କା ହୋଇଯାଏ। ଏଭଳି କିଛି ବି ଲକ୍ଷଣ ଦେଖାଗଲେ ରୋଗୀ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ରହିଛି। ଏହାକୁ ଅଣଦେଖା କଲେ ହାତ ଗୋଡ଼ ବଙ୍କା ହୋଇଯିବ। ହାତ ଗୋଡ଼ ବଙ୍କା ହୋଇଗଲେ ରୋଗୀ ଚାଲିପାରିବେ ନାହିଁ। ଫଳରେ ଅପରେସନ୍ ଜରିଆରେ ଏହାର ଚିକିତ୍ସା କରିବାକୁ ପଡ଼ିଥାଏ। ଆର୍ଥାଇଟିସ୍ ଔଷଧ ବନ୍ଦ କରିବେ ନାହିଁ, ନଚେତ୍ ରୋଗ ଜଟିଳ ହୋଇପାରେ।
ଅଣ୍ଟା ବିନ୍ଧା କାହିଁକି ହୁଏ? (Causes of Lower Back Pain in Odia)
ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖାଯାଏ ଅଣ୍ଟାବିନ୍ଧା। ବିଭିନ୍ନ କାରଣରୁ ଅଣ୍ଟା ବିନ୍ଧା ହୋଇଥାଏ। ଛୋଟ ପିଲାଙ୍କୁ ଟିବି କିମ୍ବା ଆର୍ଥ୍ରାଇଟିସ୍ ଥିଲେ ଅଣ୍ଟା ବିନ୍ଧା ହୋଇଥାଏ। ଯୁବାବସ୍ଥାରେ ରକା ପଶିଗଲେ ସାଧାରଣତଃ ଅଣ୍ଟା ବିନ୍ଧା ହୋଇଥାଏ। ବୟସ୍କଙ୍କଠାରେ ଅଷ୍ଟିଓପୋରୋସିସ୍ ସମସ୍ୟା ଯୋଗୁଁ ଅଣ୍ଟା ବିନ୍ଧା ହୋଇଥାଏ।
ଅଣ୍ଟା ବିନ୍ଧା ହେଉଥିଲେ ଆଗକୁ ନଇଁ ଓଜନ ଜିନିଷ ଉଠାନ୍ତୁ ନାହିଁ। ବେଶି କାମ କରିବେ ନାହିଁ ଏବଂ ବିଶ୍ରାମ କରିବେ, ତେବେ ଅଣ୍ଟା ବିନ୍ଧାରୁ ଉପଶମ ମିଳିଥାଏ। ଏହାଛଡ଼ା କିଛି ବ୍ୟାୟାମ କରିବାକୁ ପଡ଼ିଥାଏ ଓ ଅଣ୍ଟାରେ ବେଲ୍ଟ ବାନ୍ଧିବାକୁ ହେବ।
ବେଶି ସମୟ ଯାଏଁ ବାଇକ ଚଳାଇଲେ ଅଣ୍ଟା ବିନ୍ଧା ହୋଇଥାଏ। ୧ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ଯଦି କୌଣସି କାର୍ଯ୍ୟରେ ଅଧିକ ସମୟ ବସିବାକୁ ପଡ଼ୁଛି, ତେବେ ମଝିରେ ମଝିରେ ବ୍ରେକ୍ ନେଇ ଠିଆ ହୁଅନ୍ତୁ ବା ଏପଟ ସେପଟ ହୁଅନ୍ତୁ।
