ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଏ। ତେବେ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଲକ୍ଷଣ କ’ଣ? ଏହା କାହାକୁ ହୋଇଥାଏ ଏବଂ କ’ଣ ରହିଛି ଏହାର ଚିକିତ୍ସା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା। (Arthritis – its symptoms and treatments)
- ଗଣ୍ଠିବାତ ରୋଗ ଓ ଏହାର ଲକ୍ଷଣ କ’ଣ?
- କାହିଁକି ହୁଏ ଗଣ୍ଠିବାତ ରୋଗ?
- ଗଣ୍ଠିବାତ ରୋଗ କାହାକୁ ହୋଇଥାଏ ଓ ଏହାକୁ କେମିତି ଜାଣିବେ?
- ଗଣ୍ଠିବାତ ରୋଗ ବଂଶଗତ କି?
- ଗଣ୍ଠିବାତ ରୋଗର ଚିକିତ୍ସା
ଗଣ୍ଠି କହିଲେ ସାଧାରଣତଃ ଦୁଇଟି ହାଡ଼ର ମିଳନସ୍ଥଳୀକୁ ବୁଝାଏ, ଯାହା ଆମର ଦୈନନ୍ଦିନ ଚଳପ୍ରଚଳ କରିବାରେ ସାହାଯ୍ୟ କରିଥାଏ। ଯଦି ଏହି ଗଣ୍ଠିରେ କ୍ଷୟ ହୋଇ ପାଣି ଜମା ହୁଏ, ଫଳରେ ଗଣ୍ଠି ଫୁଲିଯାଏ କିମ୍ବା ଦରଜ ହୁଏ। ତେବେ ଏହାକୁ ଗଣ୍ଠିବାତ ବା ଆର୍ଥାଇଟିସ୍ ସମସ୍ୟା ହୋଇଥାଏ।
ପାଖାପାଖି ୧୦୦ରୁ ଅଧିକ ପ୍ରକାରର ଗଣ୍ଠିବାତ ରୋଗ ରହିଛି। ଇନ୍ଫ୍ଲାମେଟୋରୀ ଆର୍ଥାଇଟିସ୍, ଅଷ୍ଟିଓ ଆର୍ଥାଇଟିସ୍, କ୍ରିଷ୍ଟାଲ ଆର୍ଥାଇଟିସ୍, ଇନ୍ଫେକ୍ସିଅସ୍ ଆର୍ଥାଇଟିସ୍ ଭଳି ଗଣ୍ଠିବାତ ରୋଗ ରହିଛି। ଭିନ୍ନ ଭିନ୍ନ ରୋଗର ପ୍ରକାରଭେଦ ଅନୁସାରେ ଚିକିତ୍ସା ରହିଛି।
ଗଣ୍ଠିବାତ ରୋଗର ଲକ୍ଷଣ (Symptoms of Arthritis)
ସକାଳୁ ଶୋଇକି ଉଠିଲା ପରେ ହାତ ମୁଠା କଲେ ହାତ ଦରଜ ହେବା, ଅଣ୍ଟା ଦରଜ ହେବା ଏବଂ ଧୀରେ ଧୀରେ କାମ କଲା ପରେ ଆପଣଙ୍କର କୌଣସି ଦରଜ ରହୁ ନାହିଁ। ଏହାକୁ ଇନ୍ଫ୍ଲାମେଟୋରି ଆର୍ଥାଇଟିସ୍ ବା ପ୍ରବାହ ଜନିତ ଗଣ୍ଠିବାତ ରୋଗ କୁହାଯାଏ।
କାମ କରିବା ପରେ ଅଧିକ କଷ୍ଟ ହେଲେ ଏହା ଅଷ୍ଟିଓ ଆର୍ଥାଇଟିସ୍ ରୋଗର ଲକ୍ଷଣ ହୋଇଥାଏ। ତଳେ ବସିକରି ଉଠିବା ପରେ ଆଣ୍ଠୁଗଣ୍ଠି ବେଶି ଯନ୍ତ୍ରଣା ହେଲେ ଏହା କ୍ଷୟ ଜନିତ ଆର୍ଥ୍ରାଇଟିସ୍ର ଲକ୍ଷଣ ବୋଲି କହିଥାଉ।