ଅଣ୍ଟା ବିନ୍ଧାର ପ୍ରମୁଖ କାରଣ ହେଉଛି ଆମ ଜୀବନଶୈଳୀ। ଅଧିକ ମାନସିକ ଚାପ, ରାତିରେ ନ ଶୋଇବା, ଲମ୍ବା ସମୟ ଧରି ବସି ରହିବା, ଅଧିକ ସମୟ ଯାଏଁ ଗାଡ଼ି ଚଳାଇବା ଅଣ୍ଟା ବିନ୍ଧାର ପ୍ରମୁଖ କାରଣ ହୋଇଥାଏ। ଏଥିପାଇଁ ନିୟମିତ ଯୋଗ, ବ୍ୟାୟାମ ଓ ପ୍ରାଣାୟାମ କରିବା ଉଚିତ। ଅତ୍ୟଧିକ ଓଜନ ଥିଲେ କମାନ୍ତୁ। ଶରୀରରେ ଓଜନ ବଢ଼ିଗଲେ ଅଣ୍ଟା ଉପରେ ପ୍ରଭାବ ପଡ଼ିଥାଏ।
ଅଣ୍ଟା ବିନ୍ଧା ହେଲେ କିଛି ଲୋକ ପେନ୍ କିଲର ଖାଇଥା’ନ୍ତି। କିନ୍ତୁ ପେନ୍କିଲର ହେଉଛି ଏକ ଅସ୍ଥାୟୀ ଉପଚାର। ନିୟମିତ ପେନ୍କିଲର ଖାଇଲେ ଏହା କିଡ୍ନି ସମସ୍ୟା, ଲିଭର ସମସ୍ୟା ଓ ପେଟରେ ଅଲସର କରିପାରେ। ଡାକ୍ତରଙ୍କ ପରାମର୍ଶ କରି ପେନ୍କିଲର ଖାଇପାରିବେ। ଅଣ୍ଟା ବିନ୍ଧୁଥିଲେ ଅଣ୍ଟା ମାଲିସ ବି କରିପାରିବେ। ଅଣ୍ଟାରେ ଆଘାତ ଲାଗିଲେ ଯଥାଶିଘ୍ର ବରଫ ସେକ ଦେଇପାରିବେ। ଦିନକୁ ୨୦ ମିନିଟ୍ ଯାଏଁ ବରଫ ସେକ ଦେଲେ ଅଣ୍ଟା ବ୍ୟଥାରୁ ଉପଶମ ମିଳିଥାଏ।
ଅଣ୍ଟା ବିନ୍ଧା ବହୁତ ଦିନ ଧରି ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ବିନ୍ଧା ଅଧିକ ହେଲେ ଆବଶ୍ୟକସ୍ଥଳେ ଅପରେସନ୍ କରାଯାଏ କିନ୍ତୁ ୯୯ ପ୍ରତିଶତ ଲୋକଙ୍କର ଅପରେସନ୍ ଦରକାର ପଡ଼େ ନାହିଁ।
କହୁଣୀ ବ୍ୟଥା କାହିଁକି ହୁଏ? (Elbow Pain Causes in Odia)
ଭାରୀ ଜିନିଷ ଉଠାଇଲେ କିମ୍ବା ଆଘାତ ଲାଗିଲେ କହୁଣୀ ବ୍ୟଥା ହୁଏ। ଏହାକୁ ଟେନିସ୍ ଏଲ୍ବୋ କୁହାଯାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହା ଅଧିକ ଦେଖାଦିଏ। ଏହା ଏକ କ୍ରୋନିକ ପେନ୍। ହାତକୁ ବିଶ୍ରାମ ଦେଲେ ଓ ଭାରୀ କାର୍ଯ୍ୟ ନ କଲେ ଏହା ଭଲ ହୋଇଯାଇଥାଏ। ଅଧିକ ଦିନ ବ୍ୟଥା ରହିଲେ ଔଷଧ ଦେଇ ଚିକିତ୍ସା କରାଯାଏ। ଯଦି ଏହି ଯନ୍ତ୍ରଣା ଅତ୍ୟଧିକ ହୁଏ ଓ ଔଷଧ ଖାଇବା ପରେ ବି ଭଲ ନ ହୁଏ ତେବେ କେତେକ କ୍ଷେତ୍ରରେ ସର୍ଜରୀ କରିବାକୁ ପଡ଼ିଥାଏ।
କହୁଣୀ ବ୍ୟଥା ହେଉଥିଲେ ନିୟମିତ ବ୍ୟାୟାମ କରିବା ଜରୁରୀ।
ସ୍ପଣ୍ଡିଲାଇଟିସ୍ କ’ଣ?
ବୟସ୍କ ଲୋକଙ୍କଠାରେ ସ୍ପଣ୍ଡିଲାଇଟିସ୍ ସମସ୍ୟା ଅଧିକ ଦେଖାଦିଏ। ଏହା ଏକ ବୟସଜନିତ ସମସ୍ୟା। ସ୍ପଣ୍ଡିଲାଇଟିସ୍ ହେବା ଯୋଗୁଁ ମେରୁଦଣ୍ଡରେ ଯନ୍ତ୍ରଣା, ଅଣ୍ଟା ହାଡ଼ରେ ବା ବେକ ହାଡ଼ରେ ବ୍ୟଥା ହୁଏ। ଏଥିପାଇଁ ଅଣ୍ଟାରେ ବେଲ୍ଟ ବାନ୍ଧିବେ, ଫିଜିଓଥେରାପି କରିବେ।
କିନ୍ତୁ ଅଧିକ ଯନ୍ତ୍ରଣା ହେଲେ ସର୍ଜରୀ କରିବାକୁ ପଡ଼ିଥାଏ।
ସ୍ପଣ୍ଡିଲାଇଟିସ୍ ଉପରେ ଜୀବନଶୈଳୀର ପ୍ରଭାବ
ବିମାନରେ ଅଧିକ ଯାତ୍ରା କରୁଥିଲେ, ଅଧିକ ସମୟ ଧରି ବାଇକ ଚଳାଉଥିଲେ ସ୍ପଣ୍ଡିଲାଇଟିସ୍ ସମସ୍ୟା ହୋଇଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କରି ବ୍ୟାୟାମ କରିବେ। ସ୍ପଣ୍ଡିଲାଇଟିସ୍ ସମସ୍ୟା ବା ଅଣ୍ଟା ବିନ୍ଧାର ସମସ୍ୟା ଥିଲେ ଆଗକୁ ନଇଁ କୌଣସି ଭାରୀ ଜିନିଷ ଉଠାନ୍ତୁ ନାହିଁ। ଅଣ୍ଟାକୁ ସିଧା କରି ବସିବା ସହ ଗାଡ଼ି ଚଳାଉଇବା ବେଳେ ଅଣ୍ଟାରେ ବେଲ୍ଟ ବାନ୍ଧି ବସିବେ।
ଆଣ୍ଠୁ ପ୍ରତିରୋପଣ କେମିତି ହୁଏ? (Knee replacement in Odia)
ଆଣ୍ଠୁ ଗଣ୍ଠି ସମ୍ପୂର୍ଣ୍ଣ ଖରାପ ହୋଇଗଲେ ବ୍ୟକ୍ତି ଚାଲିପାରେ ନାହିଁ। ଏଭଳି ସ୍ଥିତିରେ ସର୍ଜରୀ ଦ୍ୱାରା ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ। ସର୍ଜରୀ ଦ୍ୱାରା ଆଣ୍ଠୁଗଣ୍ଠିରେ ଏକ ମେଟାଲ ପ୍ଲେଟ୍ ଲଗାଯାଏ। ସର୍ଜରୀ ପରେ ରୋଗୀ ଠିକ୍ ଭାବେ ଚାଲିପାରିବେ।
ଥରେ ଆଣ୍ଠୁ ପ୍ରତିରୋପଣ କଲେ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ରହିଥାଏ। ହେଲେ ଆଣ୍ଠୁ ପ୍ରତିରୋପଣ କରିବା ପରେ ତଳେ ବସିବେ ନାହିଁ। ଆଣ୍ଠୁ ଦୌଡ଼ିବେ ନାହିଁ, ଡେଇଁ ପାରିବେ ନାହିଁ, ସାଇକେଲ ବା ଗାଡ଼ି ଚଳାଇପାରିବେ ନାହିଁ।
ସାଧରଣତଃ ଆଣ୍ଠୁ ପ୍ରତିରୋପଣ ପାଇଁ ଅତ୍ୟାଧୁନିକ ଓଟି ତଥା ଯନ୍ତ୍ରପାତି ଆବଶ୍ୟକ ହୋଇଥାଏ। ବିଭିନ୍ନ ହସ୍ପିଟାଲ ଅନୁଯାୟୀ ଏହାର ଚିକିତ୍ସା ଖର୍ଚ୍ଚ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଏଭଳି ସର୍ଜରୀ ଭଲ ଡାକ୍ତରଙ୍କୁ ଦେଖାଇ କରିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବସନ୍ତ କୁମାର ବେହେରାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on problems of Arthritis based on the interview with Dr. Basanta Kumar Behera, Orthopedics & Joint Replacement Surgeon.