ଶରୀରରେ ୟୁରିକ ଏସିଡ୍ର ମାତ୍ରା ବଢ଼ିଗଲେ ମଧ୍ୟ ଗଣ୍ଠିବାତ ରୋଗ ହୋଇଥାଏ। ଏହାକୁ ୟୁରିକ ଏସିଡ୍ ଆର୍ଥ୍ରାଇଟିସ୍ ବୋଲି କୁହାଯାଏ। ଏଥିରେ ଗୋଡ଼ ଗଣ୍ଠି ଭୀଷଣ ଭାବେ ବ୍ୟଥା ହୁଏ।
ଗଣ୍ଠିବାତ ରୋଗର କାରଣ? (Causes of Arthritis)
ବୟସ ଅଧିକ ହେଲେ କ୍ଷୟ ଜନିତ ଆର୍ଥାଇଟିସ୍ ବା ଅଷ୍ଟିଓ ଆର୍ଥାଇଟିସ୍ ହୋଇଥାଏ। ଏହାସହ ଗଣ୍ଠିରେ ଅତ୍ୟଧିକ ଚାପ ପଡ଼ିଲେ ଏହି ଗଣ୍ଠିବାତ ହୁଏ। ବିଶେଷକରି ମୋଟାପଣ ଥିବା ବ୍ୟକ୍ତିଙ୍କଠାରେ ଆଣ୍ଠୁଗଣ୍ଠି ବାତ ଓ ଦେଖାଦିଏ।
ଆମ ଶରୀରରେ ଏକ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଜୀବାଣୁ ବା ଭୂତାଣୁ ଆମକୁ ସଂକ୍ରମଣ କଲେ ଏହି ଶକ୍ତି ତା’ ସହ ଲଢ଼ିଥାଏ। ରୋଗ ପ୍ରତିରୋଧକ ଶକ୍ତ ଗଣ୍ଠିକୁ କ୍ଷତି ପହଞ୍ଚାଇଲେ ଗଣ୍ଠିବାତ ଦେଖାଦିଏ।
ଲକ୍ଷଣରୁ ଜାଣିହେବ ଗଣ୍ଠିବାତ ରୋଗ ବିଷୟରେ। ଯଦି ଜଣେ ବ୍ୟକ୍ତିଙ୍କୁ ଏହିସବୁ ଲକ୍ଷଣ ଦେଖାଦେଉଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରିପାରିବେ।
ଗଣ୍ଠିବାତ ରୋଗକୁ ଜାଣିବେ କିପରି?
ଗଣ୍ଠିବାତ ରୋଗ ପାଇଁ ପ୍ରଥମେ ଡାକ୍ତର ସେମାନଙ୍କ ଆଣ୍ଠୁଗଣ୍ଠି ଅବସ୍ଥା ଓ ଲକ୍ଷଣ ବିଷୟରେ ପଚାରି ବୁଝିବେ। ୯୦ରୁ ୯୫ ପ୍ରତିଶତଙ୍କ କ୍ଷେତ୍ରରେ ବିନା ପରୀକ୍ଷାରେ ଗଣ୍ଠିବାତ ସମସ୍ୟା ଜଣାପଡ଼ିଥାଏ। କିନ୍ତୁ ଡାକ୍ତରମାନେ କିଛି ଲୋକଙ୍କ ଅବସ୍ଥା ଦେଖି କେତେକ ପରୀକ୍ଷା କରିଥା’ନ୍ତି।
ରୁମାଟଏଡ୍ ଆର୍ଥାଇଟିସ୍ ସମସ୍ୟା ଜାଣିବା ପାଇଁ ରୁମାଟଏଡ୍ ଫ୍ୟକ୍ଟର କିମ୍ବା ଆଣ୍ଟି ସିସିପି ପରୀକ୍ଷା କରିଥା’ନ୍ତି। କିନ୍ତୁ ଏହିସବୁ ପରୀକ୍ଷାର କିଛିଟା ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ତେଣୁ ଏହିସବୁ ପରୀକ୍ଷା ନିଜେ ନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ କରିବା ଆବଶ୍ୟକ ରହିଛି।
ଗଣ୍ଠିବାତ ରୋଗ କେଉଁମାନଙ୍କ ହୋଇଥାଏ?
ବିଭିନ୍ନ ପ୍ରକାର ଗଣ୍ଠିବାତ ରୋଗ ଭିନ୍ନ ଭିନ୍ନ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ। ବର୍ତ୍ତମାନ ସମୟରେ ଗଣ୍ଠିବାତ ଜନିତ ସମସ୍ୟା ଯେକୌଣସି ବୟସରେ ହୋଇପାରେ।
ଜୁଭେନାଇଲ୍ ଆର୍ଥାଇଟିସ୍ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଖରେ ଦେଖାଦେଉଛି। ଏହି ସମସ୍ୟା ସାଧାରଣତଃ ଅଟୋ ଇମ୍ୟୁନ୍ ଡିଜିଜ। ରୁମାଟଏଡ୍ ଗଣ୍ଠିବାତ ରୋଗ ୧୫ ବର୍ଷରୁ ୪୫ ବର୍ଷ ମଧ୍ୟରେ ହୋଇଥାଏ। ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବହୁଳ ଭାବରେ ଦେଖାଦିଏ।
ୟୁରିକ୍ ଏସିଡ୍ ଆର୍ଥାଇଟିସ୍ ପୁରୁଷଙ୍କଠାରେ ଅଧିକ ହୋଇଥାଏ। ଏହା ସାଧାରଣତଃ ୨୦ରୁ ୧୦ ବର୍ଷର ଲୋକଙ୍କୁ ଅଧିକ ହୋଇଥାଏ।
ଅଧିକାଂଶ ଗଣ୍ଠିବାତ ରୋଗ ବଂଶଗତ କାରଣରୁ ହୋଇ ନଥାଏ। ତେବେ କେତେକ ଜିନ୍ଗତ ସମସ୍ୟା ଯୋଗୁଁ ଗଣ୍ଠିବାତ ହୋଇଥାଏ।
ଗଣ୍ଠିବାତ ରୋଗର ଚିକିତ୍ସା (Treatment of Arthritis)
ଗଣ୍ଠିବାତ ରୋଗର ଚିକିତ୍ସା ଦୀର୍ଘ ଦିନ ଧରି ଚାଲିଥାଏ। ଯଥାଶୀଘ୍ର ଏହାର ଚିକିତ୍ସା ସମ୍ଭବ ନୁହେଁ। ଗଣ୍ଠିବାତର ଚିକିତ୍ସା ପାଇଁ ସ୍ୱତନ୍ତ୍ର ରୁମାଟୋଲୋଜି ବିଭାଗ ରହିଛି। ଗଣ୍ଠିବାତ ରୋଗ ଥିଲେ ରୁମାଟୋଲୋଜି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
କେଉଁ ପ୍ରକାର ଗଣ୍ଠିବାତ ହୋଇଛି ଡାକ୍ତର ପ୍ରଥମେ ରୋଗ ନିର୍ଦ୍ଧାରଣ କରିବେ। ଏହାପରେ ରୋଗକୁ ଦେଖି ଡାକ୍ତର ଔଷଧ ପରାମର୍ଶ କରିବେ।
ଅଧିକ ପେନ୍କିଲର ଖାଆନ୍ତୁ ନାହିଁ
ଗଣ୍ଠିବାତ କମ୍ କରିବାକୁ ଅଧିକ ପେନ୍କିଲର ମେଡିସିନ୍ ଖାଆନ୍ତୁ ନାହିଁ। ଦୀର୍ଘ ଦିନ ଧରି ପେନ୍କିଲର ଖାଇଲେ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବ। ଏହି ପେନ୍କିଲର ଅଧିକ ଖାଇବା ଫଳରେ ଗ୍ୟାଷ୍ଟ୍ରିକ, ଉଚ୍ଚ ରକ୍ତଚାପ, କିଡନି ଫେଲ୍ୟୁୟର ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି।
ଗଣ୍ଠିବାତରୁ କେମିତି ସୁରକ୍ଷିତ ରହିବେ? (Prevention of Arthritis)
ଅଷ୍ଟିଓ ଆର୍ଥାଇଟିସ୍ ସାଧାରଣତଃ ମୋଟାପଣ ଯୋଗୁଁ ହୋଇଥାଏ। ଯଦି ଆପଣ ନିଜର ଓଜନ କମାଇବେ, ତେବେ ଗଣ୍ଠିବାତ ରୋଗ ହେବାର ସମ୍ଭାବନା ବହୁତ କମ ରହିବ। ଗଣ୍ଠିବାତରୁ ସୁରକ୍ଷିତ ରହିବା ପାଇଁ ଆମର ଲାଇଫଷ୍ଟାଇଲ୍ ବଦଳାଇବାକୁ ହେବ। ସୁଷମ ଖାଦ୍ୟ ଖାଇବା, ଜଙ୍କ୍ ଫୁଡ୍ରୁ ଦୂରେଇ ରହିବା, ନିୟମିତ ବ୍ୟାୟାମ କରିବା। ଗଣ୍ଠିବାତ ରୋଗ ଥିଲେ ନରମ ଚପଲ ପିନ୍ଧିଲେ ଉପକାରିତା ମିଳିବ।